ସକାଳ ପହରରୁ ରାଧାନାଥ ଏକ ଗୋଲକଧନ୍ଦାରେ ଘାଣ୍ଟି ହେଉଥାନ୍ତି ।
ତାଙ୍କ ଶୋଇବା ଘର କବାଟକଣରେ ରଖାଯାଇଥିବା ବହୁପୁରୁଣା ଲାଠିଟି ଆପେ ଆପେ ଲମ୍ବାରେ ବଢ଼ିଗଲା କେମିତି ? ରାଧାନାଥଙ୍କର ମନେ ଅଛି ସିଧା ଭାବରେ ଧରିଲେ ଲାଠିଟି ତାଙ୍କ ଭ୍ରୂଲତା ପର୍ଯ୍ୟନ୍ତ ଆସେ। ଅଥଚ ଆଜି ଲାଠିଟି ତାଙ୍କ ମୁଣ୍ଡ ଉପରକୁ ଆଉ ତିନି ଚାରି ଇଞ୍ଚ ବଢ଼ିଯାଇଛି। ଏହା କିପରି ସମ୍ଭବ? ରାଧାନାଥ ଲାଠିଟିକୁ ନିଜ ପାଖରେ ଧରି ବାରମ୍ବାର ମାପ କରି ଚାଲିଛନ୍ତି । ଅଥଚ ଲାଠିଟିର ଦୈର୍ଘ୍ୟ ଯେପରି ଏକ ଅଲୌକିକ ଚମତ୍କାରିତାରେ ପରିଣତ ହୋଇଛି । ତାର ଦୈର୍ଘ୍ୟ ନିଶ୍ଚିତ ରୂପେ ବଢ଼ିଯାଇଛି ।
ରାଧାନାଥଙ୍କ ମନରେ ବଢ଼ିଚାଲିଛି ଅସ୍ଥିରତା । ପଞ୍ଚାଅଶି ବର୍ଷ ବୟସରେ ମଧ୍ୟ ଶାରୀରିକ ଓ ମାନସିକ ସ୍ତରରେ ସେ ଯେ ସମ୍ପୂର୍ଣ୍ଣ ସକ୍ରିୟ ଓ ପାରିପାର୍ଶ୍ଵିକ ଅବସ୍ଥା ପ୍ରତି ସତତ ସଚେତନ, ଏକଥା ତାଙ୍କ ସହ ଚଳପ୍ରଚଳ ହେଉଥିବା ଅନ୍ୟମାନେ ବିଶ୍ଵାସ କରନ୍ତୁ କି ନାହିଁ, ରାଧାନାଥଙ୍କର ନିଜ ଉପରେ ଥାଏ ଅଗାଧ ଆତ୍ମବିଶ୍ଵାସ । ନହେଲେ ସେ କ’ଣ ସତରେ ଆବିଷ୍କାର କରିପାରିଥାନ୍ତେ ଘର କୋଣରେ ଥୁଆ ହୋଇଥିବା ଲାଠିଟିର ରହସ୍ୟମୟ ଦୈର୍ଘ୍ୟ ବୃଦ୍ଧି? ସେ କ’ଣ ସତରେ ଘାଣ୍ଟି ହେଉଥାନ୍ତେ ଏହି ସମସ୍ୟାର ଉତ୍ତର ଜାଣିବା ପାଇଁ?
ପତ୍ନୀ ବିୟୋଗ ପରେ ରାଧାନାଥ ଗତ ତିନି ବର୍ଷ ହେବ ଏକୁଟିଆ ରହି ଆସୁଛନ୍ତି, ତାଙ୍କ ପୁରୁଣା ଚାରି ବଖରା ବଙ୍ଗଳାରେ। ପୁଅ ସରୋଜ ସପରିବାର ରହେ ବାଙ୍ଗାଲୋର ସହରରେ। ମଝିରେ ମଝିରେ ସେ ଓ ତା’ ପରିବାର ଆସି ରାଧାନାଥଙ୍କ ସହ ସମୟ ବିତାନ୍ତି। ପାଖରେ ରହେ ଅନେକ ଦିନର ବିଶ୍ୱସ୍ତ ସେବକ ସକୁରା। ରନ୍ଧାବଢ଼ା କରିବା ପାଇଁ ଓ ବଗିଚାକାମ ପାଇଁ ସ୍ୱତନ୍ତ୍ର ଲୋକ ନିଯୁକ୍ତ ଥାଆନ୍ତି। ରାଧାନାଥଙ୍କ ସମୟ କଟେ ବନ୍ଧୁ ଗହଣରେ ଗପସପ କରିବାରେ ଓ ଭଲ ଭଲ ବହି ପଢ଼ିବାରେ। ସହଧର୍ମିଣୀଙ୍କ ମୃତ୍ୟୁ ପରେ ସେ ତାଙ୍କ ପୁରୁଣା ଭ୍ରମଣ-ଅଭ୍ୟାସରୁ ଅବସର ନେଇସାରିଛନ୍ତି।
ଯେଉଁ ଲାଠିଟି ତାଙ୍କୁ ରହସ୍ୟ ଘେରରେ ପକାଇ ଦେଇଛି, ଆଜିକୁ ପ୍ରାୟ ୩୦ ବର୍ଷ ତଳେ ସେଇଟି ସେ କିଣି ଆଣିଥିଲେ ଉଜ୍ଜୟିନୀ ସହର ଭ୍ରମଣ କାଳରେ ମହାକାଳେଶ୍ୱର ମନ୍ଦିର ନିକଟରୁ। କିମ୍ବଦନ୍ତୀ ଅନୁସାରେ ଅବନ୍ତି ବା ବର୍ତ୍ତମାନର ଉଜ୍ଜୟିନୀ ସହରର ସୁରକ୍ଷା ପାଇଁ ରାଜା ଚନ୍ଦ୍ରସେନଙ୍କ ପ୍ରାର୍ଥନା କ୍ରମେ ନିଜେ ଶିବ ମହାକାଳ ରୂପରେ ଆସି ଦାନବ କବଳରୁ ରାଜ୍ୟବାସୀଙ୍କୁ ଉଦ୍ଧାର କରିଥିଲେ। ଲାଠି ବିକ୍ରେତାମାନେ କହନ୍ତି ଉଜ୍ଜୟିନୀର ଲାଠି ସେହି ସୁରକ୍ଷା ପ୍ରଦାନର ପ୍ରତୀକ। ପତ୍ନୀ ଜ୍ୟୋତିର୍ଲିଙ୍ଗ ଦର୍ଶନରେ ଭାବଗଦଗଦ ହେଲା ବେଳକୁ ରାଧାନାଥ ଲାଠିଟିକୁ ହାତରେ ଧରି ଉତଫୁଲ୍ଲିତ ହେଉଥିଲେ। ସତେ ଯେମିତି ମହାକାଳ ରୂପରେ ସେ ନିଜେ ଆବିର୍ଭୂତ ଓ ଲାଠି ଥିଲା ତାଙ୍କର ଅମୋଘ ଅସ୍ତ୍ର।
ଇତିମଧ୍ୟରେ ଅନେକ ବର୍ଷ ବିତିଯାଇଛି। ଲାଠିଟି ତାର ଆଧିଭୌତିକ ଭାବମୂର୍ତ୍ତି ହରାଇ ସାରିଛି ଓ ଅତି ସାଧାରଣ କାମରେ ବ୍ୟବହାର ହେଉଛି – ଯେମିତି ଗଛରୁ ଫୁଲ ଫଳ ଝଡ଼ାଇବା, ବଗିଚାକୁ ଅଗତ୍ୟା ଅନୁପ୍ରବେଶ କରୁଥିବା ଗାଈ ଗୋରୁ ଓ ବୁଲା କୁକୁରଙ୍କୁ ତଡ଼ିବା, ଇତ୍ୟାଦି। ଥରେ ଥରେ ବନ୍ଧୁ ଗହଣରେ ରାଧାନାଥ ବାଡ଼ିଟିକୁ ହାତରେ ଧରି ମହାତ୍ମା ଗାନ୍ଧୀଙ୍କ ପରି ଚାଲିବାର ଅଭିନୟ କରନ୍ତି। ଲାଠିଟି ଘରର ସାଧାରଣ ବସ୍ତୁଟିଏ ପାଲଟି ସାରିଥାଏ। ରାଧାନାଥଙ୍କ ଜୀବନରେ ଲାଠିଟିର ଗୁରୁତ୍ୱ ଆଉ ପୂର୍ବ ପରି ନାହିଁ; ଅଥଚ ଲାଠିଟିର ଅଚାନକ ଲମ୍ବବୃଦ୍ଧି ରାଧାନାଥଙ୍କ ପାଇଁ କେଜାଣି କାହିଁକି ହୋଇପଡ଼ିଛି ଏତେ ଗୁରୁତ୍ୱପୂର୍ଣ୍ଣ!
ଘରର ପ୍ରତିଟି କଥା ଯାହାକୁ ଗୋଚର, ସେହି ସକୁରାକୁ ଡାକି ରାଧାନାଥ ଉତ୍ତର ତଲବ କଲେ। ହୁଏତ ଲାଠିଟି ବଦଳି ଯାଇଛି। ପୁରୁଣା ଲାଠିଟି ଜାଗାରେ କିଏ ନୂଆଟିଏ ରଖି ଦେଇ ଯାଇଛି। ସକୁରା ନିର୍ଲିପ୍ତ ଭାବରେ ଉତ୍ତର ଦେଲା ଯେ ଲାଠି ତା’ ଜାଗାରେ ପୂର୍ବପରି ରହିଛି ଓ ରାଧାନାଥ ଅଯଥାରେ ବାଉଳି ଚାଉଳି ହେଉଛନ୍ତି। କିନ୍ତୁ ରାଧାନାଥ ଶୁଣିବାକୁ ନାରାଜ। ତାଙ୍କ ଜିଦି ଅନୁସାରେ ସକୁରା ଥରକୁ ଥର ଲାଠିଟିକୁ ସିଧା କରି ଧରି ରଖୁଥାଏ ଓ ରାଧାନାଥ ତା’ ପାଖରେ ଠିଆ ହୋଇ ନିଜ ଉଚ୍ଚତା ଅନୁପାତରେ ଲାଠିର ଦୈର୍ଘ୍ୟ ଅନୁମାନ କରିବାକୁ ଲାଗିଥାନ୍ତି। ଶେଷରେ ସକୁରା ରାଧାନାଥଙ୍କ କବଳରୁ ମୁକ୍ତି ପାଇବା ପାଇଁ ତାଙ୍କ କଥାରେ ହଁ ଭରିଲା। କହିଲା- “ଆପଣ ଠିକ୍ କହୁଛନ୍ତି, ଲାଠିଟି ସତରେ ଲମ୍ବାରେ ବଢ଼ିଯାଇଛି”।
ରାଧାନାଥ ବୋଧହୁଏ ସକୁରା ଠାରୁ ଏମିତି ସକାରାତ୍ମକ ଉତ୍ତର ଚାହୁଁଥିଲେ। ତାଙ୍କ ନିରୀକ୍ଷଣ ଭୁଲ ହୋଇ ନପାରେ। କିନ୍ତୁ ସକୁରା କହିବାକୁ ଲାଗିଲା- “ଲାଠିଟି ବଢ଼ିବା ଓ କମିବାରେ ଆପଣଙ୍କର କ୍ଷତି କ’ଣ ? ବରଂ ଆପଣ ଅନ୍ୟ କାମରେ ମନ ଦିଅନ୍ତୁ, ଅଯଥାରେ ବ୍ୟସ୍ତ ହୋଇ ଆପଣଙ୍କର ଦେହ ଖରାପ ହେବ”।
“ଲାଠିଟି ଏତେ ବର୍ଷ ପରେ ଆପେ ଆପେ ଅଧିକ ଲମ୍ବା ହୋଇଯିବାଟା କ’ଣ ଗୋଟେ ସାଧାରଣ କଥା? ତା’ ଛଡ଼ା ଏଇଟା ତ ବିଜ୍ଞାନ ସମ୍ମତ ନୁହେଁ । ଆମକୁ ଜାଣିବାକୁ ହେବ ଏ ରହସ୍ୟର ମୂଳ କ’ଣ” – ରାଧାନାଥ ଜିଦି ଧରିଲେ। ଏଥର ସକୁରା ଫେଁ କରି ହସିଦେଲା ଓ ଚପଳ ତାତ୍ସଲ୍ୟର ସହ କହିଲା- “ଗୋଟେ ସାଧାରଣ ବାଡ଼ି ମନକୁ ମନ ଲମ୍ବାରେ ବଢ଼ିଯାଇଛି, ଏହା ଗୋଟିଏ ହାସ୍ୟାସ୍ପଦ କଥା ନୁହେଁ ? ଦେଖିବାକୁ ହେବ ଆପଣ ସମସ୍ତ ଔଷଧ ଠିକ୍ ସମୟରେ ଖାଇଛନ୍ତି କି ନାହିଁ। ଆଜିକାଲି ଏମିତି ସବୁ ଅବୁଝା କଥାରେ ଆପଣଙ୍କର ପିଲାଳିଆ ଜିଦି ବଢ଼ିଚାଲିଛି।”
ସକୁରା କଥାରେ ରାଧାନାଥ ଚୁପ୍ ହୋଇଗଲେ। ବାଧ୍ୟ ଅଥଚ ଜିଦିଆ ପିଲାଟିଏ ପରି ମୁହଁ ଫୁଲାଇ ଖଟ ଉପରେ ବସିରହିଲେ। ସକୁରା ଆଉ ବାକ୍ୟବ୍ୟୟ ନ କରି ଲାଠିଟିକୁ ତା’ ଜାଗାରେ ରଖିଦେଲା। ଅଳ୍ପ ସମୟ ପରେ ରାଧାନାଥ ଗଭୀର ନିଦରେ ଶୋଇପଡ଼ିଲେ।
ନିଦରେ ଥାଇ ମଧ୍ୟ ରାଧାନାଥ ଯେମିତି ଅଶାନ୍ତିରେ ଛଟପଟ ହେଉଥିଲେ। ଲାଠିଟିର ପ୍ରସଙ୍ଗ ମନ ଭିତରେ ଅଠା ପରି ଲାଖି ରହିଥାଏ। ଏକ ଅସହଜ ଅସ୍ୱସ୍ତିକର ସ୍ୱପ୍ନ ଆବିଷ୍ଟ କରିବାକୁ ଲାଗିଲା ତାଙ୍କର ସମ୍ପୂର୍ଣ୍ଣ ସତ୍ତାକୁ।
ରାଧାନାଥ ସ୍ୱପ୍ନରେ ଦେଖିଲେ ଯେ ସେ ମୃତ। ତାଙ୍କ ଶରୀର ପଡ଼ି ରହିଛି ଏକ ବରଫଦିଆ ସଂରକ୍ଷଣ ଶଯ୍ୟା ଉପରେ। ନାକପୁଡ଼ାରେ ତୁଳା ଓ ଶରୀର ଉପରେ ଧୋବ ଫରଫର ଚାଦର। ଆଖପାଖରେ ବସି ରହିଥାନ୍ତି କିଛି ପଡୋଶୀ, ତାଙ୍କର ଅଳ୍ପ କିଛି ବନ୍ଧୁ ଓ ପୁଅ ବୋହୂ। ସମସ୍ତଙ୍କ ମୁହଁରେ ଦୁଃଖଦ ଗାମ୍ଭୀର୍ଯ୍ୟ । ସବୁଆଡ଼ ନିରବ। ଘର ଭିତରେ ପଶି ଆସି ଫେରିବାକୁ ବାଟ ପାଉନଥିବା ଘରଚଟିଆଟି ପରି ସକୁରା ଏପାଖ ସେପାଖ ହେଉଥାଏ ସମ୍ଭବତଃ କିଛି ଅନିଶ୍ଚିତ ଉଦ୍ବେଗକୁ ନେଇ। ରାଧାନାଥ ଧୀରେ ଧୀରେ ନିଜ ଶବ ଆଡକୁ ମୁହାଁଇଲେ। ନିଜ ମୃତ ଶରୀରର ମୁହଁକୁ ଛୁଇଁବାକୁ ଚେଷ୍ଟା କରି ବିଫଳ ହେଲେ। ତାଙ୍କ ମନରେ ଜିଜ୍ଞାସା, ତାଙ୍କ ମୃତ୍ୟୁର କାରଣ କ’ଣ ହୋଇପାରେ? ହୃତକ୍ରିୟା ବନ୍ଦ ହୋଇଯିବା ନା ଆକସ୍ମିକ କୌଣସି ଦୁର୍ଘଟଣା?
ସମବେତ ଶୋକାତୁର ପ୍ରିୟଜନମାନେ ତାଙ୍କ ପ୍ରଶ୍ନର ଉତ୍ତର ଦେବେ କ’ଣ? ସେମାନେ ଯେପରି ତାଙ୍କ କଥା ଶୁଣିବାକୁ ଅସମର୍ଥ। ରାଧାନାଥ ସ୍ୱପ୍ନରେ ଥାଇ ହୃଦବୋଧ କଲେ, ସେ ତ ମୃତ, ତାଙ୍କର ସ୍ୱର କାହିଁ? କାହିଁ ତାଙ୍କ ଉପସ୍ଥିତିର ସ୍ୱାକ୍ଷର?
ବାରଣ୍ଡାରେ କିଛି ଲୋକ କୌଣସି କାର୍ଯ୍ୟରେ ବ୍ୟସ୍ତ ଥାନ୍ତି। ରାଧାନାଥ ଅଗତ୍ୟା ସେହି ଆଡକୁ ଯିବାକୁ ଲାଗିଲେ। ସେଠାରେ ତାଙ୍କ ପାଇଁ କୋକେଇ ପ୍ରସ୍ତୁତ କରାଯାଉଥାଏ। ଅନତି ଦୂରରେ ଜଣେ ବ୍ରାହ୍ମଣ ଶୁଦ୍ଧିକରଣ ପୂଜାବିଧି ପାଇଁ ପ୍ରସ୍ତୁତ ହେଉଥାନ୍ତି। ହଠାତ୍ ସକୁରା ସେଠାରେ ପହଞ୍ଚି ଏକରକମ ଚିତ୍କାର କରିବାକୁ ଲାଗିଲା- “ଏ କ’ଣ କରୁଛ ତୁମେମାନେ? ନୂଆ ବାଉଁଶରେ ସିନା କୋକେଇ ବନାଯାଏ ! ତୁମେମାନେ ସେଥିରେ ବାବୁଙ୍କର ଏ ଲାଠିଟି କାହିଁକି ବ୍ୟବହାର କରୁଛ? ତା’ଛଡ଼ା ଲାଠିଟି ସିଧା ବାଗରେ ଛୋଟ ପଡ଼ିଯିବନି?” ସକୁରାର କଥା ଶୁଣିବାକୁ କାହାର ଯେମିତି ତର ନାହିଁ। କୋକେଇ ପ୍ରସ୍ତୁତି ଚାଲିଥାଏ । ରାଧାନାଥ ଦୂରରୁ ଥାଇ ବିନା ବାକ୍ୟବ୍ୟୟରେ ସବୁ ଦେଖୁଥାନ୍ତି। ପୁଅ ସରୋଜ ଦୁଃଖରେ ମ୍ରିୟମାଣ ହୋଇ ଦିଶୁଥାଏ ବିବଶ ଓ ଅସହାୟ।
ସବୁ ଘଟଣା ପ୍ରବାହ ରାଧାନାଥଙ୍କ ସ୍ୱପ୍ନରେ କେତେବେଳେ ବିଶଦ ଭାବରେ ପ୍ରତୀୟମାନ ହେଉଥାଏ ତ କେତେବେଳେ ପୁଣି ଧୀର ଭାବରେ ତାହା ଅସଙ୍ଗତ ଦୃଶ୍ୟ ପରେ ଦୃଶ୍ୟ ହୋଇ ପ୍ରକଟ ହେଉଥାଏ।
ଶେଷରେ ମୃତ ରାଧାନାଥଙ୍କ ଶରୀରଟିକୁ କୋକେଇ ଉପରେ ରଖିଦିଆଗଲା । ରୁଣ୍ଡ ହୋଇଥିବା ସଜ୍ଜନମଣ୍ଡଳୀ ବୋଧେ ରାମନାମ ନେବାକୁ ଲାଗିଥିଲେ। କୋକେଇ ସ୍ପର୍ଶ ମାତ୍ରେ ସ୍ୱପ୍ନାବିଷ୍ଟ ରାଧାନାଥଙ୍କ ଭିତରେ ଯେମିତି ତଡ଼ିତ୍ ବେଗରେ ବିଦ୍ୟୁତ୍ ପ୍ରବାହ ଖେଳିଗଲା। ହୁଏତ ସେ ଥିଲା ବିପୁଳ ଆଲୋକର ଏକ ନିରବ ବିସ୍ଫୋରଣ। ତାର ଔଜ୍ଜଲ୍ୟରେ ସେ ଯେମିତି ଅନ୍ଧ ହୋଇପଡୁଥିଲେ। ସବୁଆଡ଼େ ଆଲୋକର ବିଚ୍ଛୁରଣ ଆଉ କାନ ପାଖରେ ଅସାମାନ୍ୟ ନିରବତା। ରାଧାନାଥ ଏକ ବିଶାଳ ଶୂନ୍ୟ ଭିତରେ ଲୀନ ହୋଇଯାଉଥିଲେ। ତାଙ୍କ ଶରୀର ନିଆଁ ଝୁଲ ପରି ଛୋଟ ଛୋଟ କଣିକାରେ ପରିଣତ ହୋଇ ଆଲୋକର ବହଳ ବଳୟ ଭିତରେ ପ୍ରବେଶ କରି ଚାଲିଥିଲା। ଅସରନ୍ତି ପଥ, ଅଦ୍ଭୁତ ଚିରନ୍ତନ ଅନୁଭବ।
ହଠାତ୍ ରାଧାନାଥଙ୍କ ସ୍ୱପ୍ନ ଭଙ୍ଗ ହେଲା। ନିଜକୁ ସେ ନିଜ ଖଟ ଉପରେ ଆବିଷ୍କାର କଲେ। ଅପସରି ଯାଇଥିଲା ମୃତ୍ୟୁ ଶଯ୍ୟା, ଶୋକାକୁଳ ସ୍ୱଜନବର୍ଗଙ୍କ ବେଦନାଭରା ଚାହାଣି। ନଥିଲା ଅଲୌକିକ ଆଲୋକର ସ୍ଫୁରଣ। ରାଧାନାଥ ଇହଜଗତକୁ ଫେରିଆସିଥିଲେ, ସତେ ଯେମିତି ମହାକାଶ ଚାରଣର ଅଜଣା ଅନୁଭୂତି ସହ। ତାଙ୍କ ଦେହରେ ଖଇଫୁଟା ତାତି।
ଉଦ୍ବେଗର ସହ ତାଙ୍କୁ ଚାହିଁ ବସିରହିଥିଲେ ସକୁରା ଓ ରାନ୍ଧୁଣିଆ ସ୍ତ୍ରୀ ଲୋକଟି। ରାଧାନାଥଙ୍କୁ ସଚେତନ ଦେଖି ସେମାନଙ୍କ ପିଣ୍ଡରେ ଯେମିତି ପ୍ରାଣ ପଶିଲା। ସକୁରା କହିବାକୁ ଲାଗିଲା- “କ’ଣ ହେଲା ଆପଣଙ୍କର ବାବୁ? ଆପଣ ଏପରି ବାଉଳି ଚାଉଳି ହେବା ମୁଁ ପୂର୍ବରୁ କେବେ ଦେଖିନଥିଲି। ବଡ଼ ଭୟ ଲାଗିଲା। ମୁଁ ସରୋଜ ବାବୁଙ୍କୁ ଫୋନ୍ କରି କହିଦେଇଛି। ସେ ହୁଏତ ସେ କାଲି ସୁଦ୍ଧା ଏଠାରେ ପହଞ୍ଚିଯିବେ। ଡାକ୍ତରବାବୁ ମଧ୍ୟ ଆପଣଙ୍କୁ ଦେଖି କିଛି ଇଞ୍ଜେକ୍ସନ ଦେଇ ଯାଇଛନ୍ତି। ସେ ପୁଣିଥରେ ଆପଣଙ୍କୁ ଦେଖିବାକୁ ଆସିବେ ଅଳ୍ପ ସମୟ ପରେ। ହୁଏତ ସେ ଏବେ ଆସୁଥିବେ।” ରାଧାନାଥ ଏକଥା ଶୁଣିପାରୁଥିଲେ କି ନା ଜଣା ନାହିଁ। ଆଖି ଖୋଲି ଶୂନ୍ୟଦୃଷ୍ଟି ପହଁରାଇ ଆଣୁଥିଲେ ସେ ଏଣେ ତେଣେ। ଲାଗୁଥିଲେ ନିଷ୍ପ୍ରଭ, ଦୁର୍ବଳ ଓ ଅସମର୍ଥ।
ହାତ ପାଦ ଆଉଁସି ଦେଉଥିଲା ସକୁରା। ପାଣି ଯାଚୁଥିଲା ରାନ୍ଧୁଣିଆ ସ୍ତ୍ରୀ ଲୋକଟି। କିଛି ସମୟ ପରେ ପୁଣିଥରେ ରାଧାନାଥଙ୍କୁ ପରୀକ୍ଷା କରିବା ପାଇଁ ପହଞ୍ଚିଗଲେ ଡାକ୍ତର ବାବୁ। ତାଙ୍କୁ ଦେଖି ରାଧାନାଥଙ୍କର ଚେତା ଫେରିବା କଥାଟି ବଡ଼ ଭାବପ୍ରବଣତାର ସହ ବର୍ଣ୍ଣନା କରିବାକୁ ଲାଗିଲା ସକୁରା। ତାକୁ ଚୁପ୍ ରହିବାକୁ କହି ଡାକ୍ତର ତାକୁ ଇଶାରା କଲେ ରାଧାନାଥଙ୍କ ଦିଗକୁ। ରାଧାନାଥ କିଛି କହିବାକୁ ଚେଷ୍ଟା କରୁଥିଲେ। ସକୁରା ତାଙ୍କ ମୁହଁ ପାଖରେ କାନ ଡେରି ଯାହା ଶୁଣିଲା, ସେଥିରୁ ବୁଝିଲା ଯେ ରାଧାନାଥ ତାକୁ ଉଜ୍ଜୟିନୀ ଲାଠିଟି ବିଷୟରେ କିଛି ପଚାରୁଛନ୍ତି।
ବଡ଼ ବିରକ୍ତି ସହ ସକୁରା ଡାକ୍ତରଙ୍କୁ କହିଲା- “ଗୋଟିଏ ସାଧାରଣ ବାଡ଼ିଟିକୁ ନେଇ ବାବୁଙ୍କର ଅଯଥାରେ ଏତେ ଶୋଚନା କ’ଣ ପାଇଁ କେଜାଣି, ହୁଏତ ସେଇ ବାଡ଼ିଟିକୁ ଆଣିବାକୁ କହୁଛନ୍ତି”। ଡାକ୍ତରବାବୁ ସକୁରାକୁ ଇଶାରାରେ ପୁଣି ଚୁପ୍ କରି କହିଲେ- “ସେ ଯାହା ମାଗୁଛନ୍ତି ସେଇଟା ତାଙ୍କୁ ଦେଇ ଦେଉନା କାହିଁକି? ବାଡ଼ିଟି ଯଦି ସେ ଦେଖିବାକୁ ମାଗୁଛନ୍ତି ତାଙ୍କୁ ନିଶ୍ଚୟ ଆଣି ଦେଖାଇ ଦିଅ”।
ଡାକ୍ତର ବାବୁ ତାଙ୍କ ବ୍ୟାଗରୁ ଷ୍ଟେଥୋ ଆଦି କାଢୁଥିବା ବେଳେ ସକୁରା କବାଟ କୋଣରୁ ଉଜ୍ଜୟିନୀ ଲାଠିଟି ଆଣି ରାଧାନାଥଙ୍କ ଆଗରେ ଧରି ଠିଆ ହେଲା। ରାଧାନାଥଙ୍କ ପିଲାଳିଆ ଜିଦିକୁ ଉପହାସ କଲା ପରି କହିଲା- “ଏଇ ଦେଖ ତୁମ ଲାଠି, ଯେମିତି ଥିଲା ସେମିତି ଅଛି”। ରାଧାନାଥ ଦୃଷ୍ଟି ସ୍ଥିର କରି ଲାଠିଟିକୁ ଚାହିଁ ରହିଲେ। ଅସ୍ପଷ୍ଟ ସ୍ୱରରେ କହିଲେ- “ତୋତେ ତ ମୋର ପୁରୁଣା ଲାଠିଟି ଆଣିବାକୁ କହିଥିଲି, ତୁ ଛଅଟି ଲାଠି କାହିଁକି ଆଣିଲୁ?”
“ଛଅଟି ଲାଠି?” ସକୁରା ପୁଣି ତାତ୍ସଲ୍ୟ କରି କହିଲା- “ବାବୁ, ସକାଳୁ ଆପଣ କହିଲେ ଲାଠିଟି ଲମ୍ବାରେ ବଡ଼ ହୋଇଯାଇଛି, ଏବେ ଆପଣଙ୍କୁ ଗୋଟିଏ ଲାଠି ଛଅଟି ପରି ମନେ ହେଉଛି। ଆପଣଙ୍କ ଉପରେ ହୁଏତ ଭୂତ ସବାର ହୋଇଛି”। ଇତିମଧ୍ୟରେ ଡାକ୍ତରବାବୁ ରାଧାନାଥଙ୍କୁ ପରୀକ୍ଷା କରିବାକୁ ପ୍ରସ୍ତୁତ ହୋଇସାରିଥାାନ୍ତି। ମାତ୍ର ଆଉ ପରୀକ୍ଷାର ଆବଶ୍ୟକତା ରହିଲା ନାହିଁ। ରାଧାନାଥଙ୍କ ଦେହରେ ହାତମାରି ନିର୍ଲିପ୍ତ ଭାବରେ ସେ କହିଲେ- “ରାଧାନାଥ ବାବୁ ଆଉ ନାହାନ୍ତି”।