ବିଜୟ ରଥ

ଦୁର୍ଗମ ଆଉ ଦୀର୍ଘ ପଥର 
            ପଥିକ ଆମେରେ ପଥିକ ଆଜି
ସମ୍ବଳ ଆମ ସମ୍ଭାବନାର
            ଅଥଳ ଅଶେଷ ସପନ ରାଜି ।

ଆଗ୍ନେୟ ସମ ବହ୍ନି ପ୍ରଖର
            ହୃଦୟେ ନିରତ ଝରୁଛି ଲାଭା
ଉନ୍ମାଦନାର ଉତ୍ତାଳ ଢେଉ
            ପରାଣେ ଖେଳାଏ ଆଶାର ଆଭା।

ଯତ୍ନରେ ଗଢ଼ା ରତ୍ନ ସମାନ
            ସ୍ବପ୍ନ ସକଳ ମନରେ ଭରା
ବିଶ୍ୱାସ ଆଉ ଆତ୍ମ ପରଖ
            ଆମ ଯାତ୍ରାର ପାଥେୟ ପରା ।

ଲଂଗର ତୋଳି ମଙ୍ଗ ଧରିବା
            ବାହିବା ନିଜର ବୋଇତ ନିଜେ
ଭବ୍ୟ ପଥର ଉଦ୍ଭବ ହେବ
            ସନ୍ଧାନୀ ଯେଣୁ ଉପାୟ ଖୋଜେ ।

ବନ୍ଦର ଦୂର ଅନ୍ଧାର ଘୋର
            ବତୀଘର ନାହିଁ ପାଖରେ କାହିଁ
ଭ୍ରଷ୍ଟ ନହେଉ ଦୃଷ୍ଟି ତଥାପି 
            ଲହଡି, ବତାସ, ହତାଶା ପାଇଁ ।

ରୁନ୍ଧି ନହେବା ବନ୍ଦ କୋଠିରେ
            ବାତାୟନ ଥାଉ ସକଳ ଦିଗେ
ତୁଙ୍ଗ ପାହାଡ ଲଙ୍ଘିବା ବଳେ
            ନୋଇବାନି ମଥା ଆପଦ ଆଗେ ।

ଦକ୍ଷ ମଣିଷ ଲକ୍ଷ୍ୟ ହାରେନା
            ବିଘ୍ନ ବିପଦ ଆସିଲେ ପଥେ
ଶଙ୍କା କାତର ଉତ୍ସାହ ଯାର,
            କେବେ ସେ ବସିନି ବିଜୟ ରଥେ ।

              ************

Unknown's avatar

Author: Manoranjan Mishra

Inspired by creative expressions.

5 thoughts on “ବିଜୟ ରଥ”

    1. ସତରେ ଅତି ସୁନ୍ଦର ଭାବର ପରିପ୍ରକାଶ । ଆଜି 2.4.2025 ପଢିବାର ସୁଯୋଗ ମିଳିଲା ।

      Like

Leave a comment