ବାଘ ଡରୁଥାଏ ଫାଗକୁ
ହଟିଗଲେ ନିଘା କେଜାଣି କିଏ ସେ ବିପଦ ଆଣିବ ଆଗକୁ !
ଦିନେ ପଡିଥିଲା ପଦିଆ ଅଧିଆ କଚେରୀ ପାଚେରି ଆଗରେ
ପ୍ରବେଶ-ତନଖି ଅଶେଷ ତଲବ ପାରି ହେବ କେଉଁ ବାଗରେ
ବେକର ଗାମୁଛା ମୁଣାର ଛତୁଆ ବିପଦର କାଳେ କାରଣ
ପରିଚୟ ନଥି ନ ଥିଲା ଯେହେତୁ ଜଗୁଆଳି କଲା ବାରଣ
ସରକାରୀ କଳ ଶକତ
ବକଟେ ପଦିଆ ତଥାପି ଅଟକ ପାଣି ଫାଟେ ତାର ରକତ ।
ବାଘ ଡରୁଥାଏ ଫାଗକୁ
ହଟିଗଲେ ନିଘା କେଜାଣି କିଏ ସେ ବିପଦ ଆଣିବ ଆଗକୁ !
ବଳୁଆ, ଧନୀକ, ହାକିମ, ମାଲିକ, ପାଠୁଆ, ମୁରବୀ ସକଳ
ପ୍ରଭାବହାନିର ଭୟରେ ଗୋପନେ ଅହରହ ହୋଇ ବିକଳ
କରନ୍ତି କଳନା ସରଳ ନିରୀହ ଭିତରେ ଛପିଛି ଘାତକ
ପ୍ରତିକ୍ଷଣେ ହୁଏ ତଲାସି ପ୍ରମାଣ, ଆଧାର ହେଉ ବା ଜାତକ
ଛାଗଳ ଦଳରେ ଶୃଗାଳ
ଠାବ କରିବାର କୁଶଳୀ କେବଳ ଦେଖଇ ସଫଳ ସକାଳ ।
ବାଘ ଡରୁଥାଏ ଫାଗକୁ
ହଟିଗଲେ ନିଘା କେଜାଣି କିଏ ସେ ବିପଦ ଆଣିବ ଆଗକୁ !
ଦେଖି ବେଳକାଳ ଓଲଟେ କପାଳ ଶିକାର ପାଲଟେ ଶିକାରୀ
ବଳ କଉଶଳ ପାଣିରେ ଫୋଟକା, ଧନବାନ କ୍ଷଣେ ଭିକାରି
ନିରିବୋଧ କେହୁ ବଡିମାପଣରେ ଫାଗ ମନେକଲେ ବାଘକୁ
ପରିଣାମ ହୁଏ ବଡ ଭୟାବହ ଗମନ ବିଲୟ ଦିଗକୁ
ଡରିଡରି ଏକ ଆରକୁ
ସତେ କି ମଣିଷ ଚାଳିତ ଏ ଯୁଗେ ଠାବ କରି କାଲ ଠାରକୁ ।
ବାଘ ଡରୁଥାଏ ଫାଗକୁ
ହଟିଗଲେ ନିଘା କେଜାଣି କିଏ ସେ ବିପଦ ଆଣିବ ଆଗକୁ !
****