ଅବୁଝା ଜିଦି

ସକାଳ ପହରରୁ ରାଧାନାଥ ଏକ ଗୋଲକଧନ୍ଦାରେ ଘାଣ୍ଟି ହେଉଥାନ୍ତି ।

ତାଙ୍କ ଶୋଇବା ଘର କବାଟକଣରେ ରଖାଯାଇଥିବା ବହୁପୁରୁଣା ଲାଠିଟି ଆପେ ଆପେ ଲମ୍ବାରେ ବଢ଼ିଗଲା କେମିତି ? ରାଧାନାଥଙ୍କର ମନେ ଅଛି ସିଧା ଭାବରେ ଧରିଲେ ଲାଠିଟି ତାଙ୍କ ଭ୍ରୂଲତା ପର୍ଯ୍ୟନ୍ତ ଆସେ। ଅଥଚ ଆଜି ଲାଠିଟି ତାଙ୍କ ମୁଣ୍ଡ ଉପରକୁ ଆଉ ତିନି ଚାରି ଇଞ୍ଚ ବଢ଼ିଯାଇଛି। ଏହା କିପରି ସମ୍ଭବ? ରାଧାନାଥ ଲାଠିଟିକୁ ନିଜ ପାଖରେ ଧରି ବାରମ୍ବାର ମାପ କରି ଚାଲିଛନ୍ତି । ଅଥଚ ଲାଠିଟିର ଦୈର୍ଘ୍ୟ ଯେପରି ଏକ ଅଲୌକିକ ଚମତ୍କାରିତାରେ ପରିଣତ ହୋଇଛି । ତାର ଦୈର୍ଘ୍ୟ ନିଶ୍ଚିତ ରୂପେ ବଢ଼ିଯାଇଛି ।

ରାଧାନାଥଙ୍କ ମନରେ ବଢ଼ିଚାଲିଛି ଅସ୍ଥିରତା । ପଞ୍ଚାଅଶି ବର୍ଷ ବୟସରେ ମଧ୍ୟ ଶାରୀରିକ ଓ ମାନସିକ ସ୍ତରରେ ସେ ଯେ ସମ୍ପୂର୍ଣ୍ଣ ସକ୍ରିୟ ଓ ପାରିପାର୍ଶ୍ଵିକ ଅବସ୍ଥା ପ୍ରତି ସତତ ସଚେତନ, ଏକଥା ତାଙ୍କ ସହ ଚଳପ୍ରଚଳ ହେଉଥିବା ଅନ୍ୟମାନେ ବିଶ୍ଵାସ କରନ୍ତୁ କି ନାହିଁ, ରାଧାନାଥଙ୍କର ନିଜ ଉପରେ ଥାଏ ଅଗାଧ ଆତ୍ମବିଶ୍ଵାସ । ନହେଲେ ସେ କ’ଣ ସତରେ ଆବିଷ୍କାର କରିପାରିଥାନ୍ତେ ଘର କୋଣରେ ଥୁଆ ହୋଇଥିବା ଲାଠିଟିର ରହସ୍ୟମୟ ଦୈର୍ଘ୍ୟ ବୃଦ୍ଧି? ସେ କ’ଣ ସତରେ ଘାଣ୍ଟି ହେଉଥାନ୍ତେ ଏହି ସମସ୍ୟାର ଉତ୍ତର ଜାଣିବା ପାଇଁ?

ପତ୍ନୀ ବିୟୋଗ ପରେ ରାଧାନାଥ ଗତ ତିନି ବର୍ଷ ହେବ ଏକୁଟିଆ ରହି ଆସୁଛନ୍ତି, ତାଙ୍କ ପୁରୁଣା ଚାରି ବଖରା ବଙ୍ଗଳାରେ। ପୁଅ ସରୋଜ ସପରିବାର ରହେ ବାଙ୍ଗାଲୋର ସହରରେ। ମଝିରେ ମଝିରେ ସେ ଓ ତା’ ପରିବାର ଆସି ରାଧାନାଥଙ୍କ ସହ ସମୟ ବିତାନ୍ତି। ପାଖରେ ରହେ ଅନେକ ଦିନର ବିଶ୍ୱସ୍ତ ସେବକ ସକୁରା। ରନ୍ଧାବଢ଼ା କରିବା ପାଇଁ ଓ ବଗିଚାକାମ ପାଇଁ ସ୍ୱତନ୍ତ୍ର ଲୋକ ନିଯୁକ୍ତ ଥାଆନ୍ତି। ରାଧାନାଥଙ୍କ ସମୟ କଟେ ବନ୍ଧୁ ଗହଣରେ ଗପସପ କରିବାରେ ଓ ଭଲ ଭଲ ବହି ପଢ଼ିବାରେ। ସହଧର୍ମିଣୀଙ୍କ ମୃତ୍ୟୁ ପରେ ସେ ତାଙ୍କ ପୁରୁଣା ଭ୍ରମଣ-ଅଭ୍ୟାସରୁ ଅବସର ନେଇସାରିଛନ୍ତି।

ଯେଉଁ ଲାଠିଟି ତାଙ୍କୁ ରହସ୍ୟ ଘେରରେ ପକାଇ ଦେଇଛି, ଆଜିକୁ ପ୍ରାୟ ୩୦ ବର୍ଷ ତଳେ ସେଇଟି ସେ କିଣି ଆଣିଥିଲେ ଉଜ୍ଜୟିନୀ ସହର ଭ୍ରମଣ କାଳରେ ମହାକାଳେଶ୍ୱର ମନ୍ଦିର ନିକଟରୁ। କିମ୍ବଦନ୍ତୀ ଅନୁସାରେ ଅବନ୍ତି ବା ବର୍ତ୍ତମାନର ଉଜ୍ଜୟିନୀ ସହରର ସୁରକ୍ଷା ପାଇଁ ରାଜା ଚନ୍ଦ୍ରସେନଙ୍କ ପ୍ରାର୍ଥନା କ୍ରମେ ନିଜେ ଶିବ ମହାକାଳ ରୂପରେ ଆସି ଦାନବ କବଳରୁ ରାଜ୍ୟବାସୀଙ୍କୁ ଉଦ୍ଧାର କରିଥିଲେ। ଲାଠି ବିକ୍ରେତାମାନେ କହନ୍ତି ଉଜ୍ଜୟିନୀର ଲାଠି ସେହି ସୁରକ୍ଷା ପ୍ରଦାନର ପ୍ରତୀକ। ପତ୍ନୀ ଜ୍ୟୋତିର୍ଲିଙ୍ଗ ଦର୍ଶନରେ ଭାବଗଦଗଦ ହେଲା ବେଳକୁ ରାଧାନାଥ ଲାଠିଟିକୁ ହାତରେ ଧରି ଉତଫୁଲ୍ଲିତ ହେଉଥିଲେ। ସତେ ଯେମିତି ମହାକାଳ ରୂପରେ ସେ ନିଜେ ଆବିର୍ଭୂତ ଓ ଲାଠି ଥିଲା ତାଙ୍କର ଅମୋଘ ଅସ୍ତ୍ର।

ଇତିମଧ୍ୟରେ ଅନେକ ବର୍ଷ ବିତିଯାଇଛି। ଲାଠିଟି ତାର ଆଧିଭୌତିକ ଭାବମୂର୍ତ୍ତି ହରାଇ ସାରିଛି ଓ ଅତି ସାଧାରଣ କାମରେ ବ୍ୟବହାର ହେଉଛି – ଯେମିତି ଗଛରୁ ଫୁଲ ଫଳ ଝଡ଼ାଇବା, ବଗିଚାକୁ ଅଗତ୍ୟା ଅନୁପ୍ରବେଶ କରୁଥିବା ଗାଈ ଗୋରୁ ଓ ବୁଲା କୁକୁରଙ୍କୁ ତଡ଼ିବା, ଇତ୍ୟାଦି। ଥରେ ଥରେ ବନ୍ଧୁ ଗହଣରେ ରାଧାନାଥ ବାଡ଼ିଟିକୁ ହାତରେ ଧରି ମହାତ୍ମା ଗାନ୍ଧୀଙ୍କ ପରି ଚାଲିବାର ଅଭିନୟ କରନ୍ତି। ଲାଠିଟି ଘରର ସାଧାରଣ ବସ୍ତୁଟିଏ ପାଲଟି ସାରିଥାଏ। ରାଧାନାଥଙ୍କ ଜୀବନରେ ଲାଠିଟିର ଗୁରୁତ୍ୱ ଆଉ ପୂର୍ବ ପରି ନାହିଁ; ଅଥଚ ଲାଠିଟିର ଅଚାନକ ଲମ୍ବବୃଦ୍ଧି ରାଧାନାଥଙ୍କ ପାଇଁ କେଜାଣି କାହିଁକି ହୋଇପଡ଼ିଛି ଏତେ ଗୁରୁତ୍ୱପୂର୍ଣ୍ଣ!

ଘରର ପ୍ରତିଟି କଥା ଯାହାକୁ ଗୋଚର, ସେହି ସକୁରାକୁ ଡାକି ରାଧାନାଥ ଉତ୍ତର ତଲବ କଲେ। ହୁଏତ ଲାଠିଟି ବଦଳି ଯାଇଛି। ପୁରୁଣା ଲାଠିଟି ଜାଗାରେ କିଏ ନୂଆଟିଏ ରଖି ଦେଇ ଯାଇଛି। ସକୁରା ନିର୍ଲିପ୍ତ ଭାବରେ ଉତ୍ତର ଦେଲା ଯେ ଲାଠି ତା’ ଜାଗାରେ ପୂର୍ବପରି ରହିଛି ଓ ରାଧାନାଥ ଅଯଥାରେ ବାଉଳି ଚାଉଳି ହେଉଛନ୍ତି। କିନ୍ତୁ ରାଧାନାଥ ଶୁଣିବାକୁ ନାରାଜ। ତାଙ୍କ ଜିଦି ଅନୁସାରେ ସକୁରା ଥରକୁ ଥର ଲାଠିଟିକୁ ସିଧା କରି ଧରି ରଖୁଥାଏ ଓ ରାଧାନାଥ ତା’ ପାଖରେ ଠିଆ ହୋଇ ନିଜ ଉଚ୍ଚତା ଅନୁପାତରେ ଲାଠିର ଦୈର୍ଘ୍ୟ ଅନୁମାନ କରିବାକୁ ଲାଗିଥାନ୍ତି। ଶେଷରେ ସକୁରା ରାଧାନାଥଙ୍କ କବଳରୁ ମୁକ୍ତି ପାଇବା ପାଇଁ ତାଙ୍କ କଥାରେ ହଁ ଭରିଲା। କହିଲା- “ଆପଣ ଠିକ୍ କହୁଛନ୍ତି, ଲାଠିଟି ସତରେ ଲମ୍ବାରେ ବଢ଼ିଯାଇଛି”।

ରାଧାନାଥ ବୋଧହୁଏ ସକୁରା ଠାରୁ ଏମିତି ସକାରାତ୍ମକ ଉତ୍ତର ଚାହୁଁଥିଲେ। ତାଙ୍କ ନିରୀକ୍ଷଣ ଭୁଲ ହୋଇ ନପାରେ। କିନ୍ତୁ ସକୁରା କହିବାକୁ ଲାଗିଲା- “ଲାଠିଟି ବଢ଼ିବା ଓ କମିବାରେ ଆପଣଙ୍କର କ୍ଷତି କ’ଣ ? ବରଂ ଆପଣ ଅନ୍ୟ କାମରେ ମନ ଦିଅନ୍ତୁ, ଅଯଥାରେ ବ୍ୟସ୍ତ ହୋଇ ଆପଣଙ୍କର ଦେହ ଖରାପ ହେବ”।

“ଲାଠିଟି ଏତେ ବର୍ଷ ପରେ ଆପେ ଆପେ ଅଧିକ ଲମ୍ବା ହୋଇଯିବାଟା କ’ଣ ଗୋଟେ ସାଧାରଣ କଥା? ତା’ ଛଡ଼ା ଏଇଟା ତ ବିଜ୍ଞାନ ସମ୍ମତ ନୁହେଁ । ଆମକୁ ଜାଣିବାକୁ ହେବ ଏ ରହସ୍ୟର ମୂଳ କ’ଣ” – ରାଧାନାଥ ଜିଦି ଧରିଲେ। ଏଥର ସକୁରା ଫେଁ କରି ହସିଦେଲା ଓ ଚପଳ ତାତ୍ସଲ୍ୟର ସହ କହିଲା- “ଗୋଟେ ସାଧାରଣ ବାଡ଼ି ମନକୁ ମନ ଲମ୍ବାରେ ବଢ଼ିଯାଇଛି, ଏହା ଗୋଟିଏ ହାସ୍ୟାସ୍ପଦ କଥା ନୁହେଁ ? ଦେଖିବାକୁ ହେବ ଆପଣ ସମସ୍ତ ଔଷଧ ଠିକ୍ ସମୟରେ ଖାଇଛନ୍ତି କି ନାହିଁ। ଆଜିକାଲି ଏମିତି ସବୁ ଅବୁଝା କଥାରେ ଆପଣଙ୍କର ପିଲାଳିଆ ଜିଦି ବଢ଼ିଚାଲିଛି।”

ସକୁରା କଥାରେ ରାଧାନାଥ ଚୁପ୍ ହୋଇଗଲେ। ବାଧ୍ୟ ଅଥଚ ଜିଦିଆ ପିଲାଟିଏ ପରି ମୁହଁ ଫୁଲାଇ ଖଟ ଉପରେ ବସିରହିଲେ। ସକୁରା ଆଉ ବାକ୍ୟବ୍ୟୟ ନ କରି ଲାଠିଟିକୁ ତା’ ଜାଗାରେ ରଖିଦେଲା। ଅଳ୍ପ ସମୟ ପରେ ରାଧାନାଥ ଗଭୀର ନିଦରେ ଶୋଇପଡ଼ିଲେ।

ନିଦରେ ଥାଇ ମଧ୍ୟ ରାଧାନାଥ ଯେମିତି ଅଶାନ୍ତିରେ ଛଟପଟ ହେଉଥିଲେ। ଲାଠିଟିର ପ୍ରସଙ୍ଗ ମନ ଭିତରେ ଅଠା ପରି ଲାଖି ରହିଥାଏ। ଏକ ଅସହଜ ଅସ୍ୱସ୍ତିକର ସ୍ୱପ୍ନ ଆବିଷ୍ଟ କରିବାକୁ ଲାଗିଲା ତାଙ୍କର ସମ୍ପୂର୍ଣ୍ଣ ସତ୍ତାକୁ।

ରାଧାନାଥ ସ୍ୱପ୍ନରେ ଦେଖିଲେ ଯେ ସେ ମୃତ। ତାଙ୍କ ଶରୀର ପଡ଼ି ରହିଛି ଏକ ବରଫଦିଆ ସଂରକ୍ଷଣ ଶଯ୍ୟା ଉପରେ। ନାକପୁଡ଼ାରେ ତୁଳା ଓ ଶରୀର ଉପରେ ଧୋବ ଫରଫର ଚାଦର। ଆଖପାଖରେ ବସି ରହିଥାନ୍ତି କିଛି ପଡୋଶୀ, ତାଙ୍କର ଅଳ୍ପ କିଛି ବନ୍ଧୁ ଓ ପୁଅ ବୋହୂ। ସମସ୍ତଙ୍କ ମୁହଁରେ ଦୁଃଖଦ ଗାମ୍ଭୀର୍ଯ୍ୟ । ସବୁଆଡ଼ ନିରବ। ଘର ଭିତରେ ପଶି ଆସି ଫେରିବାକୁ ବାଟ ପାଉନଥିବା ଘରଚଟିଆଟି ପରି ସକୁରା ଏପାଖ ସେପାଖ ହେଉଥାଏ ସମ୍ଭବତଃ କିଛି ଅନିଶ୍ଚିତ ଉଦ୍‌ବେଗକୁ ନେଇ। ରାଧାନାଥ ଧୀରେ ଧୀରେ ନିଜ ଶବ ଆଡକୁ ମୁହାଁଇଲେ। ନିଜ ମୃତ ଶରୀରର ମୁହଁକୁ ଛୁଇଁବାକୁ ଚେଷ୍ଟା କରି ବିଫଳ ହେଲେ। ତାଙ୍କ ମନରେ ଜିଜ୍ଞାସା, ତାଙ୍କ ମୃତ୍ୟୁର କାରଣ କ’ଣ ହୋଇପାରେ? ହୃତକ୍ରିୟା ବନ୍ଦ ହୋଇଯିବା ନା ଆକସ୍ମିକ କୌଣସି ଦୁର୍ଘଟଣା?

ସମବେତ ଶୋକାତୁର ପ୍ରିୟଜନମାନେ ତାଙ୍କ ପ୍ରଶ୍ନର ଉତ୍ତର ଦେବେ କ’ଣ? ସେମାନେ ଯେପରି ତାଙ୍କ କଥା ଶୁଣିବାକୁ ଅସମର୍ଥ। ରାଧାନାଥ ସ୍ୱପ୍ନରେ ଥାଇ ହୃଦବୋଧ କଲେ, ସେ ତ ମୃତ, ତାଙ୍କର ସ୍ୱର କାହିଁ? କାହିଁ ତାଙ୍କ ଉପସ୍ଥିତିର ସ୍ୱାକ୍ଷର?

ବାରଣ୍ଡାରେ କିଛି ଲୋକ କୌଣସି କାର୍ଯ୍ୟରେ ବ୍ୟସ୍ତ ଥାନ୍ତି। ରାଧାନାଥ ଅଗତ୍ୟା ସେହି ଆଡକୁ ଯିବାକୁ ଲାଗିଲେ। ସେଠାରେ ତାଙ୍କ ପାଇଁ କୋକେଇ ପ୍ରସ୍ତୁତ କରାଯାଉଥାଏ। ଅନତି ଦୂରରେ ଜଣେ ବ୍ରାହ୍ମଣ ଶୁଦ୍ଧିକରଣ ପୂଜାବିଧି ପାଇଁ ପ୍ରସ୍ତୁତ ହେଉଥାନ୍ତି। ହଠାତ୍ ସକୁରା ସେଠାରେ ପହଞ୍ଚି ଏକରକମ ଚିତ୍କାର କରିବାକୁ ଲାଗିଲା- “ଏ କ’ଣ କରୁଛ ତୁମେମାନେ? ନୂଆ ବାଉଁଶରେ ସିନା କୋକେଇ ବନାଯାଏ ! ତୁମେମାନେ ସେଥିରେ ବାବୁଙ୍କର ଏ ଲାଠିଟି କାହିଁକି ବ୍ୟବହାର କରୁଛ? ତା’ଛଡ଼ା ଲାଠିଟି ସିଧା ବାଗରେ ଛୋଟ ପଡ଼ିଯିବନି?” ସକୁରାର କଥା ଶୁଣିବାକୁ କାହାର ଯେମିତି ତର ନାହିଁ। କୋକେଇ ପ୍ରସ୍ତୁତି ଚାଲିଥାଏ । ରାଧାନାଥ ଦୂରରୁ ଥାଇ ବିନା ବାକ୍ୟବ୍ୟୟରେ ସବୁ ଦେଖୁଥାନ୍ତି। ପୁଅ ସରୋଜ ଦୁଃଖରେ ମ୍ରିୟମାଣ ହୋଇ ଦିଶୁଥାଏ ବିବଶ ଓ ଅସହାୟ।

ସବୁ ଘଟଣା ପ୍ରବାହ ରାଧାନାଥଙ୍କ ସ୍ୱପ୍ନରେ କେତେବେଳେ ବିଶଦ ଭାବରେ ପ୍ରତୀୟମାନ ହେଉଥାଏ ତ କେତେବେଳେ ପୁଣି ଧୀର ଭାବରେ ତାହା ଅସଙ୍ଗତ ଦୃଶ୍ୟ ପରେ ଦୃଶ୍ୟ ହୋଇ ପ୍ରକଟ ହେଉଥାଏ।

ଶେଷରେ ମୃତ ରାଧାନାଥଙ୍କ ଶରୀରଟିକୁ କୋକେଇ ଉପରେ ରଖିଦିଆଗଲା । ରୁଣ୍ଡ ହୋଇଥିବା ସଜ୍ଜନମଣ୍ଡଳୀ ବୋଧେ ରାମନାମ ନେବାକୁ ଲାଗିଥିଲେ। କୋକେଇ ସ୍ପର୍ଶ ମାତ୍ରେ ସ୍ୱପ୍ନାବିଷ୍ଟ ରାଧାନାଥଙ୍କ ଭିତରେ ଯେମିତି ତଡ଼ିତ୍ ବେଗରେ ବିଦ୍ୟୁତ୍ ପ୍ରବାହ ଖେଳିଗଲା। ହୁଏତ ସେ ଥିଲା ବିପୁଳ ଆଲୋକର ଏକ ନିରବ ବିସ୍ଫୋରଣ। ତାର ଔଜ୍ଜଲ୍ୟରେ ସେ ଯେମିତି ଅନ୍ଧ ହୋଇପଡୁଥିଲେ। ସବୁଆଡ଼େ ଆଲୋକର ବିଚ୍ଛୁରଣ ଆଉ କାନ ପାଖରେ ଅସାମାନ୍ୟ ନିରବତା। ରାଧାନାଥ ଏକ ବିଶାଳ ଶୂନ୍ୟ ଭିତରେ ଲୀନ ହୋଇଯାଉଥିଲେ। ତାଙ୍କ ଶରୀର ନିଆଁ ଝୁଲ ପରି ଛୋଟ ଛୋଟ କଣିକାରେ ପରିଣତ ହୋଇ ଆଲୋକର ବହଳ ବଳୟ ଭିତରେ ପ୍ରବେଶ କରି ଚାଲିଥିଲା। ଅସରନ୍ତି ପଥ, ଅଦ୍ଭୁତ ଚିରନ୍ତନ ଅନୁଭବ।

ହଠାତ୍ ରାଧାନାଥଙ୍କ ସ୍ୱପ୍ନ ଭଙ୍ଗ ହେଲା। ନିଜକୁ ସେ ନିଜ ଖଟ ଉପରେ ଆବିଷ୍କାର କଲେ। ଅପସରି ଯାଇଥିଲା ମୃତ୍ୟୁ ଶଯ୍ୟା, ଶୋକାକୁଳ ସ୍ୱଜନବର୍ଗଙ୍କ ବେଦନାଭରା ଚାହାଣି। ନଥିଲା ଅଲୌକିକ ଆଲୋକର ସ୍ଫୁରଣ। ରାଧାନାଥ ଇହଜଗତକୁ ଫେରିଆସିଥିଲେ, ସତେ ଯେମିତି ମହାକାଶ ଚାରଣର ଅଜଣା ଅନୁଭୂତି ସହ। ତାଙ୍କ ଦେହରେ ଖଇଫୁଟା ତାତି।

ଉଦ୍‌ବେଗର ସହ ତାଙ୍କୁ ଚାହିଁ ବସିରହିଥିଲେ ସକୁରା ଓ ରାନ୍ଧୁଣିଆ ସ୍ତ୍ରୀ ଲୋକଟି। ରାଧାନାଥଙ୍କୁ ସଚେତନ ଦେଖି ସେମାନଙ୍କ ପିଣ୍ଡରେ ଯେମିତି ପ୍ରାଣ ପଶିଲା। ସକୁରା କହିବାକୁ ଲାଗିଲା- “କ’ଣ ହେଲା ଆପଣଙ୍କର ବାବୁ? ଆପଣ ଏପରି ବାଉଳି ଚାଉଳି ହେବା ମୁଁ ପୂର୍ବରୁ କେବେ ଦେଖିନଥିଲି। ବଡ଼ ଭୟ ଲାଗିଲା। ମୁଁ ସରୋଜ ବାବୁଙ୍କୁ ଫୋନ୍ କରି କହିଦେଇଛି। ସେ ହୁଏତ ସେ କାଲି ସୁଦ୍ଧା ଏଠାରେ ପହଞ୍ଚିଯିବେ। ଡାକ୍ତରବାବୁ ମଧ୍ୟ ଆପଣଙ୍କୁ ଦେଖି କିଛି ଇଞ୍ଜେକ୍ସନ ଦେଇ ଯାଇଛନ୍ତି। ସେ ପୁଣିଥରେ ଆପଣଙ୍କୁ ଦେଖିବାକୁ ଆସିବେ ଅଳ୍ପ ସମୟ ପରେ। ହୁଏତ ସେ ଏବେ ଆସୁଥିବେ।” ରାଧାନାଥ ଏକଥା ଶୁଣିପାରୁଥିଲେ କି ନା ଜଣା ନାହିଁ। ଆଖି ଖୋଲି ଶୂନ୍ୟଦୃଷ୍ଟି ପହଁରାଇ ଆଣୁଥିଲେ ସେ ଏଣେ ତେଣେ। ଲାଗୁଥିଲେ ନିଷ୍ପ୍ରଭ, ଦୁର୍ବଳ ଓ ଅସମର୍ଥ।

ହାତ ପାଦ ଆଉଁସି ଦେଉଥିଲା ସକୁରା। ପାଣି ଯାଚୁଥିଲା ରାନ୍ଧୁଣିଆ ସ୍ତ୍ରୀ ଲୋକଟି। କିଛି ସମୟ ପରେ ପୁଣିଥରେ ରାଧାନାଥଙ୍କୁ ପରୀକ୍ଷା କରିବା ପାଇଁ ପହଞ୍ଚିଗଲେ ଡାକ୍ତର ବାବୁ। ତାଙ୍କୁ ଦେଖି ରାଧାନାଥଙ୍କର ଚେତା ଫେରିବା କଥାଟି ବଡ଼ ଭାବପ୍ରବଣତାର ସହ ବର୍ଣ୍ଣନା କରିବାକୁ ଲାଗିଲା ସକୁରା। ତାକୁ ଚୁପ୍ ରହିବାକୁ କହି ଡାକ୍ତର ତାକୁ ଇଶାରା କଲେ ରାଧାନାଥଙ୍କ ଦିଗକୁ। ରାଧାନାଥ କିଛି କହିବାକୁ ଚେଷ୍ଟା କରୁଥିଲେ। ସକୁରା ତାଙ୍କ ମୁହଁ ପାଖରେ କାନ ଡେରି ଯାହା ଶୁଣିଲା, ସେଥିରୁ ବୁଝିଲା ଯେ ରାଧାନାଥ ତାକୁ ଉଜ୍ଜୟିନୀ ଲାଠିଟି ବିଷୟରେ କିଛି ପଚାରୁଛନ୍ତି।

ବଡ଼ ବିରକ୍ତି ସହ ସକୁରା ଡାକ୍ତରଙ୍କୁ କହିଲା- “ଗୋଟିଏ ସାଧାରଣ ବାଡ଼ିଟିକୁ ନେଇ ବାବୁଙ୍କର ଅଯଥାରେ ଏତେ ଶୋଚନା କ’ଣ ପାଇଁ କେଜାଣି, ହୁଏତ ସେଇ ବାଡ଼ିଟିକୁ ଆଣିବାକୁ କହୁଛନ୍ତି”। ଡାକ୍ତରବାବୁ ସକୁରାକୁ ଇଶାରାରେ ପୁଣି ଚୁପ୍ କରି କହିଲେ- “ସେ ଯାହା ମାଗୁଛନ୍ତି ସେଇଟା ତାଙ୍କୁ ଦେଇ ଦେଉନା କାହିଁକି? ବାଡ଼ିଟି ଯଦି ସେ ଦେଖିବାକୁ ମାଗୁଛନ୍ତି ତାଙ୍କୁ ନିଶ୍ଚୟ ଆଣି ଦେଖାଇ ଦିଅ”।

ଡାକ୍ତର ବାବୁ ତାଙ୍କ ବ୍ୟାଗରୁ ଷ୍ଟେଥୋ ଆଦି କାଢୁଥିବା ବେଳେ ସକୁରା କବାଟ କୋଣରୁ ଉଜ୍ଜୟିନୀ ଲାଠିଟି ଆଣି ରାଧାନାଥଙ୍କ ଆଗରେ ଧରି ଠିଆ ହେଲା। ରାଧାନାଥଙ୍କ ପିଲାଳିଆ ଜିଦିକୁ ଉପହାସ କଲା ପରି କହିଲା- “ଏଇ ଦେଖ ତୁମ ଲାଠି, ଯେମିତି ଥିଲା ସେମିତି ଅଛି”। ରାଧାନାଥ ଦୃଷ୍ଟି ସ୍ଥିର କରି ଲାଠିଟିକୁ ଚାହିଁ ରହିଲେ। ଅସ୍ପଷ୍ଟ ସ୍ୱରରେ କହିଲେ- “ତୋତେ ତ ମୋର ପୁରୁଣା ଲାଠିଟି ଆଣିବାକୁ କହିଥିଲି, ତୁ ଛଅଟି ଲାଠି କାହିଁକି ଆଣିଲୁ?”

“ଛଅଟି ଲାଠି?” ସକୁରା ପୁଣି ତାତ୍ସଲ୍ୟ କରି କହିଲା- “ବାବୁ, ସକାଳୁ ଆପଣ କହିଲେ ଲାଠିଟି ଲମ୍ବାରେ ବଡ଼ ହୋଇଯାଇଛି, ଏବେ ଆପଣଙ୍କୁ ଗୋଟିଏ ଲାଠି ଛଅଟି ପରି ମନେ ହେଉଛି। ଆପଣଙ୍କ ଉପରେ ହୁଏତ ଭୂତ ସବାର ହୋଇଛି”। ଇତିମଧ୍ୟରେ ଡାକ୍ତରବାବୁ ରାଧାନାଥଙ୍କୁ ପରୀକ୍ଷା କରିବାକୁ ପ୍ରସ୍ତୁତ ହୋଇସାରିଥାାନ୍ତି। ମାତ୍ର ଆଉ ପରୀକ୍ଷାର ଆବଶ୍ୟକତା ରହିଲା ନାହିଁ। ରାଧାନାଥଙ୍କ ଦେହରେ ହାତମାରି ନିର୍ଲିପ୍ତ ଭାବରେ ସେ କହିଲେ- “ରାଧାନାଥ ବାବୁ ଆଉ ନାହାନ୍ତି”।

ଅଭିଯୋଗ

ତିନି ଘଣ୍ଟା ବିଳମ୍ବରେ ମୁମ୍ବାଇରେ ପହଞ୍ଚିବାପରେ ଏଆର୍‌ପୋର୍ଟ୍‌ରୁ ମୁଁ ସିଧା ଯାଉଥିଲି ସାଉଥ୍ ମୁମ୍ବାଇର ଏକ ନିର୍ଦ୍ଧାରିତ ହୋଟେଲ୍ ଅଭିମୁଖେ । ପହଞ୍ଚୁ ପହଞ୍ଚୁ ବୋଧହୁଏ ଅଧରାତି ହୋଇଯିବ ।

ଗାଡିରେ ବସିବା ପରଠାରୁ ଡ୍ରାଇଭର୍‌ର ଏକ ଅସ୍ଵାଭାବିକ ଆଚରଣ ମୋ ନଜରକୁ ଆସିଥିଲା – ସେ ବାରମ୍ବାର ରିଅର୍‌ଭିଉ ମିରର୍‌ରେ ମୋତେ ଦେଖୁଥିଲା । ହୁଏତ ମୋ ମୁହଁରେ ଦିଶୁଥିବା ବିଳମ୍ବଜନିତ କ୍ଳାନ୍ତି ଓ ବିରକ୍ତିର ଭାବନାକୁ କଳନା କରିବାକୁ ଚେଷ୍ଟା କରୁଥିଲା ସେ । ପରିସ୍ଥିତିକୁ ସାମାନ୍ୟ କରିବାକୁ ଯାଇ ମୁଁ ଡ୍ରାଇଭର୍ ଉଦ୍ଦେଶ୍ୟରେ ହିନ୍ଦି ଭାଷାରେ କହିଲି,
– ‘ଏତେ ରାତିରେ ବି ସାନ୍ତାକ୍ରୁଜ୍ ଫ୍ଲାଇ-ଓଭର୍ ଉପରେ ଏ ପ୍ରକାର ଭିଡ?’
ମୋତେ ଚକିତକରି ଡ୍ରାଇଭର୍ ଓଡିଆରେ ଉତ୍ତର ଦେଲା,
–  ‘ଆଜି ପ୍ରଧାନମନ୍ତ୍ରୀ ଏକ ରାଲିରେ ଯୋଗଦେବାକୁ ଆସିଥିଲେ – ସେଥିପାଇଁ ଏତେ ଭିଡ ଲାଗିରହିଛି । ଆପଣ ଯଦି ପୂର୍ବରୁ ପହଞ୍ଚିଥାଆନ୍ତେ, ତେବେ ଆହୁରି ଭିଡ ପାଇଥାଆନ୍ତେ । କିନ୍ତୁ ମୁଁ ଆପଣଙ୍କୁ କୋଷ୍ଟାଲ୍ ରୋଡ୍‌ରେ ନେଇ ଅଧଘଣ୍ଟା ମଧ୍ୟରେ ପହଞ୍ଚାଇ ଦେବି ।’
ସତେ ଯେମିତି ଏତେ ସବୁ କଥା ତା ପାଟିରେ ଜମାଟ ବାନ୍ଧି ରହିଥିଲା ଓ ସୁବିଧା ପାଇ ସେ ଏକା ନିଃଶ୍ଵାସକେ ସବୁ କହି ପକାଇଲା । ମୁଁ କୌତୁକହଳ ବଶତଃ ପଚାରିଲି,
–  ‘ତୁମେ ତେବେ ଓଡିଆ ? କେବେଠାରୁ ମୁମ୍ବାଇରେ ରହୁଛ ?’
ମୋ ପ୍ରଶ୍ନର ସିଧା ଉତ୍ତର ନ ଦେଇ ସେ କହିଲା,
–  ‘ଆପଣଙ୍କର ବହୁତ ପ୍ରଶଂସା ଶୁଣିଥିଲି, ଆଜି ଆପଣଙ୍କ ଡ୍ୟୁଟିରେ ଆସିବାର ସୁଯୋଗ ମିଳିଲା ।’
–  ‘ମୋର ପ୍ରଶଂସା ? କାହାଠାରୁ ?’ ମୁଁ ଟିକେ ଉତ୍‌ଫୁଲ୍ଲିତ ହୋଇ ପଚାରିଲି ।
–  ‘ଅନ୍ୟ ଡ୍ରାଇଭର୍‌ମାନଙ୍କ ପାଖରୁ । ଆପଣ ନିୟମିତ ମୁମ୍ବାଇ ଆସନ୍ତି । ପ୍ରତିଥର ଆମ ଏଜେନ୍‌ସିରୁ ଆପଣଙ୍କପାଇଁ  ଡ୍ରାଇଭର୍ ଓ ଗାଡି ପଠାଯାଏ । ଆପଣ ଖୁବ୍ ଭଲଲୋକ ବୋଲି ଡ୍ରାଇଭରମାନେ କହନ୍ତି ।’

ଆମ କଥୋପକଥନରେ ବାଧା ଦେଇ ଏତିକିବେଳେ ମୋର ଫୋନ୍ ବାଜି ଉଠିଲା – ଘରୁ ଧର୍ମପତ୍ନୀଙ୍କ କଲ୍ । ମୁଁ ଜାଣେ କାର୍ ଭିତରର ନୀରବତାରେ ସ୍ପିକର୍ ଅନ୍ ନ କଲେ ମଧ୍ୟ ଆସୁଥିବା ସ୍ଵର ଡ୍ରାଇଭର୍‌କୁ ମଧ୍ୟ ଶୁଣାଯିବ । ଓଡିଆ କହୁଥିବା ଡ୍ରାଇଭର୍‌ଟି ଆମ କଥୋପକଥନ ଶୁଣୁ, ମୋର ଇଚ୍ଛା ନ ଥିଲା । ତେଣୁ ନିର୍ଲିପ୍ତ ସ୍ଵରରେ କହିଲି,
–  ‘ଭଲରେ ପହଞ୍ଚିଲି ବୋଲି ମେସେଜ୍ କରିଥିଲି ପରା ?’
ପତ୍ନୀଙ୍କର କିନ୍ତୁ କହିବା ପାଇଁ ଅଲଗା କଥା ଥିଲା । ତେଣୁ ସେ କହି ଚାଲିଲେ,
–  ‘ବାପାଙ୍କର ବାଉଳି ଚାଉଳି ଟିକେ ବଢିଯିବାରୁ ତାଙ୍କୁ ଆଉ ପାନେ ଔଷଧ ଖୁଆଇ ଦେଲି । ସେ ଭଲ ଅଛନ୍ତି । ଆଜି ରାତିରେ ଉଊୟ ରମା ଓ ନର୍ସ୍ ବାପାଙ୍କ ପାଖରେ ରହିବେ । ବ୍ୟସ୍ତତାର କାରଣ ନାହିଁ …।’
ମୁଁ ‘ହଁ’, ‘ନାହିଁ’ ରେ ଉତ୍ତର କରି ଗୁଡ୍ ନାଇଟ୍ କହିଲି ।
କାର୍ ଭିତରେ କିଛି ସମୟର ନୀରବତା ପରେ ଡ୍ରାଇଭର୍ ପଚାରିଲା,
–  ‘କଣ ଆପଣଙ୍କ ବାପାଙ୍କର ଦେହ ଖରାପ ଅଛି ? ବୟସ ହୋଇଯିବଣି । ବ୍ୟସ୍ତ ହୁଅନ୍ତୁ ନାହିଁ । ସବୁ ଠିକ୍ ହୋଇଯିବ ।’
ମୁଁ ଉତ୍ତର ଦେଲି ନାହିଁ । ଡ୍ରାଇଭର୍‌ର ଅଯାଚିତ ହସ୍ତକ୍ଷେପ ଓ ଶୁଭେଚ୍ଛା ମୋର ଦରକାର ନଥିଲା ।

ମୋତେ ହୋଟେଲ୍‌ରେ ପହଞ୍ଚାଇ ଦେଇ ଡ୍ରାଇଭର୍ କହିଲା,
–  ‘ସାର୍, ମୁଁ କାଲି ସକାଳ ସାତଟାରେ ପହଞ୍ଚିଯିବି । ଆପଣଙ୍କ କାର୍ଯ୍ୟକ୍ରମ ନ’ ଟାରେ ଆରମ୍ଭ – ଏଠାରୁ ବିକେସି (ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ୍) ଯିବାକୁ ପ୍ରାୟ ପଇଁଚାଳିଶ ମିନିଟ୍ ଲାଗିବ ।’
– ‘ତୁମେ ବରଂ ନ’ଟାରେ ଆସ ।’ – କହିଲି ମୁଁ । ଡ୍ରାଇଭରର ରିପୋର୍ଟିଂ ଓ ମୋର ଯିବାର ନିର୍ଦ୍ଦିଷ୍ଟ ସମୟ ଡ୍ରାଇଭରଟାଏ କାହିଁକି ନିରୁପଣ କରିବ ?
ଯିବା ବେଳକୁ ଡ୍ରାଇଭର୍ ମୋ ପାଖକୁ ଆସି ହାତ ବଢାଇଦେଇ କହିଲା,
– ‘ଗୁଡ୍ ନାଇଟ୍ ସାର୍ ।’
ମୁଁ ଅଗତ୍ୟା ମୋର ହାତ ବଢାଇ ଦେଲି । ଅତି ଅନ୍ତରଙ୍ଗତାର ସହ ସେ ହାତ ମିଳାଇଲା । କଥାଟି ମୋତେ ଅପସନ୍ଦ ନ ହେଲେ ମଧ୍ୟ ହଜମ ହେଲାନାହିଁ । ଯେତେ ପ୍ରଶ୍ରୟ ଦେଲେ ମଧ୍ୟ କୌଣସି ଡ୍ରାଇଭର୍ ସମକକ୍ଷତାର ସୀମାରେଖାକୁ ଏତେ ଆଗକୁ ନେଇ ଆସି ନ ଥିଲେ । ଯିବାବେଳେ କହିଲା,
–  ‘ମୋ ନାଁ ଭେନୁ – ଭେନୁ ପ୍ରସାଦ । ଦରକାର ହେଲେ ଯେ କୌଣସି ସମୟରେ ମୋତେ ନିଶ୍ଚୟ ଫୋନ୍ କରିବେ ।’

ପରଦିନ ସକାଳେ ଗାଡିରେ ବସିବାପରେ ଭେନୁର ଅନେକ ପ୍ରଶ୍ନ ।
–  ‘ଆପଣଙ୍କୁ ଭଲ ନିଦ ହେଲା ତ? …. ଆପଣଙ୍କ ବାପାଙ୍କ ଦେହ କେମିତି ଅଛି ? …. ଆପଣ ଏମିତି ବାରମ୍ବାର ମୁମ୍ବାଇ ଆସନ୍ତି… ଏତେ ପରିଶ୍ରମ କରନ୍ତି କିପରି ? ….’ – ଇତ୍ୟାଦି ।
ମୁଁ ଅତ୍ୟନ୍ତ ସତର୍କତାର ସହ ସଂକ୍ଷିପ୍ତ ଉତ୍ତର ଦେଉଥିଲି – ମୋର ବ୍ୟକ୍ତିଗତ ଜୀବନରେ ତାର ଅଦରକାରୀ ଆଗ୍ରହ ମୁଁ ଆଦୌ ପସନ୍ଦ କରୁ ନ ଥିଲି । ଗାଡି ଭିତରେ ରଖିଥିବା ଖବରକାଗଜଟିକୁ ମେଲାଇ ଧରି ମୁଁ ଭେନୁଠାରୁ ନିଜକୁ ଦୂରେଇ ନେଲି । ସେ ବୋଧହୁଏ ମୋର ଅନାଗ୍ରହ ବୁଝିପାରିଲା ଓ ଚୁପ୍ ଚାପ୍ ଗାଡି ଚଳାଇବାରେ ମନ ଦେଲା ।

ତୃତୀୟ ଦିନ ସକାଳୁ ମୁଁ ପୁନା ବାହାରି ଥାଏ ଗୋଟିଏ ମିଟିଂ ରେ ଯୋଗ ଦେବା ପାଇଁ । ବମ୍ବେ-ପୁନା ଏକ୍ସପ୍ରେସ୍ଓ୍ଵେରେ ଭେନୁ ଗାଡି ଚଳାଉ ଥାଏ ଅତି କମରେ ଅଶୀ କିଲୋମିଟର୍ ବେଗରେ । ତଥାପି ସେ ଅନେକ ସମୟରେ ରକରିବ‌ଭିଉ ମିରର୍‌ଦେଇ ମୋ ଆଡକୁ ନିରେଖି ଦେଖୁଥାଏ । ଅପ୍ରସ୍ତୁତ ଲାଗୁଥିଲେ ମଧ୍ୟ ଭେନୁକୁ ମୁଁ କିଛି କହିପାରୁ ନଥାଏ । ବଡ ତୀକ୍ଷ୍ଣ ସେ ଦୃଷ୍ଟି – ଯେମିତି ସେ ମୋ ଭିତରେ କାହାକୁ ଖୋଜିବାକୁ ଚେଷ୍ଟା କରୁଛି । ବେଳେବେଳେ ଦର୍ପଣରେ ତା’ ସହ ଆଖି ମିଶିଗଲେ ମଧ୍ୟ ଅନ୍ୟମନସ୍କ ଥିଲାପରି ସେ ତାର ନଜର ହଟାଉ ନ ଥାଏ । ଏ ପ୍ରକାର ଅନୁଭବ ମୋ ପାଇଁ ପ୍ରଥମ ଓ ଏକ ବ୍ୟତିକ୍ରମ । ସବୁଠାରୁ କୌତୁହଳପୂର୍ଣ୍ଣ ଅନୁଭୂତି ହେଲା ବାଟରେ ଆମେ ଅଟକି ଥିବା ଫୁଡ୍‌କୋର୍ଟ୍‌ରେ । ସେଠାରେ ମୁଁ ଭଲ କଫି ଦୋକାନଟିଏ ଭିତରେ ବସି ମୋ ଫୋନ୍‌ରେ ନିମଗ୍ନ ଥାଏ । କଫି ଦୋକାନଟି ଫୁଡ୍‌କୋର୍ଟ୍‌ର ଏକ କଣରେ । ଗୋଟିଏ ବଡ ହଲ୍‌ର ଦୁଇ ପାଖରେ ଖାଇବା ଦୋକାନ ଓ ମଝିରେ ଥାଏ ଧାଡିଧାଡି ଟେବୁଲ୍ ଓ ଚଉକି । କଫି ଦୋକାନ ଭିତରୁ ଦେଖିବାକୁ ପାଇଲି ଭେନୁକୁ ଅନତି ଦୂରରେ ଏକ ଟେବୁଲ୍ ପାଖରେ । ହାତରେ ତାର ଥାଏ ଏକ ଚା’ ଗ୍ଲାସ୍ । ସେଠାରେ ଥାଇ  ମଝିରେ ମଝିରେ ସେ ଦେଖୁଥାଏ ମୋ ଆଡକୁ । ସତେ ଯେମିତି ସେ ମୋ ଉପରେ ନଜର ରଖିଛି; ମୋର ଗତିବିଧି ଅନୁଧ୍ୟାନ କରି କିଛି ଗୁପ୍ତ ଯୋଜନାରେ ମଗ୍ନ ଅଛି । କହିବା ବାହୁଲ୍ୟ, ମୋତେ ଭୟ ଲାଗିଲା । ଆଜିକାଲି ଯେତେ ପ୍ରକାରର କ୍ରାଇମ୍ ହେଉଛି, ସେଥିରେ କାହାରିକୁ ସମ୍ପୂର୍ଣ୍ଣ ବିଶ୍ଵାସ କରିବା ଉଚିତ ମଧ୍ୟ ନୁହେଁ ।
କିଛି ସମୟ ପରେ କଫି ଦୋକାନରୁ ବାହାରି ଭେନୁକୁ ଦେଖିଲି ନାହିଁ । ମୁଁ ପାର୍କିଂ ଦିଗରେ ଯିବାକୁ ଉଦ୍ୟତ ହେଲାବେଳକୁ ଭେନୁ ପଛରୁ ଆସି ଉଭାହେଲା ଓ ମୋତେ ଗୋଟିଏ ଜାଗାରେ ଠିଆ ହେବାକୁ କହି ଗାଡିଟି ଆଣିବାକୁ ଦୌଡି ଚାଲିଗଲା । ତାର ନମ୍ର ବ୍ୟବହାରରେ ମୁଁ ପୁଣି ତରଳିଗଲି ଓ ପୂର୍ବରୁ ଅନୁମାନ କରିଥିବା ଭୟ ମନରୁ କିଛିଟା ଉଭେଇ ଗଲା ।

ଦିନ ସାରା କାର୍ଯ୍ୟବ୍ୟସ୍ତ ରହିବା ପରେ ସନ୍ଧ୍ୟାରେ ମୁଁ ମୁମ୍ବାଇ ଫେରୁଥାଏ । ପୁନା ସହରର ଭିଡ ରାସ୍ତା ପାରିହୋଇ ହାଇଓ୍ଵେ ଧରିବା ଆଗରୁ ହିଁ ମୁଁ ନିଦରେ ଶୋଇପଡିଲି । ଗଭୀର ନିଦରେ ଥାଇ ମୋର ଆଉ ସ୍ଥାନ କାଳର ଧାରଣା ନଥାଏ । ହଠାତ ମୋର ନିଦ ଭାଙ୍ଗିଗଲା ଓ ମୁଁ ଅନୁଭବ କଲି ଗାଡିଟି ରାସ୍ତା କଡରେ ସ୍ଥିର ହୋଇ ଅଟକି ଯାଇଛି । ଆଗ ସିଟ୍‌ରୁ ଭେନୁ ମୋତେ ବଡ ବଡ ଆଖିରେ ଚାହିଁ ରହିଛି । ଭୟରେ ମୁଁ ଚମକି ଉଠିଲି ଓ ପଚାରିଲି,
– ‘ମୁଁ କୋଉଠି ? ତୁମେ ମୋତେ ଏମିତି ଚାହିଁ ରହିଛ କଣ ପାଇଁ ? କ’ଣ ତୁମ ଉଦ୍ଦେଶ୍ୟ ?’
– ‘ଆପଣଙ୍କୁ ନିଦରୁ ଉଠାଇ ଦେଇଥିବାରୁ ଦୁଃଖିତ । ଟିକିଏ ଚା’ ପିଇବା ପାଇଁ ଏଇଠି ଅଟକି ଥିଲି । ଆପଣଙ୍କୁ ଶୋଇଥିବା ଦେଖି କେମିତି ପଚାରିବି ବୋଲି ଭାଳି ହେଉଥିଲି ।’
ମୁଁ ଆଖି ମଳି ମଳି ସାଷ୍ଟାଙ୍ଗ ହେଲି । ଚା’ ଟିକିଏ ପିଇବା ପାଇଁ ମୁଁ ମଧ୍ୟ ଅଗତ୍ୟା ଗାଡିରୁ ଓହ୍ଲାଇଗଲି । ଶୌଚାଳୟରୁ ଫେରି ଫୁଡ୍‌କୋର୍ଟ୍‌ର ମୁଖ୍ୟ ହଲ୍‌ରେ ପାଦ ଦେଉଦେଉ ଭେନୁ ଆଗରେ ଆସି ଉଭା ହୋଇଗଲା ଓ ମୋତେ ପାଖ ଟେବୁଲ୍ ପାଖକୁ ବାଟ କଢାଇ ନେଲା । ଟେବୁଲ୍ ଉପରେ ରଖା ହୋଇ ଥାଏ ଦୁଇ ଗ୍ଲାସ୍ ଚା’ – ଯାହାକୁ ବମ୍ବେଇୟା ଭାଷାରେ କୁହାଯାଏ କଟିଂ ଚାଏ । ତା’ ସହ ଦୁଇ ଜାଗା ଗରମାଗରମ ଘୁଗୁନି ।
– ‘ନ ପଚାରି ଆପଣଙ୍କ ପାଇଁ ଚା’ ଓ ଘୁଗୁନି ନେଇ ଆସି ଥିବାରୁ ଦୁଃଖିତ । କିନ୍ତୁ ମୁଁ ନିଃସନ୍ଦେହ ଯେ ଆପଣଙ୍କୁ ଏହା ଖୁବ ଭଲ ଲାଗିବ । ଆପଣଙ୍କର କ୍ଳାନ୍ତି ମଧ୍ୟ ଦୂର ହୋଇଯିବ । ଜଣେ ଓଡିଆ ଲୋକ ଏଇ ଫୁଡ୍‌କୋର୍ଟ୍‌ରେ ଘୁଗୁନି ବନାଏ । ଜାଣିବା ଲୋକଙ୍କର ଏହା ଖୁବ ପସନ୍ଦ । ଖାଇ ଦେଖନ୍ତୁ – ଆପଣ ନିରାଶ ହେବେ ନାହିଁ ।’
ଜଣେ ଡ୍ରାଇଭର୍ ପକ୍ଷରେ ଏତେଟା ସ୍ଵାଧୀନତା ସ୍ଵତଃ ହାତ କରିନେବା ଶୋଭା ପାଉନଥିଲା । କିନ୍ତୁ ଭେନୁର ଆଗ୍ରହ ଓ ଗରମ ଘୁଗୁନିର ବାସ୍ନାରେ ମୁଁ ସବୁ ଭୟ ଓ ଆଭିଜାତ୍ୟ ଭୁଲି ତା’ ସହ ବସିଗଲି । ସତରେ ଘୁଗୁନି ଓ ଚା’ ମୋତେ ଖୁବ ତାଜା କରିଦେଲା । ଭେନୁର ମନ ଖୁସିରେ ଯେମିତି ପୁରି ଉଠୁଥାଏ । ସେ ଫୁଲି ଫୁଲି କହୁଥାଏ,
– ‘ଆପଣଙ୍କ ସହ ଏକାଠି ବସି ଚା’ ପିଇବାରେ ମୁଁ ଖୁବ ଆନନ୍ଦିତ । ବିଶ୍ଵାସ କରନ୍ତୁ, ମୁଁ ପୂର୍ବରୁ କୌଣସି ବାବୁଙ୍କ ସହ ଏପରି ବ୍ୟବହାର କରି ନାହିଁ । ଏ ପ୍ରକାରର ଧୃଷ୍ଟତା ସମ୍ପର୍କରେ ଜାଣିଲେ ମୋର ଡ୍ରାଇଭର୍ ଚାକିରିଟି ନିଶ୍ଚୟ କଟିଯିବ ।’
ମୁଁ ହସି ହସି କହିଲି,
– ‘ମୋତେ ବି ଖୁବ୍ ଭଲ ଲାଗିଲା ତୁମ ସହ ବସି ଚା’ ପିଇବାରେ । ଘୁଗୁନି ପାଇଁ ବିଶେଷ ଧନ୍ୟବାଦ । ପ୍ରକୃତରେ ମୁଁ ଘୁଗୁନିର ଜଣେ ଏକନିଷ୍ଠ ଭକ୍ତ । ପିଲାଟି ଦିନରୁ ଘୁଗୁନି ଖାଇବାକୁ ମୋତେ ଖୁବ୍ ଭଲ ଲାଗେ ।’
ଭେନୁ ଓ ମୋ ଭିତରେ ଥିବା ଔପଚାରିକତାର ପାଚେରିରେ ଫାଟ ଦେଖାଦେବାକୁ ଲାଗିଲା । ମୁଁ ତା ବିଷୟରେ ଅଧିକ ଜାଣିବା ପାଇଁ ପଚାରିଲି ପରିବାର ଓ ଓଡିଶାରେ ତାର ଘର ସମ୍ପର୍କରେ । ମୋ ପ୍ରଶ୍ନର କୌଣସି ସିଧା ଉତ୍ତର ନଦେଇ ଭେନୁ କହିଲା,
– ‘ମୁଁ ଜଣେ ନିଃସଙ୍ଗ ପଥିକ । ମୋର ଆଗକୁ ବା ପଛକୁ କେହି ନାହିଁ । ଏପରିକି ଗତ କୋଡିଏ ବର୍ଷରୁ ଅଧିକ ସମୟ ହେବ ମୁଁ ଓଡିଶା ମାଟି ମାଡି ନାହିଁ ।

ଭେନୁ ମୋ ପାଇଁ ଥିଲା ଏକ ନୂଆ ଅନୁଭୂତି । କିନ୍ତୁ ତା’ ବିଷୟରେ ବିଶେଷ ଗୁରୁତ୍ଵର ସହ ଅଧିକ କିଛି ଭାବିବା ମୋ ପାଇଁ ଥିଲା ଅଯୌକ୍ତିକ । ହୁଏତ ଅନେକ ଦିନ ପରେ ବା ପ୍ରଥମ ଥର ପାଇଁ ଜଣେ ଓଡିଆ କ୍ଲାଏଣ୍ଟ୍ ଦେଖି ସେ ହୋଇପଡିଥିଲା ଅଯଥା ଭାବପ୍ରବଣ ।

ପର ଦିନ ସକାଳୁ ଫ୍ଲାଇଟ୍ ଧରି ମୋତେ ଫେରିବାର ଥାଏ । ଭେନୁ ମୋତେ ଠିକ ସମୟରେ ନେଇ ଏଆର୍‌ପୋର୍ଟ୍‌ରେ ପହଞ୍ଚାଇ ଦେଲା । ବ୍ୟାଗ୍ ଗାଡିରୁ ବାହାର କରି ଆଣିଲା ଓ ଡ୍ୟୁଟି ସ୍ଲିପ୍‌ରେ ମୋର ଦସ୍ତଖତ ନେଲା । ମୁଁ ତା ହାତରେ ପାଂଚଶହ ଟଙ୍କା ବକସିସ୍ ଗୁଞ୍ଜି ଦେଲି ।  ସେ ଖୁସିରେ ଗ୍ରହଣ କଲା । ଧନ୍ୟବାଦରେ ପୋତି ପକାଇଲା । ତା’ପରେ ଦ୍ଵିଧା ମିଶା ଥର ଥର ସ୍ଵରରେ କହିଲା,
– ‘ସାର୍, ମୁଁ ଆପଣଙ୍କ ପାଇଁ ଗୋଟିଏ ଉପହାର ଆଣିଛି । ଦୟାକରି ଗ୍ରହଣ କରନ୍ତୁ , ମୋତେ ଖୁବ୍ ଭଲ ଲାଗିବ ।’ ଗାଡି ଭିତରୁ ବାହାର କରିଆଣିଲା ଗିଫଟ୍ ରାପ୍ ହୋଇଥିବା ଗୋଟିଏ ବହି ଓ ମୋ ହାତରେ ଅତି ସନ୍ତର୍ପଣରେ ଧରାଇ ଦେଲା । ତାର ଭାବପ୍ରବଣତାରେ ଅଭିଭୂତ ହୋଇ ମୁଁ ତାର ଉପହାର ଗ୍ରହଣକଲି । ସେ କହିଲା,
– ‘ସାର୍, ମୋର ଗୋଟେ ସର୍ତ୍ତ ଅଛି । ଏ ଉପହାରଟି ଆପଣ ଘରେ ପହଞ୍ଚିଲା ପରେ ଯାଇ ଖୋଲିବେ । ତା ପୂର୍ବରୁ ମୋଟେ ନୁହେଁ ।’
ମୁଁ ହସି ହସି କହିଲି,
– ‘ଠିକ ଅଛି ଭେନୁ, ଏଇଟା ମୁଁ ଘରେ ପହଞ୍ଚିଲା ପରେ ହିଁ ବାହାରକରିବି । ଆଶା, ମୋର ପରବର୍ତ୍ତୀ ବମ୍ବେ ଗସ୍ତରେ ତୁମେ ପୁଣି ଥରେ ଡ୍ୟୁଟିରେ ଥାଇ ମୋ ସହ ଭେଟ ହେବ ।’
ମୁଁ ଏଥର ଭେନୁ ସହ ଅନ୍ତରଙ୍ଗତାର ସହ ହାତ ମିଳାଇଲି ଓ ପ୍ରସ୍ଥାନ ଗେଟ୍ ଆଡକୁ ମୁହାଁଇଲି । ଗେଟ୍ ନିକଟରେ ପହଞ୍ଚି ଦେଖିଲି, ଭେନୁ ମୋ ଯିବା ବାଟକୁ ଚାହିଁ ରହିଛି । ସେ ମୋତେ ହାତହଲାଇ ବିଦାୟ ଦେଲା ଓ ମୁଁ ଏଆର୍‌ପୋର୍ଟ୍‌ର ଭିଡ ଭିତରେ ସାମିଲ୍ ହୋଇଗଲି ।

ଘରକୁ ଫେରିବା ପରେ ହାଣ୍ଡ୍‌ବ୍ୟାଗ୍‌ରୁ ଉପହାରଟି କାଢି ଖୋଲିବାକୁ ଲାଗିଲି । ସେଥିରେ ଥିଲା ଏକ ପୁରୁଣା ବହି । ବହିର ତୃତୀୟ ପୃଷ୍ଠାରେ ମୋ ପିଲା ଦିନର ହସ୍ତାକ୍ଷରରେ ଲେଖାଥିଲା ମୋର ନାମ ଓ ତା’ ତଳେ ଦୁଇଟି ଶବ୍ଦ – ଷଷ୍ଠ ଶ୍ରେଣୀ । ଜାଣି ପାରିଲି, ବହିଟି ମୋର ଷଷ୍ଠ ଶ୍ରେଣୀର ପ୍ରିୟ ସାହିତ୍ୟ ବହି । ନିମିଷକେ ଝପଟି ଗଲି ମୋ ପଢାଘରକୁ । ପୁରୁଣା ବହି ଓ ଫାଇଲ୍‌ପତ୍ର ରଖା ଯାଇଥିବା ଥାକଟିକୁ ଖିନ୍ ଭିନ୍ କରି ଖୋଜିବାକୁ ଲାଗିଲି ସତେ ଯେପରି ହଜାଇ ଦେଇଥିବା ରତ୍ନଟିଏ । ଶେଷରେ ଦରକାରୀ ଜିନିଷଟି ମିଳିଗଲା – ମଇଳା, ପୁରୁଣା ସାହିତ୍ୟ ବହିଟିଏ । ବହିଟିର ତୃତୀୟ ପୃଷ୍ଠାରେ ଲେଖାଥିଲା, ବେଣୁ ପ୍ରଧାନ, ଷଷ୍ଠ ଶ୍ରେଣୀ । ମନେ ପଡିଲା ପିଲା ଦିନର କଥା । ମୋର ଷଷ୍ଠ ଶ୍ରେଣୀ ପରେ ମୋ ବାପା ଓ ଆମ ପୁରା ପରିବାର ସୁନ୍ଦରଗଡ଼ ଛାଡି କଟକ ସ୍ଥାନାନ୍ତରୀତ ହୋଇଥିଲୁ । ସେତେବେଳେ ମୋର ପ୍ରିୟ ସହପାଠୀ ବେଣୁ ଓ ମୁଁ ଆମ ସାହିତ୍ୟ ବହି ଦୁଇଟି ପରସ୍ପର ମଧ୍ୟରେ ବଦଳ କରିଥିଲୁ । କଥା ଥିଲା, ଆମେ ଏ ବହିକୁ ଦେଖି ପରସ୍ପରକୁ ସବୁଦିନ ମନେ ରଖିବୁ । ବାଲ୍ୟକାଳର ଏ ନିଃଷ୍ପାପ କଳ୍ପନା ଓ ବେଣୁର ସର୍ତ୍ତହୀନ ବନ୍ଧୁତା ମନରେ ସ୍ପଷ୍ଟ ହୋଇ ଆସିଲା । ବୁଝି ପାରିଲି, ମୋ ସହ ଡ୍ରାଇଭର୍ ଭାବରେ ଗତ ତିନି ଦିନ ଧରି କାମ କରିଥିବା ଲୋକଟି ଆଉ କେହି ନୁହେଁ, ମୋର ସହପାଠୀ ଓ ବାଲ୍ୟବନ୍ଧୁ ବେଣୁ । ମନେ ପଡିଲା, ଆମେମାନେ ସୁନ୍ଦରଗଡ଼ ଛାଡିବା ପରେ ସେହି ଷଷ୍ଠ ଶ୍ରେଣୀ ପରେ ବେଣୁ ଘରୁ ନିରୁଦ୍ଦିଷ୍ଟ ହୋଇ ଯାଇଥିଲା । ବାପା ମାଆ ଛେଉଣ୍ଡ ବିଚରା ପିଲାଟା ସମ୍ପର୍କୀୟ ମାନଙ୍କର ଦୌରାତ୍ମ୍ୟ ସହି ନ ପାରି କେଉଁ ଆଡେ ଚାଲିଗଲା ବୋଲି ସେତେବେଳେ ଆମ ଘରେ ବାପା ମା’ କଥା ହେଉଥିଲେ । କଥାଟାର ଗୁରୁତ୍ଵ ମୁଁ ସେତେବେଳେ ବୁଝି ପାରିନଥିଲି ଓ ପରେ ବୁଝିବାକୁ କେବେ ଚେଷ୍ଟା କରିନଥିଲି ।

କାଳ ବିଳମ୍ବ ନ କରି ମୁଁ ବେଣୁକୁ ଫୋନ୍ ଲଗାଇଲି । ମନେ ପଡିଲା ସେ କହିଥିବା କଥା –  ‘ମୋ ନାଁ ଭେନୁ – ଭେନୁ ପ୍ରସାଦ । ଦରକାର ହେଲେ ଯେ କୌଣସି ସମୟରେ ମୋତେ ନିଶ୍ଚୟ ଫୋନ୍ କରିବେ ।’ କିନ୍ତୁ ଫୋନ୍‌ରେ ଅନ୍ୟ ଦିଗରୁ ଉତ୍ତର ଆସିଲା, –  ‘ଏ ନମ୍ବରଟି ଭେନୁର ବ୍ୟକ୍ତିଗତ ନମ୍ବର ନୁହେଁ । ଡ୍ୟୁଟି ସମୟରେ ଏଜେନ୍‌ସି ତରଫରୁ ସୀମିତ ବ୍ୟବହାର ପାଇଁ ଡ୍ରାଇଭର୍ ମାନଙ୍କୁ ଫୋନ୍ ଯୋଗାଇ ଦିଆଯାଇଥାଏ ।’
ମୁଁ ବେଣୁ ସହ କଥା ହେବାପାଇଁ ଚାହିଁବାରୁ ଫୋନ୍‌ରେ ଅନ୍ୟ ଦିଗରେ ଥିବା ଏଜେନ୍‌ସିର ବ୍ୟକ୍ତିଜଣକ କହିଲେ,
– ‘ସାର୍, ଆପଣଙ୍କ ଡ୍ୟୁଟି ପରେ ସେ ଅତି ତରତରରେ ଚାକିରୀ ଛାଡି ଦେଇଛି । ବୋଧହୁଏ ସେ ନାଗପୁରରେ ତା’ ଗାଆଁକୁ ଚାଲି ଯାଇଥିବ । ଯଦି ଆପଣଙ୍କର କିଛି ଅଭିଯୋଗ ଥାଏ, ଆପଣ କହି ପାରନ୍ତି । ଆମେ ନିଶ୍ଚୟ …..’

ମୁଁ ଫୋନ୍ କାଟିଦେଲି । ଅଭିଯୋଗ ତ ନିଶ୍ଚୟ ଅଛି – ବେଣୁ ତା’ର ପରିଚୟ ଦେଲା ନାହିଁ !

****

ଧବଳ ଉପାଖ୍ୟାନ

ସକାଳୁ ଲୋକେ ଚଳପ୍ରଚଳ ହେବା ପୂର୍ବରୁ ଆରମ୍ଭ ହୋଇ ଯାଇଥିଲା ଦୁଇ ଷଣ୍ଢଙ୍କ ମଧ୍ୟରେ ଲଢେଇ ।

ସାହି ଭିତରେ ଷଣ୍ଢ ଲଢେଇ ଦେଖିବା ଏମିତି କିଛି ନୂଆ ନୁହେଁ; ସମସ୍ତଙ୍କର ଦେହ ସୁହା କଥା । ପ୍ରାଣୀ ବତ୍ସଳ ଗଳିରେ ବାରବୁଲା ଷଣ୍ଢମାନେ ବୁଲୁବୁଲୁ ବାରମ୍ବାର ମୁହାଁମୁହିଁ ହୁଅନ୍ତି ଓ ପ୍ରତିଥର ଉଣାଅଧିକେ ସାମାନ୍ୟ ଧସ୍ତାଧସ୍ତି ସହ ପରସ୍ପରକୁ ସମ୍ଭାଷଣ ଜଣାନ୍ତି । ମାତ୍ର ସେ ଦିନର ଷଣ୍ଢ ଲଢେଇ ଥିଲା ବଡ଼ ଅସ୍ଵାଭାବିକ । ମୁଣ୍ଡ ନୂଆଁଇ, ଶିଙ୍ଘ ଛନ୍ଦି ପରସ୍ପର ଉପରେ ଅମାପ ବଳ ପ୍ରୟୋଗକରି ଠିଆ ହୋଇଥାଆନ୍ତି ଷଣ୍ଢ ଦୁଇଟି । ନାକପୁଡ଼ାରୁ ଯେମିତି ବାହାରୁଥାଏ ତତଲା ବତାସ ଓ ଆଖିରୁ ଜଳନ୍ତା ନିଆଁହୁଳା । ଉଭୟେ ଠିଆ ହୋଇଥାଆନ୍ତି ଗୋଟିଏ ଅସାଧାରଣ ସନ୍ତୁଳନରେ – ହଲ୍ ନାହିଁ କି ଚଲ୍ ନାହିଁ । ସତେ ଯେମିତି ଦୁଇଟି ପହେଲମାନ୍ ପରସ୍ପରକୁ ଓଗାଳି ରଖିଛନ୍ତି ସମାନ ଅନୁପାତର ବଳ ପ୍ରୟୋଗରେ । ଲଢେଇ ମୁଦ୍ରାରେ ସ୍ଥାଣୁ ପାଲଟି ଯାଇଥାଆନ୍ତି ଷଣ୍ଢ ଦୁଇଟି ।

ସାହି ଲୋକଙ୍କ ପାଇଁ ଷଣ୍ଢଦୁଇଟି ଅପରିଚିତ ନୁହନ୍ତି । ସେମାନଙ୍କଭିତରୁ ଗୋଟିଏ ଷଣ୍ଢ ଧଳା – ତାକୁ ସମସ୍ତେ ଧବଳ ବୋଲି ଡାକନ୍ତି । ଅନ୍ୟଟି କଳା । ଧବଳ ଅତି ଶାନ୍ତ ଓ ସୁଧାର । ସାହିର ସବୁ ଘର ଓ ଦୋକାନ ଆଗରେ ଠିଆହୋଇ ସେ ତା’ର ପ୍ରାପ୍ୟ ବଟି ଆଦାୟ କରେ । ଅନିଚ୍ଛୁକ ଦାତାଙ୍କ ପାଇଁ ତାର ନ ଥାଏ ଆକ୍ରୋଶ କିମ୍ବା ଷଣ୍ଢବତ୍ସଳ ଉଦାର ବ୍ୟକ୍ତିଙ୍କ ପାଇଁ କୌଣସି ବିଶେଷ ଅନୁରାଗ । ସେ ଯେମିତି ନିର୍ଲିପ୍ତ । ତା’ର ଭାବଭଙ୍ଗୀ ଓ ଚାଲିର ଗାମ୍ଭୀର୍ଯ୍ୟ ମନେହୁଏ ବଡ଼ ସମ୍ଭ୍ରାନ୍ତ । ଦିନର ଅଧିକାଂଶ ସମୟ ସେ କଟାଏ ଗଳିମୁଣ୍ଡରେ ଥିବା ଚାଳିଆ ଚା’ ଦୋକାନ ଆଗରେ । ସେଠାରେ ଖଟିପ୍ରିୟ ସାହିଲୋକ, ଉତ୍ସାହୀ ଯୁବକ ତଥା ବିଶ୍ଵ-ରାଜନୀତି ବ୍ୟାଖ୍ୟାରେ ମୁଖର ଅନେକ ତଥାକଥିତ ବିଦ୍ବାନ ଏକାଠି ହୁଅନ୍ତି । ଧବଳ ସେହି ସମାଗମର ଏକ ପରୋକ୍ଷ ସଭ୍ୟ । ସେ ସମସ୍ତଙ୍କର ଅତି ପ୍ରିୟ ।

କଳା ଷଣ୍ଢଟି ଏତେଟା ଲୋକପ୍ରିୟ ନୁହେଁ, ତେଣୁ ସାଧାରଣରେ ତାର କୌଣସି ନାମକରଣ ହୋଇନାହିଁ । କେହିକେହି ତାକୁ କାଳିଆ ବା କାଳୁ ନାମରେ ଉଲ୍ଲେଖ କରନ୍ତି । ତାର ବିଶାଳ ବପୁ ଓ ଆକ୍ରମଣାତ୍ମକ ଭାବ ଯୋଗୁଁ ସମସ୍ତେ ତା ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ସାଧାରଣତଃ ସେ ସାହିର ମନ୍ଦିର ନିକଟରେ ବୁଲୁଥାଏ । ଭାବ ଗଦଗଦ ଭକ୍ତମଣ୍ଡଳୀ ତା ଆଗରେ ଯେଉଁ ପ୍ରସାଦ ରଖିଦିଅନ୍ତି, ସେଥିରେ ତା’ର ଗୁଜୁରାଣ ଉଣା ଅଧିକେ ମେଣ୍ଟି ଯାଏ । କିଛି ଭକ୍ତ ସାହସ ସଂଚୟ କରି ତାର ଶରୀର ସ୍ପର୍ଶ ପୂର୍ବକ ଆଶୀର୍ବାଦ ନେବାର ଚେଷ୍ଟା କରନ୍ତି । ସଫଳ ହେଲେ ସେମାନଙ୍କର ମନୋବଳ ବଢେ। ମନ୍ଦିରର ପାଷାଣ ବୃଷଭଠାରୁ ଚଳନ୍ତି ବୃଷଭର ଆଶୀର୍ବାଦ କେତେକଙ୍କପାଇଁ ଅଧିକ ଗୁରୁତ୍ଵପୂର୍ଣ୍ଣ ।

ପ୍ରତିଦିନ ସନ୍ଧ୍ୟା ଆଳତୀ ପରେ କଳା ଷଣ୍ଢଟି ବିଶ୍ରାମ ନେବାକୁ ପହଞ୍ଚେ ରାଧାନାଥଙ୍କ ବାରଣ୍ଡାରେ । ସାହିର ଏକ ସଂକୀର୍ଣ୍ଣ ଉପଗଳିରେ ପରିବା ବ୍ୟବସାୟୀ ରାଧାନାଥଙ୍କର ଏକ ମହଲା ଘର – ଛୋଟିଆ ବାରଣ୍ଡାଟିଏ ଓ ତା’ପରେ ପ୍ରବେଶ ଦ୍ଵାର । ସେହି ବାରଣ୍ଡାରେ ଷଣ୍ଢଟିର ନିୟମିତ ରାତ୍ରି ଯାପନ ରାଧାନାଥଙ୍କ ପାଇଁ ଯେମିତି ଏକ ଅଲୌକିକ ଆଶୀର୍ବାଦ । ପ୍ରତିଦିନ ଷଣ୍ଢ ଆଗରେ କିଛି ଭୋଗ ଚଢାଇ ଧୂପକାଠି ଦୁଇଟି କାନ୍ଥରେ ଖୋସି ଦିଅନ୍ତି ସେ । ଭକ୍ତିରେ ମଥା ନୂଆଁଇ ଆତିଥ୍ୟର ପରମ ଆନନ୍ଦ ହୃଦୟରେ ଅନୁଭବ କରନ୍ତି । ରାଧାନାଥଙ୍କର ପୂର୍ଣ୍ଣ ବିଶ୍ଵାସ, ତାଙ୍କ ବ୍ୟବସାୟଗତ ସଫଳତାର ଚାବିକାଠି ଏହି ଦୈବ ଆଶୀର୍ବାଦ ଛଡା ଆଉ କିଛି ନୁହେଁ ।

ସେଦିନ ସକାଳୁ କେମିତି ଓ କାହିଁକି ଷଣ୍ଢ ଦୁଇଟି ଯୁଦ୍ଧରେ ମାତି ଯାଇଥିଲେ, ସେ କଥା କାହାକୁ ଜଣା ନ ଥାଏ । ଦେଖଣାହାରୀଙ୍କ ସଂଖ୍ୟା ବଢି ଚାଲିଥାଏ ଓ ବଢୁଥାଏ ସକାଳର ବୟସ । ପାଖାପାଖି ତିନି ଘଣ୍ଟା ହେବ ଏ ଅଦ୍ଭୁତ ନୀରବ ଲଢେଇ ଚାଲିଥାଏ । ଦେଖୁ ଦେଖୁ ଗଣମାଧ୍ୟମରେ ଷଣ୍ଢ ଲଢେଇର ଫଟୋ ଓ ଭିଡିଓ ଭାଇରାଲ୍ ହେବାକୁ ଲାଗିଲା । ସାହିର କିଛି ଲୋକ ପ୍ରଥମେ ସୋସିଆଲ୍ ମିଡିଆରେ ଏ ଘଟଣାର ଟେର୍ ପାଇ ଧାଇଁ ଆସିଥିଲେ ପ୍ରତ୍ୟକ୍ଷରେ ଘଟଣାଟି ପରଖିବା ପାଇଁ । ଲୋକସଂଖ୍ୟା ବଢିବାସହ ସାହିର ମୁରବୀମାନେ ସକ୍ରିୟ ହେବାକୁ ଲାଗିଲେ । କାହାର ପରାମର୍ଶ ଅନୁଯାୟୀ ଲଢେଇରତ ଷଣ୍ଢମାନଙ୍କ ଆଗରେ ରଶି ବାନ୍ଧି ଏକ ନିରାପଦ ପରିସୀମା ନିରୂପଣ କରାଗଲା । କିଛି ଯୁବକ ବଡ଼ ଉତ୍ସର୍ଗୀକୃତ ଉନ୍ମାଦନାସହ ଭିଡ ନିୟନ୍ତ୍ରଣର ଦାୟିତ୍ଵ ନିଜ ଉପରକୁ ନେଇ ଯାଇଥାଆନ୍ତି । ବିଭିନ୍ନ ସାର୍ବଜନିକ ପୂଜାର ଆୟୋଜନ, ମେଢ ଓ ବିସର୍ଜନ ସେମାନଙ୍କୁ ଏକଜୁଟ ହେବାର ଯେତିକି ଖୋରାକ ଦିଏ, ଏହି ଅକସ୍ମାତ ଷଣ୍ଢ ଲଢେଇ ତା’ଠାରୁ ବହୁଗୁଣ ଉତ୍ତେଜନା ଭରିଦେଇଥାଏ ସେମାନଙ୍କ ମନରେ । ଦେଖୁଦେଖୁ ଆଖପାଖରେ ପହଂଚି ଗଲେ ଉଦ୍ୟୋଗୀ ଆଳୁଦମ-ଦହିବରା ବିକାଳି, ଚା’ ବାଲା ଓ ଛୋଟ ପିଲାଙ୍କ ପାଇଁ ବେଲୁନ୍ ବାଲା ।

ମୁରବୀମାନଙ୍କର ଚିନ୍ତା – ଷଣ୍ଢ ଦୁଇଟି ଯଦି ପେଲାପେଲି ହୋଇ ଏଣେତେଣେ ମାଡିଯାଆନ୍ତି, ତାହେଲେ କ’ଣ ହେବ ତାର ପରିଣାମ? ଷଣ୍ଢ ପାଦତଳେ ଓ ଜନଗହଳିର ଦଳାଚକଟାରେ କିଛି ଲୋକ ସହିଦ ହୋଇଯିବେନି ତ ? ସେମାନଙ୍କର ଶତ ବାରଣ ସତ୍ତ୍ଵେ ଏହି ବିରଳ ଦୃଶ୍ୟଟିକୁ କ୍ୟାମେରାରେ ଧରି ରଖିବାପାଇଁ ତରୁଣ ତରୁଣୀମାନଙ୍କ ମଧ୍ୟରେ ଚାଲିଥାଏ ପ୍ରତିଯୋଗିତା ।

ଦେଖୁଦେଖୁ ଘଟଣାସ୍ଥଳଟି ପାଲଟିଗଲା ବ୍ରେକିଂ ନ୍ୟୁଜର ଗ୍ରାଉଣ୍ଡ ଜିରୋ । ଉତ୍ସାହୀ ସାମ୍ବାଦିକ ଓ ତାଙ୍କର ଫଟୋଗ୍ରାଫର୍ ମାନେ ମାଡିବସିଲେ ଆସ୍ଥାନ, ପ୍ରସାରଣ କରିବାକୁ ଲାଗିଲେ ଷଣ୍ଢମାନଙ୍କ ସମ୍ପର୍କରେ ମନଗଢା କାହାଣୀ ଓ ତାଙ୍କ ଲଢେଇର ମନଲୋଭା ସାମ୍ଭାବ୍ୟ ପରିଣାମର ଭୟାବହତା । ଆରମ୍ଭ ହୋଇଗଲା ସାକ୍ଷାତକାର ଓ ଷ୍ଟୁଡିଓରେ ବିଶାରଦମାନଙ୍କର ବିଜ୍ଞ ବ୍ୟାଖ୍ୟାନ । ଶୁଣାଗଲା, ଗଣମାଧ୍ୟମରେ ଚାଲିଥିବା ସିଧା-ପ୍ରସାରଣକୁ ଆଧାରକରି ଆରମ୍ଭ ହୋଇଯାଇଥିଲା ବେଟିଂ – କେହି କେହି କଳା ଷଣ୍ଢର ପକ୍ଷ ନେଇ ଅଧିକ ପଇସା ଲଗାଉଥାଆନ୍ତି ।

ଏହି ହଟଚମଟ ଭିତରେ ଲଢେଇରତ ଷଣ୍ଢ ଦୁଇଟି ସେମିତି ଭୟାନକ ମୁଦ୍ରାରେ ସ୍ଥିର ଥାଆନ୍ତି ।

ହଠାତ୍ କେହିଜଣେ ପାଟିକଲା, ‘ରକ୍ତ ରକ୍ତ’ । ସତେ ତ ! ସମସ୍ତଙ୍କ ଅଗୋଚରରେ ଧଳା ଷଣ୍ଢ, ଓରଫ ଧବଳର ଶିଙ୍ଘମୂଳରୁ ଧାରେ ରକ୍ତ ବୋହି ଆସିଛି । ଏହି ବ୍ରେକିଂ ନ୍ୟୁଜରେ ଉପସ୍ଥିତ ଜନତା ଆହା-ଚୁ-ଚୁ କରିବାକୁ ଲାଗିଲେ । ସେଲ୍ଫି ନେଉଥିବା ଫଟୋଗ୍ରାଫର୍ ମାନେ ସମସ୍ତ ସତର୍କତାକୁ ପଛରେ ପକାଇ ମାଡିଗଲେ ଷଣ୍ଢ ନିକଚକୁ । ଦୁଇ ତିନିଟି କନଷ୍ଟେବଲ୍ କର୍ତ୍ତବ୍ୟର ଆହ୍ଵାନରେ ଲାଠି ଉଠାଇ ତାଗିଦ୍ କଲେ ବିଶୃଙ୍ଖଳ ଫଟୋଗ୍ରାଫର୍ ମାନଙ୍କୁ ।

ଜନସମାଗମର ସୁଅବସରରେ ନିଜର ପ୍ରାସଂଗିକତାକୁ ବଳବତ୍ତର ରଖିବାପାଇଁ ସ୍ଥାନୀୟ ଓ୍ଵାର୍ଡ୍ ମେମ୍ବର୍ କିଛି ସହଯୋଗୀଙ୍କସହ ସେଠାରେ ହାଜର ହେଲେ । ଗ୍ରାଉଣ୍ଡ୍ ଜିରୋ ରିପୋର୍ଟର୍ ମାନେ ବେଢିଯାଇ ତାଙ୍କର ସାକ୍ଷାତକାର ନେବାରେ ସେ ଥାଆନ୍ତି ଖୁବ୍ ଉତ୍‌ଫୁଲିତ । ଜଣେ ରିପୋର୍ଟର୍ ପଚାରିଲେ, ‘ଏପରି ଷଣ୍ଢ ଲଢେଇ ଓ ତା’ର ସାମ୍ଭାବ୍ୟ ପରିଣାମ ପାଇଁ କି ପ୍ରକାରର ବ୍ୟବସ୍ଥା ହେବା ଉଚିତ ?’ ଓ୍ଵାର୍ଡ୍ ମେମ୍ବର୍ ଉତ୍ତର ଦେଲେ, ‘ଷଣ୍ଢ ଲଢେଇକୁ ଆଖିରେ ରଖି ଆମେ ରାସ୍ତାଗୁଡିକୁ ଚଉଡା କରିବା ଉଚିତ୍ ଓ ଛକ ମାନଙ୍କରେ ଏପରି ଲଢେଇ ପାଇଁ ସ୍ଵତନ୍ତ୍ର ଜାଗା ନିରୂପଣ କରିବା ଜରୁରୀ ।’ ଦେଖୁ ଦେଖୁ ତାଙ୍କର ଏହି ଆଶ୍ଵାସନାମୟ ସାକ୍ଷାତକାର ଦେଶବିଦେଶରେ ଭାଇରାଲ୍ ଭିଡିଓ ଭାବରେ ବୁଲିବାକୁ ଲାଗିଲା ।

ଧଳା ଷଣ୍ଢ ଓରଫ ଧବଳର ଶିଙ୍ଘ ମୂଳରୁ ରକ୍ତ ବୋହି ଯାଉଥିବା ଦେଖି ଦରଦୀ ଦେଖଣାହାରୀମାନେ ପ୍ରଦର୍ଶନ କରୁଥାଆନ୍ତି ନାଚାର ସମବେଦନା । ଏତିକିବେଳେ ବିନା କିଛି କ୍ଷୟ କ୍ଷତି ଘଟାଇ ସାମାନ୍ୟ ହଲ୍ ଚଲ୍ ହେବା ସହ ଷଣ୍ଢ ଦୁଇଟି ଶିଙ୍ଘଲଢେଇରୁ ଓହରିଗଲେ । ଧବଳ ମୁଣ୍ଡ ଉପରକୁକରି ଟେକି ବିକଟାଳ ରଡ଼ି ଛାଡିଲା । ସେ ରଡ଼ି ଥିଲା ଖୁବ୍ ଭୟାନକ ଓ ଅସ୍ଵାଭାବିକ । ତାହା ବିଜୟ ହୁଙ୍କାର ଥିଲା କି ଦ୍ଵିତୀୟ କିସ୍ତିର ଯୁଦ୍ଧ ପାଇଁ ଥିଲା ଆହ୍ଵାନ, ସେ କଥା କହିବା କଷ୍ଟସାପେକ୍ଷ । ସମସ୍ତଙ୍କୁ ଚମତ୍କୃତକରି ଧବଳ ହଠାତ ଲମ୍ଫ ଦେଲା ଓ କୁଦା ମାରି ମାରି ଏକ ମୁହାଁ ଦୌଡିବାକୁ ଲାଗିଲା । ଇତସ୍ତତଃ ଜନତା ଛାଏଁ ପାଖ ହୋଇଯାଇ ଧବଳର ବାଟ ସୁଗମ କରିଦେଲେ । କିଛି ଲୋକ ତା’ର ପିଛା କରିବାକୁ ଲାଗିଲେ ।

ଏପରି ଅବସ୍ଥାରେ କଳା ଷଣ୍ଢଟି ମଧ୍ୟ ଏକ ଅନୁରୂପ ରଡ଼ି କରି ଗଗନ ପବନ କମ୍ପାଇ ଦେଲା । ତଟସ୍ଥ ଜନତା ଦୁଇ ଷଣ୍ଢଙ୍କର ହଠାତ୍ ଯୁଦ୍ଧବିରତି, ବିକଟାଳ ରଡ଼ି ଓ ଘଟଣାସ୍ଥଳରୁ ଜଣଙ୍କର ଅପ୍ରତ୍ୟାଶିତ ପଳାୟନକୁ ନେଇ ହୋଇ ପଡିଥାଏ ଏକବାରେ ବିଭ୍ରାନ୍ତ । କଳା ଷଣ୍ଢ ଆକାଶକୁ ଚାହିଁ ପୁଣି ଥରେ ଏକ ଗର୍ଜନ କଲା । ଦେଖଣାହାରୀଙ୍କ ଛାତିରେ ସୃଷ୍ଟିହେଲା ଭୟ ଉଦ୍ରେକକାରୀ କମ୍ପନ । ବୋଧହୁଏ ତାହା ଥିଲା ବିଜୟର ସ୍ଵର । ସେହି ବିକଟାଳ ଶବ୍ଦ ଗଗନ ପବନରେ ପ୍ରତିଧ୍ଵନିତ ହେଉ ଥିବାବେଳେ ହଠାତ୍ କଳା ଷଣ୍ଢଟି ଭୂଇଁରେ କଚାଡି ହୋଇ ପଡିଗଲା । ତାର ବେକ ଲୋଟି ପଡିଲା ଗୋଟିଏ କଡକୁ ଓ ଆଗ ଖୁରା ଦୁଇଟି ସ୍ଥିର ହୋଇ ରହିଗଲା ଆକାଶମୁହାଁ । ତା’ ମୁହଁରୁ ବାହାରି ଆସିଲା ଫେଣ ଓ ଶିଙ୍ଘମୂଳରୁ ଦୁଇଧାର ରକ୍ତ ।

ସ୍ଥିରହୋଇ ପଡିରହିଥିବା କଳା ଷଣ୍ଢଟିକୁ ପାଖରୁ ପରୀକ୍ଷାକରି ସାହିର ମୁରବୀମାନେ ତାକୁ ମୃତ ଘୋଷଣା କଲେ । ସମବେତ ଜନତା ଦୁଃଖରେ ମ୍ରିୟମାଣ । କିଛି ଯୁବକଙ୍କର ଆଲୋଚନାର ବିଷୟ ଥାଏ, କେଉଁ ଷଣ୍ଢ ଏ ଲଢେଇରେ ବିଜୟୀ ହେଲା ? ନିଜ ସ୍ଥାନରେ ଶେଷ ପର୍ଯ୍ୟନ୍ତ ଲଢେଇକରି ମୃତ୍ୟୁ ବରଣ କରିଥିବା କଳା ଷଣ୍ଢ, ନା ବୀରତ୍ଵର ସହ ଲଢେଇ କରି ଠିକ ସମୟରେ ଯୁଦ୍ଧରୁ ବିରତ ହୋଇଥିବା ଧବଳ?

ଧାବମାନ ଧବଳ ପଛରେ ଗୋଡାଉଥିବା ଲୋକମାନେ ଇତି ମଧ୍ୟରେ ଗ୍ରାଉଣ୍ଡ୍ ଜିରୋକୁ ଫେରିବାକୁ ଲାଗିଲେ । ସେମାନଙ୍କ କହିବା ଅନୁଯାୟୀ ଧବଳ ଧାଇଁ ଧାଇଁ ନଈ ବନ୍ଧରେ ପହଞ୍ଚିଲା ଓ ଚୋରାରେ ବାଲି ଚାଲାଣ ହେଉଥିବା ସରୁ ରାସ୍ତାଟିଏ ଧରି ନଈ ବାଲିକୁ ଓଲ୍ଲ୍ହାଇଗଲା । ତଥାପି ସେ ସେଠାରେ ଅଟକିଲା ନାହିଁ । ସେମିତି ଦୌଡି ଚାଲିଲା ନଈବାଲିରେ ଆଗକୁ ଆଗକୁ । ତା’ ପଛରେ ଯାଇଥିବା ଜନତା ଆଉ ଅନୁଧାବନ ନ କରି ବଡ କ୍ଳାନ୍ତ ଭାବରେ ଫେରି ଆସିଥାଆନ୍ତି ।

କଳା ଷଣ୍ଢର ଘଟଣାସ୍ଥଳରେ ମୃତ୍ୟୁ ହେବା ସମସ୍ତଙ୍କୁ ବ୍ୟଥିତ କରୁଥାଏ; ବିଶେଷକରି ରାଧାନାଥଙ୍କୁ । ଘଟଣା ସମ୍ପର୍କରେ ଶୁଣୁଶୁଣୁ ଦୋକାନ ଛାଡି ସେ ପହଞ୍ଚି ଯାଇଥାଆନ୍ତି ଷଣ୍ଢ ନିକଟରେ ଓ ବିକଳ ଭାବରେ କାନ୍ଦୁ ଥାଆନ୍ତି ଷଣ୍ଢର ମର ଶରୀର ଉପରେ ହାମୁଡି ପଡି । ତାଙ୍କୁ ଆଶ୍ଵାସନା ଦେବାରେ ନିୟୋଜିତ ଥାଆନ୍ତି ଦଳେ ଯୁବକ ।

କିଛି ସମୟ ପରେ ମୁନିସିପାଲିଟି ତରଫରୁ ଷଣ୍ଢଟିର ମରଶରୀରକୁ ଟ୍ରାକ୍ଟର୍ ପିଠିରେ ଉଠାଇ ନିଆଗଲା । ତଥାପି ସାମ୍ବାଦିକ ମାନଙ୍କର ଭିଡ କମୁ ନଥାଏ ଓ କମୁ ନଥାଏ ଉତ୍ସୁକ ଦେଖଣାହାରୀଙ୍କ ସେଲ୍ଫି ନେବାର ନିଶା । ଶୁଣାଗଲା, ଦିଲ୍ଲୀ ଗସ୍ତରେ ଥିବା ସ୍ଥାନୀୟ ଏମ୍ ଏଲ୍ ଏ ଭିଡିଓ ଜରିଆରେ ସମବେଦନାର ବାର୍ତ୍ତା ପଠାଇଛନ୍ତି । ସେ କୁଆଡେ ଏ କଥା ମଧ୍ୟ ପ୍ରତିଶୃତି ଦେଇଛନ୍ତି ଯେ ସହରର ମୁଖ୍ୟ ସଡ଼କ ନିକଟରେ ଦୁଇ ଷଣ୍ଢଙ୍କର ଯୁଦ୍ଧରତ ଯୁଗଳ ବ୍ରୋଂଜ୍ ମୂର୍ତ୍ତି ସ୍ଥାପନ ହେବ ଓ ତା’ ଆଗରେ ଅତ୍ୟାଧୁନିକ କୃତ୍ରିମ ଝରଣା ଓ ବଗିଚାର ବ୍ୟବସ୍ଥା ହେବ । ଷଣ୍ଢ ଲଢେଇର ସ୍ମୃତି ଚାରଣରେ ଦୃଢୀଭୂତ ହେବ ଆମର ଅସ୍ମିତା ଓ ଜାତୀୟ ମର୍ଯ୍ୟାଦା । ଏମ୍ ଏଲ୍ ଏ ଙ୍କ ଉଦ୍ଦେଶ୍ୟରେ ସାଧୁବାଦ ଜଣାଇ ଜନତା ତାଙ୍କର ଜୟ ଗାନ କରିବାକୁ ଲାଗିଲେ ।

ଧିରେ ଧିରେ ଘଟଣାସ୍ଥଳରୁ ଭିଡ କମିଗଲା ଓ ଜନଜୀବନ ପୁଣି ଗତିଶୀଳ ହେବାକୁ ଲାଗିଲା । କିନ୍ତୁ ଚା’ ଦୋକାନର ଖଟିରେ ବସୁଥିବା ଯୁବକମାନେ ଧବଳକୁ ଖୋଜିବା ଜାରି ରଖିଥାଆନ୍ତି । ଧବଳର କୌଣସି ଖବର ନ ଥାଏ । ନଈ ବାଲିରେ ନା ତାର ଶରୀର ପଡିଥାଏ, ନା ସେ ପାଣିରେ ଭାସି ଯାଇଥିବାର କୌଣସି ସମ୍ଭାବନା ଦେଖା ଯାଉଥାଏ । ପୁରା ନଈଟିରେ ଥାଏ ଗୋଟେ ଛୋଟିଆ ପାଣିଧାର, ଯେଉଁଠି ଏକ ବିଶାଳ-ବପୁ ଷଣ୍ଢ ଭାସିଯିବା ଦୁରୂହ ବ୍ୟାପାର । ପୋଲିସ୍ ଓ ଫାୟାର୍ ବିଭାଗ ମଧ୍ୟ ଅନୁସନ୍ଧାନ କରୁଥାଆନ୍ତି ।

ସନ୍ଧ୍ୟାରେ ରାଧାନାଥଙ୍କ ଘରେ କଳା ଷଣ୍ଢର ସମ୍ମାନାର୍ଥେ ଓ ତା’ର ଆତ୍ମାର ସଦଗତି ଉଦ୍ଦେଶ୍ୟରେ ସତ୍ୟନାରାୟଣ ପୂଜା କରାଗଲା । ରାଧାନାଥଙ୍କର ପରମ ଉଦାରତା ଓ ବିରଳ ଷଣ୍ଢ-ଭକ୍ତିରେ କିଛି ଲୋକ ଉଦ୍‌ବୁଦ୍ଧ ହୋଇ ଗଦଗଦ ହେଉଥାଆନ୍ତି । ରାଧାନାଥଙ୍କୁ କିଛି ବନ୍ଧୁ ପ୍ରବୋଧନା ଦେଉ ଥାଆନ୍ତି, ଷଣ୍ଢଟି ତାଙ୍କ ବାରଣ୍ଡାକୁ ସିନା ସଶରୀରେ ଆଉ ଆସିବ ନାହିଁ, କିନ୍ତୁ ତା’ର ଆତ୍ମା ସେହିଠାରେ ବିଚରଣ କରୁଥିବ ସବୁଦିନ ଓ ରାଧାନାଥଙ୍କ ମୁଣ୍ଡ ଉପରେ ଆଶୀର୍ବାଦ ବର୍ଷଣ କରୁଥିବ । କୃତଜ୍ଞତାରେ ରାଧାନାଥ ପୋତି ହୋଇ ପଡୁଥାଆନ୍ତି ।

ପରବର୍ତ୍ତୀ ଦୁଇଦିନ ପର୍ଯ୍ୟନ୍ତ ଧବଳକୁ ନ ପାଇ ଅଧିକ ଅନୁସନ୍ଧାନ ବାତିଲ୍ କରାଗଲା । ଧବଳର ଅଦୃଶ୍ୟ ହୋଇଯିବା ସାହିରେ ସମସ୍ତଙ୍କ ପାଇଁ ହୋଇପଡିଲା ଏକ ଅସମାହିତ ରହସ୍ୟ । ରାଧାନାଥ ମଧ୍ୟ ତାଙ୍କର ଶୂନ୍ୟ ବାରଣ୍ଡାକୁ ଚାହିଁ କଳା ଷଣ୍ଢର ସ୍ମୃତିରେ ଘାଣ୍ଟି ହେଉଥାଆନ୍ତି । ଅଥଚ ଷଣ୍ଢ ଲଢେଇପରର ଚତୁର୍ଥ ଦିନ ସକାଳେ ରାଧାନାଥ ଯେତେବେଳେ କବାଟ ଖୋଲି ବାରଣ୍ଡାକୁ ଆସନ୍ତି, ସେ ଅଭିଭୂତ ହୋଇ ହୋଇ ପଡନ୍ତି – ସେ ଏ କଣ ଦେଖୁଛନ୍ତି? ବାରଣ୍ଡାରେ ବସି ଏକ ତରୁଣ ଷଣ୍ଢ ଶାନ୍ତିରେ ପାକୁଳି କରୁଥାଏ ।

ଭକ୍ତି, ଭାବ ଓ କୃତଜ୍ଞତାରେ ରାଧାନାଥ କିଂ କର୍ତ୍ତବ୍ୟ ବିମୂଢ । ତାଙ୍କ ଆଖିରୁ ସ୍ଵତଃ ବହି ଯାଉଥାଏ ଧାର ଧାର ଲୁହ ।

****

ଉତ୍ତରଣ

ରାଧାନାଥ ଖୁବ୍ ଚିନ୍ତିତ ଓ ବିବ୍ରତ ।

ପୂର୍ବାପର ସମ୍ପର୍କ ନ ଥାଇ ସେହି ଦୃଶ୍ୟଟି ପୁଣିଥରେ ତାଙ୍କ ମନ ଭିତରେ ଦେଖାଦେଇଛି । ମାତ୍ର କେତୋଟି ମୁହୂର୍ତ୍ତର ସେ ଦୃଶ୍ୟ – ସତେ ଯେମିତି କେଉଁ ଚଳଚ୍ଚିତ୍ରରୁ ଉଦ୍ଧୃତ । ଦୃଶ୍ୟଟି କଥା ଭାବିବା ମାତ୍ରେ ରାଧାନାଥଙ୍କର ମନ ଆଶଙ୍କାରେ ଥରି ଉଠୁଛି । ଏମିତି ଗୋଟାଏ ଅବାନ୍ତର କଥା ତାଙ୍କ ମନକୁ ଆସି ପାରିଲା କେମିତି? 

ରାଧାନାଥଙ୍କ ପାଇଁ ସବୁଠାରୁ ଚିନ୍ତାର ବିଷୟ ଯେ ଗତ ଦୁଇ ମାସ ଉିତରେ ଦୃଶ୍ୟଟି ତାଙ୍କ ମନରେ ତିନିଥର ଦେଖା ଦେଲାଣି । ସବୁଥର ଦୃଶ୍ୟଟି ଅବିକଳ ଏକାପରି – ଯେମିତିକି ସେହି ଗୋଟାଏ ଉିଡ଼ିଓ ରିପ୍ଲେ ହେଉଛି ତାଂକ ମନ ପରଦାରେ । ଅତି ଆକସ୍ମିକ ଭାବରେ ପ୍ରକଟିତ ହେଉଥିବା ଦୃଶ୍ୟଟି ଉପରେ ତାଙ୍କର କୌଣସି କର୍ତ୍ତୃତ୍ଵ ନାହିଁ । ଦୃଶ୍ୟଟି ମନରେ ଆସିବା ମାତ୍ରେ ରାଧାନାଥ ଯେପରି ନିଜ ପରିବେଶରୁ ଉର୍ଦ୍ଧ୍ଵକୁ ଚାଲି ଯାଉଛନ୍ତି । କେତୋଟି ମୁହୂର୍ତ୍ତର ସେ ଏକ ସମ୍ମୋହିତ ଅବସ୍ଥା ।

ଦୃଶ୍ୟଟି ଥିଲା ଏହିପରି ….

ଜଣେ ସୁନ୍ଦରୀ ତରୁଣୀର ବାହୁ ବନ୍ଧନରେ ରାଧାନାଥ – ତରୁଣୀଟିର ସମର୍ପଣ ଉାବରେ ପ୍ରେମର ମାଦକତା । ରାଧାନାଥ ଯେମିତି ପ୍ରେମର ଅଥଳ ସୁଅରେ ଏକ ଉବୁଟୁବୁ ହୁଲି ଡଂଗା । ତାଙ୍କ ହାତ ଓ ଓଠରେ ଶିହରଣ । ଯୁବ-ସୁଲଭ ପ୍ରେମରେ ରାଧାନାଥ ବି ଯେପରି ଅତ୍ୟନ୍ତ ନିପୁଣ ।

ତୃତୀୟଥରପାଇଁ ଦୃଶ୍ୟଟିର ଅବିକଳ ପୁନରାବୃତ୍ତିରେ ରାଧାନାଥ ଉାଂଗି ପଡିଥାଆନ୍ତି । 

କିନ୍ତୁ କ’ଣ ପାଇଁ ରାଧାନାଥଂକର ଏତେ ଚିନ୍ତା ?

ଦୃଶ୍ୟଟି ଥିଲା ରାଧାନାଥଙ୍କର ବ୍ୟକ୍ତିତ୍ଵର ସମ୍ପୂର୍ଣ୍ଣ ବିପରୀତ । ଜଣେ ନିଷ୍ଠାପର, ସାତ୍ତ୍ଵିକ ଓ ଈଶ୍ଵରବିଶ୍ଵାସୀ ବ୍ୟକ୍ତି ଭାବେ ରାଧାନାଥ ତାଙ୍କ ଅଂଚଳରେ ପରିଚିତ । ରାଧାନାଥଙ୍କର ଜୀବନ ଆଦର୍ଶର ସାରାଂଶ ଲିପିବଦ୍ଧଥାଏ ତାଙ୍କ କପାଳର ଚନ୍ଦନ ଟିପାଟିରେ । ଭ୍ରୁକୁଂଚନ ଭିତରୁ ଚନ୍ଦନ ଟୋପାଟି ସାରାଦିନ ଝଟକୁଥାଏ ତାଙ୍କ ଈଶ୍ଵର ବିଶ୍ଵାସର ସ୍ଵାକ୍ଷର ନେଇ । ମୁହଁରେ ରହିଥାଏ ଅମାପ ଶାନ୍ତି ଓ ଗାମ୍ଭୀର୍ଯ୍ୟ । କାମରେ ମଧ୍ୟ ସେ ଥିଲେ ଖୁବ୍ ପାରଙ୍ଗମ । ମାନେଜମେଣ୍ଟ୍ ଟ୍ରେନି ଭାବରେ ସେ ଯୋଗ ଦେଇଥିଲେ ଆଜିକୁ ପ୍ରାୟ ତିନି ଦଶନ୍ଧି ତଳେ । ନିଜର ନିଷ୍ଠା ଓ କୁଶଳତା ବଳରେ ଆଜି ସେ କମ୍ପାନୀର ଚିଫ୍ ଫାଇନାନ୍ସ୍ ଅଫିସର୍ ବା ସି ଏଫ୍ ଓ । କମ୍ପାନୀର ଭଲମନ୍ଦ, ହାନିଲାଭ – ସବୁର ଦାୟିତ୍ତ୍ଵ ତାଙ୍କ ଉପରେ । ଆଉ ମାତ୍ର ଦୁଇମାସ ପରେ ରାଧାନାଥ ଅବସର ନେବେ । ଅନେକ ବର୍ଷର କର୍ମମୟ ଜୀବନର ସମାପ୍ତି ଘଟିବ । 

କାର୍ଯ୍ୟବ୍ୟସ୍ତତା ଭିତରେ ରାଧାନାଥ ଏତେ ମାତ୍ରାରେ ବୁଡି ରହୁଥିଲେ ଯେ ତାଙ୍କ ଜୀବନର ଆଉ କୌଣସି ଗୁରୁତ୍ଵପୂର୍ଣ୍ଣ ଦିଗ ହିଁ ନ ଥିଲା । ତେଣୁ ସେହି ଅସଂଗ୍ଲଗ୍ନ ଦୃଶ୍ୟଟି ମାନସପଟରେ ବାରମ୍ବାର ଆସି ତାଙ୍କୁ ଖୁବ ବ୍ୟଥିତ କରୁଥାଏ । 

ପ୍ରଥମଥର ପାଇଁ ଯେତେବେଳେ ଦୃଶ୍ୟଟି ରାଧାନାଥଙ୍କ ମନରେ ଆସିଥିଲା, ସେ ଖୁବ୍ ବିଚଳିତ ହୋଇପଡିଥିଲେ । ମନର ଏତାଦୃଶ ଅଶାଳୀନ ଚପଳତାକୁ କାବୁ କରିବାପାଇଁ ଗୋଟିଏ ଦିନ ନିର୍ଜଳ ଉପବାସ କରିଥିଲେ । ଧ୍ୟାନରେ ବସିଥିଲେ ଘଣ୍ଟା ଘଣ୍ଟା । ପୁଣି ଫେରି ପାଇଥିଲେ ନିଜର ଆତ୍ମବିଶ୍ଵାସ । ଈଶ୍ଵରଙ୍କୁ ଧନ୍ୟବାଦ ଜଣାଇ ଦୈନନ୍ଦିନ ଜୀବନର ବ୍ୟସ୍ତମୟତାରେ ହଜି ଯାଇଥିଲେ । ଅଥଚ ସବୁ ସ୍ଥିରତାକୁ ଛିନ୍ ଭିନ୍ କରି ସେହି ଅବିକଳ ଦୃଶ୍ୟଟି ଏକ ଝଲକରେ ପୁଣି ମାନସପଟରେ ଉଭାହେଲା ଦ୍ଵିତୀୟଥର ପାଇଁ ।  ଏଥର ରାଧାନାଥ ଦୋହଲି ଉଠିଥିଲେ । ଗଭୀର ଆତ୍ମଗ୍ଳାନିସହ ବିଶ୍ଳେଷଣ କରିଥିଲେ – କ’ଣ ଭୁଲ ରହିଯାଇଛି ତାଙ୍କ ନିଷ୍ଠାରେ, ତାଙ୍କ ଚେତନାରେ । କେଉଁଠି କିଛି ସମାଧାନ ମିଳୁନଥିଲା ତାଙ୍କୁ । 

ପରିଣତ ବୟସର ଏ ଅସଙ୍ଗତ ବିକାର ସମ୍ପର୍କରେ ମନ ଖୋଲି କାହା ସାଙ୍ଗରେ କଥାହେବା ମଧ୍ୟ ସମ୍ଭବ ନ ଥିଲା । ପତ୍ନୀଙ୍କ ସହ ଆଲୋଚନା କରିବା ଅର୍ଥ ଅଯଥା ଅଶାନ୍ତି ଓ ଲଜ୍ଜା । ଅଫିସରେ ଏ କଥା କାହାରି ଗୋଚର ହେବା ଉଚିତ ନୁହେଁ । ପୂର୍ବପରି ଏଥର ମଧ୍ୟ ରାଧାନାଥ ନିର୍ଜଳ ଉପବାସ କରି ଶରୀର ଓ ମନକୁ ଶାସ୍ତି ଦେଲେ । ମନର ବିକୃତିକୁ କାବୁରେ ଆଣିବାପାଇଁ ପ୍ରାର୍ଥନା କଲେ । କିଛିଦିନ ଛୁଟିନେଇ ସପତ୍ନୀ ତୀର୍ଥାଟନରେ ଗଲେ । ଶେଷରେ ତାଙ୍କର ହୃଦବୋଧ ହେଲା ଯେ ସେ ପୂର୍ବର ଶାନ୍ତି ଓ ସଂଯମ ଫେରି ପାଇଛନ୍ତି । ପୁଣି ଜୀବନର ଗତି ସାଧାରଣ ହେବାକୁ ଲାଗିଲା । 

ଅଥଚ ତୃତୀୟଥର ପାଇଁ ଅବିକଳ ଦୃଶ୍ୟଟିର ଅପ୍ରତ୍ୟାଶିତ ପୁନରାବୃତ୍ତିରେ ରାଧାନାଥ ଏକବାରେ ଭାଙ୍ଗି ପଡିଲେ । ସମସ୍ୟାଟିକୁ ଆଉ ଏଡାଇ ଦେବା ସମ୍ଭବ ନୁହେଁ । ହୁଏତ କୌଣସି ମନୋବିଜ୍ଞାନୀଙ୍କ ସହ ପରାମର୍ଶ କରି ବିଜ୍ଞାନସମ୍ମତ ଚିକିତ୍ସା ଆରମ୍ଭ କରାଇବା ଆବଶ୍ୟକ । 

ରାଧାନାଥ ଜାଣନ୍ତି, ନିଜ ମନକଥା ସେ  ଯଦି କାହାସହ ବାଣ୍ଟିପାରନ୍ତି, ତେବେ ସେ ହେଉଛନ୍ତି ତାଙ୍କର ବହୁ ଦିନର ସହକର୍ମୀ କେଦାର । ରାଧାନାଥ ଅବସର ଗ୍ରହଣ କରିବାପରେ କେଦାର ହିଁ ତାଙ୍କ ସ୍ଥାନରେ ସି ଏଫ୍ ଓ ଭାବରେ ଦାୟିତ୍ତ୍ଵ ଗ୍ରହଣ କରିବାର ଥାଏ । ଅତି ସନ୍ତର୍ପଣରେ ରାଧାନାଥ ନିଜ ମନକଥା କେଦାରଙ୍କ ଆଗରେ ବଖାଣି ପରାମର୍ଶ ଲୋଡିଲେ । କେଦାର ଏ ପ୍ରକାର ଅଦ୍ଭୁତ ସମସ୍ୟା କଥା ଶୁଣି ହତବାକ୍ । ଅବସର ନେବାର ଅବ୍ୟବହିତ ପୂର୍ବରୁ ରାଧାନାଥଙ୍କ ପରି ଜଣେ ଆଦର୍ଶବାଦୀ ବ୍ୟକ୍ତିଙ୍କ ମନରେ ଏ କି ପ୍ରକାର ବିକାର ? 

କିଛି ସମୟ ଚିନ୍ତାକରି କେଦାର କହିଲେ, ‘ମୋର ମନେହେଉଛି ତୁମେ ଗୁରୁ ବିଚିତ୍ରାନନ୍ଦଙ୍କର ପରାମର୍ଶ ନେବା ଦରକାର । ବିଚିତ୍ରାନନ୍ଦ ଜଣେ ସିଦ୍ଧପୁରୁଷ – ତାଙ୍କୁ ଇହ ଓ ପରଲୋକର ସମସ୍ତ ଗୂଢ଼ ରହସ୍ୟ ଜଣା’ । 

ରାଧାନାଥଙ୍କ ପାଇଁ ଏ ପରାମର୍ଶ ଥିଲା ବୁଡିଯାଉଥିବା ଲୋକର କୁଟାଖିଅକୁ ଆଶ୍ରା ପରି । ଆଜିପର୍ଯ୍ୟନ୍ତ ଗୁରୁସମାଜ ଉପରେ କୌଣସି ଆସ୍ଥା ରଖୁନଥିବା ରାଧାନାଥଙ୍କ ପାଖରେ ଯେମିତି ଆଉ କିଛି ଉପାୟ ନ ଥିଲା । କୌଣସି ମନୋବିଜ୍ଞାନୀ ପାଖକୁ ଯିବାକୁ ହେଲେ ପତ୍ନୀଙ୍କୁ ମନାଇବା କାଠିକର ପାଠ ହେବ । ହୁଏତ ସମସ୍ୟାଟି ଆଉ ଗୁପ୍ତ ହୋଇ ରହିବ ନାହିଁ । ଦେଖାଯାଉ, ଗୁରୁ ବିଚିତ୍ରାନନ୍ଦ ହୁଏତ କୌଣସି ଉପାୟ ବାହାର କରିବେ । 

କେଦାରଙ୍କ ସୌଜନ୍ୟରୁ ଗୁରୁ ବିଚିତ୍ରାନନ୍ଦଙ୍କ ସହ ଯୋଗାଯୋଗ ହୋଇପାରିଲା । ଦିନଟିଏ ସନ୍ଧ୍ୟାରେ ରାଧାନାଥ ଗୁରୁଙ୍କ ଆଶ୍ରମରେ ଅତି ସନ୍ତର୍ପଣରେ ଯାଇ ପହଞ୍ଚିଲେ  । ଆଶ୍ରମରେ ଆଦୌ ଭିଡ ନ ଥାଏ । ଗୁରୁ ବଛା ବଛା କିଛି ଭକ୍ତଙ୍କର କଥା ବ୍ୟକ୍ତିଗତ ଭାବରେ ଶୁଣୁଥାଆନ୍ତି ଓ ସେମାନଙ୍କୁ ଆଶୀର୍ବାଦ ଦେଉଥାଆନ୍ତି । ସେଠାରେ ଗୁରୁଙ୍କର ଦର୍ଶନ ଅପେକ୍ଷାରେ ଥାଇ ରାଧାନାଥ ଭଗବାନଙ୍କୁ ପ୍ରାର୍ଥନା କରୁ ଥାଆନ୍ତି ଯେମିତି ଅଫିସର କେହି ସହକର୍ମୀ ଦେଖା ହୋଇ ନ ଯାଆନ୍ତୁ । ତାଙ୍କ ମନର ବିକାରଜନିତ  ଅସୁସ୍ଥତାର ଖବର ନ ପହଁଚୁ କାହାରି ପାଖରେ । 

ଯଥା ସମୟରେ ଗୁରୁଙ୍କ ଆଗରେ ରାଧାନାଥ ହାଜିର ହେଲେ । ଆଖି ବନ୍ଦକରି ସବୁକଥ କହିଗଲେ । ଗୁରୁ ବିଚିତ୍ରାନନ୍ଦ ଏହାପରେ ଧ୍ୟାନମଗ୍ନ ହୋଇଗଲେ । ରାଧାନାଥ ଉତ୍କଣ୍ଠାରସହ ବସିଥାଆନ୍ତି ତାଙ୍କଠାରୁ ସମାଧାନର ଦୁଇପଦ ଶୁଣିବା ପାଇଁ । ଗୁରୁଙ୍କର ଶାନ୍ତ ଓ ଅବିଚଳିତ ଭାବମୁଦ୍ରା ରାଧାନାଥଙ୍କ ମନରେ କିଛିଟା ପ୍ରତ୍ୟୟ ସୃଷ୍ଟି କରିସାରିଥାଏ । କିଛି ମୁହୂର୍ତ୍ତପରେ ସେ ଆଖି କୋଲି ରାଧାନାଥଙ୍କୁ ଗଭୀର ଦୃଷ୍ଟିରେ ଚାହିଁ କହିଲେ, ‘ବତ୍ସ ! ତୁମେ ଖୁବ୍ ଭାଗ୍ୟବାନ୍ । ତୁମ ମନକୁ ଅସୁଥିବା ଏ ପ୍ରେମ-ସମ୍ବଳିତ ଦୃଶ୍ୟଟି କିଛି ସାଧାରଣ ଦୃଶ୍ୟ ନୁହେଁ । ଏଥିରେ ଦିଶୁଥିବା ନାରୀଟିର ସମର୍ପଣ ଭାବ ତୁମ ନିଜ ମନର ପରିପ୍ରକାଶ । ସେ ନାରୀ ଆଉ କେହି ନୁହେଁ – ସେ ତୁମେ ନିଜେ । ସେ ତୁମର ମନ, ତୁମ ଚେତନା’ ।

ରାଧାନାଥ କହୁଥିଲେ, ‘କିନ୍ତୁ ଗୁରୁଜୀ…..’

ରାଧାନାଥଙ୍କୁ ଆଗକୁ କହିବାକୁ ନ ଦେଇ ଗୁରୁ ବିଚିତ୍ରାନନ୍ଦ କହିବାକୁ ଲାଗିଲେ, ‘ମୁଁ ଜାଣେ; ତୁମ ମନରେ ସଂଶୟ – ତୁମେ ଭାବୁଛ, ଯଦି ନାରୀଟି ତୁମେ ନିଜେ, ତେବେ ସେ ନାରୀକୁ ଆଲିଂଗନ କରୁଥିବା ପୁରୁଷଟି କିଏ ? ତୁମକୁ ତ ଦେଖାଯାଉଛି ସେ ବ୍ୟକ୍ତି ତୁମେ ନିଜେ !’

ରାଧାନାଥ ବାଧ୍ୟ ଛାତ୍ରଟିଏ ପରି ଚୁପ ରହିଲେ । ପରିବେଶ କୁହେଳିକାମୟ ଅଧିଭୌତିକତାରେ ଭରି ଉଠୁଥିଲା ।

ଗୁରୁ ବିଚିତ୍ରାନନ୍ଦ କହିବାକୁ ଲାଗିଲେ, ‘ସେ ପୁରୁଷଟି ମଧ୍ୟ ତୁମେ ନିଜେ । ଏ ଦୃଶ୍ୟଟି ପ୍ରତିପାଦନ କରୁଛି ଯେ ତୁମ ମନ ଓ ମନ ଭିତରର ସମସ୍ତ ପାର୍ଥିବ କାମନା ତୁମ ନିଜ ଭିତରେ ହିଁ ଲୀନ ହୋଇଯାଇଛି – ତୁମେ ଆଧ୍ୟାତ୍ମିକତାର ପରମ ସୋପାନ ଆଡକୁ ବଢ଼ି ଚାଲିଛ । ଆଧ୍ୟାତ୍ମିକତାର ଏହି ସୋପାନରେ ପହଂଚି ପାରିଲେ ……’

ଗୁରୁଜୀ ଆଗକୁ କ’ଣ କହୁଥିଲେ ରାଧାନାଥ ଯେପରି ଶୁଣିପାରୁ ନ ଥିଲେ । ତାଙ୍କ କଥାରେ ସେ ସମାଧାନ ବଦଳରେ ଦେଖୁଥିଲେ ଅବାସ୍ତବତା ଓ ଅଯୌକ୍ତିକତା । ସେଠାରୁ ଫେରି ଅସିବାବେଳେ ଗୁରୁ କିଛି ବିଭୂତି ରାଧାନାଥଙ୍କ ହାତରେ ଦେଲେ । କିଛି ବିଭୂତି ନିୟମିତ ଭାବେ କପାଳରେ ମାଖିଲେ ମନରେ ଶାନ୍ତି ଆସିବାର ପ୍ରତିଶ୍ରୁତି ଦେଲେ । 

ପରଦିନଠାରୁ ରାଧାନାଥଙ୍କ କପାଳରେ ଚନ୍ଦନଟୋପା ତଳେ ବିଭୂତି ପ୍ରଲେପଟିକିଏ ମଧ୍ୟ ଶୋଭା ପାଇଲା । ବିଭୂତିର ମହିମାପାଇଁ ଯେତେ ନୁହେଁ, ବନ୍ଧୁ କେଦାରଙ୍କ ସହାନୁଭୁତିର ସମ୍ମାନରେ ବିଭୂତିଟିକକ କପାଳରେ ମାଖିବାକୁ ପସନ୍ଦ କରିଥିଲେ  ରାଧାନାଥ । 

ଏ ଭିତରେ ଅନେକ ଦିନ ବିତିଗଲାଣି । ରାଧାନାଥଙ୍କର କାର୍ଯ୍ୟବ୍ୟସ୍ତତା ତାଙ୍କୁ ଏ ସମସ୍ତ ବିଷୟଠାରୁ ଦୂରରେ ରଖିଥାଏ । ଚାକିରୀରୁ ଅବସର ନେବାର ସମୟ ମଧ୍ୟ ପାଖେଇଗଲାଣି । 

ଦିନେ ରାଧାନାଥ ବସିଥାଆନ୍ତି କିଛି ସହକର୍ମୀଙ୍କସହ ଏକ ମିଟିଙ୍ଗରେ । ପାଖରେ ଥାଆନ୍ତି କେଦାର – କମ୍ପାନୀର ପରବର୍ତ୍ତୀ ସି ଏଫ୍ ଓ । ଆଗରେ ଅନ୍ୟ ପଦସ୍ଥ ଅଧିକାରୀଗଣ । ରାଧାନାଥ ବୁଝାଉଥାଆନ୍ତି କମ୍ପାନୀର ନୂଆ ମନ୍ତ୍ର – ଖର୍ଚ୍ଚକାଟର ବିବିଧ ଦିଗ । 

ହଠାତ ରାଧାନାଥଙ୍କୁ ଏକ ଅଦ୍ଭୁତ ଝଟକା ଲାଗିଲା । ପାରିପାର୍ଶ୍ଵିକ ଅବସ୍ଥା ତାଙ୍କ ସମ୍ମୁଖରୁ ଦୂର ହୋଇଗଲା । ସେ ଯେମିତି ସମାଧିସ୍ଥ ହୋଇଗଲେ – ଗୁରୁ ବିଚିତ୍ରାନନ୍ଦଙ୍କପରି । ମନ ଭିତରେ କିନ୍ତୁ ଝଲସି ଉଠିଲା ସେହି ଦୃଶ୍ୟ – ରାଧାନାଥ ପ୍ରେମର ସୁଅରେ ଉବୁଟୁବୁ; ନିବିଡ଼ ଆଲିଙ୍ଗନରେ ତରୁଣୀଟିଏ । କେତୋଟି ମୁହୂର୍ତ୍ତ ଭିତରେ ରାଧାନାଥ ହଜିଗଲେ କେଉଁ ଏକ ଭିନ୍ନ ଦୁନିଆରେ । 

କିନ୍ତୁ ଖୁବ ଶୀଘ୍ର ପ୍ରକୃତିସ୍ଥ ହେଲେ ରାଧାନାଥ । ଏଥର କିନ୍ତୁ ପରିବେଶ ବଦଳି ଯାଇଥିଲା । ମିଟିଙ୍ଗରେ ଉପସ୍ଥିତ ସମସ୍ତ ଲୋକ ତଟସ୍ଥହୋଇ ତାଙ୍କୁ ଚାହିଁ ରହିଥିଲେ । ତାଙ୍କ ଆଗରେ ଠିଆ ହୋଇଥିଲା ସୁନନ୍ଦା – ଅତ୍ୟନ୍ତ ଅପ୍ରସ୍ତୁତ ଭାବରେ । କିଛି ଦରକାରୀ ନଥିପତ୍ରରେ ରାଧାନାଥଙ୍କର ହସ୍ତାକ୍ଷରପାଇଁ ସୁନନ୍ଦା ସନ୍ତର୍ପଣରେ ପଶି ଆସିଥିଲା କୋଠରୀ ଭିତରକୁ । ଅଗତ୍ୟା ଏକପ୍ରକାର ଅଜ୍ଞାନ ଅବସ୍ଥାରେ ରାଧାନାଥ ସୁନନ୍ଦାକୁ ଧରିନେଇ ଅତି ଅବାନ୍ତର ଭାବରେ ଆଲିଙ୍ଗନ କରିବାର ପ୍ରଚେଷ୍ଟା କରିଥିଲେ । ସୁନନ୍ଦା ତାଙ୍କୁ ଦୂରକୁ ଠେଲିଦେଇ ରାଗରେ ଫଁ ଫଁ ହେଉଥିଲା । 

ରାଧାନାଥ ଶୁଣିପାରୁଥିଲେ ସୁନନ୍ଦାର କଥା, ‘ଆଇ ୱିଲ୍ ଟିଚ୍ ୟୁ ଏ ଲେସନ୍, ୟୁ ବ୍ଲଡି ହିପୋକ୍ରାଟ୍ ! ମୁଁ ମହିଳା କମିଶନକୁ ଯିବି, ସେକ୍ସୁଆଲ୍ ହାରାସମେଣ୍ଟ୍ କେଶ୍ ଚଳାଇବି ……’

ପାଖରେ ଥିବା ଅନ୍ୟାନ୍ୟ ସହକର୍ମୀମାନେ ଅବିଶ୍ଵାସ ଓ ଆଶ୍ଚର୍ଯ୍ୟରେ ହତବାକ୍ ହୋଇ ଅପସରି ଯାଉଥିଲେ । କିଛିଲୋକ ସୁନନ୍ଦାକୁ ବୁଝାଇବାପାଇଁ ଚେଷ୍ଟା କରୁଥିଲେ । 

କାଠ ପାଲଟିଯାଇଥିଲେ କେଦାର । ଚୁପ୍ ଚୁପ୍ କରି ରାଧାନାଥଙ୍କୁ କହିଲେ, ‘ଏ କ’ଣ କଲ ରାଧାନାଥ ?’ରାଧାନାଥଙ୍କ ମୁଖମଣ୍ଡଳରେ ଗୁରୁ ବିଚିତ୍ରାନନନ୍ଦଙ୍କର ଗାମ୍ଭୀର୍ଯ୍ୟ ।  ସେ କହୁଥିଲେ, ‘ଆଧ୍ୟାତ୍ମିକତାର ଚରମ ସୋପାନ ଆଉ ବେଶୀ ଦୂର ନୁହେଁ ।’ ତାଙ୍କ କପାଳରେ ଝଟକୁଥିଲା  ଚନ୍ଦନଟୋପା ତଳେ ଥିବା ବିଭୂତିର ପ୍ରଲେପ । ସେ ପୁଣି ସ୍ଵଗତୋକ୍ତି କରୁଥିଲେ, ‘ସମସ୍ତ ପାର୍ଥିବ କାମନା ମୋ ଭିତରେ ଲୋପ ହୋଇଯାଇଛି । ଏକ ନୈସ୍ଵର୍ଗିକ ଆନନ୍ଦ ମୋତେ  ଆଲିଙ୍ଗନ କରିଚାଲିଛି । ମନେ ହେଉଛି, ମୋ ଭିତରେ ଲୁଚି ରହିଥିବା ଅଭିଶପ୍ତ ଅହଲ୍ୟା ବର୍ଷ ବର୍ଷ ପରେ ଆଜି ମୁକ୍ତି ପାଇଯାଇଛି । ସେହି ମୁକ୍ତିର ଆନନ୍ଦ ସହ ମୋର ସବୁ ଗ୍ଳାନି, ସବୁ ଦୋଷ ଅପସରି ଯାଇଛି – ମୁଁ ବୋଧହୁଏ ଆଧ୍ୟାତ୍ମିକତାର ଚରମ ସୋପାନରେ ପହଞ୍ଚି ସାରିଛି’ ।

****

ଅତଳ ଗହ୍ୱର

ଅଣନିଃଶ୍ଵାସୀ ଅବସ୍ଥାରେ ଗଭୀର ନିଦରୁ ଉଠି ବସିଲା ସତ୍ୟବାଦୀ ବିଛଣା ଉପରେ । ଦେହରେ ଅଭୂତପୂର୍ବ କମ୍ପନ । ପ୍ରଖର ଗରମ ପ୍ରଶ୍ଵାସ, ଭୟ ଓ ଆଶଙ୍କାରେ ଝାଳ ଉବୁଟୁବୁ । ଏ ପର୍ଯନ୍ତ ପ୍ରକୃତିସ୍ଥ ହୋଇନାହିଁ ସେ ।  କିଛି ବି ମନେ ପଡୁନି ତା’ର – ସେ କିଏ; ଏବେ କେଉଁଠି, କ’ଣ ଏ ପରିସ୍ଥିତି ? 

ବାହାରେ ନିଶା ଗର୍ଜୁଥିଲା । ସହରର ଏକ ନାମକରା ଅଞ୍ଚଳରେ ବହୁତଳବିଶିଷ୍ଟ ଏକ ବଡ ଆପାର୍ଟମେଣ୍ଟର ୧୧ତମ ମହଲାରେ ସତ୍ୟବାଦୀ ଯେମିତି ନିଜ ଘରେ ନିଜକୁ ପାଶୋରି ଦେଇଥିଲା । ସେ ଏକ ଅଦ୍ଭୁତ ସମ୍ମୋହିତ ଅବସ୍ଥା । ନିଦ ଟଳମଳ ଆଖି ଖୋଜି ବୁଲୁଛି ଦେଖିବାକୁ ଟିକେ ଆଲୋକ, ଜାଣିବାକୁ ପାରିପାର୍ଶ୍ଵିକ ଅବସ୍ଥା । ଦୂରରୁ କୋଠରି ଭିତରକୁ ପଶିଆସୁଥିବା କିଛି ଆଲୋକ ଝରକା ରେଲିଂ, ପର୍ଦ୍ଦା ଓ ଅନ୍ୟାନ୍ୟ ଆସବାବପତ୍ର ଭିତରଦେଇ କାନ୍ଥ ଉପରେ ସୃଷ୍ଟି କରୁଥାଏ ଛାଇ-ଆଲୁଅର ଏକ ଅହେତୁକ ଦୃଶ୍ୟ । ସବୁଆଡ ନିରବ, ନିଶ୍ଚଳ – ଶୁଭୁଛି ତ କେବଳ ସତ୍ୟବାଦୀର ନିଜସ୍ଵ ହୃଦ୍ ସ୍ପନ୍ଦନ ।  

ଧୀରେ ଧୀରେ ସତ୍ୟବାଦୀକୁ ପ୍ରତୀୟମାନ ହେଲା ଘରର ଝରକା କବାଟର ଅବସ୍ଥିତି – ମନେ ପଡିଲା, ସେ ଏକ ଭୟାନକ ପରିସ୍ଥିତରୁ ଏଇ ମାତ୍ର ମୁକୁଳିଛି । ହୁଏତ ସବୁକିଛି ଏକ ସ୍ବପ୍ନ ଥିଲା – ହଁ, ସ୍ବପ୍ନ ! ଏଇ ମାତ୍ର ମୃତ୍ୟୁସହ ସଂଘର୍ଷକରି ସେ ଯେପରି ରକ୍ଷା ପାଇଯାଇଛି । ମୃତ୍ୟୁ ଯେତେ ଭୟାନକ ନୁହେଁ, ମୃତ୍ୟୁର ଆଶଙ୍କା ତା’ଠାରୁ ଅଧିକ ଭୟାବହ । ଅଚାନକ ମୃତ୍ୟୁର ଦ୍ଵାରଦେଶରେ ପହଞ୍ଚିବା ପରେ ମଧ୍ୟ ଏହା ଅନିଶ୍ଚିତ, ମୃତ୍ୟୁ କିପରି ତା’ର କାୟା ବିସ୍ତାର କରିବ, କିପରି କବଳିତ କରିବ ଅକିଞ୍ଚନ ଜୀବନଟିଏକୁ ।  
ସତ୍ୟବାଦୀ ମନେ ପକେଇବାକୁ ଚେଷ୍ଟାକଲା ସ୍ଵପ୍ନର ଖିଅ ସବୁକୁ । ଝାପ୍ସା ଭାବରେ ମନେ ପଡୁଥିଲା କିଛି କିଛି । ମନେ ପଡୁଥିଲା କେମିତି ସେ ପ୍ରାଣ ବିକଳରେ ଦୌଡୁଥିଲା ଖୁବ୍ ବେଗରେ – ବଣ ଜଙ୍ଗଲରେ, ଗାଡିମଟରର ଗହଳି ଭିତରେ, ପୁଣି ବିଲବାଡି ପାହାଡ ପର୍ବତମାନଙ୍କରେ । ତାକୁ ଗୋଡାଉଥିଲା ଏକ କିମ୍ଭୂତକିମାକାର ଜୀବ, ଯିଏ ବେଳକୁବେଳ ଆକାରରେ ବଡ ପାଲଟି ଯାଉଥିଲା ଓ ଦ୍ରୁତରୁ ଦ୍ରୁତତର ଗତିରେ ସତ୍ୟବାଦୀର ପିଛା କରୁଥିଲା । ମନେ ପଡୁଥିଲା ସେହି ଭୟାନକ ଜୀବର କଦାକାର ରୂପ, ମନେପଡୁଥିଲା ଏକ ଭୟଙ୍କର ଶବ୍ଦ, ଯାହା ସତ୍ୟବାଦୀର ମେରୁହାଡ ଭିତରେ କମ୍ପନ ସୃଷ୍ଟି କରୁଥିଲା । ଏମିତି ପ୍ରାଣମୁର୍ଚ୍ଛା ଦୌଡୁ ଦୌଡୁ ହଠାତ ଯେମିତି ଆଗରେ ପୃଥିବୀ ଶେଷ ହୋଇଗଲା । ସତ୍ୟବାଦୀ ଲମ୍ଫ ଦେଲା ଗୋଟିଏ ଅତଳ ଗହ୍ବର ଭିତରକୁ; ତା’ ପାଖରେ ଉପାୟ ବା ଆଉ କଣ ଥିଲା? ତାପରେ ଜଣାନାହିଁ ସେହି ଭୟାନକ ଜୀବଟି ଆଉ ତା’ର ପିଛା କରୁଥିଲା କି ନା; ଜଣା ନାହିଁ ତା’ ଶରୀରରେ ଆଉ କିଛି କମ୍ପନ ଥିଲା କି ନା । ସେ ବୋଧହୁଏ ମୃତ୍ଯୁର ଦ୍ଵାରଦେଶରେ ପହଞ୍ଚି ସାରିଥିଲା ।  ମାତ୍ର ଠିକ ସେଇ ମୁହୂର୍ତ୍ତରେ ସତ୍ୟବାଦୀର ନିଦ ଭାଙ୍ଗି ଯାଇଥିଲା ଓ ଗୁଡାଏ ଅସଙ୍ଗତ ବାଉଳିଚାଉଳି ଭିତରେ ସେ ଉଠି ବସିଥିଲା ବିଛଣା ଉପରେ, ଅତ୍ୟନ୍ତ ଇତଃସ୍ତତଃ ଭାବରେ।

ନିଜକୁ ନିଜେ ଠାବ କରିସାରିବାପରେ ସତ୍ୟବାଦୀର ପିଣ୍ଡରେ ପ୍ରାଣ ସଂଚରିଲା । ହାତ ବଢାଇ ଖଟ ପାଖରୁ ପାଣି ବୋତଲଟା ଉଠାଇନେଇ ଢକ୍-ଢକ୍ କରି ପାଣି ପି’ ନେଲା, ହୁଏତ ଦରକାରଠାରୁ ଅଧିକ । ଦେହର କମ୍ପନ ଥମିବାକୁ ଆରମ୍ଭ କଲା । ପରିବେଶର ଗାମ୍ଭୀର୍ଯ୍ୟ ମଧ୍ୟ କମିବାରେ ଲାଗିଲା ।


ସତ୍ୟବାଦୀ ମନେ ପକେଇବାକୁ ଚେଷ୍ଟାକଲା ସେହି ଅଦ୍ଭୁତ ଜୀବଟିକୁ – କେଉଁଠାରୁ ଆସିଲା ସେ? କ’ଣ ପାଇଁ ଗୋଡାଉଥିଲା ତାକୁ? ସବୁକିଛି ତଥାପି ଥିଲା ଅସ୍ପଷ୍ଟ, ଅସଙ୍ଗତ । ଏମିତି ହୁଏ – ସ୍ବପ୍ନରେ ଦେଖିଥିବା ଅନେକ ଦୃଶ୍ୟ ସ୍ଵପ୍ନାବଶେଷରେ ସମ୍ପୂର୍ଣ ଅଦୃଶ୍ଯ ହୋଇଯାଏ ମାନସପଟରୁ । ସେହି ଦୃଶ୍ୟମାନଙ୍କର ଖାଲି ଏକ ଶୂନ୍ୟ ଛାପ ରହିଯାଏ ମନର ଗଭୀର କଣରେ; କେତେବେଳେ ପୁଣି ସେ ଶୂନ୍ୟ ଛାପ ମଧ୍ୟ ଗୋଚର ହୁଏନାହିଁ ।

ସ୍ବପ୍ନ ଉପରେ ଥିବା ମାନସିକ ଓ ସାମାଜିକ ପ୍ରଭାବ ହୁଏତ କୌଣସି ଗବେଷକର ଦୁର୍ଲଭ ସନ୍ଦର୍ଭରେ ସ୍ଥାନ ପାଉଥାଇପାରେ, ମାତ୍ର ଦୈନନ୍ଦିନ ଜୀବନରେ ସ୍ବପ୍ନ ତ ଏକ ବାସ୍ତବ ପ୍ରକ୍ରିୟା ! କେହି କେହି ବିଶ୍ବାସ କରନ୍ତି, ପାହାନ୍ତା ପହରରେ ଦେଖିଥିବା ସ୍ବପ୍ନ କାଳେ ସତ ହୁଏ । ଆଉ କେହି କେହି କହନ୍ତି, ସ୍ବପ୍ନ ହେଉଛି ଆମ ଜୀବନର ଆଗାମୀ ଘଟଣା ସମୂହର ଏକ ଅତିରଞ୍ଜିତ ପ୍ରାକ୍-କଥନ । କିନ୍ତୁ ଆମ ଭିତରୁ ଅଧିକାଂଶଙ୍କ ପାଇଁ ସ୍ବପ୍ନ ଏକ ସାଧାରଣ ପ୍ରକ୍ରିୟା – ନିଦର ଶେଷ ସହ ସ୍ଵପ୍ନର ପ୍ରାସଙ୍ଗିକତା ମଧ୍ୟ ସମାପ୍ତ ହୁଏ । ସତ୍ୟବାଦୀ ହୁଏତ ଏହି ଶେଷ ବିଚାରରେ ବିଶ୍ବାସ ରଖୁଥିଲା ।


ଅଥଚ ଏ ପ୍ରକାରର ଅନୁଭବ ତା ପାଇଁ ପ୍ରଥମ । ସ୍ବପ୍ନଟିକୁ ଏମିତି ସାଧାରଣ ଭାବରେ ଏଡାଇଦେବା ଯେମିତି ସମ୍ଭବ ହେଉ ନଥିଲା । ଅଣାୟତ୍ତ ଭାବରେ ତା ମନକୁ ଆସୁଥାଏ ସ୍ବପ୍ନଟିର କିଛି କିଛି ବିଶ୍ଳେଷଣ । ସେ ବୋଧହୁଏ ପୁଣି ନିଦରେ ଶୋଇ ଯାଉଥିଲା – ଛାଇ ଛାଇ ନିଦ, ଯେଉଁ ନିଦରେ ନିଜକୁ ଜାଗ୍ରତ ମନେ କରୁଥିବା ଲୋକଟି ପ୍ରକୃତରେ ସ୍ବପ୍ନ-ସ୍ଥିତିରେ ପହଞ୍ଚି ଯାଇଥାଏ ଓ ସ୍ଵପ୍ନର ସ୍ୱଳ୍ପ ଅସଙ୍ଗତିକୁ ଅଣଦେଖା କରୁଥାଏ । ଏମିତି ଅବସ୍ଥାରୁ କେତେବେଳେ ଯେ ସେ ସମ୍ପୂର୍ଣ ନିଦରେ ପହଞ୍ଚିଯାଏ, ତାହା ସହଜରେ ଜଣା ପଡେନାହିଁ । 

ସତ୍ୟବାଦୀ ଜଣେ ଯୁବ ଉଦ୍ୟୋଗପତି । ଦୁଇ ଜଣ ବନ୍ଧୁଙ୍କସହ ସେ ଆରମ୍ଭ କରିଥିବା ଏକ ଛୋଟ ଷ୍ଟାଟ୍ଅପ୍ ପାଞ୍ଚ ବର୍ଷ ମଧ୍ୟରେ କେଉଁଠୁ ଆସି କେଉଁଠାରେ ପହଞ୍ଚିଛି, ସହଜରେ ବିଶ୍ବାସ କରିହେବ ନାହିଁ  । ତା’ର ଓ ତା’ ବନ୍ଧୁ ମାନଙ୍କର ଆପ୍ରାଣ ଉଦ୍ୟମ, ମନୋବଳ ଏବଂ ଆତ୍ମବିଶ୍ବାସ ସେମାନଙ୍କୁ ସଫଳତା ଆଣିଦେଇଥାଏ । ଅଥଚ ଉଦ୍ୟୋଗ ଜଗତର ଅନିଶ୍ଚିତତାରୁ କେହି କେବେ ବାଦ୍ ପଡ଼ିନାହିଁ । ନୂଆ ପ୍ରତିଯୋଗିତା ଓ ଦ୍ରୁତ ଗତିରେ ବଦଳୁଥିବା ଚାହିଦା ପ୍ରତି ମୁହୂର୍ତ୍ତରେ ଆଣିଦେଉଥାଏ ନୂଆ ନୂଆ ଆହ୍ବାନ । ସାଧାରଣ ଅର୍ଥନୈତିକ ଅଧୋଗତି ବଜାରକୁ ମାନ୍ଦା କରିଦେବା ଫଳରେ ସବୁ ଉଦ୍ୟୋଗପତିମାନେ ଊଣା ଅଧିକେ ବିବ୍ରତ । ସତ୍ୟବାଦୀ ମଧ୍ୟ ଏହି ବାସ୍ତବତାର ଶୀକାର । କିଛି ବର୍ଷର ସଫଳ ବ୍ୟବସାୟ ତା’ ଜୀବନର ମାନରେ ଆଣି ଦେଇଥାଏ ଅସାଧାରଣ ପରିବର୍ତ୍ତନ । ସହରର  ସର୍ବୋତ୍କୃଷ୍ଟ ଜାଗାରେ ସୁନ୍ଦର ଆପାର୍ଟମେଣ୍ଟ, ଗାଡି ଓ ନାମୀ କ୍ଲବ୍ ମାନଙ୍କରେ ମେମ୍ବରସିପ୍ ଏବଂ ସର୍ବୋପରି ସାମାଜିକ ଖ୍ଯାତି ।  ଗତ କିଛିଦିନ ଧରି କମ୍ପାନୀର ସି ଏଫ ଓ ଙ୍କ ସହ ସେ ଘଣ୍ଟା ଘଣ୍ଟା ସମୟ ବିତାଇଛି; ବୁଝିବାକୁ ଚେଷ୍ଟା କରିଛି ଆନାଲିଷ୍ଟମାନଙ୍କର ନକରାତ୍ମକ ବିବରଣୀ । ନିରାଶାର ପ୍ରଥମ ଧୂଳି ପ୍ରସ୍ତ ପ୍ରସ୍ତ ଜମିବାକୁ ଆରମ୍ଭ କରିଦେଇଥାଏ ତା’ ମନରେ ।  ଏକ ଅଜଣା ଅସ୍ଥିରତା, ଅନିଶ୍ଚିତତା ବେଳକୁବେଳ କାୟା ବିସ୍ତାର କରୁଥାଏ ମନ ଭିତରେ । ସଫଳତାର ଯେଉଁ ଶିଡି ଚଢି ସେ ଉପରକୁ ଉଠିଚାଲିଛି, ସେ ଶିଡି ଭୁଷୁଡି ପଡୁନାହିଁ ତ ?  ଅସହାୟତାର ଭସ୍ମାସୁର ବଳବତ୍ତର ହେଉଥିଲା ମନର କେଉଁ କଣରେ । ଏଇ ଦୁର୍ବଳତା ହିଁ ତାକୁ ଡରାଉ ନ ଥିଲା ତ ସ୍ବପ୍ନରେ – ସେହି କିମ୍ଭୂତକିମାକାର ଜୀବର ରୂପରେ ?

ସତ୍ୟବାଦୀ କଡ଼ ଲେଉଟାଇଲା – ସେ ଜାଗ୍ରତ ନା ସୁପ୍ତ ?

ହୁଏତ ବ୍ୟକ୍ତିଗତ ଜୀବନର ମୋଡ ମଧ୍ୟ ତା’ର ବ୍ୟସ୍ତତାର କାରଣ ଥିଲା । ଦୁଇ ବର୍ଷର ବିବାହିତ ଜୀବନରୁ ଗତ ଛ’ ମାସ ଧରି ସେ ଓ ତା’ ସ୍ତ୍ରୀ ମୋନା ଅଲଗା ରହୁଥିଲେ । ପରସ୍ପରକୁ ଯେ ସେମାନେ ଏତେ ଭଲ ପାଉଥିଲେ – କେହି କଣ କେବେ କଳ୍ପନା କରିଥିବ ସେମାନଙ୍କ ମଧ୍ୟରେ ମନାନ୍ତର ଘଟି ତାଙ୍କର ବୈବାହିକ ଜୀବନ ଏପରି ଜଟିଳ ଅବସ୍ଥାରେ ପହଞ୍ଚିବ ? ସତ୍ୟବାଦୀ ତ କେବେ ଚିନ୍ତା ମଧ୍ୟ କରି ନଥିବ ଏ ପ୍ରକାର ପରିଣାମ !

ବିବାହର କିଛି ମାସ ପରେ ଦୁହିଁଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଥିଲା ଛୋଟ ଛୋଟ ପାରିବାରିକ ପ୍ରସଙ୍ଗରେ । ଶୋଇବା ଘରର କାନ୍ଥର ରଙ୍ଗଠାରୁ ଆରମ୍ଭ କରି ଆସବାବପତ୍ର ଚୟନରେ ଦେଖାଦେଲା ବିବିଧତା । ମତପାର୍ଥକ୍ୟ ହେଲା ପ୍ରାୟତଃ ସବୁଥିରେ । ସମୟସମୟରେ ଦେଇଥିବା ସତ୍ୟବାଦୀର ମନ୍ତବ୍ୟମାନଙ୍କର ସାରମର୍ମ ମୋନାପାଇଁ ଥିଲା ଏହିପରି – ସତ୍ୟବାଦୀ ହେଉଛି ନାରୀ ସ୍ଵାତନ୍ତ୍ର୍ୟର ସମ୍ପୂର୍ଣ ବିରୋଧୀ; ତା’ର ଉଦାରପନ୍ଥୀ ମନୋଭାବ କେବଳ ଉପରଦେଖାଣିଆ । ଏଣେ ବ୍ୟବସାୟ ପ୍ରସଙ୍ଗରେ ମୋନାର ଅଯାଚିତ ମତାମତ ବିରକ୍ତ କରୁଥିଲା ସତ୍ୟବାଦୀକୁ । ଏପରି ପରିସ୍ଥିତିରେ ରାଗଋଷା, ଅଭିମାନ ଓ ଅଭିଯୋଗର ତାଲିକା କେବଳ ଲମ୍ବିବାକୁ ଲାଗିଲା । ଦୁହେଁ ଦୁହିଁଙ୍କୁ ଭଲପାଉଥିଲେ ମଧ୍ୟ ସାଧାରଣ ଆତ୍ମବଡିମା ସେମାନଙ୍କ ଭିତରେ ଆଣିଦେଲା ଦୂରତା । ଶେଷରେ ମୋନା ତାର ବନ୍ଧୁମାନଙ୍କ ସହ ରହିବାକୁ ଆରମ୍ଭ କଲା ଏକ ମହିଳା ନିବାସରେ । ସେ ନିଜେ ଥିଲା ଏକ ମାର୍କେଟିଙ୍ଗ କମ୍ପାନୀର ଜଣେ ସଫଳ ଅଧିକାରୀ – ସ୍ଵାବଲମ୍ବୀ, ସ୍ଵାଭିମାନୀ । ଔପଚାରିକ ସ୍ତରରେ ବିଚ୍ଛେଦ ନ ହୋଇଥିଲେ ମଧ୍ୟ ଗତ ଛ’ ମାସଧରି ସେମାନେ ପରସ୍ପରଠାରୁ ଅଲଗା ।

ଅଥଚ ଦୁଇଦିନ ତଳେ ସତ୍ୟବାଦୀ ମୋନାଠାରୁ ପାଇଥିଲା ତିନୋଟି ଶବ୍ଦର ଏକ ସଂକ୍ଷିପ୍ତ ମେସେଜ୍ – ‘ହାଓ ଆର୍ ୟୁ ?’ ଏହାର କୌଣସି ଉତ୍ତର ଦେଇ ନ ଥିଲା ସେ; ବରଂ ନିଜକୁ ସ୍ଥିର ଓ ଦୃଢ କରିବାକୁ ଚେଷ୍ଟା କରୁଥିଲା । ପ୍ରଶ୍ନଟିର ଉତ୍ତର ଦେବାକୁ ଗଲେ ଭାବପ୍ରବଣତାର ସୁଅରେ ନିଜେ ଭାସିଯିବାର ଭୟ ଥିଲା ।  ସେ କେବେହେଲେ ନିଜକୁ ଦୁର୍ବଳ ହେବାକୁ ଦେବନାହିଁ । ନିଜ ଜୀବନକୁ ଏକା ବଞ୍ଚିବାକୁ ସେ ପ୍ରସ୍ତୁତ – ତା’ର ଦରକାର ନାହିଁ ଦରଦ, କାହାର ଆଶ୍ରା ।

ମନର ଗଭୀର କଣରେ ଉଙ୍କିମାରୁଥିଲା ଆଉ ଏକ ଭାବ । ସତରେ କଣ ସେ ଏକା ବଞ୍ଚିବାକୁ ଚାହେଁ? ଏଇ ଛ’ ମାସର ବିଚ୍ଛେଦ ତାର ମାନସିକ ଅବସ୍ଥାକୁ ଛରଖାର କରିଦେଇଛି । ବାହାରେ ଯେତେ ଦୃଢତା ଓ ଆତ୍ମବିଶ୍ଵାସର ଛଳନା କଲେ ମଧ୍ୟ ସେ ଜାଣେ ମୋନାର ଅନୁପସ୍ଥିତି ତା’ ପାଇଁ କେତେ କଷ୍ଟଦାୟକ । ସେ ଏ କଥା ମଧ୍ୟ ଜାଣେ ଯେ ମୋନାର ଅନୁଭବ ମଧ୍ୟ କୌଣସି ପ୍ରକାରେ ପୃଥକ ହୋଇନଥିବ ।

ମୋନାଠାରୁ ମେସେଜଟି ପାଇସାରିବା ପରଠାରୁ ସତ୍ୟବାଦୀର ମାନସିକ ଦ୍ଵନ୍ଦ୍ଵ ବଢିଯାଇଥାଏ । ଏଇ ଦୁଇଦିନ ପ୍ରତିମୁହୂର୍ତ୍ତରେ ସେ ନିଜଭିତରେ ଲଢି ଚାଲିଥିଲା – ନିଜକୁ  ଦୃଢକରିବାକୁ ଚେଷ୍ଟା କରୁଥିଲା; ଅଥଚ ଭିତରେ ଭିତରେ ବିରୋଧାଭାସ ବଢି ଚାଲିଥିଲା କେବଳ । ହୁଏତ ଏ ସମସ୍ତ ମାନସିକ ଦ୍ଵନ୍ଦ୍ଵ ଅତିରଞ୍ଜିତ ଭାବରେ ଆବିର୍ଭୂତ ହୋଇଥିଲା ସେଇ ଭୟାନକ ସ୍ବପ୍ନ ମାଧ୍ୟମରେ ।

ସତ୍ୟବାଦୀ ପୁଣି କଡ଼ ଲେଉଟାଇଲା – ସେ ସୁପ୍ତ ନା ଜାଗ୍ରତ ?

ବେଳକୁବେଳ ସେ ଆବିଷ୍କାର କରିଚାଲିଥିଲା ତା’ ମନଭିତରର ସମସ୍ତ ଦ୍ଵନ୍ଦ୍ଵ, ବ୍ୟସ୍ତତା, ଅସହାୟତା ଓ ଅସ୍ଥିରତାକୁ । ମନର ସମସ୍ତ ବିରୋଧାଭାସ ଯେମିତି ସ୍ପଷ୍ଟ ହୋଇଯାଉଥିଲା ଓ ନକରାତ୍ମକ ଚେତନା ସବୁ ତାକୁ ଆଉ ଡରାଉ ନ ଥିଲା । କିଛି ସମୟ ତଳର ସ୍ଵପ୍ନର ଭୟାବହତା ଅପସରି ଯାଉଥିଲା ।

ସେ ଉଠି ବସିଲା – ହୁଏତ ଛାଇଛାଇ ନିଦର ପ୍ରଭାବରେ ସେ ଏବେବି କବଳିତ । ଅଥଚ ଫୋନଟି ହାତରେ ନେଇ ସେ ମୋନା ପାଖକୁ ଲେଖିବାକୁ ଆରମ୍ଭକଲା । ମନରେ କୌଣସି ବଡିମା ନାହିଁ , ନାହିଁ କିଛି ଛଳନା – ଢାଳି ହୋଇଯାଉଥିଲା ତା ହୃଦୟର କଥା, ପ୍ରେମ ଓ ଅଧିକାରପଣ । ନିମିଷକମଧ୍ୟରେ ମେସେଜଟି ତା’ ଫୋନରୁ ଯାଇ ପହଁଚି ଯାଇଥିବ ମୋନା ପାଖରେ । ସତ୍ୟବାଦୀର ମନ ହାଲୁକା ହୋଇଗଲା । ବିଛଣାରେ ଗଡି ପଡିଲା ସେ ପୁଣିଥରେ । ମୂହୁର୍ତ୍ତକେତୋଟିରେ ସେ ଶୋଇପଡ଼ିଲା ଗଭୀର ନିଦରେ – ପରମ ଶାନ୍ତିରେ ।

ସକାଳେ ଆଖି ଖୋଲିଲାବେଳକୁ ଅନେକ ଡେରି । ସମୟ ହୋଇଯାଇଥିଲା ଅଫିସରେ ପହଞ୍ଚିବାର । ବିଛଣାରୁ ଝପଟିପଡି ପ୍ରସ୍ତୁତ ହେବାକୁ ଲାଗିଲା ସତ୍ୟବାଦୀ । ବିଗତ ରାତିର ଭୟାବହ ସ୍ଵପ୍ନ ଅପସରି ଯାଇଥିଲା ମନରୁ । ସେ ଜାଣେ, ପ୍ରତି ମାସର ପ୍ରତି ଶୁକ୍ରବାରଦିନ ସେ ଯୋଗଦିଏ କମ୍ପାନୀର ଷ୍ଟ୍ରାଟେଜି ମିଟିଂରେ । ଏଥର ସେମାନେ ହାତରେ ଥିବା ପୁରୁଣା ପ୍ରଜେକ୍ଟମାନଙ୍କର ସ୍ଥିତି ଯାଞ୍ଚ କରିବାସହ ଆଗାମୀ କାର୍ଯ୍ୟସୂଚୀ ପ୍ରସ୍ତୁତ କରନ୍ତି । ବଡ ଗୁରୁତ୍ବପୂର୍ଣ ଏହି ଆଲୋଚନା । ପୂର୍ବ ମାସଠାରୁ ସମସ୍ତ ଆର୍ଥିକ ଅଟକଳ ଟଳମଳ ହେବାରେ ଲାଗିଥିଲା । ସତ୍ୟବାଦୀକୁ ଖୁବ୍ ଶୀଘ୍ର ପହଁଚିବାକୁ ପଡିବ ଅଫିସରେ ।

ମୋନାଠାରୁ କୌଣସି ଉତ୍ତର ଆସି ନ ଥିଲା । ସତ୍ୟବାଦୀ କିନ୍ତୁ ଭାଙ୍ଗି ପଡି ନ ଥିଲା – କୌଣସି କ୍ରୋଧ, ଅଭିମାନ, ତା’ ମନକୁ ଆସୁ ନ ଥିଲା । ସତେ ଯେମିତି ସକାଳର ହାଲୁକା ପବନରେ ଭରିଥିଲା କିଛି ଔଷଧୀୟ ଶକ୍ତି । ସ୍ବପ୍ନରେ ଲମ୍ଫଦେଇଥିବା ଅତଳ ଗହ୍ବରରେ ହୁଏତ ସେ ଫୋପାଡିଦେଇ ଆସିଥିଲା ତାର ଆତ୍ମବଡିମା, ଆଶଙ୍କା ଓ ଅସହାୟତା । ମନ ହାଲୁକା ଲାଗୁଥିଲା ।     

ଅଫିସ୍ ନିମନ୍ତେ ପ୍ରସ୍ତୁତହୋଇ ସତ୍ୟବାଦୀ ଯଥାଶୀଘ୍ର ବାହାରି ଆସିଲା ଆପାର୍ଟମେଣ୍ଟରୁ ଓ ଲିଫ୍ଟ ଧରିଲା ତଳକୁ ଆସିବାପାଇଁ । ବାହାରର ପରିବେଶ କିପରି ଗାମ୍ଭୀର୍ଯ୍ୟମୟ ଲାଗିଲା । ତଳେ ପହଞ୍ଚି ଯାହା ଦେଖିଲା, ସେଥିରେ ସେ ଆଶ୍ଚର୍ଯ୍ଯ ହେଲା । ସୋସାଇଟି ହତାଭିତରେ ଭିଡ – ଅଧିକାଂଶ ଅନ୍ତେବାସୀ ସେଠାରେ ରୁଣ୍ଡ । ଅଦୂରରେ କିଛି ପୋଲିସ କର୍ମଚାରୀ କଥାବାର୍ତ୍ତା କରୁଛନ୍ତି ସୋସାଇଟିର କର୍ମକର୍ତ୍ତାମାନଙ୍କ ସାଙ୍ଗରେ । ଜାଣିବାକୁ ପାଇଲା, କୋଡିଏ ମହଲାରେ ରହୁଥିବା କେହିଜଣେ ଯୁବକ ପାହାନ୍ତାରେ ବାଲକୋନିରୁ ଲମ୍ଫମାରି ଆତ୍ମହତ୍ୟା କରିଛି । ଏ ପର୍ଯ୍ଯନ୍ତ ତା’ର ମର ଶରୀର ପଡ଼ିରହିଛି । ପୋଲିସର ପ୍ରାରମ୍ଭିକ ଅନୁସନ୍ଧାନପରେ ଶବ ବ୍ୟବଚ୍ଛେଦ ହେବାକୁ ଯିବ । ଦଳଦଳ ହୋଇ ଲୋକମାନେ ଆଲୋଚନା କରୁଛନ୍ତି । କିଛିଲୋକ ଆର୍ଦ୍ରଆଖିରେ ନିରବରେ ଠିଆ ହୋଇଛନ୍ତି । 

ଶୁଣିବାକୁ ମିଳିଲା, ଲୋକଟି ଆତ୍ମହତ୍ୟା ପୂର୍ବରୁ ଛୋଟ କାଗଜଟିଏରେ ଲେଖିଦେଇ ଆସିଥିଲା, ‘କାଣ୍ଟ୍ ଟେକ୍ ଦିସ୍ ଏନି ମୋର୍’ – ଆଉ ସହ୍ୟ କରିବା ସମ୍ଭବ ନୁହେଁ ।
କଣ ଥିଲା ଲୋକଟିର ସମସ୍ୟା ? କ’ଣ ସହ୍ୟ କରିବା ସମ୍ଭବ ନ ଥିଲା ତା’ ପାଇଁ ? ସତ୍ୟବାଦୀ ପାଖରେ କିନ୍ତୁ ସମୟ ନ ଥିଲା । ତାକୁ ଯିବାକୁ ପଡିବ ଯଥାଶୀଘ୍ର । ତା’ ମନରେ ଆଜି ନାହିଁ କୌଣସି ନିରାଶା, ନାହିଁ ଗ୍ଲାନି ବା କ୍ଳାନ୍ତି । ସେ ତ ମୁକୁଳି ଆସିଛି ଅତଳ ଗହ୍ବରରେ ଆସନ୍ନ ମୃତ୍ଯୁ ମୁଖରୁ – ତା’ର ଆଉ ଭୟ କାହାକୁ ? ସତ୍ୟବାଦୀ ତାର ଗାଡି ବାହାରକଲା ସନ୍ତର୍ପଣରେ ।

ସେ ସୁପ୍ତ ନା ଜାଗ୍ରତ ?

****