ପ୍ରେମର ସ୍ବରୂପ କଥନ

         ପ୍ରେମକୁ ନଭାବ ସରଳ କଥା
         ଦେଇପାରେ ଖୁସି ଅଥବା ବଥା
ପ୍ରେମ ରାଇଜରେ          ଖସଡ଼ା ସଡକ
         ଚାଲି ନଜାଣିଲେ ହୋଇବ ଅଥା  ।1।

         ଆଗେ ଥିଲା ଆମ ଚଳଣି ଦେଶୀ
         ପ୍ରେମରୁ ବିବାହ ନଥିଲା ବେଶୀ
ତେଲ ଲୁଣ ଆଉ          ଗତାନୁଗତିକ
         ଲୋକାଚାରେ ଥିଲା ଜୀବନ ପେଷି ।2।

         ପ୍ରେମ ବିବାହ ବା ଯୋଗାଡ ହେଉ
         ହାତେ ରୋଜଗାର ଥାଉ ନଥାଉ
ବିବାହ ପରର     ନୂଆ କିଛି କାଳ         
         ଆସଇ ତୁହାଇ ପୀରତି ଢେଉ  ।3।

         ତାପରେ ପ୍ରେମର ବଦଳେ କାୟା
         ଗ୍ରାସ କରେ ଯେଣୁ ଜଗତ ମାୟା
କେତେବେଳେ ପଡେ       ପ୍ରେମର ମରୁଡି
         କେବେ ପୁଣି କିଏ ପ୍ରେମରେ ବାୟା ।4।

         ନରି ବାବୁ ଆମ ପଡିଶା ଘର
         ଭାରିଜା ବଚନ ବେଦରେ ଗାର
ଜୀବନ ତାଙ୍କର          ଲାଗେ ସୁଖମୟ
         ‘ବଶମ୍ବଦ ପ୍ରେମ’ ନାମଟି ତାର ।5।

         ଆଉ ଜଣେ ହେଲେ ବଳିଆ ବୀର
         କଥାରେ କଥାରେ ମାରନ୍ତି ତୀର
ଘରଣୀବି ନୁହେଁ          ଛାଡିବା ପରାଣୀ
         ଗାଳି ଗୁଲଜର ଛୁଟଇ ସୁର  ।6।

         ଶୁଖିନି ତଥାପି ପୀରତି ଧାର
         ବଡ ଝଗଡାଟେ ହୋଇଲେ ପାର
ଦୁଇ ଗୁଣ ପ୍ରେମ          ଆବୋରେ ଦୁହିଁଙ୍କୁ
         ‘ବଣୁଆ ପ୍ରେମ’ ଏ ନାମ ଅପାର  ।7।

         ଆଉ ଦୁହିଁଙ୍କର ନିଆରା ରୀତି
         ଏକୁଟିଆ ବେଳେ ବଡ ପୀରତି
ଆଉ କିଏ ଥିଲେ         ଖୁମୁଟା ଖୁମୁଟି
         ଅଭିଯୋଗ ପୁଣି ଗୁମାନ ଗୀତି  ।8।

         କୁନି କୁନି ରାଗ ଛୋଟିଆ ରୁଷା
         ଖୁସିରେ ଶୁଣାନ୍ତି ସାଇ ପଡିଶା
‘ବିରାଡ଼ିଆ ପ୍ରେମ’               ନାମରେ ନାମିତ
         ବଡ ସୁଖକର ଏହାର ନିଶା  ।9।

         ସବୁରି ଉପରେ ଗୋଟିଏ କଥା
         ସୋସାଲ ମିଡ଼ିଆ ନବୀନ ପ୍ରଥା
ଗାଇବାକୁ ହେବ        ମେଡିଆ ବୁକୁରେ
         ଅଥଳ ପ୍ରେମର ଗଭୀର ଗାଥା ।10।

         ଅସଲ ଜୀବନେ ପ୍ରେମର ଗାଡି
         ହରାଇବ ଗତି ନଯିବ ମାଡି
ମିଠା ମିଠା କଥା         ହସ ହସ ଫୋଟୋ
         ମେଡିଆରେ ଯଦି ନଦେବ ବାଢି ।11।