ନଡିଆ ଗଛରେ ପାନ

ଗଗନେ ଉଡ଼ିଲା ଶିଳ ଶିଳପୁଆ
ତିଳ ବଢି ହେଲା ତାଳ
ଝରଣା ବହିଲା ତଳୁ ଉପରକୁ
ବଦଳିଲା ବେଳ କାଳ II
କୁକୁର ସାଜିଲା ବନସ୍ତର ରାଜା
ବାଘମାମୁଁ ହେଲା ପୋଷା
ମାଉଁଶ ବଦଳେ ସରାଗେ ଖାଇଲା
ଚୁଡା-ଦହି ଆଉ ଦୋଷା II
ବାଉଁଶ ଗଛରେ ଫଳିଲା ପଣସ
ସୋରିଷ ଗଛରେ ଧାନ
ବର ଓହଳରେ ଗୋଲାପ ଫୁଟିଲା
ନଡିଆ ଗଛରେ ପାନ II
ଗଛ କୋରଡରେ ରହିଲେ ମିରିଗ
ବିଲରେ ମଗର ଭାଲୁ
ରାତି ଝଟକିଲା ଆଲୁଅ ମାଳରେ
ଦିନ ହେଲା ଜାଲୁ ଜାଲୁ II
ଲୋଡା ହେଲାନାହିଁ ଶ୍ରମ ମଣିଷର,
କାରଖାନା କାରାଗାର
ଉଈ ଖାଇଗଲା ହାତଗୋଡ, ଯାହା
କଅଁଳିଲା ବାର ବାର II
ଚଢେଇ ପରାଏ ଉଡ଼ିଲା ମଣିଷ
ବୁଡ଼ିଲା କେରାଣ୍ଡି ସମ
ରାଜ ସଡକରେ ଶ୍ଵାପଦ ଭ୍ରମିଲେ
ପାତାଳେ ଲୁଚିଲା ଯମ II
ଲୋଡା ହେଲାନାହିଁ ବିଧି ବା ବିଧାନ
ରାଜଗାଦିପରେ ହନୁ
ଧରା ପାଲଟିଲା ସରାଟିଏ ସତେ
ଶୃଗାଳ ସାଜିଲା ମନୁ II
ମେଟା-ଦୁନିଆରେ ନିଜର କୁହୁକ
ଗଢେ ସିନା ନିଜ ମାୟା
ସତ ଦୁନିଆ କି ଏଥିରୁ ଅଲଗା
ମାୟାରେ ସଭିଏଁ ବାୟା II

****

Unknown's avatar

Author: Manoranjan Mishra

Interested in creative expressions.

2 thoughts on “ନଡିଆ ଗଛରେ ପାନ”

  1. ଚମତ୍କାର ଶବ୍ବ ସଂଯୋଜନା । ବହୁତ ଭଲ ଲାଗିଲା ।

    Like

Leave a comment