ରାଧାନାଥ ଖୁବ୍ ଚିନ୍ତିତ ଓ ବିବ୍ରତ ।
ପୂର୍ବାପର ସମ୍ପର୍କ ନ ଥାଇ ସେହି ଦୃଶ୍ୟଟି ପୁଣିଥରେ ତାଙ୍କ ମନ ଭିତରେ ଦେଖାଦେଇଛି । ମାତ୍ର କେତୋଟି ମୁହୂର୍ତ୍ତର ସେ ଦୃଶ୍ୟ – ସତେ ଯେମିତି କେଉଁ ଚଳଚ୍ଚିତ୍ରରୁ ଉଦ୍ଧୃତ । ଦୃଶ୍ୟଟି କଥା ଭାବିବା ମାତ୍ରେ ରାଧାନାଥଙ୍କର ମନ ଆଶଙ୍କାରେ ଥରି ଉଠୁଛି । ଏମିତି ଗୋଟାଏ ଅବାନ୍ତର କଥା ତାଙ୍କ ମନକୁ ଆସି ପାରିଲା କେମିତି?
ରାଧାନାଥଙ୍କ ପାଇଁ ସବୁଠାରୁ ଚିନ୍ତାର ବିଷୟ ଯେ ଗତ ଦୁଇ ମାସ ଉିତରେ ଦୃଶ୍ୟଟି ତାଙ୍କ ମନରେ ତିନିଥର ଦେଖା ଦେଲାଣି । ସବୁଥର ଦୃଶ୍ୟଟି ଅବିକଳ ଏକାପରି – ଯେମିତିକି ସେହି ଗୋଟାଏ ଉିଡ଼ିଓ ରିପ୍ଲେ ହେଉଛି ତାଂକ ମନ ପରଦାରେ । ଅତି ଆକସ୍ମିକ ଭାବରେ ପ୍ରକଟିତ ହେଉଥିବା ଦୃଶ୍ୟଟି ଉପରେ ତାଙ୍କର କୌଣସି କର୍ତ୍ତୃତ୍ଵ ନାହିଁ । ଦୃଶ୍ୟଟି ମନରେ ଆସିବା ମାତ୍ରେ ରାଧାନାଥ ଯେପରି ନିଜ ପରିବେଶରୁ ଉର୍ଦ୍ଧ୍ଵକୁ ଚାଲି ଯାଉଛନ୍ତି । କେତୋଟି ମୁହୂର୍ତ୍ତର ସେ ଏକ ସମ୍ମୋହିତ ଅବସ୍ଥା ।
ଦୃଶ୍ୟଟି ଥିଲା ଏହିପରି ….
ଜଣେ ସୁନ୍ଦରୀ ତରୁଣୀର ବାହୁ ବନ୍ଧନରେ ରାଧାନାଥ – ତରୁଣୀଟିର ସମର୍ପଣ ଉାବରେ ପ୍ରେମର ମାଦକତା । ରାଧାନାଥ ଯେମିତି ପ୍ରେମର ଅଥଳ ସୁଅରେ ଏକ ଉବୁଟୁବୁ ହୁଲି ଡଂଗା । ତାଙ୍କ ହାତ ଓ ଓଠରେ ଶିହରଣ । ଯୁବ-ସୁଲଭ ପ୍ରେମରେ ରାଧାନାଥ ବି ଯେପରି ଅତ୍ୟନ୍ତ ନିପୁଣ ।
ତୃତୀୟଥରପାଇଁ ଦୃଶ୍ୟଟିର ଅବିକଳ ପୁନରାବୃତ୍ତିରେ ରାଧାନାଥ ଉାଂଗି ପଡିଥାଆନ୍ତି ।
କିନ୍ତୁ କ’ଣ ପାଇଁ ରାଧାନାଥଂକର ଏତେ ଚିନ୍ତା ?
ଦୃଶ୍ୟଟି ଥିଲା ରାଧାନାଥଙ୍କର ବ୍ୟକ୍ତିତ୍ଵର ସମ୍ପୂର୍ଣ୍ଣ ବିପରୀତ । ଜଣେ ନିଷ୍ଠାପର, ସାତ୍ତ୍ଵିକ ଓ ଈଶ୍ଵରବିଶ୍ଵାସୀ ବ୍ୟକ୍ତି ଭାବେ ରାଧାନାଥ ତାଙ୍କ ଅଂଚଳରେ ପରିଚିତ । ରାଧାନାଥଙ୍କର ଜୀବନ ଆଦର୍ଶର ସାରାଂଶ ଲିପିବଦ୍ଧଥାଏ ତାଙ୍କ କପାଳର ଚନ୍ଦନ ଟିପାଟିରେ । ଭ୍ରୁକୁଂଚନ ଭିତରୁ ଚନ୍ଦନ ଟୋପାଟି ସାରାଦିନ ଝଟକୁଥାଏ ତାଙ୍କ ଈଶ୍ଵର ବିଶ୍ଵାସର ସ୍ଵାକ୍ଷର ନେଇ । ମୁହଁରେ ରହିଥାଏ ଅମାପ ଶାନ୍ତି ଓ ଗାମ୍ଭୀର୍ଯ୍ୟ । କାମରେ ମଧ୍ୟ ସେ ଥିଲେ ଖୁବ୍ ପାରଙ୍ଗମ । ମାନେଜମେଣ୍ଟ୍ ଟ୍ରେନି ଭାବରେ ସେ ଯୋଗ ଦେଇଥିଲେ ଆଜିକୁ ପ୍ରାୟ ତିନି ଦଶନ୍ଧି ତଳେ । ନିଜର ନିଷ୍ଠା ଓ କୁଶଳତା ବଳରେ ଆଜି ସେ କମ୍ପାନୀର ଚିଫ୍ ଫାଇନାନ୍ସ୍ ଅଫିସର୍ ବା ସି ଏଫ୍ ଓ । କମ୍ପାନୀର ଭଲମନ୍ଦ, ହାନିଲାଭ – ସବୁର ଦାୟିତ୍ତ୍ଵ ତାଙ୍କ ଉପରେ । ଆଉ ମାତ୍ର ଦୁଇମାସ ପରେ ରାଧାନାଥ ଅବସର ନେବେ । ଅନେକ ବର୍ଷର କର୍ମମୟ ଜୀବନର ସମାପ୍ତି ଘଟିବ ।
କାର୍ଯ୍ୟବ୍ୟସ୍ତତା ଭିତରେ ରାଧାନାଥ ଏତେ ମାତ୍ରାରେ ବୁଡି ରହୁଥିଲେ ଯେ ତାଙ୍କ ଜୀବନର ଆଉ କୌଣସି ଗୁରୁତ୍ଵପୂର୍ଣ୍ଣ ଦିଗ ହିଁ ନ ଥିଲା । ତେଣୁ ସେହି ଅସଂଗ୍ଲଗ୍ନ ଦୃଶ୍ୟଟି ମାନସପଟରେ ବାରମ୍ବାର ଆସି ତାଙ୍କୁ ଖୁବ ବ୍ୟଥିତ କରୁଥାଏ ।
ପ୍ରଥମଥର ପାଇଁ ଯେତେବେଳେ ଦୃଶ୍ୟଟି ରାଧାନାଥଙ୍କ ମନରେ ଆସିଥିଲା, ସେ ଖୁବ୍ ବିଚଳିତ ହୋଇପଡିଥିଲେ । ମନର ଏତାଦୃଶ ଅଶାଳୀନ ଚପଳତାକୁ କାବୁ କରିବାପାଇଁ ଗୋଟିଏ ଦିନ ନିର୍ଜଳ ଉପବାସ କରିଥିଲେ । ଧ୍ୟାନରେ ବସିଥିଲେ ଘଣ୍ଟା ଘଣ୍ଟା । ପୁଣି ଫେରି ପାଇଥିଲେ ନିଜର ଆତ୍ମବିଶ୍ଵାସ । ଈଶ୍ଵରଙ୍କୁ ଧନ୍ୟବାଦ ଜଣାଇ ଦୈନନ୍ଦିନ ଜୀବନର ବ୍ୟସ୍ତମୟତାରେ ହଜି ଯାଇଥିଲେ । ଅଥଚ ସବୁ ସ୍ଥିରତାକୁ ଛିନ୍ ଭିନ୍ କରି ସେହି ଅବିକଳ ଦୃଶ୍ୟଟି ଏକ ଝଲକରେ ପୁଣି ମାନସପଟରେ ଉଭାହେଲା ଦ୍ଵିତୀୟଥର ପାଇଁ । ଏଥର ରାଧାନାଥ ଦୋହଲି ଉଠିଥିଲେ । ଗଭୀର ଆତ୍ମଗ୍ଳାନିସହ ବିଶ୍ଳେଷଣ କରିଥିଲେ – କ’ଣ ଭୁଲ ରହିଯାଇଛି ତାଙ୍କ ନିଷ୍ଠାରେ, ତାଙ୍କ ଚେତନାରେ । କେଉଁଠି କିଛି ସମାଧାନ ମିଳୁନଥିଲା ତାଙ୍କୁ ।
ପରିଣତ ବୟସର ଏ ଅସଙ୍ଗତ ବିକାର ସମ୍ପର୍କରେ ମନ ଖୋଲି କାହା ସାଙ୍ଗରେ କଥାହେବା ମଧ୍ୟ ସମ୍ଭବ ନ ଥିଲା । ପତ୍ନୀଙ୍କ ସହ ଆଲୋଚନା କରିବା ଅର୍ଥ ଅଯଥା ଅଶାନ୍ତି ଓ ଲଜ୍ଜା । ଅଫିସରେ ଏ କଥା କାହାରି ଗୋଚର ହେବା ଉଚିତ ନୁହେଁ । ପୂର୍ବପରି ଏଥର ମଧ୍ୟ ରାଧାନାଥ ନିର୍ଜଳ ଉପବାସ କରି ଶରୀର ଓ ମନକୁ ଶାସ୍ତି ଦେଲେ । ମନର ବିକୃତିକୁ କାବୁରେ ଆଣିବାପାଇଁ ପ୍ରାର୍ଥନା କଲେ । କିଛିଦିନ ଛୁଟିନେଇ ସପତ୍ନୀ ତୀର୍ଥାଟନରେ ଗଲେ । ଶେଷରେ ତାଙ୍କର ହୃଦବୋଧ ହେଲା ଯେ ସେ ପୂର୍ବର ଶାନ୍ତି ଓ ସଂଯମ ଫେରି ପାଇଛନ୍ତି । ପୁଣି ଜୀବନର ଗତି ସାଧାରଣ ହେବାକୁ ଲାଗିଲା ।
ଅଥଚ ତୃତୀୟଥର ପାଇଁ ଅବିକଳ ଦୃଶ୍ୟଟିର ଅପ୍ରତ୍ୟାଶିତ ପୁନରାବୃତ୍ତିରେ ରାଧାନାଥ ଏକବାରେ ଭାଙ୍ଗି ପଡିଲେ । ସମସ୍ୟାଟିକୁ ଆଉ ଏଡାଇ ଦେବା ସମ୍ଭବ ନୁହେଁ । ହୁଏତ କୌଣସି ମନୋବିଜ୍ଞାନୀଙ୍କ ସହ ପରାମର୍ଶ କରି ବିଜ୍ଞାନସମ୍ମତ ଚିକିତ୍ସା ଆରମ୍ଭ କରାଇବା ଆବଶ୍ୟକ ।
ରାଧାନାଥ ଜାଣନ୍ତି, ନିଜ ମନକଥା ସେ ଯଦି କାହାସହ ବାଣ୍ଟିପାରନ୍ତି, ତେବେ ସେ ହେଉଛନ୍ତି ତାଙ୍କର ବହୁ ଦିନର ସହକର୍ମୀ କେଦାର । ରାଧାନାଥ ଅବସର ଗ୍ରହଣ କରିବାପରେ କେଦାର ହିଁ ତାଙ୍କ ସ୍ଥାନରେ ସି ଏଫ୍ ଓ ଭାବରେ ଦାୟିତ୍ତ୍ଵ ଗ୍ରହଣ କରିବାର ଥାଏ । ଅତି ସନ୍ତର୍ପଣରେ ରାଧାନାଥ ନିଜ ମନକଥା କେଦାରଙ୍କ ଆଗରେ ବଖାଣି ପରାମର୍ଶ ଲୋଡିଲେ । କେଦାର ଏ ପ୍ରକାର ଅଦ୍ଭୁତ ସମସ୍ୟା କଥା ଶୁଣି ହତବାକ୍ । ଅବସର ନେବାର ଅବ୍ୟବହିତ ପୂର୍ବରୁ ରାଧାନାଥଙ୍କ ପରି ଜଣେ ଆଦର୍ଶବାଦୀ ବ୍ୟକ୍ତିଙ୍କ ମନରେ ଏ କି ପ୍ରକାର ବିକାର ?
କିଛି ସମୟ ଚିନ୍ତାକରି କେଦାର କହିଲେ, ‘ମୋର ମନେହେଉଛି ତୁମେ ଗୁରୁ ବିଚିତ୍ରାନନ୍ଦଙ୍କର ପରାମର୍ଶ ନେବା ଦରକାର । ବିଚିତ୍ରାନନ୍ଦ ଜଣେ ସିଦ୍ଧପୁରୁଷ – ତାଙ୍କୁ ଇହ ଓ ପରଲୋକର ସମସ୍ତ ଗୂଢ଼ ରହସ୍ୟ ଜଣା’ ।
ରାଧାନାଥଙ୍କ ପାଇଁ ଏ ପରାମର୍ଶ ଥିଲା ବୁଡିଯାଉଥିବା ଲୋକର କୁଟାଖିଅକୁ ଆଶ୍ରା ପରି । ଆଜିପର୍ଯ୍ୟନ୍ତ ଗୁରୁସମାଜ ଉପରେ କୌଣସି ଆସ୍ଥା ରଖୁନଥିବା ରାଧାନାଥଙ୍କ ପାଖରେ ଯେମିତି ଆଉ କିଛି ଉପାୟ ନ ଥିଲା । କୌଣସି ମନୋବିଜ୍ଞାନୀ ପାଖକୁ ଯିବାକୁ ହେଲେ ପତ୍ନୀଙ୍କୁ ମନାଇବା କାଠିକର ପାଠ ହେବ । ହୁଏତ ସମସ୍ୟାଟି ଆଉ ଗୁପ୍ତ ହୋଇ ରହିବ ନାହିଁ । ଦେଖାଯାଉ, ଗୁରୁ ବିଚିତ୍ରାନନ୍ଦ ହୁଏତ କୌଣସି ଉପାୟ ବାହାର କରିବେ ।
କେଦାରଙ୍କ ସୌଜନ୍ୟରୁ ଗୁରୁ ବିଚିତ୍ରାନନ୍ଦଙ୍କ ସହ ଯୋଗାଯୋଗ ହୋଇପାରିଲା । ଦିନଟିଏ ସନ୍ଧ୍ୟାରେ ରାଧାନାଥ ଗୁରୁଙ୍କ ଆଶ୍ରମରେ ଅତି ସନ୍ତର୍ପଣରେ ଯାଇ ପହଞ୍ଚିଲେ । ଆଶ୍ରମରେ ଆଦୌ ଭିଡ ନ ଥାଏ । ଗୁରୁ ବଛା ବଛା କିଛି ଭକ୍ତଙ୍କର କଥା ବ୍ୟକ୍ତିଗତ ଭାବରେ ଶୁଣୁଥାଆନ୍ତି ଓ ସେମାନଙ୍କୁ ଆଶୀର୍ବାଦ ଦେଉଥାଆନ୍ତି । ସେଠାରେ ଗୁରୁଙ୍କର ଦର୍ଶନ ଅପେକ୍ଷାରେ ଥାଇ ରାଧାନାଥ ଭଗବାନଙ୍କୁ ପ୍ରାର୍ଥନା କରୁ ଥାଆନ୍ତି ଯେମିତି ଅଫିସର କେହି ସହକର୍ମୀ ଦେଖା ହୋଇ ନ ଯାଆନ୍ତୁ । ତାଙ୍କ ମନର ବିକାରଜନିତ ଅସୁସ୍ଥତାର ଖବର ନ ପହଁଚୁ କାହାରି ପାଖରେ ।
ଯଥା ସମୟରେ ଗୁରୁଙ୍କ ଆଗରେ ରାଧାନାଥ ହାଜିର ହେଲେ । ଆଖି ବନ୍ଦକରି ସବୁକଥ କହିଗଲେ । ଗୁରୁ ବିଚିତ୍ରାନନ୍ଦ ଏହାପରେ ଧ୍ୟାନମଗ୍ନ ହୋଇଗଲେ । ରାଧାନାଥ ଉତ୍କଣ୍ଠାରସହ ବସିଥାଆନ୍ତି ତାଙ୍କଠାରୁ ସମାଧାନର ଦୁଇପଦ ଶୁଣିବା ପାଇଁ । ଗୁରୁଙ୍କର ଶାନ୍ତ ଓ ଅବିଚଳିତ ଭାବମୁଦ୍ରା ରାଧାନାଥଙ୍କ ମନରେ କିଛିଟା ପ୍ରତ୍ୟୟ ସୃଷ୍ଟି କରିସାରିଥାଏ । କିଛି ମୁହୂର୍ତ୍ତପରେ ସେ ଆଖି କୋଲି ରାଧାନାଥଙ୍କୁ ଗଭୀର ଦୃଷ୍ଟିରେ ଚାହିଁ କହିଲେ, ‘ବତ୍ସ ! ତୁମେ ଖୁବ୍ ଭାଗ୍ୟବାନ୍ । ତୁମ ମନକୁ ଅସୁଥିବା ଏ ପ୍ରେମ-ସମ୍ବଳିତ ଦୃଶ୍ୟଟି କିଛି ସାଧାରଣ ଦୃଶ୍ୟ ନୁହେଁ । ଏଥିରେ ଦିଶୁଥିବା ନାରୀଟିର ସମର୍ପଣ ଭାବ ତୁମ ନିଜ ମନର ପରିପ୍ରକାଶ । ସେ ନାରୀ ଆଉ କେହି ନୁହେଁ – ସେ ତୁମେ ନିଜେ । ସେ ତୁମର ମନ, ତୁମ ଚେତନା’ ।
ରାଧାନାଥ କହୁଥିଲେ, ‘କିନ୍ତୁ ଗୁରୁଜୀ…..’
ରାଧାନାଥଙ୍କୁ ଆଗକୁ କହିବାକୁ ନ ଦେଇ ଗୁରୁ ବିଚିତ୍ରାନନ୍ଦ କହିବାକୁ ଲାଗିଲେ, ‘ମୁଁ ଜାଣେ; ତୁମ ମନରେ ସଂଶୟ – ତୁମେ ଭାବୁଛ, ଯଦି ନାରୀଟି ତୁମେ ନିଜେ, ତେବେ ସେ ନାରୀକୁ ଆଲିଂଗନ କରୁଥିବା ପୁରୁଷଟି କିଏ ? ତୁମକୁ ତ ଦେଖାଯାଉଛି ସେ ବ୍ୟକ୍ତି ତୁମେ ନିଜେ !’
ରାଧାନାଥ ବାଧ୍ୟ ଛାତ୍ରଟିଏ ପରି ଚୁପ ରହିଲେ । ପରିବେଶ କୁହେଳିକାମୟ ଅଧିଭୌତିକତାରେ ଭରି ଉଠୁଥିଲା ।
ଗୁରୁ ବିଚିତ୍ରାନନ୍ଦ କହିବାକୁ ଲାଗିଲେ, ‘ସେ ପୁରୁଷଟି ମଧ୍ୟ ତୁମେ ନିଜେ । ଏ ଦୃଶ୍ୟଟି ପ୍ରତିପାଦନ କରୁଛି ଯେ ତୁମ ମନ ଓ ମନ ଭିତରର ସମସ୍ତ ପାର୍ଥିବ କାମନା ତୁମ ନିଜ ଭିତରେ ହିଁ ଲୀନ ହୋଇଯାଇଛି – ତୁମେ ଆଧ୍ୟାତ୍ମିକତାର ପରମ ସୋପାନ ଆଡକୁ ବଢ଼ି ଚାଲିଛ । ଆଧ୍ୟାତ୍ମିକତାର ଏହି ସୋପାନରେ ପହଂଚି ପାରିଲେ ……’
ଗୁରୁଜୀ ଆଗକୁ କ’ଣ କହୁଥିଲେ ରାଧାନାଥ ଯେପରି ଶୁଣିପାରୁ ନ ଥିଲେ । ତାଙ୍କ କଥାରେ ସେ ସମାଧାନ ବଦଳରେ ଦେଖୁଥିଲେ ଅବାସ୍ତବତା ଓ ଅଯୌକ୍ତିକତା । ସେଠାରୁ ଫେରି ଅସିବାବେଳେ ଗୁରୁ କିଛି ବିଭୂତି ରାଧାନାଥଙ୍କ ହାତରେ ଦେଲେ । କିଛି ବିଭୂତି ନିୟମିତ ଭାବେ କପାଳରେ ମାଖିଲେ ମନରେ ଶାନ୍ତି ଆସିବାର ପ୍ରତିଶ୍ରୁତି ଦେଲେ ।
ପରଦିନଠାରୁ ରାଧାନାଥଙ୍କ କପାଳରେ ଚନ୍ଦନଟୋପା ତଳେ ବିଭୂତି ପ୍ରଲେପଟିକିଏ ମଧ୍ୟ ଶୋଭା ପାଇଲା । ବିଭୂତିର ମହିମାପାଇଁ ଯେତେ ନୁହେଁ, ବନ୍ଧୁ କେଦାରଙ୍କ ସହାନୁଭୁତିର ସମ୍ମାନରେ ବିଭୂତିଟିକକ କପାଳରେ ମାଖିବାକୁ ପସନ୍ଦ କରିଥିଲେ ରାଧାନାଥ ।
ଏ ଭିତରେ ଅନେକ ଦିନ ବିତିଗଲାଣି । ରାଧାନାଥଙ୍କର କାର୍ଯ୍ୟବ୍ୟସ୍ତତା ତାଙ୍କୁ ଏ ସମସ୍ତ ବିଷୟଠାରୁ ଦୂରରେ ରଖିଥାଏ । ଚାକିରୀରୁ ଅବସର ନେବାର ସମୟ ମଧ୍ୟ ପାଖେଇଗଲାଣି ।
ଦିନେ ରାଧାନାଥ ବସିଥାଆନ୍ତି କିଛି ସହକର୍ମୀଙ୍କସହ ଏକ ମିଟିଙ୍ଗରେ । ପାଖରେ ଥାଆନ୍ତି କେଦାର – କମ୍ପାନୀର ପରବର୍ତ୍ତୀ ସି ଏଫ୍ ଓ । ଆଗରେ ଅନ୍ୟ ପଦସ୍ଥ ଅଧିକାରୀଗଣ । ରାଧାନାଥ ବୁଝାଉଥାଆନ୍ତି କମ୍ପାନୀର ନୂଆ ମନ୍ତ୍ର – ଖର୍ଚ୍ଚକାଟର ବିବିଧ ଦିଗ ।
ହଠାତ ରାଧାନାଥଙ୍କୁ ଏକ ଅଦ୍ଭୁତ ଝଟକା ଲାଗିଲା । ପାରିପାର୍ଶ୍ଵିକ ଅବସ୍ଥା ତାଙ୍କ ସମ୍ମୁଖରୁ ଦୂର ହୋଇଗଲା । ସେ ଯେମିତି ସମାଧିସ୍ଥ ହୋଇଗଲେ – ଗୁରୁ ବିଚିତ୍ରାନନ୍ଦଙ୍କପରି । ମନ ଭିତରେ କିନ୍ତୁ ଝଲସି ଉଠିଲା ସେହି ଦୃଶ୍ୟ – ରାଧାନାଥ ପ୍ରେମର ସୁଅରେ ଉବୁଟୁବୁ; ନିବିଡ଼ ଆଲିଙ୍ଗନରେ ତରୁଣୀଟିଏ । କେତୋଟି ମୁହୂର୍ତ୍ତ ଭିତରେ ରାଧାନାଥ ହଜିଗଲେ କେଉଁ ଏକ ଭିନ୍ନ ଦୁନିଆରେ ।
କିନ୍ତୁ ଖୁବ ଶୀଘ୍ର ପ୍ରକୃତିସ୍ଥ ହେଲେ ରାଧାନାଥ । ଏଥର କିନ୍ତୁ ପରିବେଶ ବଦଳି ଯାଇଥିଲା । ମିଟିଙ୍ଗରେ ଉପସ୍ଥିତ ସମସ୍ତ ଲୋକ ତଟସ୍ଥହୋଇ ତାଙ୍କୁ ଚାହିଁ ରହିଥିଲେ । ତାଙ୍କ ଆଗରେ ଠିଆ ହୋଇଥିଲା ସୁନନ୍ଦା – ଅତ୍ୟନ୍ତ ଅପ୍ରସ୍ତୁତ ଭାବରେ । କିଛି ଦରକାରୀ ନଥିପତ୍ରରେ ରାଧାନାଥଙ୍କର ହସ୍ତାକ୍ଷରପାଇଁ ସୁନନ୍ଦା ସନ୍ତର୍ପଣରେ ପଶି ଆସିଥିଲା କୋଠରୀ ଭିତରକୁ । ଅଗତ୍ୟା ଏକପ୍ରକାର ଅଜ୍ଞାନ ଅବସ୍ଥାରେ ରାଧାନାଥ ସୁନନ୍ଦାକୁ ଧରିନେଇ ଅତି ଅବାନ୍ତର ଭାବରେ ଆଲିଙ୍ଗନ କରିବାର ପ୍ରଚେଷ୍ଟା କରିଥିଲେ । ସୁନନ୍ଦା ତାଙ୍କୁ ଦୂରକୁ ଠେଲିଦେଇ ରାଗରେ ଫଁ ଫଁ ହେଉଥିଲା ।
ରାଧାନାଥ ଶୁଣିପାରୁଥିଲେ ସୁନନ୍ଦାର କଥା, ‘ଆଇ ୱିଲ୍ ଟିଚ୍ ୟୁ ଏ ଲେସନ୍, ୟୁ ବ୍ଲଡି ହିପୋକ୍ରାଟ୍ ! ମୁଁ ମହିଳା କମିଶନକୁ ଯିବି, ସେକ୍ସୁଆଲ୍ ହାରାସମେଣ୍ଟ୍ କେଶ୍ ଚଳାଇବି ……’
ପାଖରେ ଥିବା ଅନ୍ୟାନ୍ୟ ସହକର୍ମୀମାନେ ଅବିଶ୍ଵାସ ଓ ଆଶ୍ଚର୍ଯ୍ୟରେ ହତବାକ୍ ହୋଇ ଅପସରି ଯାଉଥିଲେ । କିଛିଲୋକ ସୁନନ୍ଦାକୁ ବୁଝାଇବାପାଇଁ ଚେଷ୍ଟା କରୁଥିଲେ ।
କାଠ ପାଲଟିଯାଇଥିଲେ କେଦାର । ଚୁପ୍ ଚୁପ୍ କରି ରାଧାନାଥଙ୍କୁ କହିଲେ, ‘ଏ କ’ଣ କଲ ରାଧାନାଥ ?’ରାଧାନାଥଙ୍କ ମୁଖମଣ୍ଡଳରେ ଗୁରୁ ବିଚିତ୍ରାନନନ୍ଦଙ୍କର ଗାମ୍ଭୀର୍ଯ୍ୟ । ସେ କହୁଥିଲେ, ‘ଆଧ୍ୟାତ୍ମିକତାର ଚରମ ସୋପାନ ଆଉ ବେଶୀ ଦୂର ନୁହେଁ ।’ ତାଙ୍କ କପାଳରେ ଝଟକୁଥିଲା ଚନ୍ଦନଟୋପା ତଳେ ଥିବା ବିଭୂତିର ପ୍ରଲେପ । ସେ ପୁଣି ସ୍ଵଗତୋକ୍ତି କରୁଥିଲେ, ‘ସମସ୍ତ ପାର୍ଥିବ କାମନା ମୋ ଭିତରେ ଲୋପ ହୋଇଯାଇଛି । ଏକ ନୈସ୍ଵର୍ଗିକ ଆନନ୍ଦ ମୋତେ ଆଲିଙ୍ଗନ କରିଚାଲିଛି । ମନେ ହେଉଛି, ମୋ ଭିତରେ ଲୁଚି ରହିଥିବା ଅଭିଶପ୍ତ ଅହଲ୍ୟା ବର୍ଷ ବର୍ଷ ପରେ ଆଜି ମୁକ୍ତି ପାଇଯାଇଛି । ସେହି ମୁକ୍ତିର ଆନନ୍ଦ ସହ ମୋର ସବୁ ଗ୍ଳାନି, ସବୁ ଦୋଷ ଅପସରି ଯାଇଛି – ମୁଁ ବୋଧହୁଏ ଆଧ୍ୟାତ୍ମିକତାର ଚରମ ସୋପାନରେ ପହଞ୍ଚି ସାରିଛି’ ।
****