ଅଭିଯୋଗ

ତିନି ଘଣ୍ଟା ବିଳମ୍ବରେ ମୁମ୍ବାଇରେ ପହଞ୍ଚିବାପରେ ଏଆର୍‌ପୋର୍ଟ୍‌ରୁ ମୁଁ ସିଧା ଯାଉଥିଲି ସାଉଥ୍ ମୁମ୍ବାଇର ଏକ ନିର୍ଦ୍ଧାରିତ ହୋଟେଲ୍ ଅଭିମୁଖେ । ପହଞ୍ଚୁ ପହଞ୍ଚୁ ବୋଧହୁଏ ଅଧରାତି ହୋଇଯିବ ।

ଗାଡିରେ ବସିବା ପରଠାରୁ ଡ୍ରାଇଭର୍‌ର ଏକ ଅସ୍ଵାଭାବିକ ଆଚରଣ ମୋ ନଜରକୁ ଆସିଥିଲା – ସେ ବାରମ୍ବାର ରିଅର୍‌ଭିଉ ମିରର୍‌ରେ ମୋତେ ଦେଖୁଥିଲା । ହୁଏତ ମୋ ମୁହଁରେ ଦିଶୁଥିବା ବିଳମ୍ବଜନିତ କ୍ଳାନ୍ତି ଓ ବିରକ୍ତିର ଭାବନାକୁ କଳନା କରିବାକୁ ଚେଷ୍ଟା କରୁଥିଲା ସେ । ପରିସ୍ଥିତିକୁ ସାମାନ୍ୟ କରିବାକୁ ଯାଇ ମୁଁ ଡ୍ରାଇଭର୍ ଉଦ୍ଦେଶ୍ୟରେ ହିନ୍ଦି ଭାଷାରେ କହିଲି,
– ‘ଏତେ ରାତିରେ ବି ସାନ୍ତାକ୍ରୁଜ୍ ଫ୍ଲାଇ-ଓଭର୍ ଉପରେ ଏ ପ୍ରକାର ଭିଡ?’
ମୋତେ ଚକିତକରି ଡ୍ରାଇଭର୍ ଓଡିଆରେ ଉତ୍ତର ଦେଲା,
–  ‘ଆଜି ପ୍ରଧାନମନ୍ତ୍ରୀ ଏକ ରାଲିରେ ଯୋଗଦେବାକୁ ଆସିଥିଲେ – ସେଥିପାଇଁ ଏତେ ଭିଡ ଲାଗିରହିଛି । ଆପଣ ଯଦି ପୂର୍ବରୁ ପହଞ୍ଚିଥାଆନ୍ତେ, ତେବେ ଆହୁରି ଭିଡ ପାଇଥାଆନ୍ତେ । କିନ୍ତୁ ମୁଁ ଆପଣଙ୍କୁ କୋଷ୍ଟାଲ୍ ରୋଡ୍‌ରେ ନେଇ ଅଧଘଣ୍ଟା ମଧ୍ୟରେ ପହଞ୍ଚାଇ ଦେବି ।’
ସତେ ଯେମିତି ଏତେ ସବୁ କଥା ତା ପାଟିରେ ଜମାଟ ବାନ୍ଧି ରହିଥିଲା ଓ ସୁବିଧା ପାଇ ସେ ଏକା ନିଃଶ୍ଵାସକେ ସବୁ କହି ପକାଇଲା । ମୁଁ କୌତୁକହଳ ବଶତଃ ପଚାରିଲି,
–  ‘ତୁମେ ତେବେ ଓଡିଆ ? କେବେଠାରୁ ମୁମ୍ବାଇରେ ରହୁଛ ?’
ମୋ ପ୍ରଶ୍ନର ସିଧା ଉତ୍ତର ନ ଦେଇ ସେ କହିଲା,
–  ‘ଆପଣଙ୍କର ବହୁତ ପ୍ରଶଂସା ଶୁଣିଥିଲି, ଆଜି ଆପଣଙ୍କ ଡ୍ୟୁଟିରେ ଆସିବାର ସୁଯୋଗ ମିଳିଲା ।’
–  ‘ମୋର ପ୍ରଶଂସା ? କାହାଠାରୁ ?’ ମୁଁ ଟିକେ ଉତ୍‌ଫୁଲ୍ଲିତ ହୋଇ ପଚାରିଲି ।
–  ‘ଅନ୍ୟ ଡ୍ରାଇଭର୍‌ମାନଙ୍କ ପାଖରୁ । ଆପଣ ନିୟମିତ ମୁମ୍ବାଇ ଆସନ୍ତି । ପ୍ରତିଥର ଆମ ଏଜେନ୍‌ସିରୁ ଆପଣଙ୍କପାଇଁ  ଡ୍ରାଇଭର୍ ଓ ଗାଡି ପଠାଯାଏ । ଆପଣ ଖୁବ୍ ଭଲଲୋକ ବୋଲି ଡ୍ରାଇଭରମାନେ କହନ୍ତି ।’

ଆମ କଥୋପକଥନରେ ବାଧା ଦେଇ ଏତିକିବେଳେ ମୋର ଫୋନ୍ ବାଜି ଉଠିଲା – ଘରୁ ଧର୍ମପତ୍ନୀଙ୍କ କଲ୍ । ମୁଁ ଜାଣେ କାର୍ ଭିତରର ନୀରବତାରେ ସ୍ପିକର୍ ଅନ୍ ନ କଲେ ମଧ୍ୟ ଆସୁଥିବା ସ୍ଵର ଡ୍ରାଇଭର୍‌କୁ ମଧ୍ୟ ଶୁଣାଯିବ । ଓଡିଆ କହୁଥିବା ଡ୍ରାଇଭର୍‌ଟି ଆମ କଥୋପକଥନ ଶୁଣୁ, ମୋର ଇଚ୍ଛା ନ ଥିଲା । ତେଣୁ ନିର୍ଲିପ୍ତ ସ୍ଵରରେ କହିଲି,
–  ‘ଭଲରେ ପହଞ୍ଚିଲି ବୋଲି ମେସେଜ୍ କରିଥିଲି ପରା ?’
ପତ୍ନୀଙ୍କର କିନ୍ତୁ କହିବା ପାଇଁ ଅଲଗା କଥା ଥିଲା । ତେଣୁ ସେ କହି ଚାଲିଲେ,
–  ‘ବାପାଙ୍କର ବାଉଳି ଚାଉଳି ଟିକେ ବଢିଯିବାରୁ ତାଙ୍କୁ ଆଉ ପାନେ ଔଷଧ ଖୁଆଇ ଦେଲି । ସେ ଭଲ ଅଛନ୍ତି । ଆଜି ରାତିରେ ଉଊୟ ରମା ଓ ନର୍ସ୍ ବାପାଙ୍କ ପାଖରେ ରହିବେ । ବ୍ୟସ୍ତତାର କାରଣ ନାହିଁ …।’
ମୁଁ ‘ହଁ’, ‘ନାହିଁ’ ରେ ଉତ୍ତର କରି ଗୁଡ୍ ନାଇଟ୍ କହିଲି ।
କାର୍ ଭିତରେ କିଛି ସମୟର ନୀରବତା ପରେ ଡ୍ରାଇଭର୍ ପଚାରିଲା,
–  ‘କଣ ଆପଣଙ୍କ ବାପାଙ୍କର ଦେହ ଖରାପ ଅଛି ? ବୟସ ହୋଇଯିବଣି । ବ୍ୟସ୍ତ ହୁଅନ୍ତୁ ନାହିଁ । ସବୁ ଠିକ୍ ହୋଇଯିବ ।’
ମୁଁ ଉତ୍ତର ଦେଲି ନାହିଁ । ଡ୍ରାଇଭର୍‌ର ଅଯାଚିତ ହସ୍ତକ୍ଷେପ ଓ ଶୁଭେଚ୍ଛା ମୋର ଦରକାର ନଥିଲା ।

ମୋତେ ହୋଟେଲ୍‌ରେ ପହଞ୍ଚାଇ ଦେଇ ଡ୍ରାଇଭର୍ କହିଲା,
–  ‘ସାର୍, ମୁଁ କାଲି ସକାଳ ସାତଟାରେ ପହଞ୍ଚିଯିବି । ଆପଣଙ୍କ କାର୍ଯ୍ୟକ୍ରମ ନ’ ଟାରେ ଆରମ୍ଭ – ଏଠାରୁ ବିକେସି (ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ୍) ଯିବାକୁ ପ୍ରାୟ ପଇଁଚାଳିଶ ମିନିଟ୍ ଲାଗିବ ।’
– ‘ତୁମେ ବରଂ ନ’ଟାରେ ଆସ ।’ – କହିଲି ମୁଁ । ଡ୍ରାଇଭରର ରିପୋର୍ଟିଂ ଓ ମୋର ଯିବାର ନିର୍ଦ୍ଦିଷ୍ଟ ସମୟ ଡ୍ରାଇଭରଟାଏ କାହିଁକି ନିରୁପଣ କରିବ ?
ଯିବା ବେଳକୁ ଡ୍ରାଇଭର୍ ମୋ ପାଖକୁ ଆସି ହାତ ବଢାଇଦେଇ କହିଲା,
– ‘ଗୁଡ୍ ନାଇଟ୍ ସାର୍ ।’
ମୁଁ ଅଗତ୍ୟା ମୋର ହାତ ବଢାଇ ଦେଲି । ଅତି ଅନ୍ତରଙ୍ଗତାର ସହ ସେ ହାତ ମିଳାଇଲା । କଥାଟି ମୋତେ ଅପସନ୍ଦ ନ ହେଲେ ମଧ୍ୟ ହଜମ ହେଲାନାହିଁ । ଯେତେ ପ୍ରଶ୍ରୟ ଦେଲେ ମଧ୍ୟ କୌଣସି ଡ୍ରାଇଭର୍ ସମକକ୍ଷତାର ସୀମାରେଖାକୁ ଏତେ ଆଗକୁ ନେଇ ଆସି ନ ଥିଲେ । ଯିବାବେଳେ କହିଲା,
–  ‘ମୋ ନାଁ ଭେନୁ – ଭେନୁ ପ୍ରସାଦ । ଦରକାର ହେଲେ ଯେ କୌଣସି ସମୟରେ ମୋତେ ନିଶ୍ଚୟ ଫୋନ୍ କରିବେ ।’

ପରଦିନ ସକାଳେ ଗାଡିରେ ବସିବାପରେ ଭେନୁର ଅନେକ ପ୍ରଶ୍ନ ।
–  ‘ଆପଣଙ୍କୁ ଭଲ ନିଦ ହେଲା ତ? …. ଆପଣଙ୍କ ବାପାଙ୍କ ଦେହ କେମିତି ଅଛି ? …. ଆପଣ ଏମିତି ବାରମ୍ବାର ମୁମ୍ବାଇ ଆସନ୍ତି… ଏତେ ପରିଶ୍ରମ କରନ୍ତି କିପରି ? ….’ – ଇତ୍ୟାଦି ।
ମୁଁ ଅତ୍ୟନ୍ତ ସତର୍କତାର ସହ ସଂକ୍ଷିପ୍ତ ଉତ୍ତର ଦେଉଥିଲି – ମୋର ବ୍ୟକ୍ତିଗତ ଜୀବନରେ ତାର ଅଦରକାରୀ ଆଗ୍ରହ ମୁଁ ଆଦୌ ପସନ୍ଦ କରୁ ନ ଥିଲି । ଗାଡି ଭିତରେ ରଖିଥିବା ଖବରକାଗଜଟିକୁ ମେଲାଇ ଧରି ମୁଁ ଭେନୁଠାରୁ ନିଜକୁ ଦୂରେଇ ନେଲି । ସେ ବୋଧହୁଏ ମୋର ଅନାଗ୍ରହ ବୁଝିପାରିଲା ଓ ଚୁପ୍ ଚାପ୍ ଗାଡି ଚଳାଇବାରେ ମନ ଦେଲା ।

ତୃତୀୟ ଦିନ ସକାଳୁ ମୁଁ ପୁନା ବାହାରି ଥାଏ ଗୋଟିଏ ମିଟିଂ ରେ ଯୋଗ ଦେବା ପାଇଁ । ବମ୍ବେ-ପୁନା ଏକ୍ସପ୍ରେସ୍ଓ୍ଵେରେ ଭେନୁ ଗାଡି ଚଳାଉ ଥାଏ ଅତି କମରେ ଅଶୀ କିଲୋମିଟର୍ ବେଗରେ । ତଥାପି ସେ ଅନେକ ସମୟରେ ରକରିବ‌ଭିଉ ମିରର୍‌ଦେଇ ମୋ ଆଡକୁ ନିରେଖି ଦେଖୁଥାଏ । ଅପ୍ରସ୍ତୁତ ଲାଗୁଥିଲେ ମଧ୍ୟ ଭେନୁକୁ ମୁଁ କିଛି କହିପାରୁ ନଥାଏ । ବଡ ତୀକ୍ଷ୍ଣ ସେ ଦୃଷ୍ଟି – ଯେମିତି ସେ ମୋ ଭିତରେ କାହାକୁ ଖୋଜିବାକୁ ଚେଷ୍ଟା କରୁଛି । ବେଳେବେଳେ ଦର୍ପଣରେ ତା’ ସହ ଆଖି ମିଶିଗଲେ ମଧ୍ୟ ଅନ୍ୟମନସ୍କ ଥିଲାପରି ସେ ତାର ନଜର ହଟାଉ ନ ଥାଏ । ଏ ପ୍ରକାର ଅନୁଭବ ମୋ ପାଇଁ ପ୍ରଥମ ଓ ଏକ ବ୍ୟତିକ୍ରମ । ସବୁଠାରୁ କୌତୁହଳପୂର୍ଣ୍ଣ ଅନୁଭୂତି ହେଲା ବାଟରେ ଆମେ ଅଟକି ଥିବା ଫୁଡ୍‌କୋର୍ଟ୍‌ରେ । ସେଠାରେ ମୁଁ ଭଲ କଫି ଦୋକାନଟିଏ ଭିତରେ ବସି ମୋ ଫୋନ୍‌ରେ ନିମଗ୍ନ ଥାଏ । କଫି ଦୋକାନଟି ଫୁଡ୍‌କୋର୍ଟ୍‌ର ଏକ କଣରେ । ଗୋଟିଏ ବଡ ହଲ୍‌ର ଦୁଇ ପାଖରେ ଖାଇବା ଦୋକାନ ଓ ମଝିରେ ଥାଏ ଧାଡିଧାଡି ଟେବୁଲ୍ ଓ ଚଉକି । କଫି ଦୋକାନ ଭିତରୁ ଦେଖିବାକୁ ପାଇଲି ଭେନୁକୁ ଅନତି ଦୂରରେ ଏକ ଟେବୁଲ୍ ପାଖରେ । ହାତରେ ତାର ଥାଏ ଏକ ଚା’ ଗ୍ଲାସ୍ । ସେଠାରେ ଥାଇ  ମଝିରେ ମଝିରେ ସେ ଦେଖୁଥାଏ ମୋ ଆଡକୁ । ସତେ ଯେମିତି ସେ ମୋ ଉପରେ ନଜର ରଖିଛି; ମୋର ଗତିବିଧି ଅନୁଧ୍ୟାନ କରି କିଛି ଗୁପ୍ତ ଯୋଜନାରେ ମଗ୍ନ ଅଛି । କହିବା ବାହୁଲ୍ୟ, ମୋତେ ଭୟ ଲାଗିଲା । ଆଜିକାଲି ଯେତେ ପ୍ରକାରର କ୍ରାଇମ୍ ହେଉଛି, ସେଥିରେ କାହାରିକୁ ସମ୍ପୂର୍ଣ୍ଣ ବିଶ୍ଵାସ କରିବା ଉଚିତ ମଧ୍ୟ ନୁହେଁ ।
କିଛି ସମୟ ପରେ କଫି ଦୋକାନରୁ ବାହାରି ଭେନୁକୁ ଦେଖିଲି ନାହିଁ । ମୁଁ ପାର୍କିଂ ଦିଗରେ ଯିବାକୁ ଉଦ୍ୟତ ହେଲାବେଳକୁ ଭେନୁ ପଛରୁ ଆସି ଉଭାହେଲା ଓ ମୋତେ ଗୋଟିଏ ଜାଗାରେ ଠିଆ ହେବାକୁ କହି ଗାଡିଟି ଆଣିବାକୁ ଦୌଡି ଚାଲିଗଲା । ତାର ନମ୍ର ବ୍ୟବହାରରେ ମୁଁ ପୁଣି ତରଳିଗଲି ଓ ପୂର୍ବରୁ ଅନୁମାନ କରିଥିବା ଭୟ ମନରୁ କିଛିଟା ଉଭେଇ ଗଲା ।

ଦିନ ସାରା କାର୍ଯ୍ୟବ୍ୟସ୍ତ ରହିବା ପରେ ସନ୍ଧ୍ୟାରେ ମୁଁ ମୁମ୍ବାଇ ଫେରୁଥାଏ । ପୁନା ସହରର ଭିଡ ରାସ୍ତା ପାରିହୋଇ ହାଇଓ୍ଵେ ଧରିବା ଆଗରୁ ହିଁ ମୁଁ ନିଦରେ ଶୋଇପଡିଲି । ଗଭୀର ନିଦରେ ଥାଇ ମୋର ଆଉ ସ୍ଥାନ କାଳର ଧାରଣା ନଥାଏ । ହଠାତ ମୋର ନିଦ ଭାଙ୍ଗିଗଲା ଓ ମୁଁ ଅନୁଭବ କଲି ଗାଡିଟି ରାସ୍ତା କଡରେ ସ୍ଥିର ହୋଇ ଅଟକି ଯାଇଛି । ଆଗ ସିଟ୍‌ରୁ ଭେନୁ ମୋତେ ବଡ ବଡ ଆଖିରେ ଚାହିଁ ରହିଛି । ଭୟରେ ମୁଁ ଚମକି ଉଠିଲି ଓ ପଚାରିଲି,
– ‘ମୁଁ କୋଉଠି ? ତୁମେ ମୋତେ ଏମିତି ଚାହିଁ ରହିଛ କଣ ପାଇଁ ? କ’ଣ ତୁମ ଉଦ୍ଦେଶ୍ୟ ?’
– ‘ଆପଣଙ୍କୁ ନିଦରୁ ଉଠାଇ ଦେଇଥିବାରୁ ଦୁଃଖିତ । ଟିକିଏ ଚା’ ପିଇବା ପାଇଁ ଏଇଠି ଅଟକି ଥିଲି । ଆପଣଙ୍କୁ ଶୋଇଥିବା ଦେଖି କେମିତି ପଚାରିବି ବୋଲି ଭାଳି ହେଉଥିଲି ।’
ମୁଁ ଆଖି ମଳି ମଳି ସାଷ୍ଟାଙ୍ଗ ହେଲି । ଚା’ ଟିକିଏ ପିଇବା ପାଇଁ ମୁଁ ମଧ୍ୟ ଅଗତ୍ୟା ଗାଡିରୁ ଓହ୍ଲାଇଗଲି । ଶୌଚାଳୟରୁ ଫେରି ଫୁଡ୍‌କୋର୍ଟ୍‌ର ମୁଖ୍ୟ ହଲ୍‌ରେ ପାଦ ଦେଉଦେଉ ଭେନୁ ଆଗରେ ଆସି ଉଭା ହୋଇଗଲା ଓ ମୋତେ ପାଖ ଟେବୁଲ୍ ପାଖକୁ ବାଟ କଢାଇ ନେଲା । ଟେବୁଲ୍ ଉପରେ ରଖା ହୋଇ ଥାଏ ଦୁଇ ଗ୍ଲାସ୍ ଚା’ – ଯାହାକୁ ବମ୍ବେଇୟା ଭାଷାରେ କୁହାଯାଏ କଟିଂ ଚାଏ । ତା’ ସହ ଦୁଇ ଜାଗା ଗରମାଗରମ ଘୁଗୁନି ।
– ‘ନ ପଚାରି ଆପଣଙ୍କ ପାଇଁ ଚା’ ଓ ଘୁଗୁନି ନେଇ ଆସି ଥିବାରୁ ଦୁଃଖିତ । କିନ୍ତୁ ମୁଁ ନିଃସନ୍ଦେହ ଯେ ଆପଣଙ୍କୁ ଏହା ଖୁବ ଭଲ ଲାଗିବ । ଆପଣଙ୍କର କ୍ଳାନ୍ତି ମଧ୍ୟ ଦୂର ହୋଇଯିବ । ଜଣେ ଓଡିଆ ଲୋକ ଏଇ ଫୁଡ୍‌କୋର୍ଟ୍‌ରେ ଘୁଗୁନି ବନାଏ । ଜାଣିବା ଲୋକଙ୍କର ଏହା ଖୁବ ପସନ୍ଦ । ଖାଇ ଦେଖନ୍ତୁ – ଆପଣ ନିରାଶ ହେବେ ନାହିଁ ।’
ଜଣେ ଡ୍ରାଇଭର୍ ପକ୍ଷରେ ଏତେଟା ସ୍ଵାଧୀନତା ସ୍ଵତଃ ହାତ କରିନେବା ଶୋଭା ପାଉନଥିଲା । କିନ୍ତୁ ଭେନୁର ଆଗ୍ରହ ଓ ଗରମ ଘୁଗୁନିର ବାସ୍ନାରେ ମୁଁ ସବୁ ଭୟ ଓ ଆଭିଜାତ୍ୟ ଭୁଲି ତା’ ସହ ବସିଗଲି । ସତରେ ଘୁଗୁନି ଓ ଚା’ ମୋତେ ଖୁବ ତାଜା କରିଦେଲା । ଭେନୁର ମନ ଖୁସିରେ ଯେମିତି ପୁରି ଉଠୁଥାଏ । ସେ ଫୁଲି ଫୁଲି କହୁଥାଏ,
– ‘ଆପଣଙ୍କ ସହ ଏକାଠି ବସି ଚା’ ପିଇବାରେ ମୁଁ ଖୁବ ଆନନ୍ଦିତ । ବିଶ୍ଵାସ କରନ୍ତୁ, ମୁଁ ପୂର୍ବରୁ କୌଣସି ବାବୁଙ୍କ ସହ ଏପରି ବ୍ୟବହାର କରି ନାହିଁ । ଏ ପ୍ରକାରର ଧୃଷ୍ଟତା ସମ୍ପର୍କରେ ଜାଣିଲେ ମୋର ଡ୍ରାଇଭର୍ ଚାକିରିଟି ନିଶ୍ଚୟ କଟିଯିବ ।’
ମୁଁ ହସି ହସି କହିଲି,
– ‘ମୋତେ ବି ଖୁବ୍ ଭଲ ଲାଗିଲା ତୁମ ସହ ବସି ଚା’ ପିଇବାରେ । ଘୁଗୁନି ପାଇଁ ବିଶେଷ ଧନ୍ୟବାଦ । ପ୍ରକୃତରେ ମୁଁ ଘୁଗୁନିର ଜଣେ ଏକନିଷ୍ଠ ଭକ୍ତ । ପିଲାଟି ଦିନରୁ ଘୁଗୁନି ଖାଇବାକୁ ମୋତେ ଖୁବ୍ ଭଲ ଲାଗେ ।’
ଭେନୁ ଓ ମୋ ଭିତରେ ଥିବା ଔପଚାରିକତାର ପାଚେରିରେ ଫାଟ ଦେଖାଦେବାକୁ ଲାଗିଲା । ମୁଁ ତା ବିଷୟରେ ଅଧିକ ଜାଣିବା ପାଇଁ ପଚାରିଲି ପରିବାର ଓ ଓଡିଶାରେ ତାର ଘର ସମ୍ପର୍କରେ । ମୋ ପ୍ରଶ୍ନର କୌଣସି ସିଧା ଉତ୍ତର ନଦେଇ ଭେନୁ କହିଲା,
– ‘ମୁଁ ଜଣେ ନିଃସଙ୍ଗ ପଥିକ । ମୋର ଆଗକୁ ବା ପଛକୁ କେହି ନାହିଁ । ଏପରିକି ଗତ କୋଡିଏ ବର୍ଷରୁ ଅଧିକ ସମୟ ହେବ ମୁଁ ଓଡିଶା ମାଟି ମାଡି ନାହିଁ ।

ଭେନୁ ମୋ ପାଇଁ ଥିଲା ଏକ ନୂଆ ଅନୁଭୂତି । କିନ୍ତୁ ତା’ ବିଷୟରେ ବିଶେଷ ଗୁରୁତ୍ଵର ସହ ଅଧିକ କିଛି ଭାବିବା ମୋ ପାଇଁ ଥିଲା ଅଯୌକ୍ତିକ । ହୁଏତ ଅନେକ ଦିନ ପରେ ବା ପ୍ରଥମ ଥର ପାଇଁ ଜଣେ ଓଡିଆ କ୍ଲାଏଣ୍ଟ୍ ଦେଖି ସେ ହୋଇପଡିଥିଲା ଅଯଥା ଭାବପ୍ରବଣ ।

ପର ଦିନ ସକାଳୁ ଫ୍ଲାଇଟ୍ ଧରି ମୋତେ ଫେରିବାର ଥାଏ । ଭେନୁ ମୋତେ ଠିକ ସମୟରେ ନେଇ ଏଆର୍‌ପୋର୍ଟ୍‌ରେ ପହଞ୍ଚାଇ ଦେଲା । ବ୍ୟାଗ୍ ଗାଡିରୁ ବାହାର କରି ଆଣିଲା ଓ ଡ୍ୟୁଟି ସ୍ଲିପ୍‌ରେ ମୋର ଦସ୍ତଖତ ନେଲା । ମୁଁ ତା ହାତରେ ପାଂଚଶହ ଟଙ୍କା ବକସିସ୍ ଗୁଞ୍ଜି ଦେଲି ।  ସେ ଖୁସିରେ ଗ୍ରହଣ କଲା । ଧନ୍ୟବାଦରେ ପୋତି ପକାଇଲା । ତା’ପରେ ଦ୍ଵିଧା ମିଶା ଥର ଥର ସ୍ଵରରେ କହିଲା,
– ‘ସାର୍, ମୁଁ ଆପଣଙ୍କ ପାଇଁ ଗୋଟିଏ ଉପହାର ଆଣିଛି । ଦୟାକରି ଗ୍ରହଣ କରନ୍ତୁ , ମୋତେ ଖୁବ୍ ଭଲ ଲାଗିବ ।’ ଗାଡି ଭିତରୁ ବାହାର କରିଆଣିଲା ଗିଫଟ୍ ରାପ୍ ହୋଇଥିବା ଗୋଟିଏ ବହି ଓ ମୋ ହାତରେ ଅତି ସନ୍ତର୍ପଣରେ ଧରାଇ ଦେଲା । ତାର ଭାବପ୍ରବଣତାରେ ଅଭିଭୂତ ହୋଇ ମୁଁ ତାର ଉପହାର ଗ୍ରହଣକଲି । ସେ କହିଲା,
– ‘ସାର୍, ମୋର ଗୋଟେ ସର୍ତ୍ତ ଅଛି । ଏ ଉପହାରଟି ଆପଣ ଘରେ ପହଞ୍ଚିଲା ପରେ ଯାଇ ଖୋଲିବେ । ତା ପୂର୍ବରୁ ମୋଟେ ନୁହେଁ ।’
ମୁଁ ହସି ହସି କହିଲି,
– ‘ଠିକ ଅଛି ଭେନୁ, ଏଇଟା ମୁଁ ଘରେ ପହଞ୍ଚିଲା ପରେ ହିଁ ବାହାରକରିବି । ଆଶା, ମୋର ପରବର୍ତ୍ତୀ ବମ୍ବେ ଗସ୍ତରେ ତୁମେ ପୁଣି ଥରେ ଡ୍ୟୁଟିରେ ଥାଇ ମୋ ସହ ଭେଟ ହେବ ।’
ମୁଁ ଏଥର ଭେନୁ ସହ ଅନ୍ତରଙ୍ଗତାର ସହ ହାତ ମିଳାଇଲି ଓ ପ୍ରସ୍ଥାନ ଗେଟ୍ ଆଡକୁ ମୁହାଁଇଲି । ଗେଟ୍ ନିକଟରେ ପହଞ୍ଚି ଦେଖିଲି, ଭେନୁ ମୋ ଯିବା ବାଟକୁ ଚାହିଁ ରହିଛି । ସେ ମୋତେ ହାତହଲାଇ ବିଦାୟ ଦେଲା ଓ ମୁଁ ଏଆର୍‌ପୋର୍ଟ୍‌ର ଭିଡ ଭିତରେ ସାମିଲ୍ ହୋଇଗଲି ।

ଘରକୁ ଫେରିବା ପରେ ହାଣ୍ଡ୍‌ବ୍ୟାଗ୍‌ରୁ ଉପହାରଟି କାଢି ଖୋଲିବାକୁ ଲାଗିଲି । ସେଥିରେ ଥିଲା ଏକ ପୁରୁଣା ବହି । ବହିର ତୃତୀୟ ପୃଷ୍ଠାରେ ମୋ ପିଲା ଦିନର ହସ୍ତାକ୍ଷରରେ ଲେଖାଥିଲା ମୋର ନାମ ଓ ତା’ ତଳେ ଦୁଇଟି ଶବ୍ଦ – ଷଷ୍ଠ ଶ୍ରେଣୀ । ଜାଣି ପାରିଲି, ବହିଟି ମୋର ଷଷ୍ଠ ଶ୍ରେଣୀର ପ୍ରିୟ ସାହିତ୍ୟ ବହି । ନିମିଷକେ ଝପଟି ଗଲି ମୋ ପଢାଘରକୁ । ପୁରୁଣା ବହି ଓ ଫାଇଲ୍‌ପତ୍ର ରଖା ଯାଇଥିବା ଥାକଟିକୁ ଖିନ୍ ଭିନ୍ କରି ଖୋଜିବାକୁ ଲାଗିଲି ସତେ ଯେପରି ହଜାଇ ଦେଇଥିବା ରତ୍ନଟିଏ । ଶେଷରେ ଦରକାରୀ ଜିନିଷଟି ମିଳିଗଲା – ମଇଳା, ପୁରୁଣା ସାହିତ୍ୟ ବହିଟିଏ । ବହିଟିର ତୃତୀୟ ପୃଷ୍ଠାରେ ଲେଖାଥିଲା, ବେଣୁ ପ୍ରଧାନ, ଷଷ୍ଠ ଶ୍ରେଣୀ । ମନେ ପଡିଲା ପିଲା ଦିନର କଥା । ମୋର ଷଷ୍ଠ ଶ୍ରେଣୀ ପରେ ମୋ ବାପା ଓ ଆମ ପୁରା ପରିବାର ସୁନ୍ଦରଗଡ଼ ଛାଡି କଟକ ସ୍ଥାନାନ୍ତରୀତ ହୋଇଥିଲୁ । ସେତେବେଳେ ମୋର ପ୍ରିୟ ସହପାଠୀ ବେଣୁ ଓ ମୁଁ ଆମ ସାହିତ୍ୟ ବହି ଦୁଇଟି ପରସ୍ପର ମଧ୍ୟରେ ବଦଳ କରିଥିଲୁ । କଥା ଥିଲା, ଆମେ ଏ ବହିକୁ ଦେଖି ପରସ୍ପରକୁ ସବୁଦିନ ମନେ ରଖିବୁ । ବାଲ୍ୟକାଳର ଏ ନିଃଷ୍ପାପ କଳ୍ପନା ଓ ବେଣୁର ସର୍ତ୍ତହୀନ ବନ୍ଧୁତା ମନରେ ସ୍ପଷ୍ଟ ହୋଇ ଆସିଲା । ବୁଝି ପାରିଲି, ମୋ ସହ ଡ୍ରାଇଭର୍ ଭାବରେ ଗତ ତିନି ଦିନ ଧରି କାମ କରିଥିବା ଲୋକଟି ଆଉ କେହି ନୁହେଁ, ମୋର ସହପାଠୀ ଓ ବାଲ୍ୟବନ୍ଧୁ ବେଣୁ । ମନେ ପଡିଲା, ଆମେମାନେ ସୁନ୍ଦରଗଡ଼ ଛାଡିବା ପରେ ସେହି ଷଷ୍ଠ ଶ୍ରେଣୀ ପରେ ବେଣୁ ଘରୁ ନିରୁଦ୍ଦିଷ୍ଟ ହୋଇ ଯାଇଥିଲା । ବାପା ମାଆ ଛେଉଣ୍ଡ ବିଚରା ପିଲାଟା ସମ୍ପର୍କୀୟ ମାନଙ୍କର ଦୌରାତ୍ମ୍ୟ ସହି ନ ପାରି କେଉଁ ଆଡେ ଚାଲିଗଲା ବୋଲି ସେତେବେଳେ ଆମ ଘରେ ବାପା ମା’ କଥା ହେଉଥିଲେ । କଥାଟାର ଗୁରୁତ୍ଵ ମୁଁ ସେତେବେଳେ ବୁଝି ପାରିନଥିଲି ଓ ପରେ ବୁଝିବାକୁ କେବେ ଚେଷ୍ଟା କରିନଥିଲି ।

କାଳ ବିଳମ୍ବ ନ କରି ମୁଁ ବେଣୁକୁ ଫୋନ୍ ଲଗାଇଲି । ମନେ ପଡିଲା ସେ କହିଥିବା କଥା –  ‘ମୋ ନାଁ ଭେନୁ – ଭେନୁ ପ୍ରସାଦ । ଦରକାର ହେଲେ ଯେ କୌଣସି ସମୟରେ ମୋତେ ନିଶ୍ଚୟ ଫୋନ୍ କରିବେ ।’ କିନ୍ତୁ ଫୋନ୍‌ରେ ଅନ୍ୟ ଦିଗରୁ ଉତ୍ତର ଆସିଲା, –  ‘ଏ ନମ୍ବରଟି ଭେନୁର ବ୍ୟକ୍ତିଗତ ନମ୍ବର ନୁହେଁ । ଡ୍ୟୁଟି ସମୟରେ ଏଜେନ୍‌ସି ତରଫରୁ ସୀମିତ ବ୍ୟବହାର ପାଇଁ ଡ୍ରାଇଭର୍ ମାନଙ୍କୁ ଫୋନ୍ ଯୋଗାଇ ଦିଆଯାଇଥାଏ ।’
ମୁଁ ବେଣୁ ସହ କଥା ହେବାପାଇଁ ଚାହିଁବାରୁ ଫୋନ୍‌ରେ ଅନ୍ୟ ଦିଗରେ ଥିବା ଏଜେନ୍‌ସିର ବ୍ୟକ୍ତିଜଣକ କହିଲେ,
– ‘ସାର୍, ଆପଣଙ୍କ ଡ୍ୟୁଟି ପରେ ସେ ଅତି ତରତରରେ ଚାକିରୀ ଛାଡି ଦେଇଛି । ବୋଧହୁଏ ସେ ନାଗପୁରରେ ତା’ ଗାଆଁକୁ ଚାଲି ଯାଇଥିବ । ଯଦି ଆପଣଙ୍କର କିଛି ଅଭିଯୋଗ ଥାଏ, ଆପଣ କହି ପାରନ୍ତି । ଆମେ ନିଶ୍ଚୟ …..’

ମୁଁ ଫୋନ୍ କାଟିଦେଲି । ଅଭିଯୋଗ ତ ନିଶ୍ଚୟ ଅଛି – ବେଣୁ ତା’ର ପରିଚୟ ଦେଲା ନାହିଁ !

****

Unknown's avatar

Author: Manoranjan Mishra

Interested in creative expressions.

Leave a comment