ଲେଉଟା ଢେଉ

ମୁଗ୍ଧ ମୁଁ ଦେଖେ ଗୋପାଳପୁରର
                               ସ୍ନିଗ୍ଧ ସାଗର ତୀରେ
ଅପସରିଯାଏ ଦିଗ୍‌ବଳୟରୁ
                               ଅନ୍ଧାର ଧୀରେଧୀରେ ।
ନରମ ଆଲୋକ ଉଦ୍‌ଘୋଷ କରେ
                               ପ୍ରଭାତର ଆଗମନ
ପ୍ରକୃତି ସତେ ବଦଳାଏ ତାର
                               ରାତ୍ରିର ପରିଧାନ ।
ପୂର୍ବ ଆକାଶେ ଅଙ୍କିତ ହୁଏ
                               ବର୍ଣ୍ଣ-ବିଭୋର ଛବି
ମନ୍ଦ୍ରଗତିରେ ଉଙ୍କି ଉଠଇ
                               ସ୍ବର୍ଣ୍ଣ ପ୍ରତୀମ ରବି ।
ହୁଏ ଗତିଶୀଳ ଜୀବନ ଜୀବିକା
                               ବାଳାରୁଣ ତାଳେ ତାଳେ
ସତତ ମୁଖର ଜୀବନ ଚକ୍ର
                               ତାର ଇନ୍ଧନ ବଳେ ।
ବିଗତ ରାତିର କ୍ଳାନ୍ତି କଷଣ
                               ବିରହ ବିଷାଦ ଯେତେ
ପ୍ରୀତି ଛଳଛଳ ଲେଉଟା ଢେଉରେ
                               ଭସାଇ ଦେଇଛି ସତେ !
ଉଚ୍ଚାଟ ମନ ପୁଲକେ ବିଭୋର
                               ମୁକ୍ତ ମୋ ଅନୁଭବ
ଭୃକ୍ଷେପ ନାହିଁ ଆଗତ ରୌଦ୍ର
                               ଶଙ୍କା ବା ପରାଭବ !

****

ବିନ୍ଧ ଗଣିବା ଆଗ

ପଛରେ ଚକୁଳି କରିବା ପାକୁଳି
ବିନ୍ଧ ଗଣିବା ଆଗ
କି ଲାଭ ପାଟିର ସୁଆଦ, ନଜାଣି
ରନ୍ଧା ଘରର ପାଗ !

ନାଟକରେ ଥାଉ ନବରସ ଭରି
ଶିଳ୍ପୀର କୋଟି ତପ
ଅସଲ ଆମୋଦ ଦେଇପାରେ ସିନା
ମଞ୍ଚ ପଛର ଗପ !

ମିଛ ଖବରର ପ୍ରଖର ପ୍ରସାର
କ୍ଷିପ୍ର ବିଜୁଳି ଗତି
ଅସଲ କଥାର ଅଯଥା ଓଜନ,
ସ୍ପର୍ଶ କରେନା ମତି !

ବିଫଳତା ଗପ ରୋଚକ ରସାଳ
ଉଷ୍ମ ସୃଜନ ଭରା
ସଫଳ କାହାଣୀ ମନେହୁଏ ସତେ
ଶୁଷ୍କ ନିରସ ଖରା !

ମାଗଣା ଖୋରାକି ଉଦାର ଉପୁରି
ମତ୍ତ ସୁଖର ଧାର
ଝାଳବୁହା ଧନ ହାପୁଡାଏ ଖୁସି
ତୁଚ୍ଛ ପାଣିରେ ଗାର !

ବଦଳି ଯାଉଛି ଜୀବନ ଗଣିତ
ସୂତ୍ର ନରହି ଏକା
ନୂଆ ଦୁନିଆରେ ଅଜଣା ଏଣିକି
ଶୁଦ୍ଧ ସରଳ ରେଖା ।


ବାଘ ନା ଫାଗ ?

ବାଘ ଡରୁଥାଏ ଫାଗକୁ
ହଟିଗଲେ ନିଘା କେଜାଣି କିଏ ସେ ବିପଦ ଆଣିବ ଆଗକୁ !

ଦିନେ ପଡିଥିଲା ପଦିଆ ଅଧିଆ କଚେରୀ ପାଚେରି ଆଗରେ
ପ୍ରବେଶ-ତନଖି ଅଶେଷ ତଲବ ପାରି ହେବ କେଉଁ ବାଗରେ
ବେକର ଗାମୁଛା ମୁଣାର ଛତୁଆ ବିପଦର କାଳେ କାରଣ
ପରିଚୟ ନଥି ନ ଥିଲା ଯେହେତୁ ଜଗୁଆଳି କଲା ବାରଣ
ସରକାରୀ କଳ ଶକତ
ବକଟେ ପଦିଆ ତଥାପି ଅଟକ ପାଣି ଫାଟେ ତାର ରକତ ।
ବାଘ ଡରୁଥାଏ ଫାଗକୁ
ହଟିଗଲେ ନିଘା କେଜାଣି କିଏ ସେ ବିପଦ ଆଣିବ ଆଗକୁ !

ବଳୁଆ, ଧନୀକ, ହାକିମ, ମାଲିକ, ପାଠୁଆ, ମୁରବୀ ସକଳ
ପ୍ରଭାବହାନିର ଭୟରେ ଗୋପନେ ଅହରହ ହୋଇ ବିକଳ
କରନ୍ତି କଳନା ସରଳ ନିରୀହ ଭିତରେ ଛପିଛି ଘାତକ
ପ୍ରତିକ୍ଷଣେ ହୁଏ ତଲାସି ପ୍ରମାଣ, ଆଧାର ହେଉ ବା ଜାତକ
ଛାଗଳ ଦଳରେ ଶୃଗାଳ
ଠାବ କରିବାର କୁଶଳୀ କେବଳ ଦେଖଇ ସଫଳ ସକାଳ ।
ବାଘ ଡରୁଥାଏ ଫାଗକୁ
ହଟିଗଲେ ନିଘା କେଜାଣି କିଏ ସେ ବିପଦ ଆଣିବ ଆଗକୁ !

ଦେଖି ବେଳକାଳ ଓଲଟେ କପାଳ ଶିକାର ପାଲଟେ ଶିକାରୀ
ବଳ କଉଶଳ ପାଣିରେ ଫୋଟକା, ଧନବାନ କ୍ଷଣେ ଭିକାରି
ନିରିବୋଧ କେହୁ ବଡିମାପଣରେ ଫାଗ ମନେକଲେ ବାଘକୁ
ପରିଣାମ ହୁଏ ବଡ ଭୟାବହ ଗମନ ବିଲୟ ଦିଗକୁ
ଡରିଡରି ଏକ ଆରକୁ
ସତେ କି ମଣିଷ ଚାଳିତ ଏ ଯୁଗେ ଠାବ କରି କାଲ ଠାରକୁ ।
ବାଘ ଡରୁଥାଏ ଫାଗକୁ
ହଟିଗଲେ ନିଘା କେଜାଣି କିଏ ସେ ବିପଦ ଆଣିବ ଆଗକୁ !

****

ଛାଗଳ ଗାଥା

ଗଣତନ୍ତ୍ରର ପଥହୁଡା ନେତା ଗଲେ ମହାରାଜା ପାଲଟି
ଭ୍ରାନ୍ତ ଜନତା ବିସ୍ମୟେ ଦେଖେ ସବୁକିଛି ଯାଏ ଓଲଟି
ସମ୍ବିଧାନର ପୃଷ୍ଠାକୁ ଫାଡି ଭସାଇଲେ କରି ନଉକା
ଦମ୍ଭେ କହିଲେ  ଉଦାରେ ଦେଲେ ସେ ଜନତା ହାତରେ ମଉକା
                      ନୂଆ ରାଜା ସତେ ପାଗଳ
ପ୍ରଜାଙ୍କୁ ମଣିଲେ ଈଶ୍ବର କେବେ, କେବେ ପୁଣି ଛାର ଛାଗଳ ।

ଅନ୍ଧ ମିଜାଜୀ ମହାରାଜା ଦିନେ କହିଲେ ଆଣିବେ ସମତା
ନିପାତ କରିବେ ପକ୍ଷପାତିତା ଖଟାଇବେ ରାଜ କ୍ଷମତା
ପାଳିକରି ହେବ ସୂର୍ଯ୍ୟ ଉଦୟ ପଶ୍ଚିମ ଆଉ ପୂରୁବେ
ଏକାଧିକାରର ଅନ୍ତ ଘଟିବ ନ୍ୟାୟ ଅଧିକାରୀ ସରବେ
                      ସୂର୍ଯ୍ୟକୁ ଦେଲେ ଆଦେଶ
ରାଜ-ଆଜ୍ଞାର ପାଳନେ ମିଳିବ ଅନୁମତି ଧରା ପ୍ରବେଶ ।

ଉଣ୍ଡି ସୁଯୋଗ ପଣ୍ଡିତଗଣ ଜୟଜୟ ଗାନେ ମୁଖର 
ସତେ ମିଳିଗଲା ସମାଧାନ ଏବେ ବହିବ ସରିତ ସୁଖର
ଗତାନୁଗତିକ ପନ୍ଥାରେ ନାହିଁ ମାନବ ଜାତିର ବିକାଶ
ସମ୍ବିଧାନର ଅଙ୍କୁଶ ନେଇ ଛୁଇଁ ହେବନାହିଁ ଆକାଶ
                      ବୁଝିପାରେ ଯିଏ ଚତୁର
ଅସୀମ କ୍ଷମତା ହାତରେ ଯାହାର ସେହି ତ ପୂଜ୍ୟ ଠାକୁର ।

ଦିନ କତିପୟ ଗଲାପରେ ବିତି ମନ୍ତ୍ରୀ କହିଲେ “ରାଜନ,
ଦେଶ ଇତିହାସେ ଆପଣ ହିଁ ଏକା ଭକ୍ତି ଆଦର ଭାଜନ
ମୁଖ-ନିଃସୃତ ନିର୍ଦ୍ଦେଶ ତବ ବାଳାରୁଣ କଲେ ପାଳନ
ଖବର ଆସିଛି ପଶ୍ଚିମାକାଶ ପ୍ରଭାତେ ଦିଶୁନି ମଳିନ
                      ଗଣମାଧ୍ୟମ ଗରମ
ଆପଣ ହିଁ ହେବେ ଭାରତ ରତ୍ନ, ସମ୍ମାନ ପାଇ ଚରମ” ।

ବଡ ବହୁମତେ ନୂତନ ବିଧାନ ସଂସଦେ ହେଲା ପାରିତ
ଅର୍ଦ୍ଧେକ ଦିନ ମାସରେ ‘ପୂର୍ବ’, ‘ପଶ୍ଚିମେ’ ହେଲା ନାମିତ
ଘୋଷଣାରେ ଯାହା ପଣ କରିଥିଲେ ହେଲା ଗୋଟାପଣେ ପୂରଣ
ନିନ୍ଦୁକକିଛି ମନ୍ଦମତିରେ ତଥାପି ନଗଲେ ଶରଣ
                      ପ୍ରଶ୍ନ କଲା ଯେ ଅଧମ
ଦଣ୍ଡିତ ହେଲା ଦେଶଦ୍ରୋହ ପାଇଁ ଭୋଗିଲା ତା କୃତ କରମ ।

ଜନ ଆଦୃତି ଗଲା ବଢି ବଢି ଆଉ ରହିଲାନି ବିରୋଧ
ପ୍ରତି ପଦପାତେ ଲଭିଲେ ରାଜନ ଅସ୍ମିତା ଆଳେ ଦରଦ
                      କ୍ଷମତାରେ ରାଜା ପାଗଳ
ପ୍ରଜାଙ୍କୁ ମଣିଲେ ଈଶ୍ବର କେବେ, କେବେ ପୁଣି ଛାର ଛାଗଳ ।

****

ଅଦ୍ଭୁତ ବ୍ୟଞ୍ଜନ

ସଞ୍ଜ ସକାଳେ ଭୁଞ୍ଜେ କଟକ, ଆଳୁଦମ୍ ଦହିବରା
ବର୍ଷ ତମାମ ସୁଆଦେ ହର୍ଷ, ବର୍ଷା ହେଉ ବା ଖରା
ଅଦ୍ଭୁତ ବ୍ୟଞ୍ଜନ
ସ୍ବାଦ ଗ୍ରନ୍ଥିର ମୃଦୁ ମନ୍ଥନ ତୋଳୁଥାଏ ଗୁଞ୍ଜନ ।।

ଶ୍ରାନ୍ତ ଶ୍ରମିକ ଭ୍ରାନ୍ତ ପ୍ରେମିକ କ୍ଳାନ୍ତ ଧନିକ କେହୁ
ଶାନ୍ତ ସରଳ ସନ୍ଥ ଚପଳ ବଳୁଆ ହଳୁଆ ହେଉ
ଅଦ୍ଭୁତ ବ୍ୟଞ୍ଜନ
ସକଳ ଆତ୍ମା ତା ପାଇଁ ସମାନ ଅକପଟ ବନ୍ଧନ ।।

ସଦ୍ୟ ବରାର ଶୁଷ୍କ ଉଦରେ ଭେଦି ଭେଦି ଯାଏ ଦହି
ଆଦ୍ୟ ଶ୍ରାବଣେ ଫୁଲି ଫୁଲି ଉଠେ ଯେପରି ଆର୍ଦ୍ର ମହୀ
ଅଦ୍ଭୁତ ବ୍ୟଞ୍ଜନ
ଆଳୁଦମ୍ ସହ ଯୁଗଳ ପୁଷ୍ଟି ସ୍ବାଦ କରେ ବର୍ଦ୍ଧନ ।।

ବନ୍ଧୁତା ଡୋର ଶକ୍ତ ବିଭୋର ହାତେ ଧରିଥିଲେ ଠୋଲା
ଉତ୍ସବ ସେ ତ ପ୍ରତିଟି ଦିନର ଶୁଦ୍ଧ ହୃଦୟ ଖୋଲା
ଅଦ୍ଭୁତ ବ୍ୟଞ୍ଜନ
ରେସ୍ତୋରାଁ ନୁହେଁ, ରାସ୍ତା କଡରେ ଲଭେ ଶତ ସମ୍ମାନ ।।

ତୁଣ୍ଡେ ବାଜିଲେ ଗୁଣ୍ଡ ମସଲା ସ୍ବାଦ ହୁଏ ଦୁଇଗୁଣ
ଢୋକେ ଦହି ପାଣି ଅମୃତ ପରି ରେସିପିରେ ନାହିଁ ଖୁଣ
ଅଦ୍ଭୁତ ବ୍ୟଞ୍ଜନ
ଉନ୍ନତ ଏକ ଶିଳ୍ପ ଆମର, କରେ ତାର ବନ୍ଦନ ।।


ଧନ୍ୟ

ନତ ମସ୍ତକେ କହୁଛୁ ଧନ୍ୟ ଅକପଟ ତୁମ ଉଦାର ନୀତି
ଆଉ ନାହିଁ ଆମ ମନରେ ଭୀତି
ମାନବ ଜାତି !
ଆଜି ତୁମେ ଲାଗ ବଡ ଆପଣାର କୁକୁର ପିଢିର ପରମ ସାଥି ।

ମର୍ଯ୍ୟାଦା ଅବା ବୁଲା କୁକୁରର କି ଥିଲା ସମାଜେ ବିଗତ କାଳେ?
ଘୁରି ବୁଲୁଥିଲୁ ଭୋକ ବିକଳେ
ଆଦର ଛଳେ
ସମୀପେ ଡକାଇ ଦେଇଛ ଗୋଇଠା, ଦୟା ପାଇ କେବେ ନଡୁଆ ଫାଳେ ।

ହେଲେ ବଦଳିଛି ଭାଗ୍ୟ ଆମର ନାହିଁ ହୀନିମାନୀ ପୁରୁଣା ଦିନ
ଗଳି ପିଛା ରହୁ ବହୁ ଡଜନ
ଆମ ଜୀବନ
ତୁମ ସହଯୋଗେ ବିତୁଛି ଆରାମେ, ଆମ ଅଧିକାର ତୁମ ସମାନ ।

ଗଳି ରାସ୍ତାର ଦୁଇଧାରେ ତୁମେ ଠୁଳାଅ ମଇଳା, ଆହାର ବାସି
ସତେ କି ଭୋଜନ ଦିଅ ପରଶି
ଖାଉ ଭରସି
ସାଦର ଉଦର ତେଜ ଦିଏ ଭରି ଭୁକି ଭୁକି ଆମେ ବିତରୁ ଖୁସି ।

ଛାଡ ଅଭିଯୋଗ, କୋଳାହଳ ଆମ ନଲାଗିବ ଆଉ ଶୃତିରେ କଟୁ
ସଭିଏଁ ଲଢେଇ ରମଣେ ପଟୁ
ସଡକେ ଖଟୁ
ସ୍ନେହ କାଙ୍ଗାଳ ପ୍ରଜାତି ଆମର ଲଘୁ-ପ୍ରଲୋଭନେ ପାଦକୁ ଚାଟୁ ।

କେବେ ନେଲେ କିଏ ସରାଗେ କୋଳେଇ ଗାଲେ ଲେପିଦେଉ ନାଳୁଆ ବୋକ
ନଥାଉ ପାଳିତ କୁକୁର ଭେକ
ଦରଦ ଦେଖ
ବଦଳରେ ଛାଡ ଅହେତୁକ ଭୟ ମାଡିଯିବ ନାହିଁ ରୋଗ ଅନେକ ।

ନିନ୍ଦୁକ କହେ ରାତି ଅନ୍ଧାରେ କାମୁଡି ଗୋଡାଉ ଦେଖିଲେ କାରେ
ନିଦ ଭାଜିଯାଏ ଆମ ଭୁକାରେ
ଭାବିଲ ଥରେ
ତୁମେ ନିରାପଦ ଆମ ପହରାରେ ପ୍ରବେଶ ନିଷେଧ ଅନଧିକାରେ ।

କାନୁନ୍ ବହିରେ, କୋଟ୍ କଚେରୀରେ ଆମ ଅଧିକାର ଲିଖିତ ଆଜି
ତୁମ ବଡପଣ ଗଲାଣି ଭାଜି
ଗରବ ତେଜି
ପ୍ରତି ସଡକରେ ବାଡି ଅଗଣାରେ ଆମ ହେପାଜତ ରଖିବ ହେଜି ।

ଫୋପାଡିଲେ ଢେଲା ଆମ ଉପରକୁ ସହସା ହାତରେ ପଡିବ କଡି
ଦଇବାତ ଗଲେ ମିଜାଜ ଚଢି
ଦେଉ କାମୁଡି
ଆଚରଣ ତୁମ ସଭ୍ୟ ଲାଗିଲେ ଆମେ ବି ମିଶିବୁ ହିଂସା ଛାଡି ।

ପ୍ରଖ୍ୟାତ ପ୍ରିୟ କଟକ ନଗର ବାଉନ ବଜାର ତେପନ ଗଳି
ଅଣ ଓସାରିଆ ସହର ତଳି
ଆସିଛୁ ଚଳି
ହଜାର ବରଷେ ବୁଲା କୁକୁରର ଅବଦାନ କିଏ ପାରିବ କଳି ?


ସମୟ

ନିତ୍ୟ ଅନାଦି ଭବେ ସମୟର ଧାରା
ଛନ୍ଦେ ତାହାରି ଆତ ଯାତ ଗ୍ରହ ତାରା ।

ବ୍ୟାପ୍ତ ସକଳ ଲୋକେ, ସବୁ ତା କବଳେ
ଚିରବହମାନ ସ୍ବତଃ ସମତୁଲ ତାଳେ ।

ଯୁଗ ପରେ ଯୁଗ ଯାଏ ପଲକ ସମାନ
କ୍ଷୁଦ୍ର ଅତୀବ ତହିଁ ମାନବ ଜୀବନ ।

ଶୈଶବ କୈଶୋର ଠାରୁ ଯଉବନ ଜରା
ଦଣ୍ଡେ ଅବଧି ଠାରୁ ଉଣାହେବ ପରା ।

ତୁଚ୍ଛ ସେ ଜୀବକାଳ ସମୟ କ୍ରମରେ
ତଥାପି ମାନବ ଜାତି ସିକ୍ତ ଭ୍ରମରେ ।


ଧ୍ରୁବତାରା

ଦୀର୍ଘ ଦିନର ପଥହରା ଜାତି
ଶୋଷଣ କଷଣ ସହି ମଥାପାତି
ହତାଶା ଅନଳେ ଭଷ୍ମ ପାଲଟି
                             ହରାଇଲା ସ୍ବାଭିମାନ
ଲୁପ୍ତ ଗରିମା ସମ୍ମାନ ଗାଥା
କଙ୍କାଳସାର ଉତ୍କଳ ମାତା
ସଙ୍କଟ ଥିଲା ଚିର ସହଚର
                            ଅଗୋଚର ସମାଧାନ  ।।
ଏ ବିଷମ କାଳେ ଫେଡି ଅନ୍ଧାର
ଆଶା ଆଲୋକର ହେଲା ସଂଚାର
ଗୋପବନ୍ଧୁ ହେ ତୁମେ ଯେବେ ହେଲ
                            ନିଃସ୍ବ ଜାତିର ସାହା
ଦୁର୍ଦ୍ଦଶାଗତ ଅନାହାରେ ହତ
ବ୍ୟାଧି ପ୍ରପୀଡିତ ଶିକ୍ଷା ରହିତ
କୋଟି ଜନତାର କର୍ଣ୍ଣେ କହିଲ
                            ଅନୁକମ୍ପାର ‘ଆହା’ ।।
ମୁକ୍ତ ବକୁଳ ବନ ପ୍ରାଙ୍ଗଣେ
ପାଠଶାଳା ଖୋଲି ଜାତି ନିର୍ମାଣେ
ମୂଲ୍ୟବୋଧର ବିଭବ ବାର୍ତ୍ତା
                             ବ୍ୟାପ୍ତ କରିଲ ଦେଶେ
ଅସହଯୋଗର ଆନ୍ଦୋଳନରେ
ଅଗ୍ରତା ନେଇ ପୂର୍ଣ୍ଣ ପ୍ରାଣରେ
ଜାତୀୟ ସ୍ବାର୍ଥେ ସେହି ସନ୍ତକ
                            ବଳିଦାନ ଦେଲ ଶେଷେ ।।
ମାନବ ସେବାର ଉଚ୍ଚାଟ ଧାରା
ଅବିରତ ତବ ଅନ୍ତରେ ଭରା
ତୁମେ ପୁଣି କବି ପ୍ରେରଣା-ଉତ୍ସ  
                            ଜାତିର ମଉଡମଣି
ଏକଜୁଟ ହେଉ ଓଡିଶା ପ୍ରଦେଶ
ଏହି ଥିଲା ତୁମ ସ୍ବପ୍ନ ଆବେଶ
ସଂଗ୍ରାମ ହେଲା ବ୍ୟାପକ ଆହୁରି
                            ତୁମ ଆହ୍ବାନ ଶୁଣି  ।।
ଜାତୀୟ ମଂଚେ ବଢିଲା ଭୂମିକା
ଦୀପ୍ତ ଓଡିଆ ପରିଚିତି ଶିଖା
ହେଲେ ଅସମୟେ ମୃତ୍ୟୁ ରଚିଲା
                            ମର ଶରୀରର ଶେଷ
ତୁମେ ପାଲଟିଲ ନଭେ ଧ୍ରୁବତାରା
ତୁମ ଦର୍ଶନ ଚିର ଅପାଶୋରା
ଧନ୍ଯ ଏ ଜାତି, ଲଭିଛି ତୁମର
                            ଯଥା ଦିଶା ନିର୍ଦ୍ଦେଶ ।।

****

ଭିତର ପୋଲା

ବଡ ଯତନରେ ସାଇତି ରଖିଲି
                            ତୁମ ଓକିଲର ଧମକ ଚିଠି
ସରାଗେ ଲେଖିଛ ରାଜିରେ ରାଜିରେ
                            ପ୍ରେମ-ବିବାହକୁ କରିବା ପିଠି ।

ପାରିବି କି ଟାଳି ତୁମ ମନକଥା
                             ମୋ ସୁଖର ଚାବି ତୁମରି ପାଶେ
ପ୍ରେମର ନିଶାରେ ବରଷେ ଝୁମିଲୁ
                             ତାପରେ ବିବାହ ହେଲାଣି ମାସେ ।

ଜାଣେ ତୁମ ପ୍ରେମ ଜାହାଜକୁ ଲୋଡା
                            ଗଭୀର ସାଗର ଅକାତ ଜଳ
ହେଲେ ମୁଁ ବିଫଳ ନାୟକ ତୁମର
                            ପାରିଲିନି ଛାଡି ଗଡିଆ କୂଳ ।

ସାତ ଜନମର ଯୁଗଳ ଜୀବନ
                             ଶୁଖିଲା ସପନ ଭିତର ପୋଲା
ନୁଖୁରା ପ୍ରେମର ଖୁଚୁରାରେ ଧ୍ୟାନ
                             କି ଲାଭ ନ ଥିଲେ ହୃଦୟ ଖୋଲା ?

ନିତି ପ୍ରତିଦିନ ମୋର ଦୋଷଗୁଣ
                            ଆଉ କେ କହିବ ବିଶଦେ ମୋତେ
ଝୁରି ହେଲେ ପ୍ରେମ ହୁଏ ଦୁଇଗୁଣ
                            କାହିଁକି କରିବି ବିଷାଦ ସତେ ?

***

ପାଟିଏ ବନ୍ୟା

ବେଳ ଅବେଳରେ ଗୁଞ୍ଜି ଥାଏ ମୁଁ କଳରେ ଗୁଣ୍ଡି ପାନ
ନିର୍ଯାସ ଯାର ଚିରସ୍ରୋତା ଝର ସତତ ପ୍ରବହମାନ
ମନ୍ଦ୍ର ତାହାର ଗତି
ମନ୍ଥନ କରେ ସ୍ବାଦକୋଷ ମୋର ଉଷ୍ମ ଆଦରେ ଅତି ।

ଜମି ଜମି ଆସେ ପାଟିଏ ବନ୍ୟା, ଧନ୍ଯ ରସାଳ ଧାର
ବନ୍ଦ ଓଠର ବନ୍ଧ ପଛରେ ବଢୁଥାଏ ଚାପ ତାର
ମଉନ ରହିବା ସାର
କୂଳ ଲଙ୍ଘିଲେ ନିଃସୃତ ହେବ ରଞ୍ଜିତ  ପାରାବାର ।

ଉତ୍ତେଜନାର କେନ୍ଦ୍ରେ ଥିଲେ ବି ଇଚ୍ଛା ମୋ ପ୍ରଶମିତ
ମୁନି-ୠଷିସମ ନିରବ ମୁଦ୍ରା ମୁଖ କରେ ମଣ୍ଡିତ
ଭାବ ବିନିମୟ ହେତୁ
ଇଙ୍ଗିତ ଆଉ ଇସାରା ହିଁ ସାର ସନ୍ତୁଳି ମୁଖ-ସେତୁ ।

ବିଗତ ଦିନର ବିନୟୀ ବଟୁଆ କହେ ଅସ୍ମିତା କଥା
ସ୍ମରଣ କରାଏ ଆମ ଲୋକାଚାର ଓଡିଆ ଘରର ପ୍ରଥା
ପାନ କଲେ ନିବେଦନ
ଆତ୍ମୀୟତାର ଉନ୍ମେଷ ସାଥେ ମିଳେ ଶତ ସମାଧାନ ।

ପ୍ରୀତି ଅନୁରାଗ ଆଦର ପ୍ରଣୟ ସବୁର ପ୍ରତୀକ ପାନ
ପ୍ରିୟତମା ପାଇଁ ସମୁଚିତ ଭେଟି, ଭଞ୍ଜନ କରେ ମାନ
ଶୃଙ୍ଗାର ରସ ଭରି
ବଟୁଆ-ସମାଜେ ପାନ ସର୍ବଦା ବାହୁଥିଲା ପ୍ରେମ ତରୀ ।

ଜାଣିଛି ଅନେକ ପାନୁଆ-ମିତ୍ର ଭିନ୍ନ ସ୍ବଭାବେ ଭରା
ସଂଯତହୀନ ଥୁକର ପ୍ରଲେପ ଲେପନ୍ତି ସହର ସାରା
ନ୍ୟାଯ୍ୟ ସକଳ ରୋଷ
କିଛି ଉପଜାତ ଧର୍ମ ତାହାର, କି ଅବା ପାନର ଦୋଷ ?

ନିର୍ବୋଧ କହେ ପାନ ନୁହେଁ ଏକ ମାର୍ଜିତ ଆଚରଣ
ହେଲେ ସେ ଜାଣେନା ପାନରୁ ସୃଷ୍ଟ ସୃଜନର ସମୀରଣ
ସତେ କି ନୂତନ ପିଢି
ବର୍ଜନ କରି ପାନର ଗାରିମା ଚଢିବ ସଭ୍ୟ ଶିଡି ?

****