ଦନ୍ତଯୁଗଳ

ଆହେ ମୋର କଳ-ବାସୀ ଦନ୍ତଯୁଗଳ
ଅକାଳେ ହାରିଲ ଜୀବ ଜଳି ତିଳ ତିଳ ।

ବାଲ୍ଯରୁ ମୋ ପାଚନ, ସ୍ବାଦର କଳନା
ଅସୁମାରୀ ପୁଲକର ଅଶେଷ ତୁଳନା ।

ଚର୍ବଣ କଲ କେତେ ଶକ୍ତ ଆହାର
ସ୍ବାଦ ପୁଣି ମଧୁଭରା, ତିକ୍ତ କାହାର ।

କର୍ମ-ପ୍ରବଣ ବୀର ପାଟିର ସୈନିକ
କ୍ଷତାଘାତ ଯନ୍ତ୍ରଣା ସହିଲ ଦୈନିକ ।

ରୁଗ୍ଣ ଶରୀର ହେଲା ଭଗ୍ନାବଶେଷ
ଅତୀତର ଶିରୀ ଝୁରି ହେଲା ଅବଶୋଷ ।

ଅସ୍ତ୍ରୋପଚାର ଥିଲା କପାଳ-ଲିଖନ
ଉତ୍ପାଟନର ପୀଡା ନେଲା ଶେଷେ ପ୍ରାଣ ।

ମୃତ୍ଯୁ ନୁହଁଇ ଏହା ହତ୍ଯା କେବଳ
ଅବହେଳା, ଅନାଦର ସମ୍ଭୂତ ଫଳ ।

ଯୁଗେଯୁଗେ ଏହି ନୀତି ରହିଛି ପ୍ରଚଳ
ମାନିନିଏ ଦୁର୍ବଳ ସବଳ କବଳ ।

ଅନୁଭବେ ଶତକ୍ଷୋଭ ଶତ ପ୍ରତିଘାତ
ସ୍ବୀକାର ସକଳ ଦୋଷ, ଘେନ ପ୍ରଣିପାତ ।

ଆହେ ମୋର କଳ-ବାସୀ ଦନ୍ତଯୁଗଳ
ଅକାଳେ ହାରିଲ ଜୀବ ଜଳି ତିଳ ତିଳ

****