ହରଷ ବିରସ ଭାବର ଚୟନ
ଗୋପନେ ଯତନେ ଚେତନାରୁ ଛାଣି
ବୁକୁର ମୁକୁର ପରଶେ ପରଖି
ପ୍ରକାର ପ୍ରକାର ଅନୁଭବ ଆଣି ।।
ହତାଶ ବତାସ କରେ ଯେବେ ଗ୍ରାସ
ନକାର ବିକାର ମନେ ହୁଏ ଠୁଳ
ଅଥାର ଅଥାର ବ୍ୟଥାର ଲହରୀ
ଗୁମୁରି ଗୁମୁରି ଟପି ଯାଏ କୂଳ ।।
ଗଗନୁ ପବନୁ ଅପସରି ଯାଏ
ସଘନ ସପନ ସହଜ ମଗନ
ମହଣ ମହଣ ଗ୍ଲାନିର ଓଜନ,
ଅତୀତ ପ୍ରତୀତ ହୁଏ ପ୍ରତିକ୍ଷଣ ।।
ବିବଶେ ଦିବସେ ଅମା ଯାଏ ଘୋଟି
ସୁମରି ସୁମରି ଦୁଃଖ ଅକାରଣ
କାତର ହାତର ପରଶ ସବୁଠି
ବାୟୁରେ ସ୍ନାୟୁରେ ଭବେ ଅଘଟଣ ।।
ଆମାପ ବିଳାପ ଚାପର ତାପରେ
କୁହୁଳି କୁହୁଳି ଜଳେ ସିନା ପ୍ରାଣ
ତଥାପି କଦାପି ହୁଏନା ବିଲୟ
ନିହିତ ବିହିତ ଜୀଇଁବାର ଗାନ ।।
ଉସର ଧୂସର ହୃଦର କଣରେ
ପଲକେ ଝଲକେ ସୂତାଏ କିରଣ
ନିବୁଜ ସବୁଜ ଚାରା ଫୁଟିଉଠେ
ସହସା ଭରସା କରେ ଆଗମନ ।।
ଲୁହର କୋହର କବର ଭିତରୁ
ଜୀବନ ପ୍ଲାବନ ଫେରେନା ଅଚିର
କେବଳ ପ୍ରବଳ ଲୋଡ଼ା ମନୋବଳ
ମତିରେ ଗତିରେ ପ୍ରତୀତି ଗଭୀର ।।
***