ଗୃହ ବନ୍ଦୀ ମୁଁ ବନ୍ଧା ରହିଛି
ନିଜ ପ୍ରାଙ୍ଗଣେ ସ୍ବେଚ୍ଛାରେ
ଲୋମ ରନ୍ଧ୍ରରେ ସଂଚରେ ଭୟ
ଭୂତାଣୁ ଭୟର ଚର୍ଚ୍ଚାରେ ।
ବନ୍ଧୁ ସୋଦର ସଖା ସହଚର
ପିତାମାତା ପୁଣି ପ୍ରିୟଜନ
ସ୍ପର୍ଶ ତ ଦୂର ସଙ୍ଗ ଅତୀତ
ସ୍ମରଣୁ ଲିଭୁଛି ସଂଯାନ ।
ନିଶ୍ବାସ କାର ମନ୍ଦ୍ର ଶିଥିଳ
ଯନ୍ତ୍ରଣା କରେ ପରାହତ
ବୃଦ୍ଧ ଯୁବକ ସବଳ ଅବଳ
ଯୁଦ୍ଧେ ଯେପରି ହତାହତ ।
ବିଭୀଷିକା ରଚେ ମୃତ୍ୟୁ ଅକାଳ
ଜୀବନ ଜୀବିକା ଛାରଖାର
ସର୍ବହରାର ବ୍ୟର୍ଥପଣତା
ସର୍ଜଇ ଶୋକ ପାରାବାର ।
ବିସ୍ତୃତ ରାଜ ରାସ୍ତାରେ ନାହିଁ
ଗାଡି ଘୋଡା ଜନ ଗମାଗମ
ସ୍ତବ୍ଧ ସହର ଦଗ୍ଧ ସପନ
ଅବଶିଷ୍ଟ ଯା ଶମଶାନ ।
ସୃଷ୍ଟିର ନୁହେଁ ବିଲୟର ଘଡି,
ଏତ ଚେତାଵନୀ ଅନ୍ତିମ
ପନ୍ଥା କେବଳ ସନ୍ତୁଳନର,
ଉଦ୍ଦାମ ନୁହେଁ, ସଂଯମ ।
ଅବଦମନୀତ ମାନବ ଚେତନା
ଜାଗୃତ ହେବ ଅକାତର
ବାତାୟନେ ଦେଖେ ଅସ୍ତ ଅରୁଣ,
ପ୍ରତ୍ୟୟ ନବ ପ୍ରଭାତର ।
****