ପାଟିଏ ବନ୍ୟା

ବେଳ ଅବେଳରେ ଗୁଞ୍ଜି ଥାଏ ମୁଁ କଳରେ ଗୁଣ୍ଡି ପାନ
ନିର୍ଯାସ ଯାର ଚିରସ୍ରୋତା ଝର ସତତ ପ୍ରବହମାନ
ମନ୍ଦ୍ର ତାହାର ଗତି
ମନ୍ଥନ କରେ ସ୍ବାଦକୋଷ ମୋର ଉଷ୍ମ ଆଦରେ ଅତି ।

ଜମି ଜମି ଆସେ ପାଟିଏ ବନ୍ୟା, ଧନ୍ଯ ରସାଳ ଧାର
ବନ୍ଦ ଓଠର ବନ୍ଧ ପଛରେ ବଢୁଥାଏ ଚାପ ତାର
ମଉନ ରହିବା ସାର
କୂଳ ଲଙ୍ଘିଲେ ନିଃସୃତ ହେବ ରଞ୍ଜିତ  ପାରାବାର ।

ଉତ୍ତେଜନାର କେନ୍ଦ୍ରେ ଥିଲେ ବି ଇଚ୍ଛା ମୋ ପ୍ରଶମିତ
ମୁନି-ୠଷିସମ ନିରବ ମୁଦ୍ରା ମୁଖ କରେ ମଣ୍ଡିତ
ଭାବ ବିନିମୟ ହେତୁ
ଇଙ୍ଗିତ ଆଉ ଇସାରା ହିଁ ସାର ସନ୍ତୁଳି ମୁଖ-ସେତୁ ।

ବିଗତ ଦିନର ବିନୟୀ ବଟୁଆ କହେ ଅସ୍ମିତା କଥା
ସ୍ମରଣ କରାଏ ଆମ ଲୋକାଚାର ଓଡିଆ ଘରର ପ୍ରଥା
ପାନ କଲେ ନିବେଦନ
ଆତ୍ମୀୟତାର ଉନ୍ମେଷ ସାଥେ ମିଳେ ଶତ ସମାଧାନ ।

ପ୍ରୀତି ଅନୁରାଗ ଆଦର ପ୍ରଣୟ ସବୁର ପ୍ରତୀକ ପାନ
ପ୍ରିୟତମା ପାଇଁ ସମୁଚିତ ଭେଟି, ଭଞ୍ଜନ କରେ ମାନ
ଶୃଙ୍ଗାର ରସ ଭରି
ବଟୁଆ-ସମାଜେ ପାନ ସର୍ବଦା ବାହୁଥିଲା ପ୍ରେମ ତରୀ ।

ଜାଣିଛି ଅନେକ ପାନୁଆ-ମିତ୍ର ଭିନ୍ନ ସ୍ବଭାବେ ଭରା
ସଂଯତହୀନ ଥୁକର ପ୍ରଲେପ ଲେପନ୍ତି ସହର ସାରା
ନ୍ୟାଯ୍ୟ ସକଳ ରୋଷ
କିଛି ଉପଜାତ ଧର୍ମ ତାହାର, କି ଅବା ପାନର ଦୋଷ ?

ନିର୍ବୋଧ କହେ ପାନ ନୁହେଁ ଏକ ମାର୍ଜିତ ଆଚରଣ
ହେଲେ ସେ ଜାଣେନା ପାନରୁ ସୃଷ୍ଟ ସୃଜନର ସମୀରଣ
ସତେ କି ନୂତନ ପିଢି
ବର୍ଜନ କରି ପାନର ଗାରିମା ଚଢିବ ସଭ୍ୟ ଶିଡି ?

****