ସେହି ତ ଲେଖକ, କବି

ମନନ କରେ ଯେ ଜୀବନ ଝଡର କେନ୍ଦ୍ରରେ ନୀରବତା
ମନ୍ଥିତ କରେ ଅନ୍ତର ଯାର ଅଭାବ, ପ୍ରଭାବ, ବ୍ୟଥା
ଅସ୍ତ ସୂରୁଜେ ତ୍ରସ୍ତ ହୁଏନା, ନିଜେ ହିଁ ଦୀପ୍ତ ଶିଖା
ରଂଗ ଯେ ମାଖେ ଇନ୍ଦ୍ରଧନୁର, ସ୍ବପ୍ନ ଯା ଚିର ସଖା
ସେହି ତ ଲେଖକ, କବି
ନିଷ୍ଠା ତୂଳୀରେ ତୋଳେ ସମାଜର ସୃଜନସିକ୍ତ ଛବି ।।

ସମ୍ବେଦନର ସୂକ୍ଷ୍ମ ପରଶ ସମ୍ଭାବନାର ଶିଡି
ଆରୋହଣରତ କାଳ-ଚକ୍ରରେ ସଭ୍ୟ ମାନବ ପିଢି
ଇନ୍ଧନ ଦିଏ ଚିନ୍ତା ଚେତନା ଲେଖନୀର ନିର୍ଝର
ପ୍ରେରଣାରେ ଯାର ଉଦ୍ଦାମ ହୁଏ ଦୁର୍ବଳ ଜର୍ଜର
ସେହି ତ ଲେଖକ, କବି
ନିଷ୍ଠା ତୂଳୀରେ ତୋଳେ ସମାଜର ସୃଜନସିକ୍ତ ଛବି ।।

ବିନ୍ଧାଣି ସିଏ ବିନ୍ଧ୍ୟ ସରଜେ ବନ୍ଧ୍ୟା ମାଟିର ବୁକେ
ଆତ୍ମ ଚେତନା ପ୍ରାପ୍ତିରେ ନାଚେ ନିତ୍ୟ ଅନାଦି ସୁଖେ
ପ୍ରେମ ଉଲ୍ଲାସେ ବିନ୍ୟାସକରେ ଇଚ୍ଛା ପ୍ରଣୟ ରାଜି
ଉଦ୍ରେକ କରେ ବିଦ୍ରୋହ କେବେ ଉଗ୍ର ଭାବୁକ ସାଜି
ସେହି ତ ଲେଖକ, କବି
ନିଷ୍ଠା ତୂଳୀରେ ତୋଳେ ସମାଜର ସୃଜନସିକ୍ତ ଛବି ।।

****

ଇସ୍ତାହାର

ମନ୍ତ୍ରୀ ପଦରେ ଆସୀନ ମୁଁ ଆଜି
                                ସେବା ହିଁ ଲକ୍ଷ୍ୟ ମୋର 
ଭ୍ରୂକ୍ଷେପ ନାହିଁ ନିନ୍ଦାପବାଦ,
                               ବିରୋଧୀ ଲାଂଚ ଖୋର !

ଜାଣେ କ୍ଷମତାରେ ଥାଏ ମର୍ଯ୍ୟାଦା
                               କରତାଳି ଫୁଲମାଳ
ପ୍ରତି ପଦ ପାତେ ଜୟ ଜୟକାର,
                               ଆଜ୍ଞାରେ କଟୁଆଳ ।

ପ୍ରାସାଦ ଆବାସ ସକଳ ବିଳାସ
                              ଏକାଧିକ ଗାଡି ଘୋଡା
ଖଜଣାରୁ ବହେ ଭତ୍ତା ବିବିଧ
                               ସତତ ସେବକ ଯୋଡା ।

ନ୍ୟାଯ୍ୟ ନୁହେଁ କି ଟିକକ ସୁବିଧା
                              ସ୍ବଳ୍ପ ଆମୋଦ, ଭେକ ?
ମନ୍ତ୍ରୀ ମୁଁ ବହେ ଗରୀବର ଆଶା
                               ଆମ ରାଜ୍ୟର ଟେକ !

ଦେଖୁ ଦେଖୁ ଆସି ଉଭା ହୋଇଲାଣି
                              ନିର୍ବାଚନର ଘଡି
ବିରୋଧୀ ଦଳର ହୀନ ଦୋଷାରୋପ
                             ଇସ୍ତାହାରର ରଡି ।

ଶୁଣ ଦେଶବାସୀ, ବିରୋଧୀ ବଚନ
                            ଫାଙ୍କା ପ୍ରଚାର ଖାଲି
ଆମ ସରକାର ଜନହିତ ପାଇଁ
                            ରାଜକୋଷ ଦେବ ଖୋଲି ।

ମାଗଣାରେ ନୁହେଁ ବିଜୁଳି କେବଳ
                            ଘର ପିଛା ଦେବୁ ଏସି
କୋଠରୁ ମିଳିବ ନିରାମିଷାହାର
                            ସବୁ ଆଗଠାରୁ ବେଶୀ ।

ରୋଗ ଉପଚାର, ପ୍ରସୂତି ବ୍ୟତୀତ
                            ଯୋଚା ହେବ ପ୍ରସାଧନ  
ସବୁ ମାସ ଦେବୁ ଅର୍ଥ ନଗଦ,
                            ରଜ ପାଇଁ ପରିଧାନ ।

ଲୁଙ୍ଗି ଗାମୁଛା ବରଷେ ଦି ଥର
                           ଭାଙ୍ଗ ପୁନିଅ ଦିନ
ଟୁଙ୍ଗୀରେ ହେବ ଲୁଡୁ, ତାସ୍ ସାଥେ
                            ଭାଗବତ, କିରୀତନ ।

ଚାଷୀ ପାଇଁ ବୁଟ୍, ମାଗଣା ବିହନ
                            ସାର ଯୋଗାଇବୁ ମାପି
ଅନ୍ଧକୁ ଦେବୁ କୃଷ୍ଣ ଚଷମା
                            ଚନ୍ଦା ମଥାକୁ ଟୋପି ।

ଭ୍ରାନ୍ତ ନ ହୁଅ ଯୁବକ ସମାଜ
                            ସଦା ସାହା ସରକାର
ସମ୍ବିଧାନରେ ମୋବାଇଲ୍ ଡାଟା
                            ହେବ ମୂଳ ଅଧିକାର ।

ପ୍ରତି ଜିଲ୍ଲାରେ ଆଇ ଆଇ ଏମ୍
                           ଶିକ୍ଷାର ଚାବି କାଠି
ଅମଲା ମାଗିଲେ ଲାଂଚ ଅଯଥା
                           ପଡିବ ପୁଲିସି ଲାଠି ।

ସ୍ବପ୍ନ ସକଳ ସାକାର କରିବୁ
                           ହେବୁ ଯଦି ଜିତାପଟ
ବିରୋଧୀ ଦଳକୁ ବିଶ୍ବାସ ନାହିଁ
                           ଭରା ସେଠି ଲମ୍ପଟ ।।

****

ବୃତ୍ତିରୁ ଅବସର

ଦୀର୍ଘ ଦିନର ନାଟକରେ ହୁଏ ଅଙ୍କର ଅବସାନ
ମୁଁ ତାର ସଫଳ ତୃପ୍ତ ନାୟକ ଭୂମିକାର ସମାପନ
ପ୍ରସ୍ଥାନ କରେ ମଞ୍ଚ ଉପରୁ ମସ୍ତକ କରି ନତ
ଯବନିକା ଢଳେ ପଶ୍ଚାତେ ମୋର, ସ୍ତୁତି କରତାଳି ଶତ
ଶାନ୍ତ ଶୀତଳ ଝର
ପୁଲକର ଏକ ଭିନ୍ନ ପ୍ରକାଶ, ବୃତ୍ତିରୁ ଅବସର ।

ଆଉ ଘାରିବନି ଅଭ୍ୟାସଗତ ଖଡା-ବଡି-ଥୋଡ ପ୍ରଥା
ଧାର୍ଯ୍ଯ ନ ଥିବ ଲକ୍ଷ୍ୟ ସାଧନ, ବ୍ୟଗ୍ରତା, ବ୍ୟାକୁଳତା
ଅପରର ଆଶା, ମାନଦଣ୍ଡରେ ହେବି ନାହିଁ ନିରୂପିତ
ପ୍ରତିଯୋଗିତାର ବହ୍ନି ବଳୟ କରିବନି କବଳିତ
    କୋମଳ ପ୍ରଭାତ କର
ପୁଲକର ଏକ ଭିନ୍ନ ପ୍ରକାଶ, ବୃତ୍ତିରୁ ଅବସର ।

ନାଟ୍ୟକାର ମୁଁ ବାକି ନାଟକର, ନିର୍ଦେଶନା ବି ମୋର
ନାହିଁ ପ୍ରିୟା ପ୍ରୀତି ସର୍ତ୍ତର ଭୀତି ନାହିଁ ଶୃଙ୍ଖଳ ଡୋର
ସମ୍ଭାବନାର ପଟୁଆର ଦେଖେ ସମ୍ମୁଖେ ଆତ ଯାତ
ବିଗଳିତ ଆଜି ସବୁ ବ୍ୟବରୋଧ, ସବୁ ଘାତ ପ୍ରତିଘାତ
ସୃଜନର ସମ୍ଭାର
ପୁଲକର ଏକ ଭିନ୍ନ ପ୍ରକାଶ, ବୃତ୍ତିରୁ ଅବସର ।

ପ୍ରଜ୍ଞା ପଦବୀ ମର୍ଯ୍ୟାଦା ଯଶ ଅନୁଭବ ଅନୁଭୂତି
କାର୍ଯ୍ୟକାଳର ସଂଚିତ ଧନ, ସେହି ମୋର ପରିଚିତି
ଭୁଲିବାର ନୁହେଁ ସବୁ ଅବଦାନ, ରହିଥିବି ଋଣୀ ସଦା
ନୂତନ ଜୀବନେ ସ୍ବାଧୀନତା ପଥେ ଭ୍ରାନ୍ତ ନ ହେବି କଦା
  ମିଠା ସଙ୍ଗୀତ ସ୍ବର
ପୁଲକର ଏକ ଭିନ୍ନ ପ୍ରକାଶ, ବୃତ୍ତିରୁ ଅବସର ।

*****

ଦନ୍ତଯୁଗଳ

ଆହେ ମୋର କଳ-ବାସୀ ଦନ୍ତଯୁଗଳ
ଅକାଳେ ହାରିଲ ଜୀବ ଜଳି ତିଳ ତିଳ ।

ବାଲ୍ଯରୁ ମୋ ପାଚନ, ସ୍ବାଦର କଳନା
ଅସୁମାରୀ ପୁଲକର ଅଶେଷ ତୁଳନା ।

ଚର୍ବଣ କଲ କେତେ ଶକ୍ତ ଆହାର
ସ୍ବାଦ ପୁଣି ମଧୁଭରା, ତିକ୍ତ କାହାର ।

କର୍ମ-ପ୍ରବଣ ବୀର ପାଟିର ସୈନିକ
କ୍ଷତାଘାତ ଯନ୍ତ୍ରଣା ସହିଲ ଦୈନିକ ।

ରୁଗ୍ଣ ଶରୀର ହେଲା ଭଗ୍ନାବଶେଷ
ଅତୀତର ଶିରୀ ଝୁରି ହେଲା ଅବଶୋଷ ।

ଅସ୍ତ୍ରୋପଚାର ଥିଲା କପାଳ-ଲିଖନ
ଉତ୍ପାଟନର ପୀଡା ନେଲା ଶେଷେ ପ୍ରାଣ ।

ମୃତ୍ଯୁ ନୁହଁଇ ଏହା ହତ୍ଯା କେବଳ
ଅବହେଳା, ଅନାଦର ସମ୍ଭୂତ ଫଳ ।

ଯୁଗେଯୁଗେ ଏହି ନୀତି ରହିଛି ପ୍ରଚଳ
ମାନିନିଏ ଦୁର୍ବଳ ସବଳ କବଳ ।

ଅନୁଭବେ ଶତକ୍ଷୋଭ ଶତ ପ୍ରତିଘାତ
ସ୍ବୀକାର ସକଳ ଦୋଷ, ଘେନ ପ୍ରଣିପାତ ।

ଆହେ ମୋର କଳ-ବାସୀ ଦନ୍ତଯୁଗଳ
ଅକାଳେ ହାରିଲ ଜୀବ ଜଳି ତିଳ ତିଳ

****

କପାଳ ଲିଖନ

ଭାଗ୍ୟରେଖା ବା କପାଳ ଲିଖନ ନୁହେଁ ମୋର ନିୟାମକ
ସମ୍ଭାବନାର ପଥ ପଛେ ହେଉ ବନ୍ଧୁର ଭୟାନକ
ଶ୍ରବ୍ୟ ବିବେକ ଡାକ
ଆତ୍ମବଳର ପ୍ରତ୍ୟୟ ହେଉ ପାଥେୟ ଜୀବନ ଯାକ ।।

ବିଫଳତା କେବେ ବିସ୍ମିତକରି ହୁଏ ଯଦି ଉପନୀତ
‘ଭାଗ୍ୟର ଦ୍ବାହି’ କବଚ ଉହାଡେ ହେବିନାହିଁ ପ୍ରତାରିତ
ସାନ୍ତ୍ବନା ଖାଲି ସେ ତ
ଯୋଗ୍ଯ ମୁଁ ଯଦି ସୁଖ ସଫଳତା ଆପେ ହେବ ସମାହିତ ।।

କୃତକର୍ମର ମର୍ମରେ ଯଦି ପ୍ରାପ୍ୟ ମୋ ଅପବାଦ
ସ୍ବୀକାର ସକଳ ନିନ୍ଦାପମାନ, ଧିକ୍କାର ପ୍ରତିବାଦ
ସମ୍ଭ୍ରମେ ଥାପି ପାଦ
ଭାଗ୍ୟରେଖାରୁ ଦର୍ପ ସାଉଁଟି ଖୋଜିବିନି ସାଧୁବାଦ ।।

ମିଳେ ପୁଣି ଯଦି ସୁଖ ସମ୍ପଦ ସିଦ୍ଧି ଓ ସମ୍ମାନ
ଉଚ୍ଚ ପଦବୀ ଅପାର ପ୍ରଭାବ ବନ୍ଧୁତା ଅମ୍ଳାନ
ସଂଯତ ଅଭିମାନ
ଗୁଂଜରୁ କାନେ ନମ୍ର ସରଳ ସନ୍ତୁଳନର ଗାନ ।।

ଭାଗ୍ୟର ଦ୍ଵାହି ବାହାନାର ମୂଳ, ଦୁର୍ବଳତାର ଗଡ
ପାରିବିକି ଯୁଝି ଜୀବନ ସମରେ ଆସିଲେ ଝଞ୍ଜା ଝଡ?
ଉଦ୍ୟମ ହେଉ ବଡ
ପ୍ରାପ୍ୟାଧିକାର ନିର୍ଣ୍ଣୟ କରୁ ମୋ ଚଲାପଥର ମୋଡ ।।

****

ନଡିଆ ଗଛରେ ପାନ

ଗଗନେ ଉଡ଼ିଲା ଶିଳ ଶିଳପୁଆ
ତିଳ ବଢି ହେଲା ତାଳ
ଝରଣା ବହିଲା ତଳୁ ଉପରକୁ
ବଦଳିଲା ବେଳ କାଳ II
କୁକୁର ସାଜିଲା ବନସ୍ତର ରାଜା
ବାଘମାମୁଁ ହେଲା ପୋଷା
ମାଉଁଶ ବଦଳେ ସରାଗେ ଖାଇଲା
ଚୁଡା-ଦହି ଆଉ ଦୋଷା II
ବାଉଁଶ ଗଛରେ ଫଳିଲା ପଣସ
ସୋରିଷ ଗଛରେ ଧାନ
ବର ଓହଳରେ ଗୋଲାପ ଫୁଟିଲା
ନଡିଆ ଗଛରେ ପାନ II
ଗଛ କୋରଡରେ ରହିଲେ ମିରିଗ
ବିଲରେ ମଗର ଭାଲୁ
ରାତି ଝଟକିଲା ଆଲୁଅ ମାଳରେ
ଦିନ ହେଲା ଜାଲୁ ଜାଲୁ II
ଲୋଡା ହେଲାନାହିଁ ଶ୍ରମ ମଣିଷର,
କାରଖାନା କାରାଗାର
ଉଈ ଖାଇଗଲା ହାତଗୋଡ, ଯାହା
କଅଁଳିଲା ବାର ବାର II
ଚଢେଇ ପରାଏ ଉଡ଼ିଲା ମଣିଷ
ବୁଡ଼ିଲା କେରାଣ୍ଡି ସମ
ରାଜ ସଡକରେ ଶ୍ଵାପଦ ଭ୍ରମିଲେ
ପାତାଳେ ଲୁଚିଲା ଯମ II
ଲୋଡା ହେଲାନାହିଁ ବିଧି ବା ବିଧାନ
ରାଜଗାଦିପରେ ହନୁ
ଧରା ପାଲଟିଲା ସରାଟିଏ ସତେ
ଶୃଗାଳ ସାଜିଲା ମନୁ II
ମେଟା-ଦୁନିଆରେ ନିଜର କୁହୁକ
ଗଢେ ସିନା ନିଜ ମାୟା
ସତ ଦୁନିଆ କି ଏଥିରୁ ଅଲଗା
ମାୟାରେ ସଭିଏଁ ବାୟା II

****

ପ୍ରତୀତି ଗଭୀର

ହରଷ ବିରସ ଭାବର ଚୟନ
            ଗୋପନେ ଯତନେ ଚେତନାରୁ ଛାଣି
ବୁକୁର ମୁକୁର ପରଶେ ପରଖି       
            ପ୍ରକାର ପ୍ରକାର ଅନୁଭବ ଆଣି  ।।
          
ହତାଶ ବତାସ କରେ ଯେବେ ଗ୍ରାସ
            ନକାର ବିକାର ମନେ ହୁଏ ଠୁଳ
ଅଥାର ଅଥାର ବ୍ୟଥାର ଲହରୀ
            ଗୁମୁରି ଗୁମୁରି ଟପି ଯାଏ କୂଳ ।।

ଗଗନୁ ପବନୁ ଅପସରି ଯାଏ
            ସଘନ ସପନ ସହଜ ମଗନ
ମହଣ ମହଣ ଗ୍ଲାନିର ଓଜନ,
            ଅତୀତ ପ୍ରତୀତ ହୁଏ ପ୍ରତିକ୍ଷଣ  ।।

ବିବଶେ ଦିବସେ ଅମା ଯାଏ ଘୋଟି
            ସୁମରି ସୁମରି ଦୁଃଖ ଅକାରଣ
କାତର ହାତର ପରଶ ସବୁଠି
            ବାୟୁରେ ସ୍ନାୟୁରେ ଭବେ ଅଘଟଣ ।।

ଆମାପ ବିଳାପ ଚାପର ତାପରେ
            କୁହୁଳି କୁହୁଳି ଜଳେ ସିନା ପ୍ରାଣ
ତଥାପି କଦାପି ହୁଏନା ବିଲୟ
            ନିହିତ ବିହିତ ଜୀଇଁବାର ଗାନ ।।

ଉସର ଧୂସର ହୃଦର କଣରେ
            ପଲକେ ଝଲକେ ସୂତାଏ କିରଣ
ନିବୁଜ ସବୁଜ ଚାରା ଫୁଟିଉଠେ
            ସହସା ଭରସା କରେ ଆଗମନ ।।

ଲୁହର କୋହର କବର ଭିତରୁ
            ଜୀବନ ପ୍ଲାବନ ଫେରେନା ଅଚିର
କେବଳ ପ୍ରବଳ ଲୋଡ଼ା ମନୋବଳ
           ମତିରେ ଗତିରେ ପ୍ରତୀତି ଗଭୀର ।।

***

ପ୍ରତ୍ୟୟ

ଗୃହ ବନ୍ଦୀ ମୁଁ ବନ୍ଧା ରହିଛି
          ନିଜ ପ୍ରାଙ୍ଗଣେ ସ୍ବେଚ୍ଛାରେ
ଲୋମ ରନ୍ଧ୍ରରେ ସଂଚରେ ଭୟ
         ଭୂତାଣୁ ଭୟର ଚର୍ଚ୍ଚାରେ ।

ବନ୍ଧୁ ସୋଦର ସଖା ସହଚର
          ପିତାମାତା ପୁଣି ପ୍ରିୟଜନ
ସ୍ପର୍ଶ ତ ଦୂର ସଙ୍ଗ ଅତୀତ
          ସ୍ମରଣୁ ଲିଭୁଛି ସଂଯାନ ।

ନିଶ୍ବାସ କାର ମନ୍ଦ୍ର ଶିଥିଳ
          ଯନ୍ତ୍ରଣା କରେ ପରାହତ
ବୃଦ୍ଧ ଯୁବକ ସବଳ ଅବଳ
         ଯୁଦ୍ଧେ ଯେପରି ହତାହତ ।

ବିଭୀଷିକା ରଚେ ମୃତ୍ୟୁ ଅକାଳ
        ଜୀବନ ଜୀବିକା ଛାରଖାର
ସର୍ବହରାର ବ୍ୟର୍ଥପଣତା
         ସର୍ଜଇ ଶୋକ ପାରାବାର ।

ବିସ୍ତୃତ ରାଜ ରାସ୍ତାରେ ନାହିଁ
       ଗାଡି ଘୋଡା ଜନ ଗମାଗମ
ସ୍ତବ୍ଧ ସହର ଦଗ୍ଧ ସପନ
       ଅବଶିଷ୍ଟ ଯା ଶମଶାନ ।

ସୃଷ୍ଟିର ନୁହେଁ ବିଲୟର ଘଡି,
            ଏତ ଚେତାଵନୀ ଅନ୍ତିମ
ପନ୍ଥା କେବଳ ସନ୍ତୁଳନର,
            ଉଦ୍ଦାମ ନୁହେଁ, ସଂଯମ ।

ଅବଦମନୀତ ମାନବ ଚେତନା
              ଜାଗୃତ ହେବ ଅକାତର
ବାତାୟନେ ଦେଖେ ଅସ୍ତ ଅରୁଣ,
               ପ୍ରତ୍ୟୟ ନବ ପ୍ରଭାତର ।


             ****

ପଖାଳ ପ୍ରୀତି

ପଞ୍ଚ ତାରକା ହୋଟେଲରେ ଏବେ ନିଦାଘର ମେନୁ ପଖାଳ, ଶାଗ
                       କଂଚା ପିଆଜ ମରିଚ ପାଗ
                                ମାଗ ନ ମାଗ
ପଖାଳ ଭାତର ଗୁଣ ସମାହାର ବିଦେଶୀ କାନରେ କହନ୍ତି ଆଗ II

ଆଭିଜାତ୍ୟର ସୋପାନରେ ଦେଖ ପଖାଳ ଯାଉଛି ଆଗକୁ ଚଢି
                      ଆଧିପତ୍ୟ ତା ଉଠଇ ଗଢି
                               ଯାଉ ସେ ବଢ଼ି
ପାଶୋରି ଯାଆନ୍ତୁ ଚାଓମିନ ଲୋକେ, ଖେଦି ଯାଉ ଆମ ପଖାଳ ବଡ଼ି II

ସଞ୍ଚିତ ଅବା ପଖାଳ ଭିତରେ ଓଡ଼ିଆ ଜାତିର ଅତୀତ ଟେକ
                     ଅନ୍ତରେ କେତେ ଭକତି ଦେଖ
                               ନଥାଉ ଭେକ
ପଖାଳର ବାନା ଉଡାଇ ଉଡାଇ ସକଳ ଓଡିଶା ହେଲାଣି ଏକ II

ପଖାଳର କର ପ୍ରଚାର ପ୍ରସାର ଡାକ କିଟି ପାଟି ପଖାଳ କରି
                     ପିଅବି ତୋରାଣୀ ପରାଣ ଭରି
                                ନହେଉ ସରି
ଦେଶ ବିଦେଶର ରେସିପି ଆଗରେ ମଳିନ ନପଡୁ ପଖାଳ ଶିରୀ II

ହେଲେ ରହ କ୍ଷଣେ ଉତ୍କଳ ବାସୀ ପଖାଳ ଗାଥାରେ ଯାଅନା ଭାସି
                     ଚିନ୍ତନ କର ଘଡ଼ିଏ ବସି
                                କୁହ ଭରସି
ସତେକି ପଖାଳ ଅତୀତର ଟେକ, ଆମ ଗଉରବ ସବୁରି ଖୁସି ?

ଶୋଷଣ କଷଣ ମରୁଡି ମରଣ ଓଡ଼ିଆର ଥିଲା କପାଳ ଲେଖା
                      ସୁଷମ ଖାଇବା ଥିଲା ଅଦେଖା
                                ପଖାଳ ଯୋଖା
ପେଟ ଭରୁଥିଲା ଭାତ ଆଉ ପାଣି ଶାଗ ତରକାରି କେବଳ ଚଖା II

ଭୁଞ୍ଜନ କର ବିଳାସେ ପଖାଳ ଆମୋଦରେ କର ପଖାଳ ପାଟି
                      ନଥାଉ ଗରିବୀ ନାଚାର ଭୀତି
                                ଓଡ଼ିଆ ଜାତି
ପଖାଳେ ନଖୋଜ ଅତୀତର ମାନ ଶୁଭିବ କେବଳ କରୁଣ ଗୀତି II

****

ରହ ରହ କ୍ଷଣେ

ରହ ରହ କ୍ଷଣେ ଆକାଶ-ଶକଟ
ଦେଖିବି ଉପରୁ କେଉଁଠି କଟକ ।।

ଉପରୁ ଉପର ଯାଏ ଯେତେ ଦୂର
ଭସା ବାଦଲର ଅପରୂପ ପୁର
ଅପସରି ଯାଏ ତଳେ ଘର ଦ୍ୱାର,
ବାଟ ଘାଟ ନଈ ଦୋକାନ ବଜାର ।।

ଦେଖିବି ନିରେଖି ଦୂର୍ଗ ବାରବାଟି
କାଠଯୋଡ଼ି ପୋଲ, ସାହି ପରିପାଟି
ଉପରୁ ଦିଶିବ ଯୋବ୍ରା ଆନିକଟ
ହାଇକୋଟ ପୁଣି ନଦୀ ଦୁଇ ତଟ ।।

ଦିଶିବକି ସତେ ସାହି ଦେବୀଘର
ମନ୍ଦିର ମଥାନ, ଆମ ଛାତପର
ଏକାବେଳେ ମୋର ପଡିବ ନଜର
ସବୁ ଗଳିକନ୍ଦି ସାରା କଟକର ।।

ରହିଯାଆ କ୍ଷଣେ ଆକଶ ପଥରେ
ଦେଖିବି ସହର ବିହଙ୍ଗ ଆଖିରେ
ଉପରୁ ଦିଶଇ ସବୁ ସମତୁଲ
ବଡ ମନୋରମ ଡ଼ଉଲ ଡାଉଲ

ପାଖେଥିଲେ ସିନା ଦିଶେ ନରଦମା
ସାଇ ପଡିଶାର ମିଛ ପରିସୀମା
ଭୋକ, ଅନାଟନ ଭଙ୍ଗାରୁଜା ଘର
ବିଭବ, ଅଭାବ ବିରୋଧର ସ୍ୱର ।।

ରହ ରହ କ୍ଷଣେ ଆକାଶ-ଶକଟ
ଦେଖିବି ଉପରୁ କେଉଁଠି କଟକ ।।

****