ଅପରିଚିତ

“ସରୋଜ… ସରୋଜ…” – କିଏ ଜଣେ କ୍ଷୀଣ କଣ୍ଠରେ ଡାକୁଥିଲା ।

ଅନତି ଦୂରରେ ଗାଡ଼ି ପାର୍କ୍‌କରି ସବୁଦିନ ପରି ଚାଲିଚାଲି ଯାଉଥିଲା ସରୋଜ ତା’ର ଅଫିସ୍ ଅଭିମୁଖେ। ସକାଳେ ଫୁଟ୍‌ପାଥ୍‌ରେ ଖୁବ୍ ଭିଡ଼ । ନିଜ ନିଜ କାମରେ ଯାଉଥିବା ଶହ ଶହ ଲୋକ ପିମ୍ପୁଡ଼ି ପରି ଆତଯାତ ହେଉଥାନ୍ତି । ଭିଡ଼ ଭିତରୁ କେହି ତା’ ନାଁ ଧରି ଡାକୁଥିବାର ଅନୁମାନ କରି ସରୋଜର ପାଦ ଥମିଗଲା ।‌
ପଛକୁ ଚାହିଁ ଦେଖେ ତ ଡାକୁଥିବା ଲୋକଟି ତାକୁ ଗାରଡ଼େଇ ଚାହିଁ ରହିଛି । ସରୋଜର ମେରୁହାଡ଼ରେ ଭୟର କମ୍ପନ ଖେଳିଗଲା । ବଡ଼ ଭୟାନକ ଚେହେରା ସେହି ଅପରିଚିତ ଲୋକଟିର । ସାର୍ଟ୍ ବଦଳରେ ପିଠି ଉପରେ ଓହଳିଛି ଏକ ପୁରୁଣା ଅପରିଷ୍କାର ଅଖା, ପିନ୍ଧିଛି ମହଣେ ମଇଳାରେ ଅସ୍ତିତ୍ୱ ହରାଇଥିବା ଏକ ଛିଣ୍ଡା ପ୍ୟାଣ୍ଟ୍। ମୁହଁରେ ଅଯତ୍ନ ଦାଢ଼ି ଓ କଳା କଳା ଦାଗ। ମୁଣ୍ଡରେ ଜଟା ଧରି ଆସୁଥିବା କହରା କେଶ। ଦେହରେ ବୋଧହୁଏ ଚାଲିବାର ଶକ୍ତି ମଧ୍ୟ ନାହିଁ । ଅଥଚ ଧପ୍ ଧପ୍ ଆଖିରେ ସେ ଚାହିଁଥିଲା ସରୋଜକୁ । ସତେ ଯେମିତି ଆଖି ନୁହେଁ, ମୁହଁରେ ତା’ର ଦୁଇଟି ଆଗ୍ନେୟ ବଳୟ; ନିମିଷକରେ ନିଜର ଦୃଷ୍ଟିରେ ଧ୍ୱଂସ କରିଦେବ ସରୋଜକୁ ।
ସରୋଜ ଦ୍ରୁତ ଗତିରେ ଭିଡ଼ ଭିତରେ ମିଳାଇଯିବା ପାଇଁ ଚେଷ୍ଟା କଲା । ପଛକୁ ନ ଚାହିଁ ଯଥାଶୀଘ୍ର ଅଫିସ୍‌ର ଫାଟକ ଭିତରେ ପଶିଯାଇ ନିଶ୍ୱାସ ମାରିଲା । ପଛରେ ରହିଗଲା ସେହି ଭୟ ଉଦ୍ରେକକାରୀ ଆଖି ଦୁଇଟି ।

ଦିନ ବଢ଼ିବା ସହ କଥାଟିର ଗୁରୁତ୍ୱ ମଧ୍ୟ ମନ ଭିତରେ ହ୍ରାସ ପାଇବାକୁ ଲାଗିଲା । କିନ୍ତୁ ବାରମ୍ବାର ଗୋଟିଏ ପ୍ରଶ୍ନ ମନରେ ଆସୁଥାଏ— ସମ୍ପୂର୍ଣ୍ଣ ଅପରିଚିତ ଅଭାବନୀୟ ଲୋକଟିଏ ତାର ନାଁ ଜାଣିଲା କେମିତି ?

ପରବର୍ତ୍ତୀ କିଛି ଦିନ ଅଫିସ ଯିବାଆସିବା ସମୟରେ ସରୋଜ ଯଥାସମ୍ଭବ ଅନ୍ୟ ବନ୍ଧୁମାନଙ୍କ ସହ ଅଯଥା ଆଳାପର ଖିଅ ଯୋଡି ଖୁବ୍ ସାବଧାନତାର ସହ ସେହି ଅସ୍ୱାଭାବିକ ଲୋକଟିକୁ ଏଡ଼ାଇବାକୁ ଚେଷ୍ଟା କରୁଥାଏ । କିନ୍ତୁ ଦୁଇ ସପ୍ତାହ ପରେ ପୁଣିଥରେ ସେହି ଲୋକଟିର ହାବୁଡ଼ରେ ସେ ପଡିଗଲା ଏକୁଟିଆ । ଅଫିସ୍‌ର ମୁଖ୍ୟ ଫାଟକ ଠାରୁ ଅନତି ଦୂରରେ ତାକୁ ଅଣଦେଖା କରି ସରୋଜ ନିଜର ବେଗ ବଢ଼ାଇବାକୁ ଲାଗିଲା । ମାତ୍ର ଲୋକଟି ତାର ପିଛା କରି ପୁଣି ଡାକିଲା, “ସରୋଜ… ସରୋଜ…”। ତା’ପରେ ବଡ଼ ଆବେଗର ସହ ଡାକିବାକୁ ଲାଗିଲା, “କୁନା… କୁନାରେ…”
ହଠାତ୍ ସରୋଜର ପାଦ ଅଟକିଗଲା । କିଏ ଏଇ ଲୋକଟି, ଯିଏ ତାର ଡାକ ନାଁ ମଧ୍ୟ ଜାଣିଛି ?
ଲୋକଟି ଇତିମଧ୍ୟରେ ଆଉ ଟିକିଏ ପାଖକୁ ଆସିସାରିଥାଏ । ସରୋଜକୁ ପଛରୁ ଶୁଣାଗଲା, “କୁନା, ଟିକେ ରହିଯା… ମୋ କଥା ଟିକେ ଶୁଣ ।”
ସତକୁ ସତ ରହିଗଲା ସରୋଜ । ପାଖକୁ ଆସିବାରୁ ଲୋକଟି ଦେହରୁ ଏକ ଉତ୍କଟ ଦୁର୍ଗନ୍ଧ ବାରିପାରିଲା ସେ । ସରୋଜ ସହ ଆଖି ନ ମିଳାଇ ଲୋକଟି ମୁଣ୍ଡ ନୁଆଁଇ ଠିଆ ହୋଇ ରହିଲା। ଫୁଟ୍‌ପାଥ୍ ଚଟାଣ ଉପରେ ଯେମିତି ହଜିଲା ଜିନିଷଟିଏ ଖୋଜୁଥିଲା ସେ। ପୂର୍ବରୁ ଦେଖିଥିବା ନିଆଁ ପିଣ୍ଡୁଳାପରି ଆଖି ଦୁଇଟିର ବିପଜ୍ଜନକ ମୁକାବିଲା କରିବାରୁ ସରୋଜ ବର୍ତ୍ତିଗଲା ଅବା !
ସାହସ ପାଇ ପଚାରିଲା, “କିଏ ତୁମେ? କଣ ଚାହଁ?”
“ମୁଁ ଜିତୁଭାଇ… ଆଇଆଇଟି କ୍ୟାମ୍ପସ୍‌ର କଥା ମନେ ନାହିଁ? … ମୋ ଘର ସାକ୍ଷୀଗୋପାଳ, ତୁମେ ମୋ ସହ ଆମ ଗାଆଁକୁ ଯାଇନଥିଲ?” – ଲୋକଟି ଧୀର ଓ ସାମାନ୍ୟ ଅସଙ୍ଗତ ଉଚ୍ଚାରଣରେ ଏହି କଥାତକ କହିପକାଇଲା।
ବୋଧହୁଏ ସେ ଅନେକ ଦିନରୁ ପେଟପୂରା ଖାଇନଥିଲା। ତା ଦେହରେ ଜୀବନ ନଥିଲା ଯେପରି। ଭିଡ଼ ଭିତରେ ତା’ର ସ୍ୱର ଭଲଭାବରେ ଶୁଣା ମଧ୍ୟ ଯାଉନଥିଲା।

ଫୁଟ୍‌ପାଥ୍‌ର ଗୋଟିଏ କଡ଼କୁ ଯାଇ ଆତଯାତ ହେଉଥିବା ଜନଗହଳିକୁ ପଛ କରି ଠିଆ ହୋଇପଡିଲା ସରୋଜ। ତା’ର ଇଚ୍ଛା ନଥାଏ କେହି ତାକୁ ଏପରି ଜଣେ ବାସହୀନ ବିକଳାଙ୍ଗ ଲୋକ ସହ କଥାବାର୍ତ୍ତା କରୁଥିବାର ଦେଖୁ। ତା’ର ଭୟ, ଅଫିସ୍‌ର ସହକର୍ମୀମାନଙ୍କ ନିକଟରେ ତାର ନିର୍ମଳ ଭାବମୂର୍ତ୍ତିରେ ଆଂଚ ଆସିପାରେ।  
ତା ନିକଟକୁ ଘୁଞ୍ଚିଆସି ଲୋକଟି ପଚାରିଲା, “କ’ଣ, ଜିତୁଭାଇ ମନେ ପଡୁନି?”
କହିବାକୁ ଗଲେ ସରୋଜ ସେ ଲୋକଟି କବଳରୁ ନିଜକୁ ମୁକ୍ତ କରିବାକୁ ଚାହୁଁଥିଲା। ଜିତୁଭାଇ କିଏ, ଏ ସମ୍ପର୍କରେ ଚିନ୍ତା କରିବାକୁ ତା’ ପାଖରେ ନା ଥିଲା ସମୟ, ନା ଅନୁକୂଳ ପରିବେଶ। ସେ ସାମାନ୍ୟ ବିରକ୍ତିର ସହ କହିଲା, “କ’ଣ ଚାହଁ ତୁମେ ମୋ ଠାରୁ?”
“ଟଙ୍କା” – ଅତି ଅଲାଜୁକ ପରି ଲୋକଟି ରୋକ୍‌ଠୋକ୍ କହିଲା।
“କେତେ ଟଙ୍କା ଦରକାର?” ସରୋଜ ପଚାରିଲା।
“ଯାହା ପାରୁଛ ଦିଅ। ପଚାଶ, ଶହେ – ଯାହା ହେଲେ ବି ଚଳିବ।” ସତେ ଯେମିତି ଲୋକଟି ଆଗରେ ରହିଛି ଏକ ଜୀବନ-ମରଣ ସମସ୍ୟାର ବ୍ୟଗ୍ରତା।
ଲୋକଟି ଠାରୁ ନିଜକୁ ରକ୍ଷା କରିବା ପାଇଁ ସରୋଜ ଅଗତ୍ୟା ପକେଟ୍‌ରୁ ଶହେ ଟଙ୍କିଆ ନୋଟ୍‌ଟିଏ କାଢ଼ି ବଢ଼ାଇଦେଲା। କହିଲା, “ତୁମେ କିଏ ମୁଁ ଜାଣିବାକୁ ଚାହେଁ ନାହିଁ। ମୁଁ ଜାଣେ, ତୁମେ ଏଇ ଟଙ୍କା ନେଇ ନିଶା କରିବ। ସେଥିରେ ମୋର କଣ ଯାଏଆସେ? କିନ୍ତୁ ମୋ’ ପଛରେ ପଡିଲେ ବା ମୋ ସହ ପୁଣି କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ ମୁଁ ନିଶ୍ଚୟ ପୋଲିସରେ ଖବର ଦେବାକୁ ବାଧ୍ୟ ହେବି।”
ସରୋଜର କଥାକୁ ଉପେକ୍ଷା କରି ନୋଟ୍‌ଟିକୁ ସରୋଜ ହାତରୁ ଝାମ୍ପି ନେଇ ଲୋକଟି କହିଲା, “ମୁଁ ସନ୍ଧ୍ୟାରେ ତୁମକୁ ଅପେକ୍ଷା କରିବି ଠିକ୍ ଏଇ ଜାଗାରେ। ମୁଁ ପୁଣି ଆସିବି… ମୁଁ ତୁମର ଜିତୁଭାଇ…।”

ଦେଖୁ ଦେଖୁ ଲୋକଟି କେଉଁଆଡେ ଅଦୃଶ୍ୟ ହୋଇଗଲା।

ସାରା ଦିନ ଜିତୁଭାଇ ନାମକ ସେହି ଅଜଣା ଲୋକଟିର ପ୍ରସଙ୍ଗ ଅଠା ପରି ମନ ଭିତରେ ଲାଖି ରହିଲା।

ସରୋଜ ମନେ ପକାଇବାକୁ ଚେଷ୍ଟା କରୁଥିଲା ଆଇଆଇଟିରେ ପାଠ ପଢ଼ୁଥିବା ବେଳର କଥା। ତାର ମନେ ପଡ଼ିଲା, ସେ ପ୍ରଥମ ବର୍ଷ ଇଞ୍ଜିନିୟରିଂରେ ଯୋଗ ଦେଇଥିବା ବେଳେ ପଦାର୍ଥ ବିଜ୍ଞାନରେ ଗବେଷଣା କରୁଥିବା ଜିତୁଭାଇଙ୍କ ସହ ତାର ହୋଇଥିଲା ପ୍ରଥମ ପରିଚୟ। ସେହି ଜିତୁଭାଇଙ୍କର କିଛି କିଛି ସ୍ମୃତି ମନ ଭିତରେ ଛୋଟ ଛୋଟ ଝଲକ ଭାବରେ ଉଭା ହେବାକୁ ଲାଗିଲା। କିନ୍ତୁ, ରାସ୍ତାରେ ତାର ପିଛା କରୁଥିବା ଲୋକଟି କ’ଣ ସତରେ ଜିତୁଭାଇ? ଅନେକ ବର୍ଷ ତଳେ, ସେ ତ ଶୁଣିଥିଲା ଜିତୁଭାଇ ଗୋଟିଏ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଗୁଡ଼ାଏ ଗୋଳମାଳିଆ ବିଚାରର ବୁଢ଼ିଆଣି ଜାଲ ଭିତରେ ଅନ୍ୟମନସ୍କ ହୋଇ ସରୋଜ ଆଉଟୁ-ପାଉଟୁ ହେବାକୁ ଲାଗିଲା।

ଜିତୁଭାଇ ଥିଲେ ଜଣେ ଅତ୍ୟନ୍ତ ମେଧାବୀ ଗବେଷକ। କିନ୍ତୁ ସେ କାହାରି ସହ ମିଶନ୍ତି ନାହିଁ; ସବୁବେଳେ ଗୁମ୍‌ସୁମ୍ ଭାବରେ ନିଜ ଭିତରେ ହିଁ ରହିଥାଆନ୍ତି। ତାଙ୍କର ଉଚ୍ଚକୋଟୀର ସନ୍ଦର୍ଭମାନ ସେତେବେଳେ ଆନ୍ତର୍ଜାତିକ ଗବେଷଣାମୂଳକ ପତ୍ରିକାମାନଙ୍କରେ ସ୍ଥାନିତ ହେଉଥିଲା। ସେହି ପ୍ରସଙ୍ଗରେ ନିଜ ପ୍ରଚେଷ୍ଟାରେ ସେ ଜିତୁଭାଇଙ୍କୁ ବ୍ୟକ୍ତିଗତ ଭାବରେ ଜାଣିବାକୁ ପାଇଥିଲା ଓ ତାଙ୍କ ସହ ତା’ର ସାମାନ୍ୟ ସମ୍ପର୍କ ଗଢ଼ି ଉଠିଥିଲା।

ସରୋଜର ମନେପଡ଼ିଲା, ଅନେକ ବର୍ଷ ତଳେ ବମ୍ବେରୁ ଭୁବନେଶ୍ୱରକୁ ଟ୍ରେନ୍‌ରେ ଯାଉଥିବା ବେଳେ ଜିତୁଭାଇ ଥିଲେ ତା’ର ଆକସ୍ମିକ ସହଯାତ୍ରୀ। ଯାତ୍ରା ସମୟରେ ଟ୍ରେନ୍‌ରେ ଜିତୁଭାଇଙ୍କର ହଠାତ୍ ଦେହ ଖରାପ ହୋଇଯାଇଥିଲା ଓ ସେ ଅଚେତ ହୋଇ ପଡ଼ିଯାଇଥିଲେ। ତାଙ୍କ ମୁହଁରୁ ଫେଣ ବାହାରି ଆସୁଥିଲା। ସରୋଜ ଧାଁ ଦୌଡ କରି ଜଣେ ସହଯାତ୍ରୀ ଡାକ୍ତରଙ୍କୁ ଠାବ କରିଥିଲା। ପ୍ରାଥମିକ ପରୀକ୍ଷା ପରେ ଜିତୁଭାଇଙ୍କୁ ଗୋଟିଏ ଇଞ୍ଜେକ୍ସନ ଦେଇ ଶୁଆଇ ଦେଇଥିଲେ ଡାକ୍ତର ଜଣକ। କିନ୍ତୁ ଚେତାବନୀଦେଇ କହିଥିଲେ, “ସାଧାରଣତଃ ମାରାତ୍ମକ ନିଶା ସେବନ କରୁଥିଲେ ଏ ପ୍ରକାର ପରିସ୍ଥିତି ଆସେ। ଭୁବନେଶ୍ୱରରେ ପହଞ୍ଚିବା ପରେ ଯଥାଶୀଘ୍ର କୌଣସି ଡାକ୍ତରଖାନାକୁ ଚାଲିଯିବେ।” ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଜିତୁଭାଇଙ୍କର ଚେତା ଫେରିଆସିଥିଲା, ମାତ୍ର ସେ ଖୁବ୍ ଦୁର୍ବଳ ହୋଇପଡ଼ିଥିଲେ। ତାଙ୍କ ଅନୁରୋଧରେ ସରୋଜ ତାଙ୍କୁ ସାକ୍ଷୀଗୋପାଳରେ ତାଙ୍କ ଘରେ ଛାଡ଼ିଦେଇ ଆସିଥିଲା।

ସରୋଜର ପିଛା କରିଥିବା ଅପରିଚିତ ଲୋକଟି ସାକ୍ଷୀଗୋପାଳର ସେହି ଗସ୍ତ ବିଷୟରେ କହିଥିବାରୁ, ଲୋକଟି ପ୍ରକୃତରେ ଜିତୁଭାଇ ହୋଇଥାଇପାରେ ବୋଲି ସରୋଜର ହୃଦୟଙ୍ଗମ ହେବାକୁ ଲାଗିଲା। କି ଅବିଶ୍ୱାସନୀୟ ଅବସ୍ଥା ସତରେ! ପ୍ରାୟ ଦଶ ବର୍ଷ ତଳର ଜଣେ ଉଦୀୟମାନ ଗବେଷକ ଆଜି ବାସହୀନ, କପର୍ଦ୍ଦକଶୂନ୍ୟ, ରାସ୍ତାର ଭିକାରୀ। ସରୋଜର ହୃଦୟରେ ସମବେଦନାର ସୁଅ ଛୁଟିବାକୁ ଆରମ୍ଭ କଲା। ଯଦିଓ କୌଣସି ବ୍ୟକ୍ତିଗତ ଅନ୍ତରଙ୍ଗତା ବଢ଼ାଇବାର ସୁଯୋଗ ଜିତୁଭାଇ ତାକୁ ଦେଇନଥିଲେ, ସରୋଜ ହୃଦୟରେ ତାଙ୍କ ପ୍ରତି ତଥାପି ଥିଲା ଖୁବ୍ ସମ୍ମାନ। ତାଙ୍କର ନିଃସଙ୍ଗପରାୟଣତାକୁ ସେ ଧରିନେଇଥିଲା ଜଣେ ପ୍ରବୀଣ ଗବେଷକର ସହଜାତ ଗୁଣ ଭାବରେ।

ସରୋଜର କୌଣସି କାମରେ ମନ ଲାଗିଲା ନାହିଁ। କ’ଣ ବା କରିପାରିବ ସେ ଜିତୁଭାଇଙ୍କ ପାଇଁ? ପୁଣି ମଝିରେ ମଝିରେ ମନରେ ଶଙ୍କା ପଶୁଥାଏ— ଲୋକଟି ସତରେ ଜିତୁଭାଇ ନା ତାକୁ ମାନସିକ ଆବେଗରେ ହନ୍ତସନ୍ତ କରି ତା’ଠାରୁ ଅର୍ଥ ହାସଲ କରିବାପାଇଁ ଚତୁର ଯୋଜନା କରିଥିବା କୌଣସି ତୃତୀୟ ବ୍ୟକ୍ତି?

ସନ୍ଧ୍ୟାରେ ପାର୍କିଂ ଜୋନକୁ ଯିବା ବାଟରେ ସରୋଜ ଏଣେତେଣେ ଚାହିଁ, ମନେ ମନେ ଖୋଜୁଥିଲା ଲୋକଟିକୁ। ମନେପଡୁଥିଲା ପୁଣି ଥରେ ଦେଖାହେବ ବୋଲି କହିଥିଲା ଲୋକଟି। ଏଥର ଦେଖାହେଲେ ସେ ପ୍ରଚଣ୍ଡ ଜେରା କରିବ ଲୋକଟିକୁ ଆଉ ତା’ର ପ୍ରକୃତ ପରିଚୟ ବାହାର କରିବାକୁ ଚେଷ୍ଟା କରିବ। ଫୁଟ୍‌ପାଥ୍‌ରେ ଲୋକସଂଖ୍ୟା କମିବାକୁ ଲାଗିଥିଲା। ରାତି ବଢିବା ସହ କିଛି ସମୟରେ ଏ ଜାଗାଟି ସମ୍ପୂର୍ଣ୍ଣ ନିଛାଟିଆ ହୋଇପଡିବ। ମନେହେବ ଯେମିତି ଏ ଗୋଟିଏ ନୂଆ ଜାଗା – ନଥିବ ସକାଳର ଅଣନିଃଶ୍ୱାସକାରୀ ଭିଡ।

ହଠାତ୍ ଫୁଟ୍‌ପାଥ୍‌ କଡର ଏକ ଦ୍ରୁମ ପଛଆଡୁ ଆବିର୍ଭାବ ହେଲା ଲୋକଟି। ସମବେଦନାର ସୁଅରେ ପହଁରୁଥିଲେ ମଧ୍ୟ ସରୋଜ ଚମକି ପଡିଲା। ଚାରିଆଡକୁ ନଜର ବୁଲାଇଆଣି ଅନୁଭବ କଲା ତା’ର କିଛି ସହକର୍ମୀ ଏବେ ମଧ୍ୟ ସେହି ବାଟ ଦେଇ ପାର୍କିଂ ଜୋନ୍‌କୁ ଯାଇପାରନ୍ତି। ଅଗତ୍ୟା ସେ ଲୋକଟିକୁ ପାଖ ଗଳିର ବଡ଼ାପାଓ ଦୋକାନକୁ ଯିବାକୁ କହି, ନିଜେ ଦ୍ରୁତଗତିରେ ସେଠାକୁ ଚାଲିଗଲା।
‘ଜିତୁଭାଇ’ ବୋଲି ନିଜକୁ ପରିଚୟ ଦେଉଥିବା ଲୋକଟି ମଧ୍ୟ ଅଳ୍ପ ସମୟରେ ଗୋଡ ଘୋଷାଡି ଘୋଷାଡି ସେଠାରେ ପହଞ୍ଚିଲା। ତାକୁ ଦୂରରୁ ଦେଖୁନଦେଖୁଣୁ ବଡ଼ାପାଓ ଠେଲାଗାଡିର ମାଲିକ ଚିହିଁକି ଉଠି ତାକୁ ଘଉଡାଇବାକୁ ଲାଗିଲା, “ହେ, ହେ! ଯା’ ଏଠୁ, ବର୍ତ୍ତମାନ ପରା ବିକ୍ରିବଟା ସମୟ।” ସତେ ଯେମିତି ବୁଲା କୁକୁରଟିଏ ତା’ ଦୋକାନରୁ ଖାଦ୍ୟ ପଦାର୍ଥ ଝାମ୍ପି ନେବାକୁ ଆସୁଥିଲା! ସରୋଜର ଇଙ୍ଗିତରେ ଦୋକାନୀଟି ନୀରବ ରହିଲା।

ପତ୍ରରେ ବଢ଼ା ବଡ଼ାପାଓ ଦୁଇଟି ସରୋଜ ଲୋକଟିର ହାତରେ ଦେଲା। ସେ ଭାବିଥିଲା, ଲୋକଟି କ୍ଷୁଧାରେ ଆଉଟୁ ପାଉଟୁ ହେଉଥିବ। ବଡ଼ା ପାଓ ଦୁଇଟି ନିମିଷକେ ପାଟିରେ ପୂରାଇ ତାକୁ ଆଶୀର୍ବାଦ ଦେବ। ମାତ୍ର ଅତି ଅସଭ୍ୟତାର ସୂଚନା ଦେଇ ଲୋକଟି ବଡ଼ା ପାଓ ଦୁଇଟିକୁ ଦୂରକୁ ଫୋପାଡି ଦେଲା। ମନେ ମନେ ଗୁଣୁ ଗୁଣୁ ହୋଇ କଣ ସବୁ ଯେ କହିଲା, ସରୋଜ ଚେଷ୍ଟା କରି ମଧ୍ୟ ବୁଝିପାରିଲା ନାହିଁ। ବିରକ୍ତି ଓ କ୍ରୋଧକୁ ସାମୟିକ ଭାବରେ କାବୁ କରି ସରୋଜ ପଚାରିଲା, “କୁହ, ତୁମକୁ ଜିତୁଭାଇ ବୋଲି ମୁଁ କାହିଁକି ବିଶ୍ୱାସ କରିବି? ମୋ ଜାଣିବାରେ ଜିତୁଭାଇ ଅନେକ ଦିନରୁ ଗୋଟେ ଦୁର୍ଘଟଣାରେ ମୃତ! ଆଉ ତୁମର ଏ ପ୍ରକାର ବ୍ୟବହାର…”
ଲୋକଟି ସେମିତି ତଳକୁ ମୁଣ୍ଡପୋତି କହିଲା, “ହଁ, ତୁମେ ଜାଣିଥିବା ଜିତୁଭାଇ ନିଶ୍ଚିତ ଭାବରେ ମୃତ। …..ତୁମକୁ କିଛି ଦିନ ତଳେ ହଠାତ୍ ଏଠାରେ ଆବିଷ୍କାର କରିବା ପରେ, ମୋର ମନେପଡିଯାଇଥିଲା ପୁରୁଣା ଜୀବନର ଅଫେରନ୍ତା କଥା ସବୁ।”
କିଛି ସମୟ ନୀରବ ରହି ଲୋକଟି ପୁଣି କହିଲା, “ମୁଁ ଦୁଇ କଉଡିର ଭିକାରୀ ନୁହେଁ। ବଡ଼ାପାଓରେ ମୋର କଣ ହେବ? …ଜାଣେ ମୋର ଅଲଗା ଦୁନିଆ । …. ହଁ, ମୋର କୌଣସି ପରିଚୟ ଲୋଡା ନାହିଁ…. ତୁମେ ବିଶ୍ୱାାସ କର ବା ନକର।”

ତା’ କଥା କହିବାର ଭଙ୍ଗୀରେ ଜିତୁଭାଇଙ୍କର ଛିଟା ଦେଖିପାରିଲା ସରୋଜ। ଜିତୁଭାଇଙ୍କ ଜୀବନର ଅଧୋଗତି ସରୋଜକୁ ମର୍ମାହତ କଲା। କିନ୍ତୁ କ’ଣ ବା କରିପାରନ୍ତା ସେ? ବରଂ ସେହି ପରିସ୍ଥିତିରୁ ଶୀଘ୍ର ମୁକୁଳିବା ପାଇଁ ଚେଷ୍ଟା କରୁଥିଲା ସେ।

ଆତ୍ମବିଶ୍ୱାସ ଜୁଟାଇ ସରୋଜ କହିଲା, “ଜିତୁଭାଇ, ମୁଁ ତୁମ ପାଇଁ କିଛି ଟଙ୍କା ଆଣିଛି। କିନ୍ତୁ ସେହି ଟଙ୍କା ତୁମକୁ ଦେବା ଆଗରୁ ମୋର ଦୁଇଟି ସର୍ତ୍ତ କହିରଖୁଛି। ପ୍ରଥମ ସର୍ତ୍ତ ହେଲା—ଏହାପରେ ତୁମେ କେବେ ମଧ୍ୟ ମତେ ଦେଖା କରିବାକୁ ଆସିବ ନାହିଁ। ତୁମ ସହ ଦେଖା କରିବା ମୋର ପାରିବାରିକ ଓ ବୃତ୍ତିଗତ ଜୀବନରେ ନିଶ୍ଚୟ ବାଧା ଆଣିଦେବ। ମୋର ଦ୍ୱିତୀୟ ସର୍ତ୍ତ ହେଲା—ତୁମେ ଯଥାଶୀଘ୍ର ସାକ୍ଷୀଗୋପାଳକୁ ଫେରିଯାଅ। ନିଜ ଜାଗାର ପାଣି ପବନ ଓ ନିଜ ଲୋକମାନଙ୍କର ସାନ୍ନିଧ୍ୟରେ ତୁମେ ପୁନର୍ଜନ୍ମ ପାଇବ, ହୁଏତ ସେଠାରେ ନିଶାମୁକ୍ତି ଚିକିତ୍ସା ମଧ୍ୟ ମିଳିପାରିବ। ମୁମ୍ବଇ ଛାଡିବା ପୂର୍ବରୁ ଗାଧୁଆପାଧୁଆ କରି ପରିଷ୍କାର ହୋଇ ଢଙ୍ଗର ପୋଷାକଟିଏ କିଣିବାକୁ ଭୁଲିବ ନାହିଁ।”

ଟଙ୍କା କଥା ଶୁଣି ଲୋକଟିର ଉତ୍ସାହ ବଢିଗଲା। ସେ ହାତ ବଢାଇ ସରୋଜ ଆଡକୁ ଘୁଞ୍ଚିଆସିଲା। ତା’ର ଦେହର ଦୁର୍ଗନ୍ଧରୁ ନିଜକୁ ଯଥା ସମ୍ଭବ ଦୂରରେ ରଖିବାକୁ ଚେଷ୍ଟା କରୁକରୁ ସରୋଜ ତା’ ହାତରେ ପକାଇଦେଲା ପାଞ୍ଚଶହ ଟଙ୍କିଆ ନୋଟ୍ କେତୋଟି। କହିଲା, “ପୂରା ଦଶ ହଜାର ଟଙ୍କା ଅଛି। ସାକ୍ଷୀଗୋପାଳକୁ ଟିକଟ କାଟି ସେଠାରେ ଯାଇ ନିଜର ପୁନରୁଦ୍ଧାର ପାଇଁ ଏହା ଯଥେଷ୍ଟ ହେବା ଉଚିତ।”

ଅବିଶ୍ୱାସ ଓ ଅତିଶୟ ଆନନ୍ଦରେ ଲୋକଟି ଟଙ୍କାତକ ହାତରେ ମୁଠାଇ ଧରି, ମୁଠା ଉପରେ ଚୁମାଟିଏ ଦେଲା। ମୁହଁରେ ବୋଧହୁଏ ହସଟିଏ ଉକୁଟି ଆସିଲା। ମାତ୍ର ଅନେକ ବର୍ଷ ଧରି ତା’ ମୁହଁର ମାଂସପେଶୀ ଗୁଡିକ ହସିବାର କ୍ଷମତା ହରାଇ ବସିଥିଲେ ଯେପରି! ବଡ ବିକୃତ ଦିଶୁଥିଲା ତା ମୁହଁର ଭାବଭଂଗୀ।
ସରୋଜ ପୁଣି ଚେତାଇ ଦେଇ କହିଲା, “ଆଉ କେବେ ମଧ୍ୟ ମୋ ନିକଟକୁ ଆସିବାକୁ ଚେଷ୍ଟା କରିବ ନାହିଁ। ଏହା ତୁମ ସହ ମୋର ଶେଷ ଦେଖା। ପାଠ ପଢୁଥିବା ବେଳେ ଥରଟିଏ ମୋର ଅସୁବିଧା ସମୟରେ ତୁମେ ମତେ କିଛି ଆର୍ଥିକ ସାହାଯ୍ୟ ଦେଇଥିବା କଥାଟି ମୁଁ ଏପର୍ଯ୍ୟନ୍ତ ମନେ ରଖିଛି।”
ଲୋକଟି ସରୋଜର କଥା ଶୁଣୁନଥିଲା। ଏତେଗୁଡାଏ ଟଙ୍କା ହାତରେ ଧରି ସେ ଯେମିତି କମ୍ପୁଥିଲା ଏକ ଅଦ୍ଭୁତ ଆନନ୍ଦରେ। ଛିଣ୍ଡା ପ୍ୟାଣ୍ଟ୍‌ଟିର ଜଙ୍ଘ ପାଖରେ ଥିବା ଚୋରା ପକେଟ୍‌ଟି ଖୋଲି ସେଥିରେ ଟଙ୍କାତକ ସୁରକ୍ଷିତ କରିବାକୁ ଯାଉଛି, ତା’ ପକେଟ୍‌ଭିତରୁ କଣ ଗୋଟାଏ ଚକ୍ ଚକ୍ ହେଉଥିବା ଜିନିଷ ଆଖିରେ ପଡିଲା ସରୋଜର।
କୌତୁହଳରେ ସେ ପଚାରିଲା, “ଜିତୁଭାଇ, ତୁମ ପକେଟ୍‌ରେ ଚକଚକିଆ ଜିନିଷଟି କ’ଣ?”
ଲୋକଟି କୌଣସି ବାକ୍ୟବ୍ୟୟ ନକରି ପକେଟରୁ କାଢି ଆଣିଲା ଭୁଜାଲିଟିଏ। ଚମକି ପଡି ଦୁଇ ପାଦ ପଛକୁ ଘୁଞ୍ଚିଗଲା ସରୋଜ। ହାତରେ ଭୁଜାଲି ଧରି ତାକୁ ଚାହିଁ ରହିଥିଲା ଲୋକଟି, ଯାହାକୁ ସରୋଜ ଜିତୁଭାଇ ବୋଲି ବିଶ୍ୱାସ କରୁଥିଲା। ହଠାତ୍ ବିକୃତ ଦିଶୁଥିବା ତା’ ମୁହଁରେ ଆଖି ଦୁଇଟି ଧପ୍ ଧପ୍ ଜଳି ଉଠିବା ପରି ମନେ ହେଲା। ସରୋଜ ଭୟରେ ସଙ୍କୁଚିତ ହୋଇଗଲା।
ଭୁଜାଲିଟିକୁ ତା’ ଜାଗାରେ ରଖିଦେଇ ଲୋକଟି କହିଲା, “ଡର ନାହିଁ, ମୁଁ ତୁମର କିଛି କ୍ଷତି କରିବାକୁ ଆସି ନାହିଁ।”
ସରୋଜ ତଥାପି କୌତୁହଳବଶତଃ ପଚାରିଲା, “ତେବେ ପାଖରେ ଭୁଜାଲିଟିଏ ଧରି ବୁଲିବାର ମାନେ କଣ?”
ଲୋକଟି ଉତ୍ତର ଦେଲା ନାହିଁ, ବୋଧହୁଏ ଉତ୍ତର ଦେବା ଦରକାର ମନେ କଲା ନାହିଁ। ସେ ବରଂ ଫେରି ଯିବାକୁ ଉଦ୍ୟତ ହେଲା। ଯାଉ ଯାଉ ସ୍ୱଗତୋକ୍ତି କରି କହିଲା, “ମୁଁ ଯେଉଁ ହିଂସ୍ର ସମାଜରେ ବାସ କରେ ସେଠାରେ ଆକ୍ରମଣ ଓ ଆତ୍ମରକ୍ଷା ଭିତରେ କୌଣସି ପ୍ରଭେଦ ନାହିଁ।”

ଦେଖୁ ଦେଖୁ ବଡାପାଓ ବିକୁଥିବା ଠେଲାଗାଡି ପଛପଟର ଏକ ନିର୍ମାଣାଧୀନ ପରିତ୍ୟକ୍ତ ପରିସର ଭିତରର ବହଳ ଅନ୍ଧକାରରେ ଲୋକଟି ଲୀନ ହୋଇଗଲା।

ସରୋଜ ପାଦ ବଢାଇଲା ପାର୍କିଂ ଜୋନ ଆଡକୁ। ଜିତୁଭାଇଙ୍କ ପରି ଜଣେ ମେଧାବୀ ଗବେଷକର ଜୀବନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବା ବଡ଼ ଦୁଃଖର କଥା। କିନ୍ତୁ ଜିତୁଭାଇଙ୍କ ଜୀବନକୁ ଠିକଣା ବାଟକୁ ଆଣିବା ପାଇଁ ସେ କରିଥିବା ସାମାନ୍ୟ ପ୍ରୟାସ ତା’ ପାଇଁ ଆଣିଦେଉଥାଏ କିଛିଟା ଆନନ୍ଦ। ନିଜର ସାମାଜିକ ପରିବେଶକୁ ଚାହିଁ ସେ ହୁଏତ ଜିତୁଭାଇଙ୍କପାଇଁ ଅଧିକ କିଛି କରି ପାରିନଥାଆନ୍ତା।

ପରଦିନ ସକାଳେ ପାର୍କିଂ ଜୋନରେ ଗାଡ଼ି ରଖି ଅଫିସ୍ ଅଭିମୁଖେ ଆସୁଥିଲାବେଳେ ସରୋଜ ସେଠାକାର ଡ୍ରାଇଭର୍‌ମାନଙ୍କ କଥାବାର୍ତ୍ତାରୁ ଜାଣିବାକୁ ପାଇଲା, ନିକଟରେ ଥିବା ନିର୍ମାଣାଧୀନ ପରିତ୍ୟକ୍ତ କୋଠାଟି ପାଖରେ ଗତକାଲି ରାତିରେ ହୋଇଯାଇଛି ଏକ ନିର୍ମମ ହତ୍ୟାକାଣ୍ଡ। ଭୁଜାଲି ମାଡ଼ରେ ମୃତ ନିଶାସକ୍ତ ବାସହୀନ ଲୋକଟିଏର ଶବ ଉଦ୍ଧାର କରାଯାଇଛି ଓ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତା’ପରି ଆଉ ତିନିଜଣ ଲୋକଙ୍କୁ ନିଶାଦ୍ରବ୍ୟ ସହ ଘଟଣାସ୍ଥଳରୁ ପୋଲିସ୍ ଗିରଫ କରି ପଚରାଉଚରା କରୁଛି। ସିସି ଟିଭିର ଫୁଟେଜ୍ ମଧ୍ୟ ପୋଲିସ ଅନୁସନ୍ଧାନ କରୁଛି। ଜଣାଯାଇଛି, ନିଶାଦ୍ରବ୍ୟ ବିନିମୟରେ ଜଣଙ୍କ ଠାରୁ ମୋଟା ଅଙ୍କ ଅସୁଲ କରି ଫେରୁଥିବା ବେଳେ ବାସହୀନ ନିଶାସକ୍ତ ଲୋକଟିକୁ ଅନ୍ୟ କେତେଜଣ ଆକ୍ରମଣ କରିଥିଲେ। ହତ୍ୟାକାଣ୍ଡରେ କାହାର ହାତ ଅଛି କେଜାଣି!

ପୂର୍ବରାତିର ହତ୍ୟାକାଣ୍ଡ କଥା ଶୁଣି ସରୋଜ ଗୋଟିଏ ଜାଗାରେ ସ୍ଥାଣୁ ପାଲଟିଗଲା। ଦଶ ହଜାର ଟଙ୍କା, ଜିତୁଭାଇଙ୍କର ନିଆଁହୁଳାପରି ଦାଉଦାଉ ହେଉଥିବା ଆଖି ଓ ଚକଚକିଆ ପ୍ରାଣଘାତକ ଭୁଜାଲି – ସବୁକିଛି ତା’ ଆଖି ଆଗରେ ନାଚିଉଠିଲା। ମନେ ହେଉଥିଲା ଯେମିତି ତା’ ପାଦତଳୁ ମାଟି ଧସି ଯାଉଛି। ସତେ ଯେମିତି ଜିତୁଭାଇ ତାକୁ ଟାଣିଟାଣି ନେଇଯାଉଛନ୍ତି କେଉଁ ଅଗମ୍ୟ ଇଲାକାକୁ।

ପଛରୁ ଆସି ଜଣେ ସହକର୍ମୀ ତା’ ପିଠିରେ ହାତ ମାରି କହିଲେ, “ସରୋଜ! ମୂର୍ତ୍ତିଟିଏ ପରି କ’ଣ ଠିଆ ହୋଇ ରହିଛ ଖରାରେ? ଅଫିସ୍ ଯିବାର ନାହିଁ କି?”
ନିଜ ଅଜାଣତରେ ମୁହଁରେ ବିକୃତ ହସଟିଏ ଖେଳାଇ ଆଣି ସରୋଜ ଅସ୍ପଷ୍ଟ ସ୍ୱରରେ କହିଲା, “ଆତ୍ମରକ୍ଷା ଓ ଆକ୍ରମଣ ଭିତରେ ସତରେ କ’ଣ କିଛି ପ୍ରଭେଦ ନଥାଏ?”

29 June 2026

****

ଆକସ୍ମିକ ଉତ୍ତେଜନା

ବଡ଼ ଅଡୁଆରେ ପଡ଼ିଯାଇଥାନ୍ତି ଯୁଗ୍ମ ନିର୍ଦ୍ଦେଶକ ରାଧାନାଥ। ଅଫିସ୍‍ର  କନ‌୍‌ଫରେନ୍ସ୍ ରୁମ୍‌ରେ ସେ ବସିଥାଆନ୍ତି ଗୋଟିଏ ଗୁରୁତ୍ଵପୂର୍ଣ୍ଣ ମିଟିଂରେ। ନିର୍ଦ୍ଦେଶକ ଉଇଲିୟମ‌୍‌ସନ୍ ଆଲୋଚନା କରି ଚାଲିଥାନ୍ତି ଅନେକ ମହତ୍ତ୍ଵପୂର୍ଣ୍ଣ ବିଷୟ। ଅଥଚ ରାଧାନାଥଙ୍କର କୌଣସିଥିରେ ଏକାଗ୍ରତା ନଥାଏ। କିଛି ସମୟ ଧରି ସାଂଘାତିକ ଭାବରେ କୁଣ୍ଡାଇ ହେବାକୁ ଆରମ୍ଭ କରିଥାଏ ତାଙ୍କ ପିଠି।

ପିଠିର ଅପହଞ୍ଚ ଦୁଇ ବର୍ଗ ମିଲିମିଟରର ଅଞ୍ଚଳରେ ପ୍ରବଳ ଉତ୍ତେଜନା – ଚେକାଏ ଚର୍ମ ଯେପରି ହଠାତ ହୋଇପଡ଼ିଥାନ୍ତି ଅତ୍ୟନ୍ତ ମାତ୍ରାରେ ସ୍ପର୍ଶ ପାଗଳ। ଟିପ ଅଗରେ ବା ନଖ ମୂନରେ ଟିକିଏ ତୀବ୍ର ସ୍ପର୍ଶ କରିଦେଲେ ହୁଏତ ସେ ଉତ୍ତେଜନା ପ୍ରଶମିତ ହୋଇଯାଆନ୍ତା। ଅଥଚ ମଣିଷର ଅବୟବ ଏପରି ତିଆରି ଯେ ହାତ ଯେତେ ପ୍ରସାରିଲେ ମଧ୍ୟ ନିଜ ପିଠିର କେତୋଟି ଜାଗା ତଥାପି ଅପହଞ୍ଚ ହୋଇ ରହିଯାଏ !

ବେଳକୁ ବେଳ ରାଧାନାଥଙ୍କ ପିଠିର ତାଡ଼ନା ପ୍ରଚଣ୍ଡରୁ ପ୍ରଚଣ୍ଡତର ହେବାକୁ ଲାଗିଲା।

ଯୁଗ୍ମ ନିର୍ଦ୍ଦେଶକ ଭାବରେ ରାଧାନାଥ ହେଉଛନ୍ତି କମ୍ପାନୀର ପାହିଆ ସୋପାନରେ ଉପର ଦିଗରୁ ଦ୍ଵିତୀୟ। ତାଙ୍କ ଉପରେ ଥାଆନ୍ତି ଉଇଲିୟମ୍‌ସନ୍, ଜଣେ ଆମେରିକୀୟ ଅଧିକାରୀ। ଏହି ବହୁରାଷ୍ଟ୍ରୀୟ ନୌପରିବହନ କମ୍ପାନୀଟିରେ ମାତ୍ର କୋଡ଼ିଏ ଜଣ କର୍ମଚାରୀ, ଅଥଚ ବ୍ୟବସାୟର ସ୍ତର ଖୁବ୍ ବେଶୀ। ରାଧାନାଥ ଥିଲେ ଭାରତୀୟ କାରବାରର ମୁଖ୍ୟ ଏବଂ ଉଇଲିୟମ୍‌ସନ୍ ଭାରତ, ବାଂଲାଦେଶ, ଶ୍ରୀଲଙ୍କା ଓ ଅନ୍ୟ କେତୋଟି ଅଞ୍ଚଳର ସର୍ବୋଚ୍ଚ ନିର୍ଦ୍ଦେଶକ। ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ରାଧାନାଥଙ୍କ ପାଖରେ ହିଁ ଶେଷ ହୁଏ।

ଗୋଟିଏ ନାମକରା ବହୁରାଷ୍ଟ୍ରୀୟ କମ୍ପାନୀର ବରିଷ୍ଠ ଅଧିକାରୀଟିଏ ପକ୍ଷରେ ଏହା କ’ଣ କେବେ ଶୋଭନୀୟ ଯେ ମିଟିଂରେ ବସିଥିବା ବେଳେ ହାତ ଗୋଡ଼ ଛାଟି ସେ ନିଜ ପିଠି ଅଣ୍ଡାଳି ହେଉଥିବ? ରାଧାନାଥ ବସିଥିବା ଚୌକି ଉପରେ ପିଠିକୁ ଜଡ଼ାଇ ଧରି ଚାପ ପ୍ରୟୋଗ କରିବାକୁ ଲାଗିଲେ। ମାତ୍ର ଫଳ ଓଲଟା ହେଲା। ବରଂ କୁଣ୍ଡାଇ ହେବାର ତଲବ ଆହୁରି ବଳବତ୍ତର ହେଲା।

ରାଧାନାଥଙ୍କର ଇତସ୍ତତଃ ଭାବକୁ ଉଇଲିୟମ୍‌ସନ୍ ନିମିଷକେ ଠଉରାଇ ନେଲେ। କହିଲେ, “ରାଧାନାଥ, ଆପଣ ଠିକ୍ ଅଛନ୍ତି ତ? ମନେ ହେଉଛି କୌଣସି ବିଶେଷ ପ୍ରସଙ୍ଗ ଆପଣଙ୍କୁ ଭିତରୁ ଆବୋରି ଧରୁଛି।” ଯଥାସମ୍ଭବ ସ୍ୱାଭାବିକ ହସଟିଏ ମୁହଁରେ ଫୁଟାଇନେଇ ରାଧାନାଥ କଥାଟିକୁ ଏଡ଼ାଇ ଦେଲେ। ଅଥଚ ତାଙ୍କ ଭିତରେ ଯେମିତି ଚାଲିଥାଏ ଘନଘୋର ଯୁଦ୍ଧ। ଶରୀରର ସମସ୍ତ ମାଂସପେଶୀ ଓ ସ୍ନାୟୁମାନଙ୍କୁ ସବୁ ଦିଗରୁ ଉଦ୍‌ଜୀବିତ କରି ସେ ଚେଷ୍ଟା କରୁଥାନ୍ତି ପିଠି ମଝିଭାଗର ଚେକାଏ ଅମାନିଆ ଚର୍ମକୁ ଆରାମ ଦେବା ପାଇଁ। ମୁହଁରେ ଦେଖାଦେବାକୁ ଆରମ୍ଭ କରିଥାଏ କିଛିଟା ସ୍ୱେଦବିନ୍ଦୁ।

ପିଠି କୁଣ୍ଡାଇ ହେବାର ଏ ପ୍ରକାର ଅଭାବନୀୟ ପରିସ୍ଥିତି ରାଧାନାଥଙ୍କ ପାଇଁ ବ୍ୟତିକ୍ରମ ନୁହେଁ। ବେଳେବେଳେ ଘରେ ମଧ୍ୟ ଏକାପରି ପରିସ୍ଥିତି ଉପୁଜେ। ମାତ୍ର ଘରେ ପାନିଆ, ଡାମ୍ଫଣ ଓ ଚାମଚ ପରି ଅନେକ ହତିଆର ହାତ ପାହାନ୍ତାରେ ମିଳିଯାଏ। ସେଗୁଡ଼ିକର ନିପୁଣ ବ୍ୟବହାରରେ କୌଣସି ଅସୁବିଧା ମଧ୍ୟ ହୁଏ ନାହିଁ। ଅତ୍ୟନ୍ତ ବିରଳ ଅସୁବିଧା ସମୟରେ ଯେତେବେଳେ ଘରୋଇ ହତିଆରଗୁଡ଼ିକ ବିଫଳ ହୁଅନ୍ତି, ପତ୍ନୀ ସୁନୀତାଙ୍କର ବିଶି ଆଙ୍ଗୁଠିର ସୂକ୍ଷ୍ମ ନଖ ସ୍ପର୍ଶରେ ଏକ ସ୍ୱର୍ଗ ସୁଖ ଅନୁଭବ କରନ୍ତି ରାଧାନାଥ। ତାଙ୍କର ମନେହୁଏ ଘଣ୍ଟା ଘଣ୍ଟା ଧରି ଏମିତି ପିଠି କୁଣ୍ଡାଇ ହେଉଥାନ୍ତା ଓ ପିଠିର ଅପହଞ୍ଚ ଇଲାକାଗୁଡ଼ିକର ଅସ୍ଥିର ଜୀବକୋଷଗୁଡ଼ିକୁ ସୁନୀତା ତାଙ୍କର ନଖ ମୂନରେ ଶୀତଳ କରି ଚାଲିଥାନ୍ତେ।

ରାଧାନାଥଙ୍କର ଅନ୍ୟମନସ୍କତା ଆହୁରି ବଢ଼ିଗଲା। ଉଇଲିୟମ୍‌ସନ୍‌ଙ୍କ କଥାର କୌଣସି ଟେର ନଥାଏ ତାଙ୍କ ପାଖରେ। ହଠାତ ପିଠିର ସେଇ ନିଷିଦ୍ଧ ଅଞ୍ଚଳରେ ଥିବା ଚର୍ମକୋଷ ଓ ସ୍ନାୟୁମାନେ ସତେ ଯେପରି ମିଳିତ ବିଦ୍ରୋହର ଅମୋଘ ମାରଣାସ୍ତ୍ରଟିଏ ଛାଡ଼ିଦେଲେ। ରାଧାନାଥଙ୍କର ସାରା ଶରୀର ଦୋହଲି ଉଠିଲା ଓ ପାଟିରୁ ବାହାରିଆସିଲା, “ଆଃ!…”। ସମସ୍ତଙ୍କର ଦୃଷ୍ଟି ତାଙ୍କ ଉପରେ ଆସି ଅଟକିଗଲା। ଉଇଲିୟମ୍‌ସନ୍ ମଧ୍ୟ କଥା ମଝିରୁ ଅଟକିଗଲେ। କିନ୍ତୁ ସେ କିଛି କହିବା ପୂର୍ବରୁ ନିଜେ ରାଧାନାଥ ହିଁ ଆସନରୁ ଉଠି ଛିଡ଼ା ହୋଇପଡ଼ିଲେ ଓ କହିଲେ, “କ୍ଷମା କରିବେ, ମୋ ଶରୀରରେ ଘଟୁଥିବା ଆକସ୍ମିକ ସ୍ନାୟୁ ବିପ୍ଳବର ଆଶୁ ସମାଧାନ ପାଇଁ ମୋତେ ତୁରନ୍ତ ଏଠାରୁ ପ୍ରସ୍ଥାନ କରିବାକୁ ହେବ।” ତାଙ୍କର ହାବଭାବ ଓ କଥାରୁ କେହି କିଛି ବୁଝିବାକୁ ସକ୍ଷମ ହେଲେ ନାହିଁ। ଘଟଣାର ଅପ୍ରତ୍ୟାଶିତ ପ୍ରବାହରେ ସମ୍ପୂର୍ଣ୍ଣ ବିଭ୍ରାନ୍ତ ଉଇଲିୟମ୍‌ସନ୍ ଉଦ୍‌ବେଗର ସହ କହିଲେ, “ୟୁ ଟେକ୍ କେୟାର ରାଧାନାଥ। ଆମେ ଦୁଇଜଣ ପରେ ଆଲୋଚନା ଜାରି ରଖିବା। ଏଠାରେ ସମସ୍ତଙ୍କର ମତାମତ ନେଇ ଆଉ ଅଳ୍ପ ସମୟ ପରେ ମୁଁ ଏହି ସଭା ସମାପ୍ତ କରିବି।

ଉଇଲିୟମ୍‌ସନ୍‌ଙ୍କ କଥା ସରିବା ପର୍ଯ୍ୟନ୍ତ ରାଧାନାଥ ଅପେକ୍ଷା କରିପାରିଲେ ନାହିଁ। ଅଗତ୍ୟା କନଫରେନ୍ସ୍ ରୁମ୍‌ରୁ ବାହାରି ସେ ଧାଇଁବାକୁ ଲାଗିଲେ ନିଜ କ୍ୟାବିନ୍ ଦିଗକୁ। ବିଜୁଳି ପରି କ୍ୟାବିନ୍ ଭିତରେ ପ୍ରବେଶ କଲେ ସେ। ବାହାରେ ୱାର୍କଷ୍ଟେସନରେ ବସିଥିଲା ତାଙ୍କର ସେକ୍ରେଟେରୀ ରୀତା। ଆଶ୍ଚର୍ଯ୍ୟ ହୋଇ ଘଟଣାର ଅନ୍ଦାଜ ଲଗାଉଥିଲା ସେ। କନଫରେନ୍ସ୍ ରୁମ୍‌ରେ ଯେ ମିଟିଂ ଚାଲୁ ରହିଛି, ଏକଥା ସେ ଜାଣେ। ଅଗତ୍ୟା ରାଧାନାଥଙ୍କର ଏମିତି ଧାବମାନ ପ୍ରତ୍ୟାବର୍ତ୍ତନ ତାକୁ ଚକିତ କଲା। ନିଜ କ୍ୟାବିନ୍ ଭିତରେ ପଶୁପଶୁ ରାଧାନାଥ ତାଙ୍କର କୋଟ୍‌ଟିକୁ କାଢ଼ି ଚୌକି ଉପରକୁ ଫୋପାଡ଼ି ଦେଲେ। କୋଟ୍‌ଟି ଶୂନ୍ୟରେ ଉଡ଼ିଗଲା ସିନା, ଲକ୍ଷ୍ୟଭ୍ରଷ୍ଟ ହୋଇ ପଡ଼ିଗଲା ଚଟାଣରେ। ସତେ ଯେମିତି ନିଜେ ରାଧାନାଥ ପଡ଼ିଯାଇଛନ୍ତି ଚାରିକାତ ମେଲାଇ ତାଙ୍କ କ୍ୟାବିନ୍‌ର ଚଟାଣରେ। ପାଦ ଆଗକୁ ବଢ଼ାଇବା ସହ ବେକର ଟାଇଟି ଟାଣି ବାହାର କରିଦେଲେ ରାଧାନାଥ ଓ ଫୋପାଡ଼ି ଦେଲେ କଣରେ ପଡ଼ିଥିବା ସୋଫାଟି ଦିଗକୁ। ଟାଇଟି ସୋଫାର ଧାରରେ ଚଟାଣକୁ ଓହଳି ପଡ଼ି ଦେଖାଯାଉଥିଲା ଗଛ ଉପରୁ ଓହଳିଥିବା ଲାଉଡଙ୍କିଆ ସାପଟିଏ ପରି। ତା’ପରେ କ୍ଷିପ୍ର ଗତିରେ ଟାଣିନେଲେ ସକାଳେ ଯତ୍ନରେ ଟ୍ରାଉଜର୍ ଭିତରକୁ ଗୁଞ୍ଜି ପିନ୍ଧିଥିବା ସାର୍ଟ୍‌ଟିକୁ। ଏଥର ସାର୍ଟ୍ ତଳେ ହାତ ଭର୍ତ୍ତି କରି ସେ ଡିଆଁକୁଦା କରିବାକୁ ଲାଗିଲେ ପିଠିର ଅମାନିଆ ଅଞ୍ଚଳଟିକୁ ଆବିଷ୍କାର କରିବା ପାଇଁ। ଏତେ ସବୁ ବ୍ୟଗ୍ରତା ଭିତରେ କମିଲାନି କୁଣ୍ଡାଇ ହେବାର ଯନ୍ତ୍ରଣା। ଅଗତ୍ୟା କୋଠରିଟିର ଗୋଟିଏ କୋଣରେ ନିଜ ପିଠିଟିକୁ କାନ୍ଥରେ ଘଷିବାକୁ ଆରମ୍ଭ କଲେ ସେ। ତଥାପି ପ୍ରକୃତ ଜାଗାରେ ହାତ କିମ୍ବା କାନ୍ଥର ସ୍ପର୍ଶ ସ୍ପଷ୍ଟ ବାରିହେଲା ନାହିଁ। ଏତିକିବେଳେ କୋଠରୀ ଭିତରକୁ ପଶିଆସିଲା ରୀତା। ରାଧାନାଥଙ୍କର ସେକ୍ରେଟେରୀ ଭାବରେ ତାଙ୍କ କୋଠରି ଭିତରକୁ ଅବାଧ ପ୍ରବେଶ କରିବାର ଅଧିକାର ତା’ର ଥାଏ। ରାଧାନାଥଙ୍କର ଅବସ୍ଥା ଦେଖି ସେ ହଠାତ୍ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଲା। ଘଟଣାଟିର ଆଗପଛ କିଛି ଠଉରାଇ ପାରିଲା ନାହିଁ।
ବିବ୍ରତ ହୋଇ ସେ କହିଲା, “ସାର୍, ଆପଣ ଠିକ୍ ଅଛନ୍ତି ତ? ମୁଁ ଆପଣଙ୍କର ସମସ୍ୟାଟା ବୁଝିପାରୁନାହିଁ। ଦୟାକରି ମତେ କହନ୍ତୁ, ମୁଁ କି ପ୍ରକାର ସାହାଯ୍ୟ କରିପାରିବି?”
ଲଜ୍ଜା ଓ ଅପମାନରେ ନିଜକୁ ଧିକ୍କାର କରୁ କରୁ ରାଧାନାଥ କହିଲେ, “ମୁଁ ଖୁବ୍ ଦୁଃଖିତ ରୀତା। ସାମାନ୍ୟ ଭାଷାରେ କହିଲେ ମୋର ଖୁବ୍ ଜୋରରେ ପିଠି କୁଣ୍ଡାଇ ହେଉଛି। ଠିକ୍ ଜାଗାଟିକୁ କୁଣ୍ଡେଇ ଦେବା ପାଇଁ କିନ୍ତୁ ମୁଁ ସକ୍ଷମ ନୁହେଁ।”
ଏକଥା ଶୁଣି ରୀତା ହୋ ହୋ ହୋଇ ହସିବାକୁ ଲାଗିଲା। କହିଲା, “ସାର୍, ଏ ତ ଏକ ସାଧାରଣ ସମସ୍ୟା, ଲେଟ୍ ମି ସି…।”
ରୀତା ତାଙ୍କ ପାଖକୁ ଲାଗିଆସି ବିନା ସଂକୋଚରେ ତାଙ୍କ ପିଠି ଉପରୁ ସାର୍ଟଟି ଉଠାଇ ଧରି ଉଦ୍‌ବେଗର ସହ ଚିତ୍କାର କଲା, “ସାର୍, ଆପଣଙ୍କ ପିଠିଟିକୁ କାନ୍ଥରେ ଘଷି ଘଷି ଆପଣ ଖଣ୍ଡିଆ କରିସାରିଲେଣି! ମତେ କହିଥିଲେ ମୁଁ କଣ କିଛି ଉପାୟ କାଢ଼ିନଥାନ୍ତି?”
“କି ଉପାୟ କାଢ଼ିପାରିଥାନ୍ତା ତୁମେ?” କହିଲେ ରାଧାନାଥ। “….ପିଠିର ଏକ ନିର୍ଦ୍ଦିଷ୍ଟ ଜାଗାରେ ମୁଁ ଅନୁଭବ କରୁଛି ଏକ ଆକସ୍ମିକ ଯୁଦ୍ଧ, କିନ୍ତୁ ମୁଁ ନିରୁପାୟ। ଦୟାକରି ତୁମେ ବାହାରକୁ ଚାଲିଯାଅ ଓ ମତେ ଏକୁଟିଆ ଯୁଝିବାକୁ ଦିଅ।”
ଔପଚାରିକତା ଖାତିରରେ ରାଧାନାଥ ନିଜକୁ ସଂଯତ କରି ରୀତା ଠାରୁ ଟିକିଏ ଦୂରକୁ ଚାଲିଗଲେ। ମାତ୍ର ଏହି ସମୟରେ ଏକ ଅଜ୍ଞାତ ଅଗ୍ନିସ୍ଫୁଲିଙ୍ଗ ଯେମିତି ସେହି ଚର୍ମକୋଷମାନଙ୍କରେ ଆଉ ଏକ ବିସ୍ଫୋରଣ ସୃଷ୍ଟି କଲା। ରାଧାନାଥଙ୍କ ପାଟିରୁ ବାହାରିଆସିଲା, “ଆଃ…!”
ରୀତା ରାଧାନାଥଙ୍କର ଯନ୍ତ୍ରଣାକୁ ହୃଦୟଙ୍ଗମ କରିପାରୁଥାଏ। ତେଣୁ କାଳବିଳମ୍ବ ନକରି ସେ ରାଧାନାଥଙ୍କର ସାର୍ଟ୍ ଭିତରେ ହାତ ପୁରାଇ ପିଠିର ଦୁଇ ବର୍ଗ ମିଲିମିଟର୍‌ର ଯୁଦ୍ଧଭୂମିକୁ ଠାବ କରିବାକୁ ଚେଷ୍ଟା କଲା। ରାଧାନାଥ ବାଧ୍ୟ ଛାତ୍ରଟିଏ ପରି ଠିଆ ହୋଇଥାନ୍ତି ଓ ନିର୍ଦ୍ଦେଶ ଦେଉଥାନ୍ତି, “…ଟିକିଏ ଉପରକୁ…, ନା ନା … ଆଉ ଟିକେ ବାମକୁ, ଡାହାଣକୁ, …ସାମାନ୍ୟ ତଳକୁ….” ଇତ୍ୟାଦି।
ହଠାତ୍ ରୀତାର ଟିପ ପହଞ୍ଚିଗଲା ବିଦ୍ରୋହୀ ଚର୍ମ ଚେନାକ ଉପରେ। ରାଧାନାଥ ପାଟି କରିଉଠିଲେ, “ବାସ୍ ବାସ୍! ସେଇଠି ସେଇଠି।” ଏଥର ରୀତା ନିଜ ନଖରେ ସନ୍ତର୍ପଣରେ ସାଉଁଟିବାକୁ ଲାଗିଲା ସେଇ ଅଞ୍ଚଳଟିକୁ। ଅସାମାନ୍ୟ ଶାନ୍ତି ଓ ଆରାମରେ ରାଧାନାଥଙ୍କର ଆଖି ବୁଜି ହୋଇଗଲା।
ସେ କହୁଥିଲେ, ‘ଆଃ, କି ଶାନ୍ତି! ରୀତା, ଆଉ ଟିକିଏ ଅଧିକ ଚାପ ଦିଅ। ଉପରୁ ତଳକୁ ଓ ତଳୁ ଉପରକୁ ଆଞ୍ଚୁଡ଼ିବା ପରି ନଖ ଚାଳନା କର।’
ରୀତା ଠିକ୍ ତାହା ହିଁ କରିବାକୁ ଲାଗିଲା। ରାଧାନାଥଙ୍କ ମୁହଁରେ ପରମ ଶାନ୍ତି ଓ ସ୍ମିତ ହସଟିଏ ଖେଳିଗଲା।
ସେ କହୁଥିଲେ, ‘ରୀତା, ବହୁତ ବହୁତ ଧନ୍ୟବାଦ। ତୁମେ ଜାଣିନାହଁ, ତୁମର ଏଇ ଦୟାଳୁ ସ୍ପର୍ଶ ହିଁ ମୋର ସବୁ ସମସ୍ୟାର କେତେ ବଡ଼ ସମାଧାନ ଆଣିଦେଇଛି। ଆଉ କିଛି ସମୟ ସ୍ପର୍ଶ ଜାରି ରଖ। ମୁଁ ଖୁବ୍ ଶୀଘ୍ର ଠିକ୍ ହୋଇଯିବି।’

ଏତିକିବେଳେ ଉଭୟଙ୍କୁ ଉଭୟଙ୍କ ଅଜ୍ଞାତରେ କୋଠରି ଭିତରେ ଅନୁପ୍ରବେଶ କରିଥିବା ଦୁଇଜଣ ମହିଳା ଅତି ରହସ୍ୟମୟ ଆଖିରେ ସେମାନଙ୍କୁ ଚାହିଁ ରହିଥିଲେ। ସେମାନେ ହେଲେ ସାନୀ ଓ ବିରୂପା। ସେମାନଙ୍କ ଆଖିରୁ ସ୍ପଷ୍ଟ ପଢ଼ି ହେଉଥିଲା ଯେ ସେମାନେ ଅଫିସ୍ ରୋମାନ୍ସ୍‌ର ଏକ ସଫଳ ଆବିଷ୍କାରର ସଦ୍ୟ ରୋମାଞ୍ଚରେ ଦୀପ୍ତ। ଖିଲିଖିଲି ହସି ସେମାନେ ଖୁବ୍ ଶୀଘ୍ର ସେଠାରୁ ପ୍ରସ୍ଥାନ କଲେ, ମାତ୍ର ଯିବା ବେଳେ କହିଗଲେ, ‘ରୀତା, ତୁମେ ବି!’

ସେମାନଙ୍କ ପଛେ ପଛେ ରୀତା ମଧ୍ୟ କୋଠରୀରୁ ବାହାରି ଚାଲିଗଲା। ରାଧାନାଥ କୋଟ୍‌, ବେଲ୍ଟ୍ ଓ ଟାଇ ସହ ନିଜକୁ ହିଁ ସାଉଣ୍ଟି ନେଉଥିଲେ। ପିଠିର ଆରାମ ସିନା ଫେରିଆସିଲା, ମାନସିକ ସ୍ତରରେ ରାଧାନାଥ ହୋଇପଡିଥିଲେ ଅତ୍ୟନ୍ତ କ୍ଲାନ୍ତ। ସେ ମଧ୍ୟ ଯଥାଶୀଘ୍ର ଘରକୁ ଚାଲିଗଲେ। ଯିବା ପୂର୍ବରୁ ରୀତାକୁ ଧନ୍ୟବାଦ ଦେବା ପାଇଁ ଖୋଜିଲେ, ହେଲେ ରୀତା ଯେମିତି ଅଦୃଶ୍ୟ ହୋଇଯାଇଥିଲା ଅଫିସ୍ ଭିତରେ। କନଫରେନ୍ସ୍ ରୁମ୍‌ର ମିଟିଂଟି ସରିଯାଇଥିଲା ଓ ଅଫିସ୍ ପୁଣି ଚଳଚଞ୍ଚଳ ହେବାକୁ ଲାଗିଥିଲା।

ପତ୍ନୀ ସୁନୀତା ଦୁଇ ଦିନ ପାଇଁ କ୍ଲାଏଣ୍ଟ୍ ମିଟିଂ ପାଇଁ ସହର ବାହାରକୁ ଯାଇଥାନ୍ତି। ଜଣେ ୱେଲଥ୍ ମ୍ୟାନେଜର୍ ଭାବରେ ତାଙ୍କର ମଧ୍ୟ ଜୀବନ ଖୁବ୍ ବ୍ୟସ୍ତମୟ। ରାଧାନାଥ ଏକୁଟିଆ ଖଟରେ ଛଟପଟ ହେଉଥାନ୍ତି। ରାତି ଅଧ ହେଲାଣି, ଅଥଚ ଆଖିରେ ନିଦ ଆସୁନଥାଏ। ଏତିକି ବେଳେ ହଠାତ୍ ଫୋନ୍ ବାଜି ଉଠିଲା। ରାଧାନାଥ ଦେଖନ୍ତି ରୀତା ଠାରୁ ଫୋନ୍ ଆସୁଛି। ଏତେ ରାତିରେ ରୀତାର ଫୋନ୍ ତାଙ୍କୁ ବିଚଳିତ କଲା। ଅଫିସରେ ସବୁ ଠିକ୍ ଚାଲିଛି ତ? ରୀତା ବୋଧହୁଏ କୋହଭରି କାନ୍ଦୁଥିଲା। ତା’ ସ୍ୱରରୁ ଜଣାପଡୁଥିଲା ଅନେକ ସମୟ ଧରି ସେ ହୋଇତ କାନ୍ଦିବାରେ ଲାଗିଥିଲା।
ରୀତା କହିବାକୁ ଲାଗିଲା, “ସାର୍, ଆପଣଙ୍କୁ ଅଧରାତିରେ ଫୋନ୍ କରିଥିବାରୁ ମୁଁ ଖୁବ୍ ଦୁଃଖିତ। ଆପଣ ହୁଏତ ଜାଣନ୍ତି ନାହିଁ ସୋସାଲ୍ ମିଡିଆରେ ଆମ ଦୁହିଁଙ୍କର କି ପ୍ରକାର ଫଟୋ ଓ ଭିଡିଓ ଭାଇରାଲ୍ ହେବାକୁ ଲାଗିଛି। ହଜାର ହଜାର ଲୋକ ସେଗୁଡିକୁ ଦେଖି ଅତି ଅସଭ୍ୟ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଏ ପରିସ୍ଥିତିରେ ଆପଣଙ୍କଦ୍ୱାରା ବା କମ୍ପାନୀ ତରଫରୁ କିଛି ବିଜ୍ଞପ୍ତି ଜାରି କରାଯାଇପାରିବ କି?”
ରାଧାନାଥ କହିଲେ, “କିନ୍ତୁ ଏ ବିଷୟ ସୋସାଲ୍ ମିଡିଆକୁ ଆସିଲା କେମିତି?” ରୀତା ତାର ଉତ୍ତର ଦେଲା ନାହିଁ, ବରଂ ଫୋନ୍ କାଟିଦେଲା।

ସୋସାଲ୍ ମିଡିଆର ନିଆଁ ଲିଭାଇବା ପାଇଁ ରାଧାନାଥଙ୍କ ନିକଟରେ କିଛି ସାଧନ ନଥିଲା। କିନ୍ତୁ ତାଙ୍କ ମନରେ ଥିଲା ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ। ତାଙ୍କର ନିର୍ମଳ ଭାବମୂର୍ତ୍ତି ଓ ବର୍ଷ ବର୍ଷର ସୁଖ୍ୟାତି ନିକଟରେ କିଛିଟା ମିଥ୍ୟା ଅପବାଦ ପାଣି ପରି ମିଳାଇଯିବ।

ପରଦିନ ସକାଳେ ଅଫିସରେ ପହଞ୍ଚି ରାଧାନାଥ ଅନୁଭବ କଲେ ସେ ଯେମିତି ଏକ ଅପରିଚିତ ଜାଗାରେ ପହଞ୍ଚି ଯାଇଛନ୍ତି। ସମସ୍ତଙ୍କ ଆଖିରେ ସନ୍ଦେହ, ତାତ୍ସଲ୍ୟ ଓ ଉତ୍ସୁକତା। ସେ ରୀତାକୁ ଡକାଇ ପଠାଇଲେ, ମାତ୍ର ରୀତା ବୋଧହୁଏ ଥିଲା ଅନୁପସ୍ଥିତ।

ଉଇଲିୟମ୍‌ସନ୍‌ ଅଫିସରେ ପହଞ୍ଚିବା ମାତ୍ରେ ରାଧାନାଥ ତାଙ୍କ ନିକଟରେ ଯାଇ ପୂର୍ବ ଦିନର ଘଟଣା ବୁଝାଇବାକୁ ଚେଷ୍ଟା କଲେ। ମାତ୍ର ସେ ବଡ଼ ଗମ୍ଭୀର ଓ ଉଦାସୀନ କଣ୍ଠରେ କହିଲେ, “ଦେଖ ରାଧାନାଥ, ମୁଁ ତୁମକୁ ଜାଣେ ଓ ବିଶ୍ୱାସ କରେ। ମାତ୍ର ଆମ କମ୍ପାନୀର କିଛି ମୂଲ୍ୟବୋଧ ଓ ପରମ୍ପରା ରହିଛି। ଏପରି ଘଟଣା ସର୍ବସମକ୍ଷକୁ ଆସିବା ପରେ କମ୍ପାନୀ ଚୁପ୍ ବସି ରହିପାରିବ ନାହିଁ। ମୁଁ ସେକ୍ସୁଆଲ୍ ହାରାସ୍‌ମେଣ୍ଟ୍ ପ୍ରସଙ୍ଗରେ ଆଭ୍ୟନ୍ତରୀଣ କମିଟି ଦ୍ୱାରା ଏକ ନିରପେକ୍ଷ ତଦନ୍ତର ନିର୍ଦ୍ଦେଶ ଦେଇସାରିଛି। ଆଶା ତୁମେ ସେଥିରେ ସହଯୋଗ କରିବ।”
ରାଧାନାଥ ଅପମାନ ଓ ଲଜ୍ଜାର ଜହର ପାନ କରୁ କରୁ ପଚାରିଲେ, “ମାତ୍ର ଏ ବିଷୟରେ କଣ କିଛି ଅଭିଯୋଗ ଅଛି କି?”
“ହଁ, ରୀତା ନିଜେ ହିଁ ଆପଣଙ୍କ ବିରୁଦ୍ଧରେ ଅଭିଯୋଗ କରିଛି” କହିଲେ ଉଇଲିୟମ୍‌ସନ୍‌, “.., ମୋର ଆପଣଙ୍କୁ ପରାମର୍ଶ, ଅନୁସନ୍ଧାନ ଶେଷ ହେବା ଯାଏଁ ଆପଣ ବରଂ ଛୁଟିରେ ଚାଲିଯାଆନ୍ତୁ।”

ଏଥର ରାଧାନାଥଙ୍କ ମୁଣ୍ଡରେ ଚଡ଼କ ପଡିଲା ଯେମିତି। ରୀତା ଯେ ତାଙ୍କ ନାମରେ ଅଭିଯୋଗ କରିଥିବ, ଏ କଥା ତାଙ୍କର ହଜମ ହେଉନଥାଏ। ସେ ନିଜ କୋଠରୀକୁ ଆସି ରୀତାକୁ ଫୋନ୍ କରିବାକୁ ଲାଗିଲେ, ମାତ୍ର ରୀତାର ଫୋନ୍ ଅପହଞ୍ଚ ହେଲା।

ଗୋଟିଏ ଗୋଲକଧନ୍ଦାରେ ଘାଣ୍ଟି ହୋଇ ନିଜ କୋଠରୀରେ ଏକୁଟିଆ ବସିଥିବା ବେଳେ ଜଣେ ପୁରୁଷ କର୍ମଚାରୀ ରାଧାନାଥଙ୍କ ସହ ସାକ୍ଷାତ କଲା। ସାମାନ୍ୟ ପ୍ରାକ୍‌କଥନ ପରେ ସେ ରାଧାନାଥଙ୍କ ଉଦ୍ଦେଶ୍ୟରେ ଲେଖାଥିବା ରୀତାର ଏକ ମେସେଜ୍ ପଢିବାକୁ ଲାଗିଲା।
“ସାର୍, ଆପଣଙ୍କ ନାମରେ ସେକ୍ସୁଆଲ୍ ହାରାସ୍‌ମେଣ୍ଟ୍ ଅଭିଯୋଗ ଆଣିଥିବାରୁ ମୁଁ ଖୁବ୍ ଦୁଃଖିତ। ମୁଁ ଜାଣେ ଆପଣ ଖୁବ୍ ସରଳ ଓ ଚରିତ୍ରବାନ ଭଦ୍ର ବ୍ୟକ୍ତି। କିନ୍ତୁ ମୁଁ ନିରୁପାୟ। କମ୍ପାନୀ ନିଜର ଖ୍ୟାତି ବଜାୟ ରଖିବା ପାଇଁ ମୋ ନିକଟରେ ଦୁଇଟି ବିକଳ୍ପ ରଖିଥିଲା। ପ୍ରଥମଟି ହେଲା, ମୁଁ ସଙ୍ଗେ ସଙ୍ଗେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଇସ୍ତଫା ଦାଖଲ କରିବି। ଆଉ ଦ୍ୱିତୀୟ ବିକଳ୍ପ ହେଲା, ମୁଁ ଆପଣଙ୍କ ନାମରେ ଅଭିଯୋଗ ଦେବି ଓ କମ୍ପାନୀ ଏହାର ନିରପେକ୍ଷ ଯାଞ୍ଚ କରାଇ ନିଜର ମୂଲ୍ୟବୋଧର ପରାକାଷ୍ଠା ଅତୁଟ ରଖିବ। ….ସାର୍, ମୋ ପାଇଁ ଏଇ ଚାକିରିଟି ଅତ୍ୟନ୍ତ ଜରୁରୀ। ମୋର ସ୍ୱାର୍ଥ ଓ ଆତ୍ମସମ୍ମାନ ରକ୍ଷା ଆଗରେ ମତେ ଯାହା ଠିକ୍ ଲାଗିଲା, ମୁଁ ତାହାହିଁ କରିବାକୁ ବାଧ୍ୟ ହେଲି। ମୁଁ ଜାଣେ ଆପଣଙ୍କ ପାଇଁ କାମର ଅଭାବ ରହିବ ନାହିଁ। ଆପଣଙ୍କ ଅନୁଭୂତି ଓ କାର୍ଯ୍ୟଦକ୍ଷତା ସାରା ବିଶ୍ୱରେ ଜଣାଶୁଣା। ମତେ ଭୁଲ୍ ବୁଝିବେ ନାହିଁ।”

କ୍ଷଣକରେ ରାଧାନାଥ ଚାକିରିରୁ ଇସ୍ତଫା ଦେବା ପାଇଁ ନିର୍ଣ୍ଣୟ ନେଇଗଲେ। ତାଙ୍କ କୋଠରୀରେ ଥିବା ବ୍ୟକ୍ତିଗତ ଜିନିଷପତ୍ର ସବୁ ଏକ କାର୍ଡ୍‌ବୋର୍ଡ୍ ବାକ୍ସରେ ସାଉଣ୍ଟି ରଖିଲେ। କମ୍ପାନୀକୁ ଇସ୍ତଫା ପତ୍ର ଇ-ମେଲ୍ କରି ଅଫିସରୁ ପ୍ରସ୍ଥାନ କଲେ। ତାଙ୍କର କିଛି ପ୍ରଶଂସକ ସହକର୍ମୀ ତାଙ୍କୁ ବାଟୋଇ ଦେବାକୁ ଆସିଲେ ଓ ଅନେକ ସାହାଯ୍ୟର ପ୍ରତିଶୃତି ଓ ଅଯାଚିତ ଉପଦେଶରେ ପୋତିପକାଇଲେ। ଦୂରରୁ କିଛି ସହକର୍ମୀଙ୍କର ଗୁଇନ୍ଦା ଆଖି ତାଙ୍କର ଗତିବିଧିକୁ ଲକ୍ଷ୍ୟ କରୁଥାଏ।

ଅଫିସରୁ ଫେରିବା ସମୟରେ ଗାଡି ଭିତରୁ ସେ ପତ୍ନୀ ସୁନୀତାଙ୍କ ନିକଟକୁ ଫୋନ୍ ଲଗାଇଲେ। ନିଜର ଏହି ଅଭାବନୀୟ ପରିସ୍ଥିତିର ସ୍ପଷ୍ଟୀକରଣ ପତ୍ନୀଙ୍କୁ ଦେବେ ଓ କିଛି କଥା ହୋଇ ମନ ହାଲୁକା କରିନେବେ, ଏଇ ଥିଲା ଉଦ୍ଦେଶ୍ୟ। ଫୋନ୍‌ର ଅପରପାର୍ଶ୍ୱରୁ ସୁନୀତାଙ୍କର କଣ୍ଠ ଭାସି ଆସିବାମାତ୍ରେ ରାଧାନାଥ କହିଲେ, “ମୁଁ ଏକ ଜଟିଳ ସମସ୍ୟାରେ ପଡିଯାଇଛି ….।”
“ମୁଁ ଜାଣେ, ତୁମେ ଇସ୍ତଫା ଦେଇଦେଇଥିବ।” ତାଙ୍କ କଥା ଶେଷ ହେବା ପୂର୍ବରୁ ସୁନୀତାଙ୍କର ଉତ୍ତର।
ଆଶ୍ଚର୍ଯ୍ୟ ହୋଇ ରାଧାନାଥ କହିଲେ, “ତୁମକୁ କେମିତି ଏ କଥା ଜଣାପଡିଗଲାଣି…? ଆଉ ସୋସାଲ୍ ମିଡିଆର କଥା… ତାହା ବି?”
ସୁନୀତା କହିଲେ, “ସେ କଥା ମଧ୍ୟ ଜାଣେ। ଭିଡିଓ ଓ ଫଟୋଗୁଡିକରୁ ମୋର ଦୃଢ ଅନୁମାନ, ତୁମେ ପୁଣିଥରେ ଆକସ୍ମିକ ପିଠି କୁଣ୍ଡାଇ ହେବାର ଅସହ୍ୟ ରୋଗଟିର ଶିକାର ହୋଇପଡିଥିବ ଓ ଉପଚାର ପାଇଁ ଆଗେଇ ଆସିଥିବ ତୁମର ସେକ୍ରେଟେରୀ ରୀତା।”
ରାଧାନାଥ କହିବାକୁ ଲାଗିଲେ, “ତୁମର ଅନୁମାନ ସମ୍ପୂର୍ଣ୍ଣ ଠିକ୍। କିନ୍ତୁ ତୁମେ ହୁଏତ ଜାଣିନଥିବ, ଏଠାରେ ମୋ ବିରୁଦ୍ଧରେ ଆରମ୍ଭ ହୋଇଛି ଏକ ଆଭ୍ୟନ୍ତରୀଣ ଅନୁସନ୍ଧାନ….”

ସୁନୀତା ରାଧାନାଥଙ୍କୁ ଅଧିକ କହିବାକୁ ଦେଲେନାହିଁ; କୌଣସି ବିଶଦ ବିବରଣୀ ଓ ଆଲୋଚନାର ଆବଶ୍ୟକତା ନଥିଲା ଯେପରି। ବିଶ୍ୱାସ ଓ ପାରିବାରିକ ବୁଝାମଣାର ଆଧାରରେ ରାଧାନାଥଙ୍କ ବେକରୁ ଉଭେଇଯାଇଥିଲା କୌଣସି ପ୍ରକାରର କୈଫିୟତର ଫାଶ। ରାଧାନାଥଙ୍କର ବ୍ୟସ୍ତତା ଲାଘବ ହେଲା। ପତ୍ନୀଙ୍କ ଉଦ୍ଦେଶ୍ୟରେ ତାଙ୍କ ହୃଦୟରେ ଭରିଗଲା ସମ୍ମାନ ଓ କୃତଜ୍ଞତା। କଥା ଛଳରେ ଚପଳ ଦୁଷ୍ଟାମିସହ ହଠାତ ସୁନୀତା ପଚାରିଲେ, “ତୁମକୁ ପ୍ରକୃତରେ କେଉଁଟା ବେଶି ଭଲ ଲାଗିଲା? ତୁମ ପିଠି ଉପରେ ରୀତାର ନରମ ହାତର ସ୍ପର୍ଶ, ନା ମୋ ନଖର ଦେହସୁହା ଘସରା ଅନୁଭବ?”
ଉତ୍ତର ଦେବା ଆଗରୁ ରାଧାନାଥଙ୍କର ପିଠି କୁଣ୍ଡାଇହେବାକୁ ଲାଗିଲା।

****

ବୁଦ୍ଧିମାନ ଗଧ

ଏ ହେଉଛି ଅଭାବନୀୟ ପ୍ରସିଦ୍ଧି ଲାଭ କରିଥିବା ଏକ ଗଧର କାହାଣୀ।

ସବୁକିଛି ଏକ ଦୁର୍ଘଟଣାରୁ ହିଁ ଆରମ୍ଭ ହୋଇଥିଲା।

ଦିନେ ସକାଳେ ବିଚରା ଗଧଟିଏ ଗୋଟିଏ ସର୍କସ୍‌ପାର୍ଟିର ତମ୍ବୁବନ୍ଧା ଅସ୍ଥାୟୀ ହତା ଭିତରେ ଏକ ବଡ଼ ନଡ଼ାଗଦାର ଆକର୍ଷଣରେ ଭିତରକୁ ଅବୈଧ ପ୍ରବେଶ କରି ବସିଲା। ତାକୁ କ’ଣ ଜଣାଥିଲା ସେଠାରୁ ଅନତି ଦୂରରେ ଥିଲା ବଣୁଆ ହିଂସ୍ର ଜନ୍ତୁମାନଙ୍କ ପିଞ୍ଜରା। ଜାଗାଟି ଭଲ ଭାବରେ ଠଉରାଇ ନେବା ପୂର୍ବରୁ ଜଣେ ଜଗୁଆଳି ଠେଙ୍ଗାଟିଏ ଉଠାଇ ତା’ ଆଡ଼କୁ ମାଡ଼ି ଆସିଲା। ଭୟରେ ସ୍ଥିର ହୋଇଗଲା ଗଧଟି। ଗଧସୁଲଭ ପ୍ରବୃତ୍ତି ଅନୁସାରେ ପ୍ରତିକ୍ରିୟା ଦେଖାଇଥିଲେ ଜଗୁଆଳି ଜଣକ ନିଶ୍ଚୟ ତା’ ଉପରେ ଖୁବ୍ ଖପ୍ପା ହୋଇଥାନ୍ତା। କିନ୍ତୁ ତା’ ଉର୍ବର ମସ୍ତିଷ୍କରେ ତୁରନ୍ତ ଏକ ଭାବନା ଖେଳିଗଲା। ଆଗ ଗୋଡ଼ ଦୁଇଟି ଯଥାସମ୍ଭବ ଆଗକୁ ମେଲାଇ ଓ ତଳକୁ ମୁଣ୍ଡ ନୁଆଇଁ ସମ୍ପୂର୍ଣ୍ଣ ସମର୍ପଣର ମୁଦ୍ରାରେ ସେ ନିଜକୁ ପେଶ୍ କଲା। ବୁଲା କୁକୁରମାନଙ୍କ ପାଖରେ ଏମିତି ସମର୍ପଣର ମୁଦ୍ରା ସେ ଆଗରୁ ଦେଖିଥିଲା। ସେହି ଏକା ମୁଦ୍ରାରେ ମୂର୍ତ୍ତିଟିଏ ପରି ଠିଆ ହୋଇ ରହିଲା ସେ। “ଏଇଟି ନିଶ୍ଚୟ ଏକ ବୁଦ୍ଧିମାନ ଗଧ ଓ ଆମ ସର୍କସ ପାଇଁ ହୁଏତ ଏ କାମରେ ଆସିବ” — ମନକୁମନ ଏକଥା କହି ଜଗୁଆଳି ଠେଙ୍ଗାଟିକୁ ତଳକୁ କରିଦେଲା।

ସର୍କସ୍‌ର ଜୋକର୍‌ମାନଙ୍କ ସହ ଏକ ମଜାଳିଆ ଦୃଶ୍ୟରେ ଅଭିନୟ କରିବା ପାଇଁ ଗଧଟିକୁ ପ୍ରଥମେ ତାଲିମ ଦିଆଗଲା। ଜୋକର୍‌ମାନେ ଗଧ ପିଠିରେ ବସିବାର ବାରମ୍ବାର ଉଦ୍ୟମ କରୁଥିବେ, କିନ୍ତୁ ପ୍ରତିଥର ଏକ ତୀବ୍ର ଝଟକା ସହ ଗଧଟି ଡେଇଁ ପଡୁଥିବ ଓ ଜୋକର୍‌ମାନେ ଜଣକ ପରେ ଜଣେ ତଳେ ପଡ଼ି ଯାଉଥିବେ। ଜୋକର୍‌ମାନେ ତଳେ ପଡ଼ିବା ସହ ଦର୍ଶକ ଗ୍ୟାଲେରୀରୁ ହସ ଓ ତାଳି ମାଡ଼ର ସୁଅ ଭାସି ଆସୁଥିବ। ଶେଷରେ ଗୋଟିଏ ବାମନ ଜୋକର୍ ପାଇଁ ଗଧଟି ଟିକେ ନଇଁଯିବ ଓ ରାଜକୀୟ ଠାଣିରେ ତା’ ପିଠି ଉପରେ ଜୋକର୍‌ଟି ସବାର୍ ହୋଇଯିବ। କରତାଳି ମଧ୍ୟରେ ଗଧଟି ଦର୍ଶକମାନଙ୍କୁ ସମ୍ମାନ ଜଣାଇ ବାରମ୍ବାର ମଥା ନୁଆଇଁବ ଓ ନେପଥ୍ୟରେ ବାଜୁଥିବା ବୀରବାଜାର ତାଳେ ତାଳେ ତମ୍ବୁ ଭିତରକୁ ଚାଲିଯିବ।

ସର୍କସ୍‌ପାର୍ଟି ପାଇଁ ଗଧଟି ଥିଲା ଏକ ଚମତ୍କାର ଆବିଷ୍କାର। କିଛି ଦିନ ମଧ୍ୟରେ ସେ ନୂଆ ନୂଆ କୌଶଳ ଆୟତ୍ତ କରିବାକୁ ଲାଗିଲା। ଏପରିକି ଗୋଟିଏ ବିଶାଳ ସିଂହ ସହ ଏକ ଦୁଃସାହସିକ ଅଭିନୟ କରିବା ପାଇଁ ମଧ୍ୟ ସେ ପ୍ରସ୍ତୁତ ହୋଇଗଲା। ଦେଖୁ ଦେଖୁ ଗଧଟି ହୋଇପଡ଼ିଲା ସର୍କସ୍‌ର ଏକ ମୁଖ୍ୟ ଆକର୍ଷଣ—ଜଣେ ଷ୍ଟାର୍ କଳାକାର। ଗଧଟି ମଧ୍ୟ ତା’ର ଏହି ନୂଆ ଜୀବନକୁ ଖୁବ୍ ଉପଭୋଗ କରୁଥିଲା। ଏଠାରେ ଖାଦ୍ୟର ଅଭାବ ନଥିଲା; ପୁଣି ଭିତରେ ଓ ବାହାରେ ବଢ଼ିବାରେ ଲାଗିଥିଲା ପ୍ରଶଂସକଙ୍କ ସଂଖ୍ୟା। ଅନେକ ସମୟରେ ରାଜୁକୁ ଦେଖିଲେ ସେ ମଥା ନୁଆଁଇ ପ୍ରଣିପାତ କରିବା ଭଙ୍ଗୀରେ ଠିଆ ହୋଇଯାଏ। ଏହି ରାଜୁ ହିଁ ଥିଲା ସର୍କସ୍ ଦଳର ପ୍ରଥମ ବ୍ୟକ୍ତି, ଯାହା ସହ ଅପ୍ରତ୍ୟାଶିତ ଭାବରେ ପ୍ରଥମ ଦିନ ତା’ର ଦେଖା ହୋଇଥିଲା। ରାଜୁର ଠେଙ୍ଗା ମାଡ଼ରୁ ସେଦିନ ସେ ଅଳ୍ପକେ ବର୍ତ୍ତି ଯାଇଥିଲା। ସ୍ନେହରେ ରାଜୁ ଗଧଟିର ନାମ ରଖିଥିଲା ‘ବିଟୁ’। ଦୁହିଁଙ୍କ ଭିତରେ ଭାବର ଏକ ନିବିଡ଼ ବନ୍ଧନ ସୃଷ୍ଟି ହୋଇଥିଲା। ଅନାମଧେୟ ଗାଁର ଅଜଣା ଗଧଟି ପାଇଥିଲା ଏକ ସମ୍ମାନସୂଚକ ଆତ୍ମପରିଚୟ।

ଆଉ ନଥିଲା ‘ଗଧ ଜୀବନ’।

ସୁଖର ସମୟ ବେଶି ଦିନ ତିଷ୍ଠି ରହିଲା ନାହିଁ। ସର୍କସରେ ବଣୁଆ ଜନ୍ତୁମାନଙ୍କର ଖେଳ ପ୍ରଦର୍ଶନ ମନା ହୋଇଗଲା ଓ ଧୀରେ ଧୀରେ ଦର୍ଶକଙ୍କ ସଂଖ୍ୟା ହ୍ରାସ ପାଇବାକୁ ଲାଗିଲା। କେତୋଟି ମାଙ୍କଡ଼, ଶୁଆ, ଶାରୀ, ଠେକୁଆ ଓ ଗଧ କ’ଣ ସିଂହ ଓ ହାତୀମାନଙ୍କ ସ୍ଥାନ ପୂରଣ କରିପାରିଥାନ୍ତେ? ସର୍କସ୍‌ର ଆର୍ଥିକ ଦୁରବସ୍ଥା ବଢ଼ିବାକୁ ଲାଗିଲା। ଶେଷରେ ଏମିତି ସମୟ ଆସିଲା ଯେ ବିଟୁକୁ ସର୍କସ୍ ଦଳରୁ ବିଦାୟ ଦେବାକୁ ହେଲା। ବିଟୁକୁ କିଣିନେଲା ରାଜୁର ପୂର୍ବ ପରିଚିତ ଅଗାଧୁ ନାମକ ତା’ର ଜଣେ ସହଗ୍ରାମବାସୀ। ଯେଉଁଦିନ ବିଟୁ ସର୍କସ୍ ଟେଣ୍ଟ୍ ଭିତରୁ ଭାରାକ୍ରାନ୍ତ ହୃଦୟରେ ବାହାରକୁ ପାଦ ବଢ଼ାଇଲା, ରାଜୁ ଭାବପ୍ରବଣ ହୋଇ ଅଗାଧୁ କାନରେ କହିଲା— “ଭାଇ! ଆମ ସମସ୍ତଙ୍କର ପ୍ରିୟ ବିଟୁ ଏଥର ତତେ ଲାଗିଲା। ଦୟାକରି ତା’ର ଯତ୍ନ ନେବୁ। ମନେରଖ, ସେ ଗୋଟାଏ ଅସାଧାରଣ ଗଧ।”

ସର୍କସ୍ ବାହାରର ଦୁନିଆ ଥିଲା କଠୋର ଓ ସହାନୁଭୂତିହୀନ। ଗଧଟିଏ ସେଠାରେ କରତାଳି ବା କୌଣସି ପ୍ରଶଂସାର ଭାଜନ ନୁହେଁ।

ଅଗାଧୁର ବାଡ଼ିପଟେ ଅନ୍ୟାନ୍ୟ ଗଧମାନଙ୍କ ସହ ବିଟୁ ଯୋଗଦେଲା। ତା’ପରି ଉଚ୍ଚକୋଟୀର କଳାକାର ପାଇଁ ଏଠାରେ କୌଣସି ଉଦ୍ଦୀପନା ନଥିଲା। ଅନ୍ୟ ଗଧମାନଙ୍କ ପରି ସେଠାରେ ତା’ର କାମ ଥିଲା ତୀର୍ଥଯାତ୍ରୀଙ୍କୁ ପିଠିରେ ବସାଇ ପାହାଡ଼ ଉପରର ମନ୍ଦିରକୁ ନବାଆଣିବା କରିବା। ସଂକୀର୍ଣ୍ଣ ତୀଖ ରାସ୍ତାରେ ଯାତ୍ରୀଙ୍କ ଭାର ବୋହିବା ଥିଲା ଖୁବ୍ ଶ୍ରମସାପେକ୍ଷ। ଅଧାପେଟ ଓ କଥା କଥାରେ ଛାଟ ଖାଇବା ଧୀରେ ଧୀରେ ବିଟୁର ଦେହସୁହା ହୋଇଗଲା। କିଛି ମାସ ବିତିଗଲା। ସର୍କସ୍‌ର ଚକମକିଆ ଆଲୋକ ଓ ବ୍ୟାଣ୍ଡ୍‌ବାଜାର ସ୍ମୃତି ମନର ଏକ ଅଲୋଡ଼ା କୋଣରେ ଫୋପାଡ଼ି ଦେବା ଛଡ଼ା ଆଉ ଉପାୟ ବା କ’ଣ ଥିଲା?

ଦିନେ ଜଣେ ତୀର୍ଥଯାତ୍ରୀଙ୍କୁ ପିଠିରେ ବୋହି ନେଇ ଯାଉଥିବା ବେଳେ ବିଟୁର ମନ ପରଦାରେ ଭାସିଉଠିଲା ସର୍କସର ଜୋକର୍‌ମାନଙ୍କୁ ନିଜ ପିଠିରେ ବସାଇ ବିଭିନ୍ନ କରାମତି ଦେଖାଇବାର ପୁରୁଣା ଦୃଶ୍ୟ। ମୁହୂର୍ତ୍ତକ ପାଇଁ ଆନନ୍ଦ ଲହରୀରେ ସେ ଭାସିଗଲା। ଭୁଲିଗଲା ତା’ର ବର୍ତ୍ତମାନର ସ୍ଥିତି। ସର୍କସ୍‌ରେ ଜୋକର୍‌ମାନଙ୍କ ସହ ଖେଳକୁଦ କରିବା ପରି ହଠାତ୍ ସେ ଏକ ଝଟକା ସହ ଡେଇଁପଡ଼ିଲା। ବିଚରା ବୃଦ୍ଧ ତୀର୍ଥଯାତ୍ରୀ ଜଣକ ପିଠି ଉପରୁ କଚାଡ଼ି ହୋଇ ପଡ଼ିଯିବା ସହ, ତା’ ପିଠିରେ ବସିବାକୁ ଲାଗିଲା ମାଲିକର ହୃଦୟହୀନ ପାହାର ଉପରେ ପାହାର । ସେତେବେଳେ ଯାଇ ବିଟୁର ଚେତା ଫେରିଲା। ତା’ର ଏପରି ଅନିଶ୍ଚିତ ବ୍ୟବହାରରେ ଅତିଷ୍ଠ ହୋଇ ଅଗାଧୁ ବିଟୁକୁ ଆଉ ପାଖରେ ରଖିବ ନାହିଁ ବୋଲି ସ୍ଥିର କଲା। ବିତାଡ଼ିତ ବିଟୁ ଆହାର ଓ ମୁଣ୍ଡ ଗୁଞ୍ଜିବାର ସ୍ଥାନ ହରାଇ ବସିଲା। ଅଗାଧୁର ତିରସ୍କାର – “ଗୋଟାଏ ସର୍କସ୍‌ର ଗଧକୁ ବିଶ୍ୱାସ କରାଯାଇ ନପାରେ”, ବାରମ୍ବାର ତା’ କାନରେ ପ୍ରତିଧ୍ୱନିତ ହେଉଥାଏ।

ଏଥର ଦୁଃଖ ଓ ହତାଶାରେ ସେ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଲା। ଲକ୍ଷ୍ୟହୀନ ଭାବରେ ଏକମୁହାଁ ଚାଲିବାକୁ ଲାଗିଲା। ପେଟରେ ଭୋକ ଓ ଦେହରେ ଅସୀମ ପୀଡ଼ା। ପାଖରେ ବହିଯାଉଥିବା ନଈରୁ ପାଣି ପିଇ ଗୋଟିଏ ଗଛ ତଳେ ହାଲିଆ ହୋଇ ଶୋଇପଡ଼ିଲା।

ପରଦିନ ସକାଳେ ଯେତେବେଳେ ଆଖି ଖୋଲିଲା, ବିଟୁକୁ ମନେହେଲା ଜାଗାଟି ଯେମିତି ସେ ପୂର୍ବରୁ ଦେଖିଛି। ମନେପଡ଼ିଲା ବହୁ ବର୍ଷ ତଳେ କିଛି ଯୁବ-ଗଧ ତା’ର ନେତୃତ୍ୱରେ ଗାଁରୁ ଆସି ଏହି ନଈକୂଳରେ ପହଞ୍ଚିଥିଲେ ମଜ୍ଜା କରିବାକୁ। ସେତେବେଳେ ସମୟ ଅଲଗା ଥିଲା। ବିଟୁର ଅବସନ୍ନ ମନରେ ଆଶାର ସଞ୍ଚାର ହେଲା। ସେ ଜାଣିପାରିଲା ତା’ର ପ୍ରିୟ ଗାଁଟି ସେଠାରୁ ବେଶି ଦୂର ନୁହେଁ। ଅଗାଧୁର ଅତ୍ୟାଚାରରେ ନିଜ ଶରୀରରେ ହୋଇଥିବା କ୍ଷତ ସବୁକୁ ଚାଟିବାକୁ ଲାଗିଲା ସେ ଉପଶମ ଆଶାରେ।

ଅନେକ ବାଟ ଚାଲି ଚାଲି ବିଟୁ ତା’ ନିଜ ଗାଁ ପାଖରେ ପହଞ୍ଚିଲା। ଭାଙ୍ଗିପଡ଼ିଥିବା ତା’ର ମନୋବଳ ପୁଣି ଏକଜୁଟ ହେବାକୁ ଲାଗିଲା। ତା’ର ଆନନ୍ଦର ସୀମା ନଥାଏ। ନିଜ ଭାଗ୍ୟକୁ ଧନ୍ୟବାଦ ଦେଇ ବିଟୁ ଭାବିଲା— ତା’ର ଜୀବନ ସତେ କେତେ ବିଚିତ୍ର! ଅନେକ ଘାଟରେ ପାଣି ପିଇବା ପରେ ଆଜି ସେ ପୁଣି ପହଞ୍ଚିଯାଇଛି ସେଇ ଜାଗାରେ, ଯେଉଁଠାରୁ ତା’ର ଜୀବନ ଆରମ୍ଭ ହୋଇଥିଲା।

କିନ୍ତୁ ପ୍ରତି ମୁହୂର୍ତ୍ତରେ ଜୀବନ ଦେଇଚାଲିଥାଏ ଅତର୍କିତ ବିସ୍ମୟ।

ନିଜର ପୁରୁଣା ପରିବେଶ ଇତିମଧ୍ୟରେ ବଦଳି ଯାଇଥାଏ। ସେ ଭାବିଥିଲା ତା’ର ପ୍ରତ୍ୟାବର୍ତ୍ତନରେ ସମସାମୟିକ ଗଧମାନଙ୍କ ଠାରୁ ସେ ରାଜକୀୟ ସ୍ୱାଗତ ସମ୍ବର୍ଦ୍ଧନା ପାଇବ। ତା’ର ଦୁଃସାହସିକ ଜୀବନ ଯାତ୍ରା ଶୁଣିବା ପାଇଁ ସମସ୍ତେ ଆଗ୍ରହୀ ହେବେ। ତା’ ଜୀବନର ରୋମାଞ୍ଚକର ଅନୁଭୂତି ସବୁ କହିବା ପାଇଁ ବିଟୁ ମଧ୍ୟ ବ୍ୟାକୁଳ ହେଉଥାଏ। ମାତ୍ର ଗାଁର ଗଧ ସମ୍ପ୍ରଦାୟ ତା’ ପ୍ରତି ଖୁବ୍ ଉଦାସୀନ। ଗଧମାନଙ୍କ ଭିତରେ ଗଢି ଉଠିଥାଏ କ୍ଷମତାର ଏକ ନୂଆ ଚକ୍ରବ୍ୟୂହ। ବିଟୁକୁ ମିଳିଲା ଉପହାସ ଓ ଅନେକ ସମୟରେ ଦଳବଦ୍ଧ ଶାରୀରିକ ଆକ୍ରମଣ। ପରିସ୍ଥିତିକୁ ସାମନା କରିବା ପାଇଁ ବିଟୁ ପାଖରେ ଶକ୍ତି ନଥାଏ। ଅଗାଧୁର ଅତ୍ୟାଚାର ଓ ଦିନ ଦିନର ଭୋକ ଉପବାସ ଫଳରେ ତା’ ପାଖରେ ଆଉ ନଥାଏ କୌଣସି ଉତ୍ସାହ ବା ଆବେଗ। ବାଧ୍ୟହୋଇ ଗାଁର ଗଧ ସମ୍ପ୍ରଦାୟଠାରୁ ଦୂରରେ ରହି ସେ ଏଣେତେଣେ ବୁଲିବାକୁ ଲାଗିଲା। ସେ ହୋଇପଡିଲା ଏକାନ୍ତ ଏକାକୀ। ଛୋଟ ବଡ ଯେକୌଣସି ଜନ୍ତୁ ତା’ର ଦୁର୍ବଳ ଓ ଅସହାୟତାର ସୁଯୋଗ ନେଇ ତାକୁ ଡରାଇବା ବିଟୁର ଦେହସୁହା ହୋଇଗଲା। ସମୟ ଗଡି ଚାଲିଲା ।

ଦିନେ ନଈକୂଳରେ ବିଟୁ ମଢ଼ ଭଳିଆ ପଡ଼ି ରହିଥିଲା। ସତେ ଯେମିତି ନିଶ୍ୱାସ ପ୍ରଶ୍ୱାସ ପାଇଁ ମଧ୍ୟ ପରିଶ୍ରମ କରିବାକୁ ପଡ଼ୁଥିଲା ତାକୁ। ସେ ଯେ ଦିନେ ତା’ର କୁଶଳୀ ପ୍ରଦର୍ଶନ ଜରିଆରେ ବୁଦ୍ଧିମାନ ମଣିଷ ସମାଜର ମନୋରଞ୍ଜନ କରିପାରୁଥିଲା, ଏ କଥା କେହି କ’ଣ ବିଶ୍ୱାସ କରିପାରିବ? ଧୂଳିଧୂସରିତ ନିଦାଘର ଗରମ ପବନ ମୁହଁରେ ପିଟି ହେଉଥିଲା। ବିଚରା ବିଟୁର ଯେମିତି ନିଶ୍ୱାସ ବନ୍ଦ ହୋଇଯିବ। ଅଳ୍ପ ଦୂରରେ ସେ ଦେଖିବାକୁ ପାଇଲା ଆଉ ଏକ ଗଧ ତାକୁ କେମିତି ନିରେଖି ଦେଖି ଚାଲିଛି। ହୁଏତ ତା ଦୁଃଖରେ ସମବେଦନା ଜଣେଇବାକୁ ଆସିଛି ସେ। କିଏ ଜାଣେ, ହୁଏତ ଗଧ ସମ୍ପ୍ରଦାୟ ତରଫରୁ ସେ ନେଇ ଆସିଛି ଶାନ୍ତିର ଡାକରା କିମ୍ବା ଶେଷ ଯୁଦ୍ଧର କୁଟନୈତିକ ଆହ୍ୱାନ। ବିଟୁ ଚରମ ଅନାଗ୍ରହର ସହ ଅନ୍ୟ ଆଡକୁ ମୁହଁ ବୁଲାଇ ନେଲା।

ହଠାତ୍ ସେ ଦିଗରେ କିଛି ଗୋଟେ ତା’ର ଦୃଷ୍ଟି ଆକର୍ଷଣ କଲା। ଗରମ ପବନର ଧୂଳିମୟ ଅସ୍ପଷ୍ଟ ବଳୟ ଭିତରୁ କିଏ ଗୋଟେ ତା’ ଆଡକୁ ଆସୁଥିବା ପରି ମନେ ହେଲା। ହୁଏତ ମଣିଷଟାଏ। ବିଟୁର ଆଉ କୌଣସିଥିରେ ମନ ନଥିଲା। ସେ ଅଧୈର୍ଯ୍ୟର ସହିତ ଅପେକ୍ଷା କରୁଥିଲା ଆସନ୍ନ ମୃତ୍ୟୁର, ଯେଉଁଥିରେ ହିଁ ତା’ର ସବୁ ଦୁଃଖ ଦୁର୍ଦ୍ଦଶା ଆହୂତି ପାଇପାରିବ। କିନ୍ତୁ ମଣିଷ ଆକୃତିର ଜୀବଟି ଧୀରେ ଧୀରେ ନିକଟତର ହେବାକୁ ଲାଗିଲା ଓ ତା’ କାନରେ ବାଜିଲା ବହୁ ପରିଚିତ ସ୍ୱରରେ କେହି ଯେମିତି ତା’ ନାଁ ଧରି ଡାକୁଛି, “ବିଟୁ, ବିଟୁ…”।

ସେ ଆଉ କେହି ନୁହେଁ, ବିଟୁର ଅତି ଆପଣାର ରାଜୁ। ଦୁହେଁ ଦୁହିଁଙ୍କୁ ଭେଟିବା ମାତ୍ରେ ଭାବପ୍ରବଣତାର ସୁଅ ଛୁଟିଲା। ଦୁହିଁଙ୍କ ଆଖିରୁ ବହି ଚାଲିଥାଏ ଧାର ଧାର ଲୁହ। ଆଗ ଗୋଡ ଦୁଇଟି ଆଗକୁ ମେଲାଇ ଧରି ସମର୍ପଣ ମୁଦ୍ରାରେ ବିଟୁ ବସି ପଡିଲା ରାଜୁ ଆଗରେ, ଯେମିତି ସେ ବସିଥିଲା ରାଜୁ ସହ ତା’ର ପ୍ରଥମ ସାକ୍ଷାତ ସମୟରେ ସର୍କସ୍‌ର ତମ୍ବୁ ଭିତରେ। ରାଜୁ ବିଟୁକୁ କୁଣ୍ଢାଇ ପକାଇଲା ଓ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା।

ରାଜୁ ବିଟୁ ପାଖରେ ବସି ଶୁଣାଇବାକୁ ଲାଗିଲା ତା ନିଜ କାହାଣୀ, କେମିତି ସର୍କସ୍‌ଟି ବନ୍ଦ ହୋଇଯିବା ପରେ ରାଜୁ ତା’ ଗାଁକୁ ଫେରିଆସିବାକୁ ବାଧ୍ୟ ହେଲା ଓ ସେଠାରେ ଅଗାଧୁଠାରୁ ବିଟୁର କଥା ଶୁଣି ବ୍ୟସ୍ତତାରେ ସେ କେମିତି ବିଟୁକୁ ଖୋଜିବା ପାଇଁ ବାହାରି ଆସିଥିଲା। ବିଟୁ ସିନା ରାଜୁର କଥା କିଛି ବୁଝି ପାରୁନଥିଲା, ହେଲେ ସ୍ନେହର ଉଷ୍ମତା ରାଜୁଠାରୁ ସଞ୍ଚରି ଯାଉଥିଲା ବିଟୁର ଶିରା ପ୍ରଶିରାରେ। ବିଟୁ ବଡ ପାଟିରେ ହଠାତ୍ ବୋବାଇବାକୁ ଲାଗିଲା, ସତେ ଯେମିତି ସେ ପରୀକ୍ଷା କରୁଥିଲା ସେ କ’ଣ ତଥାପି ଜୀବିତ! କ’ଣ ବୁଝିଲା କେଜାଣି, ଅଦୂରରେ ଠିଆ ହୋଇ ତାକୁ ନିରୀକ୍ଷଣ କରୁଥିବା ଗଧଟି ହଠାତ୍ ଏକମୁହାଁ ଧାଇଁ ପଳାଇବାକୁ ଲାଗିଲା ।

ରାଜୁର ଉଷୁମ କୋଳରେ ମୁଣ୍ଡ ରଖି ବିଟୁ ପଡିରହିଲା ଅନେକ ସମୟ। ସେମାନେ ଯେପରି ଗଭୀର ଆଳାପରେ ମଗ୍ନ ଥିଲେ – ସେ ଆଳାପ ପାଇଁ ନଥିଲା ଭାଷାର ଆବଶ୍ୟକତା।

କିଛି ଦିନ ପରେ ଦେଖାଗଲା ରାସ୍ତା କଡ଼ରେ ବିଟୁକୁ ନେଇ ରାଜୁ ଖେଳ କସରତ ଦେଖାଉଛି ଓ ଜୀବିକା ନିର୍ବାହର ନୂଆ ପନ୍ଥାଟିଏ ବାଛି ନେଇଛି। ସର୍କସ୍‌ରେ ଶିଖିଥିବା କୌଶଳ ସବୁ ଲୋକମାନେ ଭାରି ପସନ୍ଦ କରୁଥାଆନ୍ତି। ବିଟୁକୁ ପୁଣିଥରେ ଶୁଣାଗଲା କରତାଳି ଓ ପ୍ରଶଂସା। ରାଜୁ ଓ ବିଟୁର ଯୋଡ଼ି ସମସ୍ତଙ୍କୁ ମୁଗ୍ଧ କରୁଥାଏ। ବିଟୁ ବିନା ରାଜୁର ଯେପରି ଅସ୍ତିତ୍ୱ ନଥିଲା।

ସତେ କ’ଣ ଉଭୟଙ୍କ ପାଇଁ ଗଧ-ଜୀବନର ଅନ୍ତ ହୋଇଯାଇଥିଲା?

****

ସଭାରେ ଷଣ୍ଢ

‘ସଭା ଆଉ ହେବ କ’ଣ? ସଭାରେ ପରା କିଏ ଜଣେ ଷଣ୍ଢ ପୁରେଇଦେଲା‘ – ମୋ କଥା ସରୁ ନସରୁଣୁ ନାଥ କହିଲା, ‘କାହିଁକି? ସଭା କ’ଣ ଛତ୍ରବଜାର ରାସ୍ତାରେ ହେଉଥିଲା କି? ଷଣ୍ଢଟାଏ କେମିତି ପଶିଗଲା?’

ତା’ର କୌତୁକ ବୁଝୁଥିଲେ ମଧ୍ୟ ମୁଁ ବ୍ୟାଖ୍ୟା କରିବାକୁ ଲାଗିଲି, ‘ଆରେ ଏ କ’ଣ ସତ ଷଣ୍ଢ କଥା ପଡିଛି? ଏ ଗୋଟାଏ କଥାର ଲଥା ପରା! କିଏ ଗୋଟାଏ ଷଡଯନ୍ତ୍ର କରି ସଭାଟାକୁ ଭଣ୍ଡୁର କରିଦେଲା। ଏଥର ନାଥ ହସି ହସି ଟିକିଏ ଦାର୍ଶନିକ ଭଙ୍ଗୀରେ କହିଲା, ‘ବିଚରା ଷଣ୍ଢ କ’ଣ ଜାଣିଛି ଆମେ ମଣିଷମାନେ ତା’ ବିଷୟରେ କଣ ସବୁ କହୁଛୁ!’

‘ସତରେ ଷଣ୍ଢ ବିଚରା କିଛି ଜାଣେନାହିଁ’ – କହିଲି ମୁଁ। ଏତେ ବଡ ବପୁ ଆଉ ଏତେ ଶକ୍ତି ଥାଇ ବି ଷଣ୍ଢଟିଏ ପରିବା ବଜାରରେ ଯେତେବେଳେ ଶାଗ ବିଡାଟିଏ ସନ୍ତର୍ପଣରେ ଜିଭରେ ଟାଣିଆଣି ପାଟିରେ ପୁରାଇବାକୁ ଯାଉଥାଏ, ଧଡିଆ ପରିବା ଦୋକାନୀଟି ପାଞ୍ଚଣ ଉଠାଇ ତାକୁ ମାରିବାକୁ ଉଦ୍ୟତ ହୁଏ। ଡରରେ ମୁଣ୍ଡ ନୁଆଁଇ ବିଚରା ଷଣ୍ଢଟି ପଛୁଆ ପଛୁଆ ପ୍ରସ୍ଥାନ କରେ। ଭାବିଲୁ, ଷଣ୍ଢ ଯଦି ପାଲଟା ଆକ୍ରମଣ କରନ୍ତା? ପରିବା ଦୋକାନୀକୁ ଶିଙ୍ଘରେ ଉଠାଇ ଫୋପାଡି ଦିଅନ୍ତା ନାହିଁ ତାଳଗଛ ଉପରକୁ? ଆଉ ପୁରା ଦୋକାନଟାକୁ ନିମିଷକେ ଛାରଖାର କରି ଦିଅନ୍ତା ନାହିଁ?’

ନାଥ ହଁ ଭରିଲା। କହିଲା, ‘ଭଲ ହୋଇଛି, ଷଣ୍ଢ ତାର ପରାକ୍ରମ ବିଷୟରେ ନିଜେ ଜାଣେ ନାହିଁ। ନହେଲେ ତ ସାହି ଭିତରେ ରହିବା ସମ୍ଭବ ହୁଅନ୍ତା ନାହିଁ। ଯାହାହେଉ, ପଶୁମାନେ ମଣିଷମାନଙ୍କ ଭଳି କଳ୍ପନା ଜଳ୍ପନା କରନ୍ତି ନାହିଁ। ସେଥିପାଇଁ ବୋଧହୁଏ ସେମାନେ ଭଲରେ ଥାଆନ୍ତି।‘

କଥାଟିକୁ ସେଇଠାରେ ଶେଷ ହେବାକୁ ନ ଦେଇ ମୁଁ ପୁଣି ବଖାଣି ଚାଲିଲି ଆଉ ଗୋଟିଏ କାହାଣୀର ଖିଅ ଧରି। ‘ଷଣ୍ଢ କଥା ଛାଡ଼, କୁକୁର କଥା ଶୁଣୁନୁ! ମୁଁ ଏବେ ଦିନେ ମୋ ନାନୀ ଘରକୁ ଯାଇଥିଲି। ମତେ ଦେଖି ତାଙ୍କ ପୋଷା ଡୋବରମ୍ୟାନ କୁକୁର ଅଚିହ୍ନା ବାରିଲା କି କଣ, ଖାଲି ଭୁକିବାକୁ ଲାଗିଲା। ନାନୀ ଗେହ୍ଲାରେ ତାକୁ ଧମକେଇ କହିଲା, ‘କଣ ମାମୁକୁ ଜାଣିପାରୁନୁ?’ ସତକୁ ସତ ଭୁକିବା ବନ୍ଦ କରି ସେ ମୋ ପାଖରେ ସୋଫାରେ ବସିପଡ଼ିଲା ଗେଲ ହେବା ପାଇଁ। ମାମୁ ଭାବରେ ଭିନ୍ନ ପ୍ରଜାତିର ଏହି ଭଣଜାଟି ପ୍ରତି ମୋର କ’ଣ କର୍ତ୍ତବ୍ୟ, ମୁଁ ସହଜରେ ଠଉରାଇ ପାରୁନଥିଲି।

ବୋଧହୁଏ କୁକୁରମାନେ ଷଣ୍ଢମାନଙ୍କ ଠାରୁ ବେଶି ବୁଦ୍ଧିଆ ଓ ମଣିଷମାନଙ୍କ ପରି ସେମାନେ ମଧ୍ୟ କଳ୍ପନା ଜଳ୍ପନା କରିପାରନ୍ତି। କୁକୁରଟି ନିଶ୍ଚୟ ନିଜକୁ ମୋର ଭଣଜା ଭାବରେ କଳ୍ପନା କରୁଥିବ। 

x x x x x x x x x x x x x x x x x x x x x x x x                    

ବଡ଼ ଗାମ୍ଭୀର୍ଯ୍ୟମୟ ପରିବେଶରେ ସଭାକାର୍ଯ୍ୟ ଚାଲିଥାଏ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜୟନ୍ତୀ ପାଳନର ଅବସର। ମଞ୍ଚାସୀନ ଥାଆନ୍ତି ସଭାପତି, ବିଶେଷ ଅତିଥି, ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ଆବାହକ ଓ ସର୍ବୋପରି ପୂଜ୍ୟ ପୂଜା କମିଟିର ସମ୍ପାଦକ। ସାମ୍ଭାବ୍ୟ ଶ୍ରୋତାମାନଙ୍କର ଭବ୍ୟ ଉପସ୍ଥିତିର ଅପେକ୍ଷାପରେ ଦୁଇ ଘଣ୍ଟା ବିଳମ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ବଡ଼ ଉତ୍ସାହ ସହ ଦୀପ ପ୍ରଜ୍ୱଳନ ଓ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ହୋଇସାରିଥାଏ। ସଭାଗୃହରେ ଅନେକ ଚୌକି ଦର୍ଶକଙ୍କ ନିତମ୍ବ ସ୍ପର୍ଶ ପାଇଁ ତଥାପି ବ୍ୟାକୁଳ।

ମଞ୍ଚକାର୍ଯ୍ୟ ସୁରୁଖୁରୁରେ ଚାଲିଥାଏ। ଅତିଥି ପରିଚୟର ବିଷଦ ଅଧ୍ୟାୟ ଏଇମାତ୍ର ଶେଷ ହେବାପରେ ବିଶେଷ ଅତିଥି ତାଙ୍କର ଭାଷଣ ଆରମ୍ଭ କରିଥାଆନ୍ତି। ମଧୁବାବୁଙ୍କ ସମ୍ପର୍କରେ ସେ ଲେଖିଥିବା ପୁସ୍ତକ, ନିବନ୍ଧ, କବିତା, ସମାଲୋଚନା ତଥା ଅନୁବାଦ ସଂଗ୍ରହର ସମ୍ୟକ ସୂଚନାରେ କିଛି ଶ୍ରୋତା ଗଭୀର ପ୍ରଭାବିତ ହୋଇସାରିଥାନ୍ତି। ତାଙ୍କ ଓଜସ୍ୱିନୀ ଭାଷଣରେ ସାରା ବାୟୁମଣ୍ଡଳ ଓଡ଼ିଆ ଅସ୍ମିତାରେ ମହକି ଉଠୁଥାଏ।

ମାତ୍ର ବିଶେଷ ଅତିଥିଙ୍କ ଭାଷଣ ପାଇଁ ଔପଚାରିକ ଢଙ୍ଗରେ ସମୟ ସୀମା ଧାର୍ଯ୍ୟ ହୋଇନଥିବାରୁ ସେ ତାଙ୍କର ପାଣ୍ଡିତ୍ୟ ଅନୁପାତରେ କେଉଁଠାରେ ପୂର୍ଣ୍ଣଚ୍ଛେଦଟିଏ ଟାଣିବେ ଜାଣିପାରୁନଥାଆନ୍ତି। ସଭାଗୃହରେ ଶ୍ରୋତାମାନଙ୍କର ଧ୍ୟାନ ମଧ୍ୟ ଇତସ୍ତତଃ ହେବାକୁ ଲାଗିଲା। ନିଜ ନିଜ ଭିତରେ ସେମାନଙ୍କ କଥୋପକଥନର କଳରବ ତୀବ୍ର ହେବାରୁ ପୂଜ୍ୟ ପୂଜା କମିଟିର ସମ୍ପାଦକ ବିମ୍ବାଧର ବିବ୍ରତ ହେବାକୁ ଲାଗିଲେ। ତାଙ୍କର ଭୟ, ଯଦି ଶ୍ରୋତାମାନଙ୍କ ମଧ୍ୟରୁ କିଛି ପ୍ରସ୍ଥାନ କରିବା ଆରମ୍ଭ କରନ୍ତି, ଅନ୍ୟ ବକ୍ତାମାନଙ୍କ ଭାଷଣ ସମୟରେ ତାଙ୍କ ସଂଗଠନ ପାଇଁ କେତେ ଅଡୁଆଜନକ ପରିସ୍ଥିତିଟିଏ ସୃଷ୍ଟି ନହେବ! ଶ୍ରୋତା ଅଭାବରେ ବକ୍ତାଙ୍କର କି କାମ!

ଅଥଚ ଏପରି କିଛି ଘଟିଲା ନାହିଁ। ବରଂ କିଛି ନୂଆ ଶ୍ରୋତା ଧୀରେ ଧୀରେ ସଭାଗୃହରେ ଅବତରଣ କରିବାକୁ ଲାଗିଲେ। ବଡ଼ ଅସ୍ୱାଭାବିକ ଭାବରେ ବାକିଥିବା ସମସ୍ତ ଶୂନ୍ୟ ଚୌକି ପୂରଣ ହୋଇଗଲା। ଏପରି ଅଭୂତପୂର୍ବ ସମାଗମ ଦେଖି ଆବାହକ ମନେ ମନେ ଖୁସି ହେଲେ ସିନା, ତାଙ୍କ ମନରେ କୌଣସି ଗୋଟାଏ ଆଶଙ୍କା ବିଜୁଳି ପରି ଖେଳିଗଲା। ସେ ନିଜ ସ୍ଥାନରୁ ଉଠିଯାଇ ବିମ୍ବାଧରଙ୍କ କାନରେ ଫୁସଫୁସ କରି କହିଲେ, ‘ବିମ୍ବାଧର, ଏତେ ଲୋକ ଆସିଯିବେ ବୋଲି ତ ଆମେ ଅନୁମାନ କରିନଥିଲୁ। ଏବେ ଜଳଖିଆ ପ୍ୟାକେଟ୍ ତ କମ ପଡିଯିବ!’

ବିମ୍ବାଧର ସଂଗଠନଗତ ଦୀର୍ଘ ଅନୁଭବର ଗୁରୁ ଗାମ୍ଭୀର୍ଯ୍ୟ ମୁହଁରେ ଫୁଟାଇ ପାଲଟା ଫୁସଫୁସ ଢଙ୍ଗରେ ଉତ୍ତର ରଖିଲେ, ‘ବ୍ୟସ୍ତ ହେବାର କାରଣ ନାହିଁ। ଆହୁରି ଅନେକ ବକ୍ତା ଅଛନ୍ତି। ଶେଷ ବକ୍ତାଙ୍କର ଭାଷଣ ଓ ଧନ୍ୟବାଦ ଅର୍ପଣ ବେଳକୁ ଯେତିକି ଶ୍ରୋତା ବଳିଯାଇଥିବେ ସେମାନଙ୍କ ପାଇଁ ଜଳଖିଆ ପ୍ୟାକେଟ୍ ଯଥେଷ୍ଟ ହେବ। ବରଂ ସଭାଗୃହର କର୍ମଚାରୀମାନଙ୍କୁ ମଧ୍ୟ ଏକାଧିକ ପ୍ୟାକେଟ୍ ମିଳିପାରିବ।‘ ବିମ୍ବାଧରଙ୍କର ଆତ୍ମବିଶ୍ୱାସ ଆବାହକଙ୍କ ପାଇଁ ଯଥେଷ୍ଟ ଆଶ୍ୱାସନା ଥିଲା।

ଇତିମଧ୍ୟରେ ସଭାପତିଙ୍କଠାରୁ ଏକ ଚିଠା ଜରିଆରେ ଇଙ୍ଗିତ ପାଇ ବିଶେଷ ଅତିଥି ତାଙ୍କର ଭାଷଣ ସାଙ୍ଗ କଲେ। ତା’ପରେ ମୁଖ୍ୟ ଅତିଥିଙ୍କ ପାଳି। ଭରପୂର ସଭାଗୃହରେ ଉଚ୍ଚ କରତାଳିର ଆହ୍ୱାନ ଭିତରେ ମୁଖ୍ୟ ଅତିଥି ଗୁରୁଗମ୍ଭୀର ସ୍ୱରରେ ତାଙ୍କର ଭାଷଣ ଆରମ୍ଭ କଲେ।

ତାଙ୍କ ଭାଷଣର କିଛି ସମୟ ଯାଇଛି କି ନାହିଁ, କିଛି ଶ୍ରୋତା ଆଗରୁ କାଗଜରେ ଲେଖିଆଣିଥିବା ପୋଷ୍ଟର୍ ସବୁ ଦୁଇ ହାତରେ ଧରି ପ୍ରତିବାଦ କରିବା ପରି ନିଜ ନିଜ ଜାଗାରେ ନିରବରେ ଛିଡା ହୋଇ ରହିଲେ। କହିବା ବାହୁଲ୍ୟ, ସେମାନେ ସମସ୍ତେ ଥିଲେ ଡେରିରେ ଆସି ସଭାଗୃହ ମଣ୍ଡନ କରିଥିବା ଅତିଥିବୃନ୍ଦ। ଏ ପ୍ରକାରର ପରିସ୍ଥିତି ଉପୁଜିବ ବୋଲି କେହି ଆୟୋଜକ ପୂର୍ବରୁ ଭାବି ପାରିନଥିଲେ। ମଞ୍ଚାସୀନ ଅତିଥିଗଣ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ପୋଷ୍ଟର୍ ଗୁଡିକୁ। ଆଗଧାଡିର ଶ୍ରୋତାମାନେ ପଛକୁ ବୁଲି ଘଟଣା ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ। ବଡ଼ ବିଭ୍ରାନ୍ତିକର ପରିସ୍ଥିତି। ପୋଷ୍ଟର୍ ଦେଖାଇ ନିରବରେ ଛିଡା ହୋଇଥିବା ଜନତା କିନ୍ତୁ ଥାଆନ୍ତି ସମ୍ପୂର୍ଣ୍ଣ ଶାନ୍ତ ଓ ଶୃଙ୍ଖଳିତ।

କିଏ ଏମାନେ? କ’ଣ ଏମାନଙ୍କର ଦାବି?

ପୋଷ୍ଟର୍ ମାନଙ୍କରେ ଲେଖାଥାଏ – ‘ମଧୁବାବୁ ଆମର ନମସ୍ୟ’…. ‘ଆମ ମୂଲ୍ୟବୋଧ ଆମର ରତ୍ନ’…. ‘ଘୃଣା ଓ ଅବମାନନା ସତତ ପରିହାର୍ଯ୍ୟ’….. ଇତ୍ୟାଦି, ଇତ୍ୟାଦି।

ସଭାଗୃହର ଶାନ୍ତି ବ୍ୟାହତ ହେଲା । କିଛି ଯୁବଶ୍ରୋତା ପଛ ଧାଡ଼ିଆଡ଼କୁ ମାଡ଼ିଗଲେ ଘଟଣାର ତର୍ଜମା କରିବା ପାଇଁ। ଉତ୍ତେଜନାର ଉତ୍ତାପ ବଢ଼ିବାକୁ ଲାଗିଲା। ଅଗତ୍ୟା ମୁଖ୍ୟ ଅତିଥି ଭାଷଣ ବନ୍ଦ କରି ଜଡ଼ ପରି ଛିଡ଼ା ହୋଇ ରହିଲେ।

ଏତିକି ବେଳେ ଆଗ ଧାଡ଼ିରେ ବସିଥିବା ରାଧାନାଥ ସମସ୍ତଙ୍କ ଅଗୋଚରରେ ମଞ୍ଚ ଆଡ଼କୁ ମୁହାଁଇଲେ। ସେ ଥାଆନ୍ତି ସେଦିନର ଅନ୍ୟତମ ନିମନ୍ତ୍ରିତ ଅତିଥି। ସମାଜସେବା ଓ ତ୍ୟାଗ ଯୋଗୁଁ ସେ ଖୁବ୍ ଜଣାଶୁଣା। ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ହେଲା, ପ୍ରାଣୀ ଅଧିକାରର ସୂତ୍ରଧର ଭାବରେ ନିକଟରେ ସେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥାଆନ୍ତି। ମୁଖ୍ୟ ଅତିଥିଙ୍କଠାରୁ ମାଇକ୍ ଅଧିକାର କରିନେଇ ଗମ୍ଭୀର ଭାବରେ ସେ ସମସ୍ତଙ୍କୁ ନିରବ ରହିବାକୁ ଅନୁରୋଧ କଲେ। ମଞ୍ଚାସୀନ ସଭାପତି, ଆବାହକ ଓ ପୂଜ୍ୟପୂଜା ସମିତିର ସମ୍ପାଦକ ଦିଶୁଥାନ୍ତି ସମ୍ପୂର୍ଣ୍ଣ ଅସହାୟ। ପରିସ୍ଥିତି ଯେ ହଠାତ୍ ଏପରି ଗୋଳମାଳିଆ ହୋଇପଡ଼ିବ, ଏକଥା କେହି କଳ୍ପନା କରିନଥିଲେ।

ରାଧାନାଥ ଆରମ୍ଭ କଲେ, ‘ଦୟାକରି ନିରବତା ରକ୍ଷା କରନ୍ତୁ। ପ୍ରତିବାଦର ଉଦ୍ଦେଶ୍ୟ ନେଇ ଏଠାକୁ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ମୁଁ ସମର୍ଥନ ଜଣାଉଛି। ମୁଁ ଜାଣେ, ସେମାନେ ଏ ସଭାକୁ ଭଣ୍ଡୁର କରିବାକୁ ଆସିନାହାନ୍ତି। ସେମାନଙ୍କ ଉଦ୍ଦେଶ୍ୟ ପୂଜ୍ୟପୂଜା ବା ମଧୁବାବୁଙ୍କ ଜୟନ୍ତୀ ପାଳନର ବିରୋଧାଚରଣ ନୁହେଁ, କିନ୍ତୁ ଆଜି ଭଳି ଦିନରେ ଏ ସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହେବା ନିତାନ୍ତ ଆବଶ୍ୟକ। ତାହାହିଁ ସେମାନଙ୍କର ଦାବି।’

ସଭାପତି କ୍ରୋଧ ଓ ଅଧୈର୍ଯ୍ୟ ସହ ପଚାରିଲେ,ରାଧାନାଥ ବାବୁ! ଏ ପ୍ରତିବାଦ ପଛରେ ଆପଣଙ୍କର ପ୍ରଚ୍ଛନ୍ନ ହାତ ରହିଛି, ଏକଥା ବିଶ୍ୱାସ କରିହେଉନି। ଆଜି ଭଳି ପବିତ୍ର ଦିବସରେ…”

ରାଧାନାଥ ଏକ ସ୍ମିତ ଶାନ୍ତ ହସ ଖେଳାଇ ଆଣି ରହସ୍ୟ ଉନ୍ମୋଚନ କରିବାକୁ ଲାଗିଲେ – ‘ମଧୁବାବୁ ଆମ ସମସ୍ତଙ୍କର ନମସ୍ୟ। ସେ ପ୍ରତିଟି ଉତ୍କଳବାସୀଙ୍କର ଗୌରବ। ଆମ ଅସ୍ମିତାର ପୁନରୁତ୍ଥାନର ମୂଳ ଉତ୍ସ। ଅଥଚ ସମୟ ଗଡ଼ିବା ସହ ଆମମାନଙ୍କୁ ଯୁଗୋପଯୋଗୀ ଚିନ୍ତାରେ ଅନୁପ୍ରାଣିତ ହେବାକୁ ପଡ଼ିବ। ମଧୁବାବୁଙ୍କର ‘ଉତ୍କଳ ସନ୍ତାନ’ କବିତା କିଏ ନଜାଣେ? ସେଥିରେ ମଧୁବାବୁ ଲେଖିଛନ୍ତି-

ତୁ ମନେ ଭାବୁଛୁ ତୋଷାମଦ କରି ବଢ଼ାଇବୁ ଜାତି ମାନ, ତୋଷାମଦିଆର କୁକୁର ପ୍ରକୃତି ଅଇଣ୍ଠା ପତରେ ଧ୍ୟାନ ।।

ଆପଣମାନେ ଟିକିଏ ଧ୍ୟାନ ଦିଅନ୍ତୁ। କୁକୁର ପ୍ରକୃତି ବ୍ୟାଖ୍ୟା କରି ମଧୁବାବୁ ମାନବ ଜାତିର ପରମ ବନ୍ଧୁ ଭାବେ ବିବେଚିତ କୁକୁର ପ୍ରଜାତି ପ୍ରତି ଘୋର ଅନ୍ୟାୟ କରିଛନ୍ତି। ଏହା ଅତ୍ୟନ୍ତ ଅପମାନସୂଚକ ଓ ଏହାର ପ୍ରତିବାଦ ଆଧୁନିକ ସମୟର ଆହ୍ୱାନ।”

ସମବେତ ଜନତା ହତବାକ ହୋଇ ରାଧାନାଥଙ୍କ କଥା ଶୁଣୁଥାନ୍ତି। ସେ କହି ଚାଲିଲେ – ‘ଏତିକିରେ ଅପମାନର ଅନ୍ତ ହୋଇନାହିଁ। ଅଇଣ୍ଠା ପତରର ଉଲ୍ଲେଖ କୁକୁର ସମାଜ ପ୍ରତି ଅପମାନର ମାତ୍ରା ଦ୍ୱିଗୁଣିତ କରିଛି। ଆଜି ମଧ୍ୟ ବୁଲା କୁକୁର ଅଇଣ୍ଠା ଖାଇ ବଞ୍ଚୁଛି। ସମୟ ଆସିଛି ପୁରାକାଳରୁ ଆମ ମନରେ ଭର୍ତ୍ତି କରାଯାଇଥିବା ସମସ୍ତ ଭ୍ରମ ଧାରଣାକୁ ଆମେ ଅଳନ୍ଧୁ ପରି ସଫା କରିଦେବା। ପ୍ରାଣୀ ଅଧିକାରର ଅବମାନନା ଗୋଟିଏ ସଭ୍ୟ ଦେଶ ପାଇଁ ଶୋଭନୀୟ ନୁହେଁ। ମଧୁବାବୁ ପୁଣି ଲେଖିଛନ୍ତି-

ତୋଷାମଦକାରୀ କ୍ଷିପ୍ତ ଶ୍ୱାନ ପରି ସହଜେ ଚିହ୍ନା ନଯାଏ, ଭୃତ୍ୟ ଭାବ ଧରି ଗୋଡ଼ ଚାଟୁ ଚାଟୁ ବିଷ ଲେପି ଦେଇଥାଏ ।

ଏ ପ୍ରକାର ମନ୍ତବ୍ୟ ହୁଏତ ମଧୁବାବୁଙ୍କ ସମୟ ପାଇଁ ଠିକ୍ ଥିଲା। ଗୋଟିଏ ପତିତ ଜାତିର ଉଦ୍ଧାର ପାଇଁ ସେ ହୁଏତ ଏପରି କବିତା ଲେଖି ଜନତାଙ୍କୁ ଅନୁପ୍ରାଣିତ କରୁଥିଲେ। ଅଥଚ ଆଜି ଯଦି ଆମେ ସେହି ଉକ୍ତି ସବୁ ପରବର୍ତ୍ତୀ ପିଢ଼ି ପାଇଁ ବିନା ପ୍ରତିବାଦ, ବିନା ବାକ୍ୟ ବ୍ୟୟରେ ଛାଡ଼ି ଦେଇଯିବା, ସଭ୍ୟତାର ବିକାଶ ଦିଗରେ ଆମେ ହିଁ ଅଙ୍କୁଶ ହୋଇପଡ଼ିବା।”

ରାଧାନାଥଙ୍କର ଏହି ଭାବପ୍ରବଣ ଅପିଲ୍ ପରେ ସଭାପତି କହିଲେ – ‘ରାଧାନାଥ ବାବୁ! ଆମେ ଆପଣଙ୍କୁ ଖୁବ୍ ସମ୍ମାନ କରୁ। କିନ୍ତୁ ଆଜି ଆପଣ କ’ଣ ଚାହୁଁଛନ୍ତି? ମଧୁବାବୁଙ୍କର ଏହି ଲେଖା ସବୁ ଅନେକ ପୁରୁଣା ଓ ଆମ ସାମାଜିକ ଉତ୍ଥାନର ଉତ୍ସ। ଆମେ କ’ଣ ସେସବୁ ଭୁଲିଯିବା? ଇତିହାସରୁ ଉଠାଇ ନେବା?’

ରାଧାନାଥ କହିବାକୁ ଲାଗିଲେ, ‘ଏ ସମସ୍ତ ଧାଡ଼ି ବର୍ତ୍ତମାନର ସାହିତ୍ୟିକମାନେ ପୁନଃରଚନା କରନ୍ତୁ। ଆପଣଙ୍କର ମନେଥିବ, ଅଳ୍ପଦିନ ତଳେ ଫକୀରମୋହନଙ୍କର ‘ରାଣ୍ଡିପୁଅ ଅନନ୍ତା’ କାହାଣୀ କିଛି କମ୍ ବିତର୍କ ସୃଷ୍ଟି କରିନଥିଲା। ‘ରାଣ୍ଡି’ ଶବ୍ଦଟି ନାରୀ ସମାଜ ପ୍ରତି ଏକ ଅପମାନ ବୋଲି ବିବେଚନା କରି ଗୋଟିଏ ନବନିର୍ମିତ ଚଳଚ୍ଚିତ୍ରର ନାମ ପରିବର୍ତ୍ତନ କରାଯାଇଥିଲା। ସେହିପରି ପଦକ୍ଷେପ ଏଠାରେ ମଧ୍ୟ ଆଶା କରାଯାଏ। କୁକୁର ସମାଜର ଅପମାନ ଓ ଘୃଣା ଉଦ୍ରେକକାରୀ କୌଣସି ଲେଖା ଗ୍ରହଣୀୟ ନୁହେଁ। ତାହା ପଛେ ହୋଇଥାଉ ମଧୁବାବୁଙ୍କପରି ମହା ମନୀଷୀଙ୍କର ଲେଖନୀ ନିଃସୃତ!’

ରାଧାନାଥଙ୍କ ଅପ୍ରତ୍ୟାଶିତ ଭାଷଣ ଓ ପୋଷ୍ଟର୍ ଧରି ଛିଡ଼ା ହୋଇଥିବା ଶାନ୍ତ ଓ ଅହିଂସ ପ୍ରତିବାଦୀଙ୍କ ମନୋବଳ ସଭାଗୃହକୁ ଭାଗ ଭାଗ କରିଦେଲା। ଉତ୍ତେଜନା ବଢ଼ି ଚାଲିଲା। ଦଳ ଦଳ ହୋଇ ଲୋକମାନେ ତର୍କ ବିତର୍କ କରିବାକୁ ଲାଗିଲେ।

ଏହି ଗଣ୍ଡଗୋଳିଆ ପରିସ୍ଥିତିରେ ଆକ୍ତାମାକ୍ତା ହୋଇ ନାଥ ଓ ମୁଁ ସଭାଗୃହରୁ ବାହାରକୁ ଚାଲିଆସିଲୁ। ବାହାରେ ସନ୍ଧ୍ୟା ବେଳର ଶୀତଳ ମଳୟରେ ସଭାଗୃହର ଉତ୍ତେଜନା ନଥିଲା। ନାଥ ତା’ ସ୍କୁଟରରେ ଚାବି ମୋଡ଼ିଲା ଓ ଆମେ ଦୁହେଁ ଦ୍ରୁତ ଗତିରେ ସେଠାରୁ ପଳାଇବାକୁ ଲାଗିଲୁ। ହଠାତ୍ ସ୍କୁଟରର ଶବ୍ଦରେ ତରକି ଯାଇ ଅତି କମରେ ଦଶ ବାରଟି ବୁଲା କୁକୁର ଭୁକି ଭୁକି ଆମର ପିଛା କରିବାକୁ ଲାଗିଲେ। ଫଳତଃ ଦୁଇ ତିନିଟା ଆସନ୍ନ ଦୁର୍ଘଟଣାରୁ ନିଜକୁ ବଞ୍ଚାଇ ଶେଷରେ ଆମେ ନଈକୂଳରେ ପହଞ୍ଚିଲୁ। ହାଲିଆ ମାରିବାକୁ ନଈବନ୍ଧରେ ବସିଗଲୁ ସବୁଦିନର ଅଭ୍ୟାସବଶତଃ।

ଦୀର୍ଘଶ୍ୱାସ ଛାଡ଼ି ନାଥ କହିଲା, ‘ଅଯଥାଟାରେ ସେମାନେ ସଭାରେ ଷଣ୍ଢ ପୁରେଇଦେଲେ।’

ମୁଁ କହିଲି, ‘ଷଣ୍ଢ ନୁହେଁରେ, କୁକୁର!’

****

ଲେଉଟା ଢେଉ

ମୁଗ୍ଧ ମୁଁ ଦେଖେ ଗୋପାଳପୁରର
                               ସ୍ନିଗ୍ଧ ସାଗର ତୀରେ
ଅପସରିଯାଏ ଦିଗ୍‌ବଳୟରୁ
                               ଅନ୍ଧାର ଧୀରେଧୀରେ ।
ନରମ ଆଲୋକ ଉଦ୍‌ଘୋଷ କରେ
                               ପ୍ରଭାତର ଆଗମନ
ପ୍ରକୃତି ସତେ ବଦଳାଏ ତାର
                               ରାତ୍ରିର ପରିଧାନ ।
ପୂର୍ବ ଆକାଶେ ଅଙ୍କିତ ହୁଏ
                               ବର୍ଣ୍ଣ-ବିଭୋର ଛବି
ମନ୍ଦ୍ରଗତିରେ ଉଙ୍କି ଉଠଇ
                               ସ୍ବର୍ଣ୍ଣ ପ୍ରତୀମ ରବି ।
ହୁଏ ଗତିଶୀଳ ଜୀବନ ଜୀବିକା
                               ବାଳାରୁଣ ତାଳେ ତାଳେ
ସତତ ମୁଖର ଜୀବନ ଚକ୍ର
                               ତାର ଇନ୍ଧନ ବଳେ ।
ବିଗତ ରାତିର କ୍ଳାନ୍ତି କଷଣ
                               ବିରହ ବିଷାଦ ଯେତେ
ପ୍ରୀତି ଛଳଛଳ ଲେଉଟା ଢେଉରେ
                               ଭସାଇ ଦେଇଛି ସତେ !
ଉଚ୍ଚାଟ ମନ ପୁଲକେ ବିଭୋର
                               ମୁକ୍ତ ମୋ ଅନୁଭବ
ଭୃକ୍ଷେପ ନାହିଁ ଆଗତ ରୌଦ୍ର
                               ଶଙ୍କା ବା ପରାଭବ !

****

ବିନ୍ଧ ଗଣିବା ଆଗ

ପଛରେ ଚକୁଳି କରିବା ପାକୁଳି
ବିନ୍ଧ ଗଣିବା ଆଗ
କି ଲାଭ ପାଟିର ସୁଆଦ, ନଜାଣି
ରନ୍ଧା ଘରର ପାଗ !

ନାଟକରେ ଥାଉ ନବରସ ଭରି
ଶିଳ୍ପୀର କୋଟି ତପ
ଅସଲ ଆମୋଦ ଦେଇପାରେ ସିନା
ମଞ୍ଚ ପଛର ଗପ !

ମିଛ ଖବରର ପ୍ରଖର ପ୍ରସାର
କ୍ଷିପ୍ର ବିଜୁଳି ଗତି
ଅସଲ କଥାର ଅଯଥା ଓଜନ,
ସ୍ପର୍ଶ କରେନା ମତି !

ବିଫଳତା ଗପ ରୋଚକ ରସାଳ
ଉଷ୍ମ ସୃଜନ ଭରା
ସଫଳ କାହାଣୀ ମନେହୁଏ ସତେ
ଶୁଷ୍କ ନିରସ ଖରା !

ମାଗଣା ଖୋରାକି ଉଦାର ଉପୁରି
ମତ୍ତ ସୁଖର ଧାର
ଝାଳବୁହା ଧନ ହାପୁଡାଏ ଖୁସି
ତୁଚ୍ଛ ପାଣିରେ ଗାର !

ବଦଳି ଯାଉଛି ଜୀବନ ଗଣିତ
ସୂତ୍ର ନରହି ଏକା
ନୂଆ ଦୁନିଆରେ ଅଜଣା ଏଣିକି
ଶୁଦ୍ଧ ସରଳ ରେଖା ।


ହିମଚମ୍ପା

ରାଧାନାଥ ପହଞ୍ଚିବା ମାତ୍ରେ ସ୍ଵୟଂ ନିରଞ୍ଜନ ତାଙ୍କୁ ମୁଖ୍ୟ ଫାଟକ ପାଖରୁ ପାଛୋଟି ନେଲେ ଘର ଭିତରକୁ। କହିଲେ – ଆପଣ ଏତେ ବଡ଼ କାମଟି ହାତକୁ ନେଇଥିବାରୁ ମୁଁ ପ୍ରକୃତରେ ଆପଣଙ୍କ ନିକଟରେ କୃତଜ୍ଞ। ରାଧାନାଥ ଏ ପ୍ରକାର ସମ୍ବର୍ଦ୍ଧନା ଆଶା କରୁନଥିଲେ । ଅପ୍ରତ୍ୟାଶିତ ଖୁସିର ଲହରୀରେ ତାଙ୍କ ମନ ଉବୁଟୁବୁ ହେବାକୁ ଲାଗିଲା। ବୈଠକଖାନାରେ ସାଷ୍ଟାମ ହେବା ପରେ ରାଧାନାଥ କହିଲେ – ଆପଣ ଦେଇଥିବା ବିଜ୍ଞାପନଟି ପଢି ମୋର କୌତୁହଳ ଖୁବ୍ ବଢିଯାଇଥିଲା । ଆପଣ ଲେଖିଥିଲେ ବଗିଚା ପାଇଁ ସଙ୍ଗୀତଜ୍ଞ ଆବଶ୍ୟକ । ମୁଁ ଜାଣିବାରେ ବଗିଚା ପାଇଁ ସଙ୍ଗୀତଜ୍ଞ ନୁହେଁ, ମାଳି ଦରକାର; ଅଥଚ……

ଧନିକ ଗୃହସ୍ୱାମୀ ନିରଞ୍ଜନ ଓ ସଙ୍ଗୀତ ଶିକ୍ଷକ ରାଧାନାଥ ପରସ୍ପରର ପ୍ରଶଂସା ଗାନ କରିବାରେ ଲାଗିଲେ।

ରାଧାନାଥ ଜଣେ ସଙ୍ଗୀତ ଶିକ୍ଷକ ଭାବରେ ବେଶ ଜଣାଶୁଣା। ରାଜ୍ୟର ସମସ୍ତ ସୁବିଦିତ ଗାୟକ ଗାୟିକା କେବେ ନା କେବେ ତାଙ୍କଠାରୁ ଗୀତ ଶିଖିବାକୁ ଆସିଛନ୍ତି। ସାଧାରଣରେ ତାଙ୍କୁ ସମସ୍ତେ ଗୀତ ମାଷ୍ଟ୍ରେ ବୋଲି ଉଲ୍ଲେଖ କରନ୍ତି। ସମୟ ଥିଲା, ରାଧାନାଥ ଅନେକ ଛାତ୍ର ଛାତ୍ରୀଙ୍କୁ ଗୀତ ଶିଖାଇ ଗୁଜୁରାଣ ମେଣ୍ଟାଉଥିଲେ। କହିବାକୁ ଗଲେ ଗଣିତ ବା ଇଂରାଜୀ ଟ୍ୟୁସନ ମାଷ୍ଟ୍ରଙ୍କ ତୁଳନାରେ ଗୀତ ମାଷ୍ଟ୍ର ଭାବରେ ତାଙ୍କର ରୋଜଗାର ଯଥେଷ୍ଟ ବେଶୀ ଥିଲା। ଅଥଚ ସମୟ ବଦଳିବାକୁ ଲାଗିଲା। ଶାସ୍ତ୍ରୀୟ ସଙ୍ଗୀତର ଚାହିଦା କମିବା ସହ ଇଣ୍ଟରନେଟ ଜରିଆରେ ନୂଆ ନୂଆ ଗୁରୁ ଆବିର୍ଭାବ ହେଲେ। ରାଧାନାଥ ନୂଆ ଯୁଗ ସହ ତାଳ ମିଳାଇ ଚାଲିବାରେ ଏକ ପ୍ରକାର ବିଫଳ ହେବାକୁ ଲାଗିଲେ। କହିବା ବାହୁଲ୍ୟ, ମନ ଭିତରେ ସଙ୍ଗୀତପ୍ରତି ପ୍ରଚଣ୍ଡ ଆବେଗ ନଥିଲେ ସେ କେବେଠାରୁ ଅନ୍ୟ କିଛି ବୃତ୍ତି ଗ୍ରହଣ କରିସାରିଥାଆନ୍ତେ।

ପ୍ରାରମ୍ଭିକ କଥୋପକଥନ ପରେ ରାଧାନାଥଙ୍କୁ ନେଇ ନିରଞ୍ଜନ ତାଙ୍କର ବଗିଚା ବୁଲାଇବାକୁ ଲାଗିଲେ। ଗୋଟିଏ ଖୁବ୍ ବଡ଼ ହତା ଭିତରେ ଘରଟି ଅପେକ୍ଷାକୃତ ଛୋଟ। ଘର ଆଗରେ ବାମନ ବୃକ୍ଷ ବା ବୋନସାଇ ବଗିଚା। ଘର ପଛପଟେ ଆମ୍ବ ଓ ପଣସ ଗଛର ତୋଟା। ପଶ୍ଚିମରେ ବଛା ବଛା କାକ୍ଟସ ଗଛର କୃତ୍ରିମ ବଣ ଓ ଗୋଟିଏ ବିଶାଳ ବରଗଛ। ଘରର ପୂର୍ବ ପଟେ ଫୁଲ ବଗିଚା। ବିଭିନ୍ନ ରଙ୍ଗର କିଆରି କିଆରି ଗୋଲାପ ଗଛ। ଜଣା ଅଜଣା ଆହୁରି ଅନେକ ଫୁଲ ଗଛ। ଘର ଚାରିପଟରେ ଏହି ବଗିଚାଟି କେତୋଟି ଉତ୍ସର୍ଗୀକୃତ ନିଷ୍ଠାବାନ ମାଳିଙ୍କର ପରିଶ୍ରମ ଓ ନିରଞ୍ଜନଙ୍କର ବୃକ୍ଷପ୍ରାଣ ସ୍ଵଭାବର ପରିଚୟ।

ଫୁଲ ବଗିଚାର ମଝି ଅଞ୍ଚଳରେ ସ୍ଵତନ୍ତ୍ର ଭାବରେ ଥାଏ ତିନୋଟି ଛୋଟ ଛୋଟ ଅଜଣା ଗଛ। ନିରଞ୍ଜନ ସେହି ଗଛ ମାନଙ୍କ ପାଖରେ ଅଟକି ଗଲେ ଓ ରାଧାନାଥଙ୍କୁ କହିଲେ – ଏ ଗଛଗୁଡିକ ଏଣିକି ଆପଣଙ୍କୁ ଲାଗିଲେ। ମାଳି ମାନଙ୍କର ସମସ୍ତ ଯତ୍ନ ସତ୍ତ୍ଵେ ଗଛ ଗୁଡିକ ମୃତ ପ୍ରାୟ; କିନ୍ତୁ ମୁଁ ଜାଣେ ଆପଣଙ୍କ କଣ୍ଠରୁ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବାକୁ ପାଇଲେ ଗଛଗୁଡିକରେ ପୁଣି ଜୀବନ ସଞ୍ଚାର ହେବ। ହିମାଳୟ ପାଦଦେଶରେ ବଢୁଥିବା ହିମଚମ୍ପା ଗଛ ମୋ ବଗିଚାରେ ମଧ୍ୟ ଶୋଭା ପାଇବ’।

ଶାସ୍ତ୍ରୀୟ ସଙ୍ଗୀତ ଓ ରାଧାନାଥଙ୍କର ଗାୟକୀ ଉପରେ ଥିବା ନିରଞ୍ଜନଙ୍କର ଅଗାଧ ବିଶ୍ୱାସ ରାଧାନାଥଙ୍କୁ ଖୁବ୍ ଭଲ ଲାଗିଲା। କିନ୍ତୁ ମନର ଗଭୀର କୋଣରେ ସେ ଭାବୁଥିଲେ ନିରଞ୍ଜନଙ୍କର ପାଗଳାମିର କଥା। ହିମାଳୟର ପାଦଦେଶରେ ବଢୁଥିବା ଗଛଟିଏ ଓଡ଼ିଶାର ପାଣି ପବନରେ ବଢିବା ଦୂରର କଥା, ବଞ୍ଚିବା କଣ ସମ୍ଭବ ହେବ? ମୁହୂର୍ତ୍ତକ ପାଇଁ ରାଧାନାଥଙ୍କର ମନେ ହେଲା ନିରଞ୍ଜନ ଯେମିତି ନିଜେ ସମ୍ରାଟ ଆକବର ଓ ତାଙ୍କ ଦରବାରରେ ରାଧାନାଥ ହେଉଛନ୍ତି ସଙ୍ଗୀତଜ୍ଞ ତାନସେନ। ରାଗ ଦୀପକ ଗାଇ ସେ ଦୀପ ପ୍ରଜ୍ଜ୍ବଳିତ କରିପାରିବେ ଓ ରାଗ ମେଘମହ୍ଲାରର ସ୍ଵର ତୋଳି ଆକାଶକୁ ମେଘାଚ୍ଛନ୍ନ କରିପାରିବେ। ନିଜକୁ ଜଣେ ବିଫଳ ସଙ୍ଗୀତଜ୍ଞ ଓ ମାମୁଲି ସଙ୍ଗୀତଶିକ୍ଷକ ମନେକରୁଥିବା ରାଧାନାଥ ସାମୟିକ ଆତ୍ମବିଶ୍ୱାସର ତେଜରେ ଦୀପ୍ତିମାନ ହୋଇ ଉଠିଲେ।

ଏଥର ପ୍ରତିଦିନ ଗଛମାନଙ୍କ ପାଇଁ ସେ ସଙ୍ଗୀତ ପରିବେଷଣ କରିବେ; ବଦଳରେ ନିରଞ୍ଜନ ତାଙ୍କୁ ଦେବେ ଯଥେଷ୍ଟ ପାରିଶ୍ରମିକ। ସଙ୍ଗୀତ ଶିକ୍ଷକ ଭାବରେ ବନ୍ଦ ପଡି ଆସୁଥିବା ତାଙ୍କ ଆୟର ପ୍ରବାହ ବୈତରଣୀର ବନ୍ୟା ପରି ମନେ ହେଲା। ରାଧାନାଥ ନିରଞ୍ଜନଙ୍କର ପାଗଳାମିକୁ ଉପହାସ ନକରି ମନେ ମନେ ନମସ୍କାର ଜଣାଇଲେ। ସଦ୍ୟ ମିଳିଥିବା ଦାୟିତ୍ୱର ପ୍ରଥମ ମହକ ଭାସି ଆସୁଥିଲା ପକେଟ ଗରମ କରୁଥିବା ଅଗ୍ରିମ ମୋଟା ଅଙ୍କରୁ। ମୁହଁରେ ଅସାଧାରଣ କୃତ୍ରିମ ଗାମ୍ଭୀର୍ଯ୍ୟ ଖେଳାଇ ଆଣି ରାଧାନାଥ ନିରଞ୍ଜନଙ୍କର ଅସ୍ୱାଭାବିକ ଆହ୍ୱାନକୁ ସ୍ୱୀକାର ଜଣାଇଲେ।

ଏହାପରେ ଆରମ୍ଭ ହେଲା ରାଧାନାଥଙ୍କ ସଙ୍ଗୀତଜ୍ଞ ଜୀବନର ଦ୍ଵିତୀୟ ପର୍ଯ୍ୟାୟ। ପ୍ରତି ସନ୍ଧ୍ୟାରେ ସେ ନିରଞ୍ଜନଙ୍କ ବଗିଚାରେ ପହଞ୍ଚନ୍ତି ଓ ବିଦେଶାଗତ ଗଛ ତିନୋଟିକୁ ଶାସ୍ତ୍ରୀୟ ସଙ୍ଗୀତ ଶୁଣାନ୍ତି। କେବେ ରାଗ ବିହାଗ ତ କେବେ ରାଗ କେଦାର ପୁଣି କେବେ ରାଗ ମାରୁଆ। କାମଟି କିନ୍ତୁ ସହଜ ନଥିଲା। ସାଧାରଣତଃ ଛାତ୍ର ଛାତ୍ରୀଙ୍କୁ ଗୀତ ଶିଖାଇବା ପାଇଁ ରାଧାନାଥ ଶିକ୍ଷକ ଭାବରେ ଗୀତ ଗାଉଥିଲେ। ବହୁ ବର୍ଷ ତଳେ ମଞ୍ଚରେ ମଧ୍ୟ ଶ୍ରୋତାଙ୍କ କରତାଳି ମଧ୍ୟରେ ରାଗ ସଙ୍ଗୀତ ପରିବେଷଣର ଅଭିଜ୍ଞତା ରଖିଥିଲେ। ମାତ୍ର ବିନା ଶ୍ରୋତାରେ ଔପୋଚାରିକ ଢଙ୍ଗରେ ରାଗ ସଙ୍ଗୀତ ପରିବେଷଣ କରିବା ରାଧାନାଥଙ୍କ ପାଇଁ ଥିଲା ନୂଆ। ସଙ୍ଗୀତ ପରିବେଷଣ କଲା ବେଳେ କେବେ କେବେ ଅବଶ୍ୟ ନିରଞ୍ଜନ ଓ କିଛି ମାଳି ଅଳ୍ପ ସମୟ ପାଇଁ ଶ୍ରୋତା ସାଜନ୍ତି।

ସବୁଠାରୁ ବଡ଼ ସମସ୍ୟା ଥିଲା ରାଧାନାଥଙ୍କର ପତ୍ନୀଙ୍କର ଏ ବ୍ୟବସ୍ଥା ପ୍ରତି ଅନାସ୍ଥା ଭାବ। ଯଦିଓ ସମ୍ଭାବ୍ୟ କୁଶଳ ଗୃହ-ଅର୍ଥନୀତି ତାଙ୍କ ମୁହଁରେ ତାଲା ଲଗେଇ ଦେଇଥାଏ, ପଡ଼ୋଶୀମାନଙ୍କ ତାଡ଼ନା ବେଳେବେଳେ ଅସହ୍ୟ ହୋଇ ସେହି ତାଲାକୁ ଚୁରମାର କରିଦେଉଥିଲା। ପଡ଼ୋଶୀ ଓ ସମ୍ପର୍କୀୟମାନଙ୍କ ମନ୍ତବ୍ୟ ସବୁ ଏହିପରି ଥିଲା – ପାଗଳ ନହେଲେ କେହି କଣ କେବେ ଗଛମାନଙ୍କୁ ଗୀତ ଶୁଣାନ୍ତା? …… ଜଣେ ନାମକରା ସଙ୍ଗୀତ ଶିକ୍ଷକ ହୋଇ ପଇସା ଲୋଭରେ ରାଧାନାଥ କେତେ ତଳକୁ ଖସିଗଲେ ସତରେ ….. କେହି କେହି ନିଜର ଅତିରଞ୍ଜିତ ଧାରଣାକୁ ବାସ୍ତବତାର ଚରମ ପୁଟ ଦେଇ କହନ୍ତି – ରାଧାନାଥଙ୍କ ମସ୍ତିଷ୍କ ବିକୃତି ଘଟିବାର ସମସ୍ତ ଲକ୍ଷଣ ଦେଖାଦେଲାଣି। କିଛି ଦିନ ତଳେ ସେ କୁଆଡ଼େ ରାତି ଅଧରେ ଭୁକୁଥିବା ଦଳେ ବୁଲା କୁକୁରଙ୍କୁ ରାଗ ଭୈରବୀ ଶୁଣାଉଥିଲେ। ଗୋଟିଏ କୁକୁର ତାଙ୍କ ସହ ତାଳ ଦେଇ ଲମ୍ବା ରଡିଟିଏ ଛାଡ଼ିଦେଲା, ରାଧାନାଥ ତାକୁ କୁଣ୍ଢାଇ ପକାଇ ଚୁମା ପରେ ଚୁମା ଲେପି ଦେଇଥିଲେ।

ଇତିମଧ୍ୟରେ ଗୋଟିଏ ମାସ ବିତିଗଲା। ଗଛ ତିନୋଟି ଆଗରେ ତିଆରି ଛୋଟ ପିଣ୍ଡିଟି ଉପରେ ବସି ପ୍ରତି ସନ୍ଧ୍ୟାରେ ଓ ବେଳେବେଳେ ମଧ୍ୟରାତ୍ରିରେ ସଙ୍ଗୀତ ପରିବେଷଣ କରିବା ରାଧାନାଥଙ୍କ ପାଇଁ ଏକ ପ୍ରକାର ଦେହସୁହା ହୋଇଗଲା। ଏତେ ସଚ୍ଚୋଟ ପରିଶ୍ରମ ସତ୍ତ୍ୱେ ତିନୋଟି ବିଦେଶାଗତ ଗଛ ମଧ୍ୟରୁ ଗୋଟିଏ ଶୁଖି ଡାଙ୍ଗ ହୋଇଗଲା। ନିରଞ୍ଜନଙ୍କ ସହ ରାଧାନାଥ ମଧ୍ୟ ଖୁବ୍ ଦୁଃଖ ପ୍ରକାଶ କଲେ। ମାତ୍ର ଅନ୍ୟ ଗଛ ଦୁଇଟିର ଅକ୍ଷୟ ଜୀବନ ଆଶାରେ କାର୍ଯ୍ୟକ୍ରମ ଚାଲୁ ରଖିଲେ।

ଜଣେ ସଙ୍ଗୀତଜ୍ଞ ଭାବରେ ରାଧାନାଥ ମଧ୍ୟ ନୂଆ ନୂଆ ଅନୁଭୂତି ସାଉଁଚିବାକୁ ଲାଗିଲେ। ଆଜିକାଲି ଗଛମାନଙ୍କ ଆଗରେ ରାଗ ସଙ୍ଗୀତ ପରିବେଷଣ କଲାବେଳେ ରାଧାନାଥ ନିଜ ଭିତରେ ହଜି ଯାଉଥିଲେ। ତାଙ୍କର ନଥିଲା କାହାର କରତାଳି ପାଇଁ ଅପେକ୍ଷା, ନଥିଲା କାହାଠାରୁ ଅନୁମୋଦନ ଲାଭ କରିବାର ଆଶା। ସେ ଗାଉଥିଲେ ଅନ୍ତରର ଗଭୀର ପ୍ରଦେଶରୁ ସ୍ୱତଃ ପ୍ରକାଶ ହେଉଥିବା ଝଙ୍କାର। ଭୟ, ଆଶଙ୍କା, ପ୍ରତିଯୋଗିତା ଓ ଭୁଲ ଠିକର ବିଚାରରୁ ତାହା ଥିଲା ଅନେକ ଉର୍ଦ୍ଧ୍ୱରେ। ସେ ଥିଲା ଏକ ଶାଶ୍ୱତ ଆନନ୍ଦ। ରାଧାନାଥଙ୍କ ପାଇଁ ଏ ପ୍ରକାର ଗାୟନ ଏକ ନିଶାରେ ପରିଣତ ହୋଇଗଲା। ପ୍ରତି ସନ୍ଧ୍ୟାରେ ସେ ନିରଞ୍ଜନଙ୍କ ବଗିଚାକୁ ଦୌଡ଼ିବାକୁ ଲାଗିଲେ, ଯେମିତି ଅବୁଝା ମଦ୍ୟପଟିଏ ମଦ ଭାଟି ସନ୍ଧାନରେ ଅଥୟ ହୋଇପଡ଼େ। ରାଧାନାଥଙ୍କ ଏ ପ୍ରକାର ଆଚରଣ ଦେଖି ତାଙ୍କ ପତ୍ନୀ ମଧ୍ୟ ବେଳେବେଳେ ପଡ଼ୋଶୀଙ୍କ କଟାକ୍ଷ ସବୁକୁ ସତ ମଣିବାକୁ ଲାଗିଲେ।

ପ୍ରାୟ ତିନି ମାସର ପରିଶ୍ରମ ପରେ ଶୀତଦିନର ଆରମ୍ଭରେ ଦୁଇଟି ଯାକ ଗଛରେ ସବୁଜ ପତ୍ର କିଛି ଦେଖାଦେଲା। ନିରଞ୍ଜନଙ୍କ ଖୁସିର ସୀମା ନଥାଏ। ସେ କହୁଥିଲେ – ଗଛଲତା ଆମପରି କାନ ଜରିଆରେ ଗୀତ ଶୁଣନ୍ତି ନାହିଁ; ଶବ୍ଦ ସହ ସେମାନଙ୍କର ଏକ ଅସାଧାରଣ ସମ୍ପର୍କ। ଗଛଲତାର ପ୍ରତି ବୀଜ କୋଷରେ ଥାଏ ଏକ ଅନନ୍ୟ ସ୍ପନ୍ଦନ, ଏକ ସ୍ୱତନ୍ତ୍ର ଛନ୍ଦ। ସେହି ଛନ୍ଦ ଯେତେବେଳେ ଶାସ୍ତ୍ରୀୟ ସଙ୍ଗୀତର ଛନ୍ଦ ସହ ମେଳ ଖାଏ, ସେତେବେଳେ ଏକ ଶୀତଳ ଅନୁଭବ ଗଛଟିକୁ ଦିଏ ଅସାଧାରଣ ସ୍ଥିରତା। ତାକୁ ଯୋଗାଇ ଦିଏ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର ଅଦମ୍ୟ ଶକ୍ତି। ନିରଞ୍ଜନଙ୍କ ସମ୍ପୂର୍ଣ୍ଣ ବିଶ୍ୱାସ, ରାଧାନାଥଙ୍କ ସଙ୍ଗୀତର ପ୍ରଭାବରେ ଗଛ ଦୁଇଟି ତାଙ୍କ ବଗିଚାର ଶୋଭା ବଢାଇବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି।

ବିତି ଚାଲିଲା ସମୟ। ମାଳିମାନଙ୍କର ଯତ୍ନ ପାଇଁ ହେଉ ବା ରାଧାନାଥଙ୍କର ସଙ୍ଗୀତର ପ୍ରଭାବରେ ହେଉ, ଗଛ ଦୁଇଟି କେବେ କେବେ ନୂଆ ପତ୍ର ତୋଳି ଧରିଲେ ତ ପୁଣି କେତେବେଳେ ମୃତପ୍ରାୟ ହୋଇ ନିରଞ୍ଜନଙ୍କର ବ୍ୟସ୍ତତାର କାରଣ ହେଲେ। ସବୁ କିଛି ସାଧାରଣ ମନେ ହେଉଥିଲେ ମଧ୍ୟ ରାଧାନାଥଙ୍କ ଉଦ୍ଦେଶ୍ୟରେ ପ୍ରେରିତ ଟାହିଟାପରାର ମାତ୍ରା ବଢ଼ିଲା ସିନା କମିବାର ନାଁ ଧରିଲାନି।

ଇତି ମଧ୍ୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ସରକାରଙ୍କ ସଂସ୍କୃତି ବିଭାଗ ଓ ସ୍ଥାନୀୟ ସଙ୍ଗୀତ ମହାବିଦ୍ୟାଳୟ ଆନୁକୂଲ୍ୟରେ ହେବାକୁ ଯାଉଥାଏ ଏକ ଜାତୀୟସ୍ତରୀୟ ସଙ୍ଗୀତ ଉତ୍ସବ। ସେଥିରେ ଭାରତର ଅନେକ ବଛା ବଛା ସଙ୍ଗୀତଜ୍ଞ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ଥାଏ। ସବୁଠାରୁ ବଡ଼ ଆକର୍ଷଣ ଥାଏ ପଣ୍ଡିତ ସୁରରାଜ ଶଙ୍କରଙ୍କର ଏକ ଘଣ୍ଟାର ସଙ୍ଗୀତ କାର୍ଯ୍ୟକ୍ରମ। ଏହି ଉତ୍ସବରେ ଶେଷ କଳାକାର ଥିଲେ ଉତ୍ତରପ୍ରଦେଶର ଜଣେ ବିଖ୍ୟାତ ସଙ୍ଗୀତଜ୍ଞ। କୌଣସି ଅସୁବିଧାବଶତଃ ଶେଷ ସମୟରେ ଜଣାପଡିଲା ଯେ ସେ ଉତ୍ସବରେ ଯୋଗ ଦେବା ପାଇଁ ଆସିପାରୁ ନାହାନ୍ତି। ତାଙ୍କ ସ୍ଥାନ ପୂରଣ କରିବା ପାଇଁ କେହି ଜଣେ ରାଧାନାଥଙ୍କ ନାମ ଉପସ୍ଥାପନ କଲା। ଆୟୋଜକମାନେ ଅମଙ୍ଗ ଥିଲେ ମଧ୍ୟ କିଛି ସାହସୀ ସହଯୋଗୀଙ୍କ ପ୍ରେରଣାରେ ରାଧାନାଥଙ୍କୁ ଆମନ୍ତ୍ରଣ କରାଗଲା। କେହି କେହି କହନ୍ତି ନିରଞ୍ଜନଙ୍କ ସୁପାରିଶ ମଧ୍ୟ ପ୍ରଚ୍ଛନ୍ନ ଭାବେ ରାଧାନାଥଙ୍କୁ ସୁହାଇଥିଲା। କାଳେ ରାଧାନାଥଙ୍କର ବିପରୀତ-ପ୍ରସିଦ୍ଧି କାର୍ଯ୍ୟକ୍ରମରେ ବ୍ୟାଘାତ ସୃଷ୍ଟି କରିବ, ତେଣୁ କଥାଟି ଗୋପନୀୟ ରଖାଗଲା। ଜଣେ ଜାତୀୟସ୍ତରର ସୁପ୍ରସିଦ୍ଧ ଗାୟକଙ୍କ ଅନୁପସ୍ଥିତିରେ ହତୋତ୍ସାହ ଜନତା ମଞ୍ଚରେ ଯେତେବେଳେ ରାଧାନାଥଙ୍କୁ ଦେଖିଲେ, ସେମାନଙ୍କର ସମସ୍ତ ଆବେଗ ପାଣି ଫୋଟକା ପରି ମିଳେଇ ଗଲା।

ସହଯୋଗୀ ତବଲା ଓ ବେହେଲା ବାଦକମାନଙ୍କ ସହ ରାଧାନାଥ ପରିବେଷଣ କରିବାକୁ ଆରମ୍ଭ କଲେ ରାଗ ବିହାଗ। ଅନେକ ବର୍ଷ ପରେ ରାଧାନାଥ କରୁଥାନ୍ତି ମଞ୍ଚ ଗାୟନ। ମାତ୍ର ପ୍ରତିଦିନର ସଙ୍ଗୀତ ଅଭ୍ୟାସ ତାଙ୍କୁ ଏକ ଅଭାବନୀୟସ୍ତରରେ ପହଞ୍ଚାଇ ସାରିଥିଲା। ପ୍ରେକ୍ଷାଳୟରେ ଜନତାର ଉପସ୍ଥିତି ବଦଳରେ ତାଙ୍କର ମନେ ହେଉଥିଲା ସେ ଯେପରି ଏକ ବିରାଟ ବଗିଚାରେ ଅଗଣିତ ଗଛଲତାକୁ ଶୁଣାଉଛନ୍ତି ତାଙ୍କର ସଙ୍ଗୀତ। ଗଛଲତାଗୁଡ଼ିକର ଜୈବିକସ୍ପନ୍ଦନ ସହ ତାଙ୍କର ଛନ୍ଦାୟିତ ସ୍ଵର ଏକାତ୍ମ ହୋଇଯିବାର ଅନୁଭବ ତାଙ୍କ ଗାୟନକୁ କରୁଥାଏ ଆହୁରି ରୁଦ୍ଧିମନ୍ତ। ସମସ୍ତ ଶ୍ରୋତା ସ୍ତମ୍ଭୀଭୁତ।

ରାଧାନାଥଙ୍କ ସଙ୍ଗୀତର ସମାପ୍ତି ବେଳକୁ ଶ୍ରୋତାମାନଙ୍କର କରତାଳି ଓ ପ୍ରଶଂସାର ଲହରୀ କୂଳ ଲଂଘୁଥିଲା। ନିଜେ ପଣ୍ଡିତ ସୁରରାଜ ଶଙ୍କର ରାଧାନାଥଙ୍କୁ କୁଣ୍ଢାଇ ପକାଇଲେ ଓ ଗଦଗଦ ହୋଇ ପ୍ରଶଂସାରେ ପୋତି ପକାଇଲେ। ତାଙ୍କର ପରବର୍ତ୍ତୀ ଏକ କାର୍ଯ୍ୟକ୍ରମ ପାଇଁ ରାଧାନାଥଙ୍କୁ ନିମନ୍ତ୍ରଣ ଜଣାଇଲେ। ହଠାତ୍ ସଙ୍ଗୀତପାଗଳ ମାଷ୍ଟ୍ର ଜଣକ ସ୍ଥାନୀୟ ଅଖ୍ୟାତିରୁ ମୁକୁଳି ଜାତୀୟ-ସ୍ତରର ଖ୍ୟାତିରେ ବିଭୋର ହୋଇପଡ଼ିଲେ।

ରାଧାନାଥଙ୍କ ପ୍ରଶଂସା ଥାଏ ସମସ୍ତଙ୍କ ମୁହଁରେ। ସ୍ଥାନୀୟ ଖବରକାଗଜମାନଙ୍କରେ ରାଧାନାଥଙ୍କ ଗୁଣଗାନ ପ୍ରକାଶ ପାଇଲା। ସାମ୍ବାଦିକମାନେ ତାଙ୍କର ସାକ୍ଷାତକାର ପାଇଁ ଯୋଗାଯୋଗ ଆରମ୍ଭ କରିଦେଲେ। ବଗିଚାରେ ଗଛମାନଙ୍କ ପାଇଁ ଯେ ସେ ମାସ ମାସ ଧରି ସଙ୍ଗୀତ ପରିବେଷଣ କରିଆସୁଥିଲେ, ଏ କଥା ଗୋଟେ ହାସ୍ୟାସ୍ପଦ ବିଷୟ ହୋଇ ଆଉ ରହିଲା ନାହିଁ; ବରଂ ତାହା ଏକ ପ୍ରେରଣାମୂଳକ କାହାଣୀରେ ପରିଣତ ହେଲା। ତାଙ୍କର କୁତ୍ସା କରୁଥିବା ପଡ଼ୋଶୀ ଓ ସମ୍ପର୍କୀୟମାନେ ଏଥର ତାଙ୍କ ପ୍ରସିଦ୍ଧିରେ ଗୌରବାନ୍ୱିତ ହୋଇ ତାଙ୍କ ସାନ୍ନିଧ୍ୟ ପାଇଁ ବ୍ୟାକୁଳ ହେଲେ।

ଏତେ ସବୁ ପରିବର୍ତ୍ତନ ପରେ ମଧ୍ୟ ରାଧାନାଥ ନିରଞ୍ଜନଙ୍କ ବଗିଚାରେ ନିୟମିତ ସଙ୍ଗୀତ ପରିବେଷଣ କରୁଥିଲେ। ଜଣେ ସହୃଦୟ ଚଳଚ୍ଚିତ୍ର ନିର୍ମାତା ତାଙ୍କ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର କରିବାକୁ ଆରମ୍ଭ କଲେ। ସେହି ସମ୍ପର୍କରେ ପଣ୍ଡିତ ସୁରରାଜ ଶଙ୍କରଙ୍କ ନିମନ୍ତ୍ରଣ କ୍ରମେ କିଛି ଦିନ ପାଇଁ ରାଧାନାଥଙ୍କୁ ବମ୍ବେ ଯିବାକୁ ହେଲା। ପୁଣି ସେଠାରେ କୌଣସି ଏକ ସଙ୍ଗୀତ ପ୍ରକଳ୍ପ ପାଇଁ ରାଧାନାଥଙ୍କୁ ଚୁକ୍ତି ସ୍ଵାକ୍ଷର କରିବାର ଥାଏ। ରାଧାନାଥ ନିଜେ ବୁଝିପାରୁ ନଥାନ୍ତି ତାଙ୍କ ଚାରିପଟେ ଘଟୁଥିବା ଘଟଣା ସବୁ ସତ ନା ସ୍ୱପ୍ନ।

ବମ୍ବେରେ ଦଶଦିନ ବିତାଇ ରାଧାନାଥ ଫେରିଆସିଲେ ନିଜ ସହରକୁ। ଅଭ୍ୟାସର ଅଦମ୍ୟ ତାଡ଼ନାର ବଶବର୍ତ୍ତୀ ହୋଇ ସେ ସନ୍ଧ୍ୟାରେ ନିରଞ୍ଜନଙ୍କ ବଗିଚାରେ ପହଞ୍ଚିଗଲେ। ସେଠାରେ ଜାଣିବାକୁ ପାଇଲେ ତାଙ୍କ ଜାଗାରେ ଅନ୍ୟ ଜଣେ ସଙ୍ଗୀତଜ୍ଞ ନିଯୁକ୍ତି ପାଇ ସାରିଛନ୍ତି। ତାଙ୍କ ନୂଆ ପ୍ରସିଦ୍ଧି ଓ ଯୋଗ୍ୟତାକୁ ଚାହିଁ ବଗିଚାରେ ଗୀତ ଗାଇବା ପରି ଏକ ସାଧାରଣ କାମ ତାଙ୍କୁ କୁଆଡ଼େ ଆଉ ଶୋଭା ଦେବ ନାହିଁ। ନିରଞ୍ଜନ ବଡ଼ ସମ୍ଭ୍ରମତାର ସହ ରାଧାନାଥଙ୍କୁ କୁଣ୍ଢାଇ ଧରି କୃତଜ୍ଞତା ଜଣାଇଲେ ଓ ତାଙ୍କର ବଗିଚା ଓ ପାଣ୍ଠି ରାଧାନାଥଙ୍କ ପାଇଁ ଯେ ସବୁବେଳେ ଉନ୍ମୁକ୍ତ ରହିବ, ତାର ଏକ ମୃଦୁ ପ୍ରତିଶ୍ରୁତି ଦେଲେ।

ରାଧାନାଥଙ୍କ ସାଧାରଣ ଜୀବନଧାରା ହିଁ ବଦଳିଗଲା। ହଠାତ୍ ଏତେଗୁଡ଼ାଏ ପ୍ରସିଦ୍ଧିକୁ ହଜମ କରିପାରୁ ନଥିବା ପତ୍ନୀ ଦିନେ ସନ୍ତର୍ପଣରେ ରାଧାନାଥଙ୍କୁ ପଚାରିଲେ – ତୁମେ ଅନ୍ୟମାନଙ୍କ ପାଇଁ ଗୀତ ଗାଇ ଏତେ ପ୍ରସଂଶା ପାଉଛ, ଏପରିକି ଗଛମାନଙ୍କୁ ମଧ୍ୟ ଗୀତ ଶୁଣାଉଛ; କେବେ ମୋ ପାଇଁ ତ ଗୀତଟିଏ ଗାଇନାହଁ? ତାଙ୍କ କଣ୍ଠରେ ଥିଲା ପ୍ରଶଂସା ଓ ଅଭିମାନର ଏକ ମିଠା ସମନ୍ୱୟ। ରାଧାନାଥ ଶାସ୍ତ୍ରୀୟଘରାନା ସଙ୍ଗୀତ ଘେରରେ ଖୋଜି ହେଉଥିଲେ ପତ୍ନୀ-ତୋଷାମଦି ରସର ଉପାଦେୟ ରାଗଟିଏ। ତାଙ୍କ ମୁହଁରେ ଥିଲା ଆଉ ଏକ ଅସ୍ୱାଭାବିକ ଆହ୍ୱାନକୁ ସାମ୍ନା କରିବାର କୃତ୍ରିମ ଗାମ୍ଭୀର୍ଯ୍ୟ।

****

ଅବୁଝା ଜିଦି

ସକାଳ ପହରରୁ ରାଧାନାଥ ଏକ ଗୋଲକଧନ୍ଦାରେ ଘାଣ୍ଟି ହେଉଥାନ୍ତି ।

ତାଙ୍କ ଶୋଇବା ଘର କବାଟକଣରେ ରଖାଯାଇଥିବା ବହୁପୁରୁଣା ଲାଠିଟି ଆପେ ଆପେ ଲମ୍ବାରେ ବଢ଼ିଗଲା କେମିତି ? ରାଧାନାଥଙ୍କର ମନେ ଅଛି ସିଧା ଭାବରେ ଧରିଲେ ଲାଠିଟି ତାଙ୍କ ଭ୍ରୂଲତା ପର୍ଯ୍ୟନ୍ତ ଆସେ। ଅଥଚ ଆଜି ଲାଠିଟି ତାଙ୍କ ମୁଣ୍ଡ ଉପରକୁ ଆଉ ତିନି ଚାରି ଇଞ୍ଚ ବଢ଼ିଯାଇଛି। ଏହା କିପରି ସମ୍ଭବ? ରାଧାନାଥ ଲାଠିଟିକୁ ନିଜ ପାଖରେ ଧରି ବାରମ୍ବାର ମାପ କରି ଚାଲିଛନ୍ତି । ଅଥଚ ଲାଠିଟିର ଦୈର୍ଘ୍ୟ ଯେପରି ଏକ ଅଲୌକିକ ଚମତ୍କାରିତାରେ ପରିଣତ ହୋଇଛି । ତାର ଦୈର୍ଘ୍ୟ ନିଶ୍ଚିତ ରୂପେ ବଢ଼ିଯାଇଛି ।

ରାଧାନାଥଙ୍କ ମନରେ ବଢ଼ିଚାଲିଛି ଅସ୍ଥିରତା । ପଞ୍ଚାଅଶି ବର୍ଷ ବୟସରେ ମଧ୍ୟ ଶାରୀରିକ ଓ ମାନସିକ ସ୍ତରରେ ସେ ଯେ ସମ୍ପୂର୍ଣ୍ଣ ସକ୍ରିୟ ଓ ପାରିପାର୍ଶ୍ଵିକ ଅବସ୍ଥା ପ୍ରତି ସତତ ସଚେତନ, ଏକଥା ତାଙ୍କ ସହ ଚଳପ୍ରଚଳ ହେଉଥିବା ଅନ୍ୟମାନେ ବିଶ୍ଵାସ କରନ୍ତୁ କି ନାହିଁ, ରାଧାନାଥଙ୍କର ନିଜ ଉପରେ ଥାଏ ଅଗାଧ ଆତ୍ମବିଶ୍ଵାସ । ନହେଲେ ସେ କ’ଣ ସତରେ ଆବିଷ୍କାର କରିପାରିଥାନ୍ତେ ଘର କୋଣରେ ଥୁଆ ହୋଇଥିବା ଲାଠିଟିର ରହସ୍ୟମୟ ଦୈର୍ଘ୍ୟ ବୃଦ୍ଧି? ସେ କ’ଣ ସତରେ ଘାଣ୍ଟି ହେଉଥାନ୍ତେ ଏହି ସମସ୍ୟାର ଉତ୍ତର ଜାଣିବା ପାଇଁ?

ପତ୍ନୀ ବିୟୋଗ ପରେ ରାଧାନାଥ ଗତ ତିନି ବର୍ଷ ହେବ ଏକୁଟିଆ ରହି ଆସୁଛନ୍ତି, ତାଙ୍କ ପୁରୁଣା ଚାରି ବଖରା ବଙ୍ଗଳାରେ। ପୁଅ ସରୋଜ ସପରିବାର ରହେ ବାଙ୍ଗାଲୋର ସହରରେ। ମଝିରେ ମଝିରେ ସେ ଓ ତା’ ପରିବାର ଆସି ରାଧାନାଥଙ୍କ ସହ ସମୟ ବିତାନ୍ତି। ପାଖରେ ରହେ ଅନେକ ଦିନର ବିଶ୍ୱସ୍ତ ସେବକ ସକୁରା। ରନ୍ଧାବଢ଼ା କରିବା ପାଇଁ ଓ ବଗିଚାକାମ ପାଇଁ ସ୍ୱତନ୍ତ୍ର ଲୋକ ନିଯୁକ୍ତ ଥାଆନ୍ତି। ରାଧାନାଥଙ୍କ ସମୟ କଟେ ବନ୍ଧୁ ଗହଣରେ ଗପସପ କରିବାରେ ଓ ଭଲ ଭଲ ବହି ପଢ଼ିବାରେ। ସହଧର୍ମିଣୀଙ୍କ ମୃତ୍ୟୁ ପରେ ସେ ତାଙ୍କ ପୁରୁଣା ଭ୍ରମଣ-ଅଭ୍ୟାସରୁ ଅବସର ନେଇସାରିଛନ୍ତି।

ଯେଉଁ ଲାଠିଟି ତାଙ୍କୁ ରହସ୍ୟ ଘେରରେ ପକାଇ ଦେଇଛି, ଆଜିକୁ ପ୍ରାୟ ୩୦ ବର୍ଷ ତଳେ ସେଇଟି ସେ କିଣି ଆଣିଥିଲେ ଉଜ୍ଜୟିନୀ ସହର ଭ୍ରମଣ କାଳରେ ମହାକାଳେଶ୍ୱର ମନ୍ଦିର ନିକଟରୁ। କିମ୍ବଦନ୍ତୀ ଅନୁସାରେ ଅବନ୍ତି ବା ବର୍ତ୍ତମାନର ଉଜ୍ଜୟିନୀ ସହରର ସୁରକ୍ଷା ପାଇଁ ରାଜା ଚନ୍ଦ୍ରସେନଙ୍କ ପ୍ରାର୍ଥନା କ୍ରମେ ନିଜେ ଶିବ ମହାକାଳ ରୂପରେ ଆସି ଦାନବ କବଳରୁ ରାଜ୍ୟବାସୀଙ୍କୁ ଉଦ୍ଧାର କରିଥିଲେ। ଲାଠି ବିକ୍ରେତାମାନେ କହନ୍ତି ଉଜ୍ଜୟିନୀର ଲାଠି ସେହି ସୁରକ୍ଷା ପ୍ରଦାନର ପ୍ରତୀକ। ପତ୍ନୀ ଜ୍ୟୋତିର୍ଲିଙ୍ଗ ଦର୍ଶନରେ ଭାବଗଦଗଦ ହେଲା ବେଳକୁ ରାଧାନାଥ ଲାଠିଟିକୁ ହାତରେ ଧରି ଉତଫୁଲ୍ଲିତ ହେଉଥିଲେ। ସତେ ଯେମିତି ମହାକାଳ ରୂପରେ ସେ ନିଜେ ଆବିର୍ଭୂତ ଓ ଲାଠି ଥିଲା ତାଙ୍କର ଅମୋଘ ଅସ୍ତ୍ର।

ଇତିମଧ୍ୟରେ ଅନେକ ବର୍ଷ ବିତିଯାଇଛି। ଲାଠିଟି ତାର ଆଧିଭୌତିକ ଭାବମୂର୍ତ୍ତି ହରାଇ ସାରିଛି ଓ ଅତି ସାଧାରଣ କାମରେ ବ୍ୟବହାର ହେଉଛି – ଯେମିତି ଗଛରୁ ଫୁଲ ଫଳ ଝଡ଼ାଇବା, ବଗିଚାକୁ ଅଗତ୍ୟା ଅନୁପ୍ରବେଶ କରୁଥିବା ଗାଈ ଗୋରୁ ଓ ବୁଲା କୁକୁରଙ୍କୁ ତଡ଼ିବା, ଇତ୍ୟାଦି। ଥରେ ଥରେ ବନ୍ଧୁ ଗହଣରେ ରାଧାନାଥ ବାଡ଼ିଟିକୁ ହାତରେ ଧରି ମହାତ୍ମା ଗାନ୍ଧୀଙ୍କ ପରି ଚାଲିବାର ଅଭିନୟ କରନ୍ତି। ଲାଠିଟି ଘରର ସାଧାରଣ ବସ୍ତୁଟିଏ ପାଲଟି ସାରିଥାଏ। ରାଧାନାଥଙ୍କ ଜୀବନରେ ଲାଠିଟିର ଗୁରୁତ୍ୱ ଆଉ ପୂର୍ବ ପରି ନାହିଁ; ଅଥଚ ଲାଠିଟିର ଅଚାନକ ଲମ୍ବବୃଦ୍ଧି ରାଧାନାଥଙ୍କ ପାଇଁ କେଜାଣି କାହିଁକି ହୋଇପଡ଼ିଛି ଏତେ ଗୁରୁତ୍ୱପୂର୍ଣ୍ଣ!

ଘରର ପ୍ରତିଟି କଥା ଯାହାକୁ ଗୋଚର, ସେହି ସକୁରାକୁ ଡାକି ରାଧାନାଥ ଉତ୍ତର ତଲବ କଲେ। ହୁଏତ ଲାଠିଟି ବଦଳି ଯାଇଛି। ପୁରୁଣା ଲାଠିଟି ଜାଗାରେ କିଏ ନୂଆଟିଏ ରଖି ଦେଇ ଯାଇଛି। ସକୁରା ନିର୍ଲିପ୍ତ ଭାବରେ ଉତ୍ତର ଦେଲା ଯେ ଲାଠି ତା’ ଜାଗାରେ ପୂର୍ବପରି ରହିଛି ଓ ରାଧାନାଥ ଅଯଥାରେ ବାଉଳି ଚାଉଳି ହେଉଛନ୍ତି। କିନ୍ତୁ ରାଧାନାଥ ଶୁଣିବାକୁ ନାରାଜ। ତାଙ୍କ ଜିଦି ଅନୁସାରେ ସକୁରା ଥରକୁ ଥର ଲାଠିଟିକୁ ସିଧା କରି ଧରି ରଖୁଥାଏ ଓ ରାଧାନାଥ ତା’ ପାଖରେ ଠିଆ ହୋଇ ନିଜ ଉଚ୍ଚତା ଅନୁପାତରେ ଲାଠିର ଦୈର୍ଘ୍ୟ ଅନୁମାନ କରିବାକୁ ଲାଗିଥାନ୍ତି। ଶେଷରେ ସକୁରା ରାଧାନାଥଙ୍କ କବଳରୁ ମୁକ୍ତି ପାଇବା ପାଇଁ ତାଙ୍କ କଥାରେ ହଁ ଭରିଲା। କହିଲା- “ଆପଣ ଠିକ୍ କହୁଛନ୍ତି, ଲାଠିଟି ସତରେ ଲମ୍ବାରେ ବଢ଼ିଯାଇଛି”।

ରାଧାନାଥ ବୋଧହୁଏ ସକୁରା ଠାରୁ ଏମିତି ସକାରାତ୍ମକ ଉତ୍ତର ଚାହୁଁଥିଲେ। ତାଙ୍କ ନିରୀକ୍ଷଣ ଭୁଲ ହୋଇ ନପାରେ। କିନ୍ତୁ ସକୁରା କହିବାକୁ ଲାଗିଲା- “ଲାଠିଟି ବଢ଼ିବା ଓ କମିବାରେ ଆପଣଙ୍କର କ୍ଷତି କ’ଣ ? ବରଂ ଆପଣ ଅନ୍ୟ କାମରେ ମନ ଦିଅନ୍ତୁ, ଅଯଥାରେ ବ୍ୟସ୍ତ ହୋଇ ଆପଣଙ୍କର ଦେହ ଖରାପ ହେବ”।

“ଲାଠିଟି ଏତେ ବର୍ଷ ପରେ ଆପେ ଆପେ ଅଧିକ ଲମ୍ବା ହୋଇଯିବାଟା କ’ଣ ଗୋଟେ ସାଧାରଣ କଥା? ତା’ ଛଡ଼ା ଏଇଟା ତ ବିଜ୍ଞାନ ସମ୍ମତ ନୁହେଁ । ଆମକୁ ଜାଣିବାକୁ ହେବ ଏ ରହସ୍ୟର ମୂଳ କ’ଣ” – ରାଧାନାଥ ଜିଦି ଧରିଲେ। ଏଥର ସକୁରା ଫେଁ କରି ହସିଦେଲା ଓ ଚପଳ ତାତ୍ସଲ୍ୟର ସହ କହିଲା- “ଗୋଟେ ସାଧାରଣ ବାଡ଼ି ମନକୁ ମନ ଲମ୍ବାରେ ବଢ଼ିଯାଇଛି, ଏହା ଗୋଟିଏ ହାସ୍ୟାସ୍ପଦ କଥା ନୁହେଁ ? ଦେଖିବାକୁ ହେବ ଆପଣ ସମସ୍ତ ଔଷଧ ଠିକ୍ ସମୟରେ ଖାଇଛନ୍ତି କି ନାହିଁ। ଆଜିକାଲି ଏମିତି ସବୁ ଅବୁଝା କଥାରେ ଆପଣଙ୍କର ପିଲାଳିଆ ଜିଦି ବଢ଼ିଚାଲିଛି।”

ସକୁରା କଥାରେ ରାଧାନାଥ ଚୁପ୍ ହୋଇଗଲେ। ବାଧ୍ୟ ଅଥଚ ଜିଦିଆ ପିଲାଟିଏ ପରି ମୁହଁ ଫୁଲାଇ ଖଟ ଉପରେ ବସିରହିଲେ। ସକୁରା ଆଉ ବାକ୍ୟବ୍ୟୟ ନ କରି ଲାଠିଟିକୁ ତା’ ଜାଗାରେ ରଖିଦେଲା। ଅଳ୍ପ ସମୟ ପରେ ରାଧାନାଥ ଗଭୀର ନିଦରେ ଶୋଇପଡ଼ିଲେ।

ନିଦରେ ଥାଇ ମଧ୍ୟ ରାଧାନାଥ ଯେମିତି ଅଶାନ୍ତିରେ ଛଟପଟ ହେଉଥିଲେ। ଲାଠିଟିର ପ୍ରସଙ୍ଗ ମନ ଭିତରେ ଅଠା ପରି ଲାଖି ରହିଥାଏ। ଏକ ଅସହଜ ଅସ୍ୱସ୍ତିକର ସ୍ୱପ୍ନ ଆବିଷ୍ଟ କରିବାକୁ ଲାଗିଲା ତାଙ୍କର ସମ୍ପୂର୍ଣ୍ଣ ସତ୍ତାକୁ।

ରାଧାନାଥ ସ୍ୱପ୍ନରେ ଦେଖିଲେ ଯେ ସେ ମୃତ। ତାଙ୍କ ଶରୀର ପଡ଼ି ରହିଛି ଏକ ବରଫଦିଆ ସଂରକ୍ଷଣ ଶଯ୍ୟା ଉପରେ। ନାକପୁଡ଼ାରେ ତୁଳା ଓ ଶରୀର ଉପରେ ଧୋବ ଫରଫର ଚାଦର। ଆଖପାଖରେ ବସି ରହିଥାନ୍ତି କିଛି ପଡୋଶୀ, ତାଙ୍କର ଅଳ୍ପ କିଛି ବନ୍ଧୁ ଓ ପୁଅ ବୋହୂ। ସମସ୍ତଙ୍କ ମୁହଁରେ ଦୁଃଖଦ ଗାମ୍ଭୀର୍ଯ୍ୟ । ସବୁଆଡ଼ ନିରବ। ଘର ଭିତରେ ପଶି ଆସି ଫେରିବାକୁ ବାଟ ପାଉନଥିବା ଘରଚଟିଆଟି ପରି ସକୁରା ଏପାଖ ସେପାଖ ହେଉଥାଏ ସମ୍ଭବତଃ କିଛି ଅନିଶ୍ଚିତ ଉଦ୍‌ବେଗକୁ ନେଇ। ରାଧାନାଥ ଧୀରେ ଧୀରେ ନିଜ ଶବ ଆଡକୁ ମୁହାଁଇଲେ। ନିଜ ମୃତ ଶରୀରର ମୁହଁକୁ ଛୁଇଁବାକୁ ଚେଷ୍ଟା କରି ବିଫଳ ହେଲେ। ତାଙ୍କ ମନରେ ଜିଜ୍ଞାସା, ତାଙ୍କ ମୃତ୍ୟୁର କାରଣ କ’ଣ ହୋଇପାରେ? ହୃତକ୍ରିୟା ବନ୍ଦ ହୋଇଯିବା ନା ଆକସ୍ମିକ କୌଣସି ଦୁର୍ଘଟଣା?

ସମବେତ ଶୋକାତୁର ପ୍ରିୟଜନମାନେ ତାଙ୍କ ପ୍ରଶ୍ନର ଉତ୍ତର ଦେବେ କ’ଣ? ସେମାନେ ଯେପରି ତାଙ୍କ କଥା ଶୁଣିବାକୁ ଅସମର୍ଥ। ରାଧାନାଥ ସ୍ୱପ୍ନରେ ଥାଇ ହୃଦବୋଧ କଲେ, ସେ ତ ମୃତ, ତାଙ୍କର ସ୍ୱର କାହିଁ? କାହିଁ ତାଙ୍କ ଉପସ୍ଥିତିର ସ୍ୱାକ୍ଷର?

ବାରଣ୍ଡାରେ କିଛି ଲୋକ କୌଣସି କାର୍ଯ୍ୟରେ ବ୍ୟସ୍ତ ଥାନ୍ତି। ରାଧାନାଥ ଅଗତ୍ୟା ସେହି ଆଡକୁ ଯିବାକୁ ଲାଗିଲେ। ସେଠାରେ ତାଙ୍କ ପାଇଁ କୋକେଇ ପ୍ରସ୍ତୁତ କରାଯାଉଥାଏ। ଅନତି ଦୂରରେ ଜଣେ ବ୍ରାହ୍ମଣ ଶୁଦ୍ଧିକରଣ ପୂଜାବିଧି ପାଇଁ ପ୍ରସ୍ତୁତ ହେଉଥାନ୍ତି। ହଠାତ୍ ସକୁରା ସେଠାରେ ପହଞ୍ଚି ଏକରକମ ଚିତ୍କାର କରିବାକୁ ଲାଗିଲା- “ଏ କ’ଣ କରୁଛ ତୁମେମାନେ? ନୂଆ ବାଉଁଶରେ ସିନା କୋକେଇ ବନାଯାଏ ! ତୁମେମାନେ ସେଥିରେ ବାବୁଙ୍କର ଏ ଲାଠିଟି କାହିଁକି ବ୍ୟବହାର କରୁଛ? ତା’ଛଡ଼ା ଲାଠିଟି ସିଧା ବାଗରେ ଛୋଟ ପଡ଼ିଯିବନି?” ସକୁରାର କଥା ଶୁଣିବାକୁ କାହାର ଯେମିତି ତର ନାହିଁ। କୋକେଇ ପ୍ରସ୍ତୁତି ଚାଲିଥାଏ । ରାଧାନାଥ ଦୂରରୁ ଥାଇ ବିନା ବାକ୍ୟବ୍ୟୟରେ ସବୁ ଦେଖୁଥାନ୍ତି। ପୁଅ ସରୋଜ ଦୁଃଖରେ ମ୍ରିୟମାଣ ହୋଇ ଦିଶୁଥାଏ ବିବଶ ଓ ଅସହାୟ।

ସବୁ ଘଟଣା ପ୍ରବାହ ରାଧାନାଥଙ୍କ ସ୍ୱପ୍ନରେ କେତେବେଳେ ବିଶଦ ଭାବରେ ପ୍ରତୀୟମାନ ହେଉଥାଏ ତ କେତେବେଳେ ପୁଣି ଧୀର ଭାବରେ ତାହା ଅସଙ୍ଗତ ଦୃଶ୍ୟ ପରେ ଦୃଶ୍ୟ ହୋଇ ପ୍ରକଟ ହେଉଥାଏ।

ଶେଷରେ ମୃତ ରାଧାନାଥଙ୍କ ଶରୀରଟିକୁ କୋକେଇ ଉପରେ ରଖିଦିଆଗଲା । ରୁଣ୍ଡ ହୋଇଥିବା ସଜ୍ଜନମଣ୍ଡଳୀ ବୋଧେ ରାମନାମ ନେବାକୁ ଲାଗିଥିଲେ। କୋକେଇ ସ୍ପର୍ଶ ମାତ୍ରେ ସ୍ୱପ୍ନାବିଷ୍ଟ ରାଧାନାଥଙ୍କ ଭିତରେ ଯେମିତି ତଡ଼ିତ୍ ବେଗରେ ବିଦ୍ୟୁତ୍ ପ୍ରବାହ ଖେଳିଗଲା। ହୁଏତ ସେ ଥିଲା ବିପୁଳ ଆଲୋକର ଏକ ନିରବ ବିସ୍ଫୋରଣ। ତାର ଔଜ୍ଜଲ୍ୟରେ ସେ ଯେମିତି ଅନ୍ଧ ହୋଇପଡୁଥିଲେ। ସବୁଆଡ଼େ ଆଲୋକର ବିଚ୍ଛୁରଣ ଆଉ କାନ ପାଖରେ ଅସାମାନ୍ୟ ନିରବତା। ରାଧାନାଥ ଏକ ବିଶାଳ ଶୂନ୍ୟ ଭିତରେ ଲୀନ ହୋଇଯାଉଥିଲେ। ତାଙ୍କ ଶରୀର ନିଆଁ ଝୁଲ ପରି ଛୋଟ ଛୋଟ କଣିକାରେ ପରିଣତ ହୋଇ ଆଲୋକର ବହଳ ବଳୟ ଭିତରେ ପ୍ରବେଶ କରି ଚାଲିଥିଲା। ଅସରନ୍ତି ପଥ, ଅଦ୍ଭୁତ ଚିରନ୍ତନ ଅନୁଭବ।

ହଠାତ୍ ରାଧାନାଥଙ୍କ ସ୍ୱପ୍ନ ଭଙ୍ଗ ହେଲା। ନିଜକୁ ସେ ନିଜ ଖଟ ଉପରେ ଆବିଷ୍କାର କଲେ। ଅପସରି ଯାଇଥିଲା ମୃତ୍ୟୁ ଶଯ୍ୟା, ଶୋକାକୁଳ ସ୍ୱଜନବର୍ଗଙ୍କ ବେଦନାଭରା ଚାହାଣି। ନଥିଲା ଅଲୌକିକ ଆଲୋକର ସ୍ଫୁରଣ। ରାଧାନାଥ ଇହଜଗତକୁ ଫେରିଆସିଥିଲେ, ସତେ ଯେମିତି ମହାକାଶ ଚାରଣର ଅଜଣା ଅନୁଭୂତି ସହ। ତାଙ୍କ ଦେହରେ ଖଇଫୁଟା ତାତି।

ଉଦ୍‌ବେଗର ସହ ତାଙ୍କୁ ଚାହିଁ ବସିରହିଥିଲେ ସକୁରା ଓ ରାନ୍ଧୁଣିଆ ସ୍ତ୍ରୀ ଲୋକଟି। ରାଧାନାଥଙ୍କୁ ସଚେତନ ଦେଖି ସେମାନଙ୍କ ପିଣ୍ଡରେ ଯେମିତି ପ୍ରାଣ ପଶିଲା। ସକୁରା କହିବାକୁ ଲାଗିଲା- “କ’ଣ ହେଲା ଆପଣଙ୍କର ବାବୁ? ଆପଣ ଏପରି ବାଉଳି ଚାଉଳି ହେବା ମୁଁ ପୂର୍ବରୁ କେବେ ଦେଖିନଥିଲି। ବଡ଼ ଭୟ ଲାଗିଲା। ମୁଁ ସରୋଜ ବାବୁଙ୍କୁ ଫୋନ୍ କରି କହିଦେଇଛି। ସେ ହୁଏତ ସେ କାଲି ସୁଦ୍ଧା ଏଠାରେ ପହଞ୍ଚିଯିବେ। ଡାକ୍ତରବାବୁ ମଧ୍ୟ ଆପଣଙ୍କୁ ଦେଖି କିଛି ଇଞ୍ଜେକ୍ସନ ଦେଇ ଯାଇଛନ୍ତି। ସେ ପୁଣିଥରେ ଆପଣଙ୍କୁ ଦେଖିବାକୁ ଆସିବେ ଅଳ୍ପ ସମୟ ପରେ। ହୁଏତ ସେ ଏବେ ଆସୁଥିବେ।” ରାଧାନାଥ ଏକଥା ଶୁଣିପାରୁଥିଲେ କି ନା ଜଣା ନାହିଁ। ଆଖି ଖୋଲି ଶୂନ୍ୟଦୃଷ୍ଟି ପହଁରାଇ ଆଣୁଥିଲେ ସେ ଏଣେ ତେଣେ। ଲାଗୁଥିଲେ ନିଷ୍ପ୍ରଭ, ଦୁର୍ବଳ ଓ ଅସମର୍ଥ।

ହାତ ପାଦ ଆଉଁସି ଦେଉଥିଲା ସକୁରା। ପାଣି ଯାଚୁଥିଲା ରାନ୍ଧୁଣିଆ ସ୍ତ୍ରୀ ଲୋକଟି। କିଛି ସମୟ ପରେ ପୁଣିଥରେ ରାଧାନାଥଙ୍କୁ ପରୀକ୍ଷା କରିବା ପାଇଁ ପହଞ୍ଚିଗଲେ ଡାକ୍ତର ବାବୁ। ତାଙ୍କୁ ଦେଖି ରାଧାନାଥଙ୍କର ଚେତା ଫେରିବା କଥାଟି ବଡ଼ ଭାବପ୍ରବଣତାର ସହ ବର୍ଣ୍ଣନା କରିବାକୁ ଲାଗିଲା ସକୁରା। ତାକୁ ଚୁପ୍ ରହିବାକୁ କହି ଡାକ୍ତର ତାକୁ ଇଶାରା କଲେ ରାଧାନାଥଙ୍କ ଦିଗକୁ। ରାଧାନାଥ କିଛି କହିବାକୁ ଚେଷ୍ଟା କରୁଥିଲେ। ସକୁରା ତାଙ୍କ ମୁହଁ ପାଖରେ କାନ ଡେରି ଯାହା ଶୁଣିଲା, ସେଥିରୁ ବୁଝିଲା ଯେ ରାଧାନାଥ ତାକୁ ଉଜ୍ଜୟିନୀ ଲାଠିଟି ବିଷୟରେ କିଛି ପଚାରୁଛନ୍ତି।

ବଡ଼ ବିରକ୍ତି ସହ ସକୁରା ଡାକ୍ତରଙ୍କୁ କହିଲା- “ଗୋଟିଏ ସାଧାରଣ ବାଡ଼ିଟିକୁ ନେଇ ବାବୁଙ୍କର ଅଯଥାରେ ଏତେ ଶୋଚନା କ’ଣ ପାଇଁ କେଜାଣି, ହୁଏତ ସେଇ ବାଡ଼ିଟିକୁ ଆଣିବାକୁ କହୁଛନ୍ତି”। ଡାକ୍ତରବାବୁ ସକୁରାକୁ ଇଶାରାରେ ପୁଣି ଚୁପ୍ କରି କହିଲେ- “ସେ ଯାହା ମାଗୁଛନ୍ତି ସେଇଟା ତାଙ୍କୁ ଦେଇ ଦେଉନା କାହିଁକି? ବାଡ଼ିଟି ଯଦି ସେ ଦେଖିବାକୁ ମାଗୁଛନ୍ତି ତାଙ୍କୁ ନିଶ୍ଚୟ ଆଣି ଦେଖାଇ ଦିଅ”।

ଡାକ୍ତର ବାବୁ ତାଙ୍କ ବ୍ୟାଗରୁ ଷ୍ଟେଥୋ ଆଦି କାଢୁଥିବା ବେଳେ ସକୁରା କବାଟ କୋଣରୁ ଉଜ୍ଜୟିନୀ ଲାଠିଟି ଆଣି ରାଧାନାଥଙ୍କ ଆଗରେ ଧରି ଠିଆ ହେଲା। ରାଧାନାଥଙ୍କ ପିଲାଳିଆ ଜିଦିକୁ ଉପହାସ କଲା ପରି କହିଲା- “ଏଇ ଦେଖ ତୁମ ଲାଠି, ଯେମିତି ଥିଲା ସେମିତି ଅଛି”। ରାଧାନାଥ ଦୃଷ୍ଟି ସ୍ଥିର କରି ଲାଠିଟିକୁ ଚାହିଁ ରହିଲେ। ଅସ୍ପଷ୍ଟ ସ୍ୱରରେ କହିଲେ- “ତୋତେ ତ ମୋର ପୁରୁଣା ଲାଠିଟି ଆଣିବାକୁ କହିଥିଲି, ତୁ ଛଅଟି ଲାଠି କାହିଁକି ଆଣିଲୁ?”

“ଛଅଟି ଲାଠି?” ସକୁରା ପୁଣି ତାତ୍ସଲ୍ୟ କରି କହିଲା- “ବାବୁ, ସକାଳୁ ଆପଣ କହିଲେ ଲାଠିଟି ଲମ୍ବାରେ ବଡ଼ ହୋଇଯାଇଛି, ଏବେ ଆପଣଙ୍କୁ ଗୋଟିଏ ଲାଠି ଛଅଟି ପରି ମନେ ହେଉଛି। ଆପଣଙ୍କ ଉପରେ ହୁଏତ ଭୂତ ସବାର ହୋଇଛି”। ଇତିମଧ୍ୟରେ ଡାକ୍ତରବାବୁ ରାଧାନାଥଙ୍କୁ ପରୀକ୍ଷା କରିବାକୁ ପ୍ରସ୍ତୁତ ହୋଇସାରିଥାାନ୍ତି। ମାତ୍ର ଆଉ ପରୀକ୍ଷାର ଆବଶ୍ୟକତା ରହିଲା ନାହିଁ। ରାଧାନାଥଙ୍କ ଦେହରେ ହାତମାରି ନିର୍ଲିପ୍ତ ଭାବରେ ସେ କହିଲେ- “ରାଧାନାଥ ବାବୁ ଆଉ ନାହାନ୍ତି”।

ଅଭିଯୋଗ

ତିନି ଘଣ୍ଟା ବିଳମ୍ବରେ ମୁମ୍ବାଇରେ ପହଞ୍ଚିବାପରେ ଏଆର୍‌ପୋର୍ଟ୍‌ରୁ ମୁଁ ସିଧା ଯାଉଥିଲି ସାଉଥ୍ ମୁମ୍ବାଇର ଏକ ନିର୍ଦ୍ଧାରିତ ହୋଟେଲ୍ ଅଭିମୁଖେ । ପହଞ୍ଚୁ ପହଞ୍ଚୁ ବୋଧହୁଏ ଅଧରାତି ହୋଇଯିବ ।

ଗାଡିରେ ବସିବା ପରଠାରୁ ଡ୍ରାଇଭର୍‌ର ଏକ ଅସ୍ଵାଭାବିକ ଆଚରଣ ମୋ ନଜରକୁ ଆସିଥିଲା – ସେ ବାରମ୍ବାର ରିଅର୍‌ଭିଉ ମିରର୍‌ରେ ମୋତେ ଦେଖୁଥିଲା । ହୁଏତ ମୋ ମୁହଁରେ ଦିଶୁଥିବା ବିଳମ୍ବଜନିତ କ୍ଳାନ୍ତି ଓ ବିରକ୍ତିର ଭାବନାକୁ କଳନା କରିବାକୁ ଚେଷ୍ଟା କରୁଥିଲା ସେ । ପରିସ୍ଥିତିକୁ ସାମାନ୍ୟ କରିବାକୁ ଯାଇ ମୁଁ ଡ୍ରାଇଭର୍ ଉଦ୍ଦେଶ୍ୟରେ ହିନ୍ଦି ଭାଷାରେ କହିଲି,
– ‘ଏତେ ରାତିରେ ବି ସାନ୍ତାକ୍ରୁଜ୍ ଫ୍ଲାଇ-ଓଭର୍ ଉପରେ ଏ ପ୍ରକାର ଭିଡ?’
ମୋତେ ଚକିତକରି ଡ୍ରାଇଭର୍ ଓଡିଆରେ ଉତ୍ତର ଦେଲା,
–  ‘ଆଜି ପ୍ରଧାନମନ୍ତ୍ରୀ ଏକ ରାଲିରେ ଯୋଗଦେବାକୁ ଆସିଥିଲେ – ସେଥିପାଇଁ ଏତେ ଭିଡ ଲାଗିରହିଛି । ଆପଣ ଯଦି ପୂର୍ବରୁ ପହଞ୍ଚିଥାଆନ୍ତେ, ତେବେ ଆହୁରି ଭିଡ ପାଇଥାଆନ୍ତେ । କିନ୍ତୁ ମୁଁ ଆପଣଙ୍କୁ କୋଷ୍ଟାଲ୍ ରୋଡ୍‌ରେ ନେଇ ଅଧଘଣ୍ଟା ମଧ୍ୟରେ ପହଞ୍ଚାଇ ଦେବି ।’
ସତେ ଯେମିତି ଏତେ ସବୁ କଥା ତା ପାଟିରେ ଜମାଟ ବାନ୍ଧି ରହିଥିଲା ଓ ସୁବିଧା ପାଇ ସେ ଏକା ନିଃଶ୍ଵାସକେ ସବୁ କହି ପକାଇଲା । ମୁଁ କୌତୁକହଳ ବଶତଃ ପଚାରିଲି,
–  ‘ତୁମେ ତେବେ ଓଡିଆ ? କେବେଠାରୁ ମୁମ୍ବାଇରେ ରହୁଛ ?’
ମୋ ପ୍ରଶ୍ନର ସିଧା ଉତ୍ତର ନ ଦେଇ ସେ କହିଲା,
–  ‘ଆପଣଙ୍କର ବହୁତ ପ୍ରଶଂସା ଶୁଣିଥିଲି, ଆଜି ଆପଣଙ୍କ ଡ୍ୟୁଟିରେ ଆସିବାର ସୁଯୋଗ ମିଳିଲା ।’
–  ‘ମୋର ପ୍ରଶଂସା ? କାହାଠାରୁ ?’ ମୁଁ ଟିକେ ଉତ୍‌ଫୁଲ୍ଲିତ ହୋଇ ପଚାରିଲି ।
–  ‘ଅନ୍ୟ ଡ୍ରାଇଭର୍‌ମାନଙ୍କ ପାଖରୁ । ଆପଣ ନିୟମିତ ମୁମ୍ବାଇ ଆସନ୍ତି । ପ୍ରତିଥର ଆମ ଏଜେନ୍‌ସିରୁ ଆପଣଙ୍କପାଇଁ  ଡ୍ରାଇଭର୍ ଓ ଗାଡି ପଠାଯାଏ । ଆପଣ ଖୁବ୍ ଭଲଲୋକ ବୋଲି ଡ୍ରାଇଭରମାନେ କହନ୍ତି ।’

ଆମ କଥୋପକଥନରେ ବାଧା ଦେଇ ଏତିକିବେଳେ ମୋର ଫୋନ୍ ବାଜି ଉଠିଲା – ଘରୁ ଧର୍ମପତ୍ନୀଙ୍କ କଲ୍ । ମୁଁ ଜାଣେ କାର୍ ଭିତରର ନୀରବତାରେ ସ୍ପିକର୍ ଅନ୍ ନ କଲେ ମଧ୍ୟ ଆସୁଥିବା ସ୍ଵର ଡ୍ରାଇଭର୍‌କୁ ମଧ୍ୟ ଶୁଣାଯିବ । ଓଡିଆ କହୁଥିବା ଡ୍ରାଇଭର୍‌ଟି ଆମ କଥୋପକଥନ ଶୁଣୁ, ମୋର ଇଚ୍ଛା ନ ଥିଲା । ତେଣୁ ନିର୍ଲିପ୍ତ ସ୍ଵରରେ କହିଲି,
–  ‘ଭଲରେ ପହଞ୍ଚିଲି ବୋଲି ମେସେଜ୍ କରିଥିଲି ପରା ?’
ପତ୍ନୀଙ୍କର କିନ୍ତୁ କହିବା ପାଇଁ ଅଲଗା କଥା ଥିଲା । ତେଣୁ ସେ କହି ଚାଲିଲେ,
–  ‘ବାପାଙ୍କର ବାଉଳି ଚାଉଳି ଟିକେ ବଢିଯିବାରୁ ତାଙ୍କୁ ଆଉ ପାନେ ଔଷଧ ଖୁଆଇ ଦେଲି । ସେ ଭଲ ଅଛନ୍ତି । ଆଜି ରାତିରେ ଉଊୟ ରମା ଓ ନର୍ସ୍ ବାପାଙ୍କ ପାଖରେ ରହିବେ । ବ୍ୟସ୍ତତାର କାରଣ ନାହିଁ …।’
ମୁଁ ‘ହଁ’, ‘ନାହିଁ’ ରେ ଉତ୍ତର କରି ଗୁଡ୍ ନାଇଟ୍ କହିଲି ।
କାର୍ ଭିତରେ କିଛି ସମୟର ନୀରବତା ପରେ ଡ୍ରାଇଭର୍ ପଚାରିଲା,
–  ‘କଣ ଆପଣଙ୍କ ବାପାଙ୍କର ଦେହ ଖରାପ ଅଛି ? ବୟସ ହୋଇଯିବଣି । ବ୍ୟସ୍ତ ହୁଅନ୍ତୁ ନାହିଁ । ସବୁ ଠିକ୍ ହୋଇଯିବ ।’
ମୁଁ ଉତ୍ତର ଦେଲି ନାହିଁ । ଡ୍ରାଇଭର୍‌ର ଅଯାଚିତ ହସ୍ତକ୍ଷେପ ଓ ଶୁଭେଚ୍ଛା ମୋର ଦରକାର ନଥିଲା ।

ମୋତେ ହୋଟେଲ୍‌ରେ ପହଞ୍ଚାଇ ଦେଇ ଡ୍ରାଇଭର୍ କହିଲା,
–  ‘ସାର୍, ମୁଁ କାଲି ସକାଳ ସାତଟାରେ ପହଞ୍ଚିଯିବି । ଆପଣଙ୍କ କାର୍ଯ୍ୟକ୍ରମ ନ’ ଟାରେ ଆରମ୍ଭ – ଏଠାରୁ ବିକେସି (ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ୍) ଯିବାକୁ ପ୍ରାୟ ପଇଁଚାଳିଶ ମିନିଟ୍ ଲାଗିବ ।’
– ‘ତୁମେ ବରଂ ନ’ଟାରେ ଆସ ।’ – କହିଲି ମୁଁ । ଡ୍ରାଇଭରର ରିପୋର୍ଟିଂ ଓ ମୋର ଯିବାର ନିର୍ଦ୍ଦିଷ୍ଟ ସମୟ ଡ୍ରାଇଭରଟାଏ କାହିଁକି ନିରୁପଣ କରିବ ?
ଯିବା ବେଳକୁ ଡ୍ରାଇଭର୍ ମୋ ପାଖକୁ ଆସି ହାତ ବଢାଇଦେଇ କହିଲା,
– ‘ଗୁଡ୍ ନାଇଟ୍ ସାର୍ ।’
ମୁଁ ଅଗତ୍ୟା ମୋର ହାତ ବଢାଇ ଦେଲି । ଅତି ଅନ୍ତରଙ୍ଗତାର ସହ ସେ ହାତ ମିଳାଇଲା । କଥାଟି ମୋତେ ଅପସନ୍ଦ ନ ହେଲେ ମଧ୍ୟ ହଜମ ହେଲାନାହିଁ । ଯେତେ ପ୍ରଶ୍ରୟ ଦେଲେ ମଧ୍ୟ କୌଣସି ଡ୍ରାଇଭର୍ ସମକକ୍ଷତାର ସୀମାରେଖାକୁ ଏତେ ଆଗକୁ ନେଇ ଆସି ନ ଥିଲେ । ଯିବାବେଳେ କହିଲା,
–  ‘ମୋ ନାଁ ଭେନୁ – ଭେନୁ ପ୍ରସାଦ । ଦରକାର ହେଲେ ଯେ କୌଣସି ସମୟରେ ମୋତେ ନିଶ୍ଚୟ ଫୋନ୍ କରିବେ ।’

ପରଦିନ ସକାଳେ ଗାଡିରେ ବସିବାପରେ ଭେନୁର ଅନେକ ପ୍ରଶ୍ନ ।
–  ‘ଆପଣଙ୍କୁ ଭଲ ନିଦ ହେଲା ତ? …. ଆପଣଙ୍କ ବାପାଙ୍କ ଦେହ କେମିତି ଅଛି ? …. ଆପଣ ଏମିତି ବାରମ୍ବାର ମୁମ୍ବାଇ ଆସନ୍ତି… ଏତେ ପରିଶ୍ରମ କରନ୍ତି କିପରି ? ….’ – ଇତ୍ୟାଦି ।
ମୁଁ ଅତ୍ୟନ୍ତ ସତର୍କତାର ସହ ସଂକ୍ଷିପ୍ତ ଉତ୍ତର ଦେଉଥିଲି – ମୋର ବ୍ୟକ୍ତିଗତ ଜୀବନରେ ତାର ଅଦରକାରୀ ଆଗ୍ରହ ମୁଁ ଆଦୌ ପସନ୍ଦ କରୁ ନ ଥିଲି । ଗାଡି ଭିତରେ ରଖିଥିବା ଖବରକାଗଜଟିକୁ ମେଲାଇ ଧରି ମୁଁ ଭେନୁଠାରୁ ନିଜକୁ ଦୂରେଇ ନେଲି । ସେ ବୋଧହୁଏ ମୋର ଅନାଗ୍ରହ ବୁଝିପାରିଲା ଓ ଚୁପ୍ ଚାପ୍ ଗାଡି ଚଳାଇବାରେ ମନ ଦେଲା ।

ତୃତୀୟ ଦିନ ସକାଳୁ ମୁଁ ପୁନା ବାହାରି ଥାଏ ଗୋଟିଏ ମିଟିଂ ରେ ଯୋଗ ଦେବା ପାଇଁ । ବମ୍ବେ-ପୁନା ଏକ୍ସପ୍ରେସ୍ଓ୍ଵେରେ ଭେନୁ ଗାଡି ଚଳାଉ ଥାଏ ଅତି କମରେ ଅଶୀ କିଲୋମିଟର୍ ବେଗରେ । ତଥାପି ସେ ଅନେକ ସମୟରେ ରକରିବ‌ଭିଉ ମିରର୍‌ଦେଇ ମୋ ଆଡକୁ ନିରେଖି ଦେଖୁଥାଏ । ଅପ୍ରସ୍ତୁତ ଲାଗୁଥିଲେ ମଧ୍ୟ ଭେନୁକୁ ମୁଁ କିଛି କହିପାରୁ ନଥାଏ । ବଡ ତୀକ୍ଷ୍ଣ ସେ ଦୃଷ୍ଟି – ଯେମିତି ସେ ମୋ ଭିତରେ କାହାକୁ ଖୋଜିବାକୁ ଚେଷ୍ଟା କରୁଛି । ବେଳେବେଳେ ଦର୍ପଣରେ ତା’ ସହ ଆଖି ମିଶିଗଲେ ମଧ୍ୟ ଅନ୍ୟମନସ୍କ ଥିଲାପରି ସେ ତାର ନଜର ହଟାଉ ନ ଥାଏ । ଏ ପ୍ରକାର ଅନୁଭବ ମୋ ପାଇଁ ପ୍ରଥମ ଓ ଏକ ବ୍ୟତିକ୍ରମ । ସବୁଠାରୁ କୌତୁହଳପୂର୍ଣ୍ଣ ଅନୁଭୂତି ହେଲା ବାଟରେ ଆମେ ଅଟକି ଥିବା ଫୁଡ୍‌କୋର୍ଟ୍‌ରେ । ସେଠାରେ ମୁଁ ଭଲ କଫି ଦୋକାନଟିଏ ଭିତରେ ବସି ମୋ ଫୋନ୍‌ରେ ନିମଗ୍ନ ଥାଏ । କଫି ଦୋକାନଟି ଫୁଡ୍‌କୋର୍ଟ୍‌ର ଏକ କଣରେ । ଗୋଟିଏ ବଡ ହଲ୍‌ର ଦୁଇ ପାଖରେ ଖାଇବା ଦୋକାନ ଓ ମଝିରେ ଥାଏ ଧାଡିଧାଡି ଟେବୁଲ୍ ଓ ଚଉକି । କଫି ଦୋକାନ ଭିତରୁ ଦେଖିବାକୁ ପାଇଲି ଭେନୁକୁ ଅନତି ଦୂରରେ ଏକ ଟେବୁଲ୍ ପାଖରେ । ହାତରେ ତାର ଥାଏ ଏକ ଚା’ ଗ୍ଲାସ୍ । ସେଠାରେ ଥାଇ  ମଝିରେ ମଝିରେ ସେ ଦେଖୁଥାଏ ମୋ ଆଡକୁ । ସତେ ଯେମିତି ସେ ମୋ ଉପରେ ନଜର ରଖିଛି; ମୋର ଗତିବିଧି ଅନୁଧ୍ୟାନ କରି କିଛି ଗୁପ୍ତ ଯୋଜନାରେ ମଗ୍ନ ଅଛି । କହିବା ବାହୁଲ୍ୟ, ମୋତେ ଭୟ ଲାଗିଲା । ଆଜିକାଲି ଯେତେ ପ୍ରକାରର କ୍ରାଇମ୍ ହେଉଛି, ସେଥିରେ କାହାରିକୁ ସମ୍ପୂର୍ଣ୍ଣ ବିଶ୍ଵାସ କରିବା ଉଚିତ ମଧ୍ୟ ନୁହେଁ ।
କିଛି ସମୟ ପରେ କଫି ଦୋକାନରୁ ବାହାରି ଭେନୁକୁ ଦେଖିଲି ନାହିଁ । ମୁଁ ପାର୍କିଂ ଦିଗରେ ଯିବାକୁ ଉଦ୍ୟତ ହେଲାବେଳକୁ ଭେନୁ ପଛରୁ ଆସି ଉଭାହେଲା ଓ ମୋତେ ଗୋଟିଏ ଜାଗାରେ ଠିଆ ହେବାକୁ କହି ଗାଡିଟି ଆଣିବାକୁ ଦୌଡି ଚାଲିଗଲା । ତାର ନମ୍ର ବ୍ୟବହାରରେ ମୁଁ ପୁଣି ତରଳିଗଲି ଓ ପୂର୍ବରୁ ଅନୁମାନ କରିଥିବା ଭୟ ମନରୁ କିଛିଟା ଉଭେଇ ଗଲା ।

ଦିନ ସାରା କାର୍ଯ୍ୟବ୍ୟସ୍ତ ରହିବା ପରେ ସନ୍ଧ୍ୟାରେ ମୁଁ ମୁମ୍ବାଇ ଫେରୁଥାଏ । ପୁନା ସହରର ଭିଡ ରାସ୍ତା ପାରିହୋଇ ହାଇଓ୍ଵେ ଧରିବା ଆଗରୁ ହିଁ ମୁଁ ନିଦରେ ଶୋଇପଡିଲି । ଗଭୀର ନିଦରେ ଥାଇ ମୋର ଆଉ ସ୍ଥାନ କାଳର ଧାରଣା ନଥାଏ । ହଠାତ ମୋର ନିଦ ଭାଙ୍ଗିଗଲା ଓ ମୁଁ ଅନୁଭବ କଲି ଗାଡିଟି ରାସ୍ତା କଡରେ ସ୍ଥିର ହୋଇ ଅଟକି ଯାଇଛି । ଆଗ ସିଟ୍‌ରୁ ଭେନୁ ମୋତେ ବଡ ବଡ ଆଖିରେ ଚାହିଁ ରହିଛି । ଭୟରେ ମୁଁ ଚମକି ଉଠିଲି ଓ ପଚାରିଲି,
– ‘ମୁଁ କୋଉଠି ? ତୁମେ ମୋତେ ଏମିତି ଚାହିଁ ରହିଛ କଣ ପାଇଁ ? କ’ଣ ତୁମ ଉଦ୍ଦେଶ୍ୟ ?’
– ‘ଆପଣଙ୍କୁ ନିଦରୁ ଉଠାଇ ଦେଇଥିବାରୁ ଦୁଃଖିତ । ଟିକିଏ ଚା’ ପିଇବା ପାଇଁ ଏଇଠି ଅଟକି ଥିଲି । ଆପଣଙ୍କୁ ଶୋଇଥିବା ଦେଖି କେମିତି ପଚାରିବି ବୋଲି ଭାଳି ହେଉଥିଲି ।’
ମୁଁ ଆଖି ମଳି ମଳି ସାଷ୍ଟାଙ୍ଗ ହେଲି । ଚା’ ଟିକିଏ ପିଇବା ପାଇଁ ମୁଁ ମଧ୍ୟ ଅଗତ୍ୟା ଗାଡିରୁ ଓହ୍ଲାଇଗଲି । ଶୌଚାଳୟରୁ ଫେରି ଫୁଡ୍‌କୋର୍ଟ୍‌ର ମୁଖ୍ୟ ହଲ୍‌ରେ ପାଦ ଦେଉଦେଉ ଭେନୁ ଆଗରେ ଆସି ଉଭା ହୋଇଗଲା ଓ ମୋତେ ପାଖ ଟେବୁଲ୍ ପାଖକୁ ବାଟ କଢାଇ ନେଲା । ଟେବୁଲ୍ ଉପରେ ରଖା ହୋଇ ଥାଏ ଦୁଇ ଗ୍ଲାସ୍ ଚା’ – ଯାହାକୁ ବମ୍ବେଇୟା ଭାଷାରେ କୁହାଯାଏ କଟିଂ ଚାଏ । ତା’ ସହ ଦୁଇ ଜାଗା ଗରମାଗରମ ଘୁଗୁନି ।
– ‘ନ ପଚାରି ଆପଣଙ୍କ ପାଇଁ ଚା’ ଓ ଘୁଗୁନି ନେଇ ଆସି ଥିବାରୁ ଦୁଃଖିତ । କିନ୍ତୁ ମୁଁ ନିଃସନ୍ଦେହ ଯେ ଆପଣଙ୍କୁ ଏହା ଖୁବ ଭଲ ଲାଗିବ । ଆପଣଙ୍କର କ୍ଳାନ୍ତି ମଧ୍ୟ ଦୂର ହୋଇଯିବ । ଜଣେ ଓଡିଆ ଲୋକ ଏଇ ଫୁଡ୍‌କୋର୍ଟ୍‌ରେ ଘୁଗୁନି ବନାଏ । ଜାଣିବା ଲୋକଙ୍କର ଏହା ଖୁବ ପସନ୍ଦ । ଖାଇ ଦେଖନ୍ତୁ – ଆପଣ ନିରାଶ ହେବେ ନାହିଁ ।’
ଜଣେ ଡ୍ରାଇଭର୍ ପକ୍ଷରେ ଏତେଟା ସ୍ଵାଧୀନତା ସ୍ଵତଃ ହାତ କରିନେବା ଶୋଭା ପାଉନଥିଲା । କିନ୍ତୁ ଭେନୁର ଆଗ୍ରହ ଓ ଗରମ ଘୁଗୁନିର ବାସ୍ନାରେ ମୁଁ ସବୁ ଭୟ ଓ ଆଭିଜାତ୍ୟ ଭୁଲି ତା’ ସହ ବସିଗଲି । ସତରେ ଘୁଗୁନି ଓ ଚା’ ମୋତେ ଖୁବ ତାଜା କରିଦେଲା । ଭେନୁର ମନ ଖୁସିରେ ଯେମିତି ପୁରି ଉଠୁଥାଏ । ସେ ଫୁଲି ଫୁଲି କହୁଥାଏ,
– ‘ଆପଣଙ୍କ ସହ ଏକାଠି ବସି ଚା’ ପିଇବାରେ ମୁଁ ଖୁବ ଆନନ୍ଦିତ । ବିଶ୍ଵାସ କରନ୍ତୁ, ମୁଁ ପୂର୍ବରୁ କୌଣସି ବାବୁଙ୍କ ସହ ଏପରି ବ୍ୟବହାର କରି ନାହିଁ । ଏ ପ୍ରକାରର ଧୃଷ୍ଟତା ସମ୍ପର୍କରେ ଜାଣିଲେ ମୋର ଡ୍ରାଇଭର୍ ଚାକିରିଟି ନିଶ୍ଚୟ କଟିଯିବ ।’
ମୁଁ ହସି ହସି କହିଲି,
– ‘ମୋତେ ବି ଖୁବ୍ ଭଲ ଲାଗିଲା ତୁମ ସହ ବସି ଚା’ ପିଇବାରେ । ଘୁଗୁନି ପାଇଁ ବିଶେଷ ଧନ୍ୟବାଦ । ପ୍ରକୃତରେ ମୁଁ ଘୁଗୁନିର ଜଣେ ଏକନିଷ୍ଠ ଭକ୍ତ । ପିଲାଟି ଦିନରୁ ଘୁଗୁନି ଖାଇବାକୁ ମୋତେ ଖୁବ୍ ଭଲ ଲାଗେ ।’
ଭେନୁ ଓ ମୋ ଭିତରେ ଥିବା ଔପଚାରିକତାର ପାଚେରିରେ ଫାଟ ଦେଖାଦେବାକୁ ଲାଗିଲା । ମୁଁ ତା ବିଷୟରେ ଅଧିକ ଜାଣିବା ପାଇଁ ପଚାରିଲି ପରିବାର ଓ ଓଡିଶାରେ ତାର ଘର ସମ୍ପର୍କରେ । ମୋ ପ୍ରଶ୍ନର କୌଣସି ସିଧା ଉତ୍ତର ନଦେଇ ଭେନୁ କହିଲା,
– ‘ମୁଁ ଜଣେ ନିଃସଙ୍ଗ ପଥିକ । ମୋର ଆଗକୁ ବା ପଛକୁ କେହି ନାହିଁ । ଏପରିକି ଗତ କୋଡିଏ ବର୍ଷରୁ ଅଧିକ ସମୟ ହେବ ମୁଁ ଓଡିଶା ମାଟି ମାଡି ନାହିଁ ।

ଭେନୁ ମୋ ପାଇଁ ଥିଲା ଏକ ନୂଆ ଅନୁଭୂତି । କିନ୍ତୁ ତା’ ବିଷୟରେ ବିଶେଷ ଗୁରୁତ୍ଵର ସହ ଅଧିକ କିଛି ଭାବିବା ମୋ ପାଇଁ ଥିଲା ଅଯୌକ୍ତିକ । ହୁଏତ ଅନେକ ଦିନ ପରେ ବା ପ୍ରଥମ ଥର ପାଇଁ ଜଣେ ଓଡିଆ କ୍ଲାଏଣ୍ଟ୍ ଦେଖି ସେ ହୋଇପଡିଥିଲା ଅଯଥା ଭାବପ୍ରବଣ ।

ପର ଦିନ ସକାଳୁ ଫ୍ଲାଇଟ୍ ଧରି ମୋତେ ଫେରିବାର ଥାଏ । ଭେନୁ ମୋତେ ଠିକ ସମୟରେ ନେଇ ଏଆର୍‌ପୋର୍ଟ୍‌ରେ ପହଞ୍ଚାଇ ଦେଲା । ବ୍ୟାଗ୍ ଗାଡିରୁ ବାହାର କରି ଆଣିଲା ଓ ଡ୍ୟୁଟି ସ୍ଲିପ୍‌ରେ ମୋର ଦସ୍ତଖତ ନେଲା । ମୁଁ ତା ହାତରେ ପାଂଚଶହ ଟଙ୍କା ବକସିସ୍ ଗୁଞ୍ଜି ଦେଲି ।  ସେ ଖୁସିରେ ଗ୍ରହଣ କଲା । ଧନ୍ୟବାଦରେ ପୋତି ପକାଇଲା । ତା’ପରେ ଦ୍ଵିଧା ମିଶା ଥର ଥର ସ୍ଵରରେ କହିଲା,
– ‘ସାର୍, ମୁଁ ଆପଣଙ୍କ ପାଇଁ ଗୋଟିଏ ଉପହାର ଆଣିଛି । ଦୟାକରି ଗ୍ରହଣ କରନ୍ତୁ , ମୋତେ ଖୁବ୍ ଭଲ ଲାଗିବ ।’ ଗାଡି ଭିତରୁ ବାହାର କରିଆଣିଲା ଗିଫଟ୍ ରାପ୍ ହୋଇଥିବା ଗୋଟିଏ ବହି ଓ ମୋ ହାତରେ ଅତି ସନ୍ତର୍ପଣରେ ଧରାଇ ଦେଲା । ତାର ଭାବପ୍ରବଣତାରେ ଅଭିଭୂତ ହୋଇ ମୁଁ ତାର ଉପହାର ଗ୍ରହଣକଲି । ସେ କହିଲା,
– ‘ସାର୍, ମୋର ଗୋଟେ ସର୍ତ୍ତ ଅଛି । ଏ ଉପହାରଟି ଆପଣ ଘରେ ପହଞ୍ଚିଲା ପରେ ଯାଇ ଖୋଲିବେ । ତା ପୂର୍ବରୁ ମୋଟେ ନୁହେଁ ।’
ମୁଁ ହସି ହସି କହିଲି,
– ‘ଠିକ ଅଛି ଭେନୁ, ଏଇଟା ମୁଁ ଘରେ ପହଞ୍ଚିଲା ପରେ ହିଁ ବାହାରକରିବି । ଆଶା, ମୋର ପରବର୍ତ୍ତୀ ବମ୍ବେ ଗସ୍ତରେ ତୁମେ ପୁଣି ଥରେ ଡ୍ୟୁଟିରେ ଥାଇ ମୋ ସହ ଭେଟ ହେବ ।’
ମୁଁ ଏଥର ଭେନୁ ସହ ଅନ୍ତରଙ୍ଗତାର ସହ ହାତ ମିଳାଇଲି ଓ ପ୍ରସ୍ଥାନ ଗେଟ୍ ଆଡକୁ ମୁହାଁଇଲି । ଗେଟ୍ ନିକଟରେ ପହଞ୍ଚି ଦେଖିଲି, ଭେନୁ ମୋ ଯିବା ବାଟକୁ ଚାହିଁ ରହିଛି । ସେ ମୋତେ ହାତହଲାଇ ବିଦାୟ ଦେଲା ଓ ମୁଁ ଏଆର୍‌ପୋର୍ଟ୍‌ର ଭିଡ ଭିତରେ ସାମିଲ୍ ହୋଇଗଲି ।

ଘରକୁ ଫେରିବା ପରେ ହାଣ୍ଡ୍‌ବ୍ୟାଗ୍‌ରୁ ଉପହାରଟି କାଢି ଖୋଲିବାକୁ ଲାଗିଲି । ସେଥିରେ ଥିଲା ଏକ ପୁରୁଣା ବହି । ବହିର ତୃତୀୟ ପୃଷ୍ଠାରେ ମୋ ପିଲା ଦିନର ହସ୍ତାକ୍ଷରରେ ଲେଖାଥିଲା ମୋର ନାମ ଓ ତା’ ତଳେ ଦୁଇଟି ଶବ୍ଦ – ଷଷ୍ଠ ଶ୍ରେଣୀ । ଜାଣି ପାରିଲି, ବହିଟି ମୋର ଷଷ୍ଠ ଶ୍ରେଣୀର ପ୍ରିୟ ସାହିତ୍ୟ ବହି । ନିମିଷକେ ଝପଟି ଗଲି ମୋ ପଢାଘରକୁ । ପୁରୁଣା ବହି ଓ ଫାଇଲ୍‌ପତ୍ର ରଖା ଯାଇଥିବା ଥାକଟିକୁ ଖିନ୍ ଭିନ୍ କରି ଖୋଜିବାକୁ ଲାଗିଲି ସତେ ଯେପରି ହଜାଇ ଦେଇଥିବା ରତ୍ନଟିଏ । ଶେଷରେ ଦରକାରୀ ଜିନିଷଟି ମିଳିଗଲା – ମଇଳା, ପୁରୁଣା ସାହିତ୍ୟ ବହିଟିଏ । ବହିଟିର ତୃତୀୟ ପୃଷ୍ଠାରେ ଲେଖାଥିଲା, ବେଣୁ ପ୍ରଧାନ, ଷଷ୍ଠ ଶ୍ରେଣୀ । ମନେ ପଡିଲା ପିଲା ଦିନର କଥା । ମୋର ଷଷ୍ଠ ଶ୍ରେଣୀ ପରେ ମୋ ବାପା ଓ ଆମ ପୁରା ପରିବାର ସୁନ୍ଦରଗଡ଼ ଛାଡି କଟକ ସ୍ଥାନାନ୍ତରୀତ ହୋଇଥିଲୁ । ସେତେବେଳେ ମୋର ପ୍ରିୟ ସହପାଠୀ ବେଣୁ ଓ ମୁଁ ଆମ ସାହିତ୍ୟ ବହି ଦୁଇଟି ପରସ୍ପର ମଧ୍ୟରେ ବଦଳ କରିଥିଲୁ । କଥା ଥିଲା, ଆମେ ଏ ବହିକୁ ଦେଖି ପରସ୍ପରକୁ ସବୁଦିନ ମନେ ରଖିବୁ । ବାଲ୍ୟକାଳର ଏ ନିଃଷ୍ପାପ କଳ୍ପନା ଓ ବେଣୁର ସର୍ତ୍ତହୀନ ବନ୍ଧୁତା ମନରେ ସ୍ପଷ୍ଟ ହୋଇ ଆସିଲା । ବୁଝି ପାରିଲି, ମୋ ସହ ଡ୍ରାଇଭର୍ ଭାବରେ ଗତ ତିନି ଦିନ ଧରି କାମ କରିଥିବା ଲୋକଟି ଆଉ କେହି ନୁହେଁ, ମୋର ସହପାଠୀ ଓ ବାଲ୍ୟବନ୍ଧୁ ବେଣୁ । ମନେ ପଡିଲା, ଆମେମାନେ ସୁନ୍ଦରଗଡ଼ ଛାଡିବା ପରେ ସେହି ଷଷ୍ଠ ଶ୍ରେଣୀ ପରେ ବେଣୁ ଘରୁ ନିରୁଦ୍ଦିଷ୍ଟ ହୋଇ ଯାଇଥିଲା । ବାପା ମାଆ ଛେଉଣ୍ଡ ବିଚରା ପିଲାଟା ସମ୍ପର୍କୀୟ ମାନଙ୍କର ଦୌରାତ୍ମ୍ୟ ସହି ନ ପାରି କେଉଁ ଆଡେ ଚାଲିଗଲା ବୋଲି ସେତେବେଳେ ଆମ ଘରେ ବାପା ମା’ କଥା ହେଉଥିଲେ । କଥାଟାର ଗୁରୁତ୍ଵ ମୁଁ ସେତେବେଳେ ବୁଝି ପାରିନଥିଲି ଓ ପରେ ବୁଝିବାକୁ କେବେ ଚେଷ୍ଟା କରିନଥିଲି ।

କାଳ ବିଳମ୍ବ ନ କରି ମୁଁ ବେଣୁକୁ ଫୋନ୍ ଲଗାଇଲି । ମନେ ପଡିଲା ସେ କହିଥିବା କଥା –  ‘ମୋ ନାଁ ଭେନୁ – ଭେନୁ ପ୍ରସାଦ । ଦରକାର ହେଲେ ଯେ କୌଣସି ସମୟରେ ମୋତେ ନିଶ୍ଚୟ ଫୋନ୍ କରିବେ ।’ କିନ୍ତୁ ଫୋନ୍‌ରେ ଅନ୍ୟ ଦିଗରୁ ଉତ୍ତର ଆସିଲା, –  ‘ଏ ନମ୍ବରଟି ଭେନୁର ବ୍ୟକ୍ତିଗତ ନମ୍ବର ନୁହେଁ । ଡ୍ୟୁଟି ସମୟରେ ଏଜେନ୍‌ସି ତରଫରୁ ସୀମିତ ବ୍ୟବହାର ପାଇଁ ଡ୍ରାଇଭର୍ ମାନଙ୍କୁ ଫୋନ୍ ଯୋଗାଇ ଦିଆଯାଇଥାଏ ।’
ମୁଁ ବେଣୁ ସହ କଥା ହେବାପାଇଁ ଚାହିଁବାରୁ ଫୋନ୍‌ରେ ଅନ୍ୟ ଦିଗରେ ଥିବା ଏଜେନ୍‌ସିର ବ୍ୟକ୍ତିଜଣକ କହିଲେ,
– ‘ସାର୍, ଆପଣଙ୍କ ଡ୍ୟୁଟି ପରେ ସେ ଅତି ତରତରରେ ଚାକିରୀ ଛାଡି ଦେଇଛି । ବୋଧହୁଏ ସେ ନାଗପୁରରେ ତା’ ଗାଆଁକୁ ଚାଲି ଯାଇଥିବ । ଯଦି ଆପଣଙ୍କର କିଛି ଅଭିଯୋଗ ଥାଏ, ଆପଣ କହି ପାରନ୍ତି । ଆମେ ନିଶ୍ଚୟ …..’

ମୁଁ ଫୋନ୍ କାଟିଦେଲି । ଅଭିଯୋଗ ତ ନିଶ୍ଚୟ ଅଛି – ବେଣୁ ତା’ର ପରିଚୟ ଦେଲା ନାହିଁ !

****

ବାଘ ନା ଫାଗ ?

ବାଘ ଡରୁଥାଏ ଫାଗକୁ
ହଟିଗଲେ ନିଘା କେଜାଣି କିଏ ସେ ବିପଦ ଆଣିବ ଆଗକୁ !

ଦିନେ ପଡିଥିଲା ପଦିଆ ଅଧିଆ କଚେରୀ ପାଚେରି ଆଗରେ
ପ୍ରବେଶ-ତନଖି ଅଶେଷ ତଲବ ପାରି ହେବ କେଉଁ ବାଗରେ
ବେକର ଗାମୁଛା ମୁଣାର ଛତୁଆ ବିପଦର କାଳେ କାରଣ
ପରିଚୟ ନଥି ନ ଥିଲା ଯେହେତୁ ଜଗୁଆଳି କଲା ବାରଣ
ସରକାରୀ କଳ ଶକତ
ବକଟେ ପଦିଆ ତଥାପି ଅଟକ ପାଣି ଫାଟେ ତାର ରକତ ।
ବାଘ ଡରୁଥାଏ ଫାଗକୁ
ହଟିଗଲେ ନିଘା କେଜାଣି କିଏ ସେ ବିପଦ ଆଣିବ ଆଗକୁ !

ବଳୁଆ, ଧନୀକ, ହାକିମ, ମାଲିକ, ପାଠୁଆ, ମୁରବୀ ସକଳ
ପ୍ରଭାବହାନିର ଭୟରେ ଗୋପନେ ଅହରହ ହୋଇ ବିକଳ
କରନ୍ତି କଳନା ସରଳ ନିରୀହ ଭିତରେ ଛପିଛି ଘାତକ
ପ୍ରତିକ୍ଷଣେ ହୁଏ ତଲାସି ପ୍ରମାଣ, ଆଧାର ହେଉ ବା ଜାତକ
ଛାଗଳ ଦଳରେ ଶୃଗାଳ
ଠାବ କରିବାର କୁଶଳୀ କେବଳ ଦେଖଇ ସଫଳ ସକାଳ ।
ବାଘ ଡରୁଥାଏ ଫାଗକୁ
ହଟିଗଲେ ନିଘା କେଜାଣି କିଏ ସେ ବିପଦ ଆଣିବ ଆଗକୁ !

ଦେଖି ବେଳକାଳ ଓଲଟେ କପାଳ ଶିକାର ପାଲଟେ ଶିକାରୀ
ବଳ କଉଶଳ ପାଣିରେ ଫୋଟକା, ଧନବାନ କ୍ଷଣେ ଭିକାରି
ନିରିବୋଧ କେହୁ ବଡିମାପଣରେ ଫାଗ ମନେକଲେ ବାଘକୁ
ପରିଣାମ ହୁଏ ବଡ ଭୟାବହ ଗମନ ବିଲୟ ଦିଗକୁ
ଡରିଡରି ଏକ ଆରକୁ
ସତେ କି ମଣିଷ ଚାଳିତ ଏ ଯୁଗେ ଠାବ କରି କାଲ ଠାରକୁ ।
ବାଘ ଡରୁଥାଏ ଫାଗକୁ
ହଟିଗଲେ ନିଘା କେଜାଣି କିଏ ସେ ବିପଦ ଆଣିବ ଆଗକୁ !

****